Categories
ଆଜିର ଖବର ରାଜ୍ୟ ଖବର

ଓକାକ୍‌ ଡାଟା ସେଣ୍ଟର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ଓକାକ୍‌ ସ୍ଥିତ ଡାଟା ସେଣ୍ଟର ପରିଦର୍ଶନ କରି ସେଠାରେ ଉପଲବ୍ଧ ସମସ୍ତ ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଆଜିର ଡିଜିଟାଲ ଯୁଗରେ ବିଭିନ୍ନ ସରକାରୀ ବ୍ୟବସ୍ଥା କିଭଳି ଲୋକଙ୍କ କାର୍ଯ୍ୟରେ ଆସୁଛି ଏବଂ ସରକାରୀ ବିଭାଗର ବିଭିନ୍ନ ଡାଟା କିପରି ସୁରକ୍ଷିତ ଭାବେ ସରଂକ୍ଷିତ ହେଉଛି, ସେ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କ ସହ ସେ ଆଲୋଚନା କରିଛନ୍ତି ।

ସୂଚନା ଅନୁଯାୟୀ ବର୍ତ୍ତମାନ ୪୫ଟି ରେକ୍‌ ବିଶିଷ୍ଟ ବ୍ୟବସ୍ଥା ମଧ୍ୟରେ ଓଡ଼ିଶା ସରକାରଙ୍କର ୪୬୦ରୁ ଊଦ୍ଧ୍ୱର୍ ଆପ୍ଲିକେସନର ଡାଟା ସରଂକ୍ଷିତ ହୋଇପାରୁଛି । ଆହୁରି ୮୮ ଗୋଟି ରେକ୍‌ର ପ୍ରସ୍ତୁତି ହେଉଛି, ଯାହାକି ଆଗାମୀ ଦିନରେ ଏହି ଡାଟା ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିପାରିବ ।

ବର୍ତ୍ତମାନ ଏହାର ଦୁଇଟି କେନ୍ଦ୍ର କୋରାପୁଟ ଏବଂ ସୁନ୍ଦରଗଡ଼ରେ ହେବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ରାଜ୍ୟବ୍ୟାପୀ ଏହି ବ୍ୟବସ୍ଥା କିଭଳି ଅଧିକ ସୁଦୃଢ ହୋଇପାରିବ ସେ ବିଷୟରେ ଶ୍ରୀ ପଟ୍ଟନାୟକ ବିସ୍ତୃତ ଆଲୋଚନା କରିବା ସହ ଏପରି ଯୁଗାନ୍ତକାରୀ ବ୍ୟବସ୍ଥା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ଗସ୍ତ ଅବସରରେ ଏନ୍‌ଆଇସି ଓ ଡାଟା ସେଣ୍ଟରର ଅପରେସନ୍‌ ବିଭାଗର ଅଧିକାରୀ ଏବଂ ଓକାକ୍‌ର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା: ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତନେଟ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ ଅଧିନରେ ରାଜ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ଆଜି ଓପିଟିସିଏଲ୍‌, ଭାରତ ସଂଚାର ନିଗମ ଲିମିଟେଡ୍‌ ଏବଂ ଓଡିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି।

ଏହି ଅବସରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓପିଟିସିଏଲର ନିର୍ଦ୍ଦେଶକ ବି.ବି ମେହେଟ୍ଟା ଏବଂ ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌. ଏନ୍‌ ପଲ୍ଲାଇ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ତଥା ଓକାକ ସିଇଓ ମନୋଜ ପଟ୍ଟନାୟକ, ଜେନେରାଲ ମ୍ୟାନେଜର ଓକାକ୍‌ ମଧୁମିତା ରଥ, ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଏହି ଭାରତନେଟ୍‌-ଓଡିଶା ପ୍ରକଳ୍ପ ଦ୍ୱାରା କେବଳ ବ୍ଲକ ମୁଖ୍ୟାଳୟ ସ୍ତରରେ ନୁହେଁ ବରଂ ରାଜ୍ୟର ଦୁର୍ଗମ ଅଂଚଳରେ ଥିବା ଗ୍ରାମପଞ୍ଚାୟତରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବ। ଆଜିର ଯୁଗରେ ପ୍ରାୟ ସମସ୍ତ ସରକାରୀ ସେବାଗୁଡିକ ଇଣ୍ଟରନେଟ ଉପରେ ନିର୍ଭରଶୀଳ। ଲୋକମାନେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ସୁବିଧାରେ ପାଇ ପାରିବେ ସେଥି ନିମନ୍ତେ ସରକାର ଚେଷ୍ଟିତ ଅଛନ୍ତି। ରାଜ୍ୟ ସରକାର ୫-‘ଟି’ ଅଧିନରେ ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି, ସେଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟେକ ଗ୍ରାମରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେବ ଏବଂ ଲୋକମାନେ ସମସ୍ତ ସରକାରୀ ସୁବିଧାର ଲାଭ ପାଇପାରିବେ।

ଓପିଟିସିଏଲ୍‌ ଏବଂ ଓକାକ୍‌ ନିଜର କାର୍ଯ୍ୟ ପାରଦର୍ଶିତା ଦେଖାଇ ସଫଳ ଭାବରେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ନେଟ୍‌-୨ ପର୍ଯ୍ୟାୟର ପ୍ରକଳ୍ପକୁ ସଂପୂର୍ଣ୍ଣ କରିଥିବାରୁ ମନ୍ତ୍ରୀ ଏହି ଦୁଇ ସଂସ୍ଥାକୁ ଭୂୟସୀ ପ୍ରଶାଂସା କରିଥିଲେ। ଭାରତ ସଂଚାର ନିଗମ୍‌ ଲିମିଟେଡ୍‌ ମଧ୍ୟ ଏହି ଭିତ୍ତିଭୂମିର ଲାଭ ଉଠାଇ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ସୁଦୃଢ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶାବ୍ୟକ୍ତ କରିଥିଲେ।

ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌. ଏନ୍‌ ପଲାଇ ପ୍ରକଳ୍ପ ବିଷୟରେ କହିଥିଲେ ଯେ ୫୪୫ କୋଟି ଟଙ୍କା ବିନିମୟରେ ୨୦,୦୦୦ କିଲୋମିଟର ଦୀର୍ଘ ଅପଫିକାଲ ଫାଇବର କେବଲିଂ ମାଧ୍ୟମରେ ୧୩୨ଟି ବ୍ଲକ ଅଧୀନରେ ଥିବା ୨୯୩୨ଟି ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଂଟରନେଟ୍‌ ସେବା ଯୋଗାଇଦିଆଯିବ। ଯାହାଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସହଜରେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ପାଇ ପାରିବେ।