Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ପ୍ରଶାସନିକ ସେବା-୨୦୨୦ ବ୍ୟାଚ୍‌ର ୧୨୭ଜଣ ଟ୍ରେନି ଅଫିସର

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ରାଜ୍ୟ ପ୍ରଶାସନର ଏକ ପ୍ରମୁଖ ସେବା ଭାବେ ପରିଗଣିତ । ଏହି ସେବା ପାଇଁ ଯୋଗ୍ୟ ବିବେଚିତ ହେବା ସୌଭାଗ୍ୟର ବିଷୟ। ପ୍ରଶାସନିକ ଅଧିକାରୀଭାବେ ଜନସାଧାରଣଙ୍କ ସେବା କରିବା ପାଇଁ ତଥା ରାଜ୍ୟର ପ୍ରଗତି ଓ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି।

ସେଥିପାଇଁ ସେମାନେ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସହ ନିଜର କାର୍ଯ୍ୟଶୈଳୀରେ ସର୍ବଦା ସ୍ୱଚ୍ଛତା ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓଡ଼ିଶା ପ୍ରଶାସନିକ ସେବା – ୨୦୨୦ ବ୍ୟାଚ୍‌ର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନର ନ୍ୟୁ ଅଭିିଷେକ ହଲ୍ ଠାରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରେନି ଅଫିସରମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟପାଳ ପ୍ରଶାସନିକ ଅଧିକାରୀଙ୍କ ଏକ ଗୁରୁଦାୟିତ୍ୱ ରହିଛି ଓ ସେମାନେ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଏବଂ କଲ୍ୟାଣମୂଳକ କାର୍ଯ୍ୟକମ୍ରର ସଫଳ ରୂପାୟନ ଦ୍ୱାରା ଏହାର ସୁଫଳ ଜନସାଧାରଣଙ୍କ ନିକଟରେ ପହଂଚିପାରିବ ସେ ଦିଗରେ କାର୍ଯ୍ୟ କରିବାକୁ କହିଥିଲେ।

ବର୍ତମାନର ଡ଼ିଜିଟାଲ୍ ଯୁଗରେ ସୂଚନା ପ୍ରଯୁକ୍ତି (ଆଇଟି)ର ବ୍ୟାପକ ବ୍ୟବହାର ଓ ପ୍ରୟୋଗ ଦିଗରେ ପ୍ରଶାସନିକ ଅଧିକାରୀମାନେ ସର୍ବଦା ଯତ୍ନଶୀଳ ରହିବା ସହିତ ବିକାଶକୁ ଏକ ନୂତନ ଶିଖରରେ ପହଂଚାଇବାକୁ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ। ଓଡ଼ିଶା ଏକ ବିପୁଳ ସୁଯୋଗ ଓ ସମ୍ଭାବନାର ରାଜ୍ୟ। ସେହି ସମ୍ଭାବନାକୁ ନିଜର ଦକ୍ଷତା, ଦୂରଦୃଷ୍ଟି ମାଧ୍ୟମରେ ରାଜ୍ୟର ଉନ୍ନତି ଓ ବିକାଶରେ ରୂପାନ୍ତରିତ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ କହିଥିଲେ।

ରାଜ୍ୟ ଏବଂ ରାଜ୍ୟବାସୀଙ୍କର ସେମାନଙ୍କ ଉପରେ ଥିବା ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଶ୍ରୀ ଦାସ ଅଧିକାରୀମାନଙ୍କୁ କହିଥିଲେ। ଜୀବନର ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଥିବା ଅଧିକାରୀମାନଙ୍କୁ ରାଜ୍ୟପାଳ ନିଜର ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଟ୍ରେନି ଅଫିସରମାନଙ୍କୁ ନିଜର ଦକ୍ଷତା ଓ ସଫଳତା ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବାକୁ ଗୌରବାନ୍ୱିତ କରିବାକୁ କହିଥିଲେ। ପ୍ରଶାସନିକ ଅଧିକାରୀଭାବେ ସମସ୍ୟା ସମାଧାନ କରିବାର କଳା ସେମାନଙ୍କୁ ଦକ୍ଷ ଏବଂ ସଚ୍ଚୋଟ ଅଫିସରଭାବେ ପରିଗଣିତ କରାଇବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡାଇରେକ୍ଟର ଜେନେରାଲ ଡ଼କ୍ଟର ପ୍ରତାପ କୁମାର ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଦୁଇଜଣ ଟ୍ରେନି ଅଫିସର ପ୍ରଶିକ୍ଷଣ ସମୟର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଉତ୍ସବରେ ୧୨୭ଜଣ ଟ୍ରେନି ଅଫିସରଙ୍କ ମଧ୍ୟରେ ୫୫ଜଣ ମହିଳା ଟ୍ରେନି ଅଫିସରଙ୍କ ସମେତ ଏକାଡେମୀର ଅନ୍ୟ ଅଧିକାରୀ ଏବଂ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଝିଅ ସଂଗୀତା ସେନଙ୍କୁ ଓଏଏସ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତାର ଚାବି। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଏଏସ ଅଧିକାରିଣୀ ସଂଗୀତା ସେନ। ୨୦୧୯ ଏବଂ ୨୦୨୦ ରେ ଉଭୟଥର ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଗତକାଲି ସଂଗୀତାଙ୍କୁ ଗଞ୍ଜାମ ଜିଲ୍ଲାରେ ଓଏଏସ କ୍ୟାଡର ଟିଆରଓ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଭାପୁର ଗ୍ରାମର ଲକ୍ଷ୍ମୀଧର ସେଣ ଏବଂ ବିଳାସ ସେଣଙ୍କ କନ୍ୟା ଅଟନ୍ତି ସଂଗୀତା। ବାପା ପେଶାରେ କୃଷକ ହୋଇଥିବାବେଳେ ମାତା ଜଣେ ଗୃହିଣୀ ଅଟନ୍ତି। ଗୋଟେ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ଓଏଏସ ଅଧିକାରିଣୀ ହୋଇପାରିଛନ୍ତି ସଂଗୀତା।

ସଂଗୀତା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିଥିବାବେଳେ ଖଲିକୋଟ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସିଲ କରିଛନ୍ତି। ପିଲାଟି ଦିନରୁ ସଂଗୀତା ମେଧାବୀ ଛାତ୍ରୀ ହୋଇଥିବାବେଳେ ଦୀର୍ଘ ଚାରି ବର୍ଷ ହେଲା ଓପିଏସସି ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତେବେ ୨୦୧୯ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଂଗୀତାଙ୍କୁ ଓଟିଏଏସ କ୍ୟାଡର ମିଳିଥିବା ବେଳେ ପୁଣି ୨୦୨୦ ରେ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହେବାରୁ ତାଙ୍କୁ ମିଳିଛି ଓଏଏସ କ୍ୟାଡର।

ସମାଜରେ ନିଷ୍ପେସିତ ଏବଂ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ସଂଗୀତା। ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ସଂଗୀତା। ରାଜ୍ୟର ଉକ୍ତ ସମ୍ମାନଜନକ ପ୍ରଶାସନିକ ସେବା କ୍ଷେତ୍ରରେ ଯୋଗଦେବା ସହ ନିଜ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ସେ ନିଶ୍ଚୟ ସଫଳତାର ଶିଖର ଛୁଇଁବେ ବୋଲି ବାଣପୁର ବାସି ଆଶାବାଦୀ ଅଛନ୍ତି।