Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି। ତାଙ୍କ ଜୀବନର ଗଭୀରତା, ସଦ୍​ଗୁଣ ଓ ଆଦର୍ଶ  ତାଙ୍କୁ ଦେବତାଙ୍କ  ସହିତ ତୁଳନୀୟ  କରିଥିଲା। ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର। ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ତାଙ୍କର  ରାଜନୈତିକ ବିରୋଧୀ ଥିଲେ। କିନ୍ତୁ, କେହି ଶତ୍ରୁ ନଥିଲେ। ତେଣୁ, ସେ ଥିଲେ ଅଜାତଶତ୍ରୁ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ  ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ OUAT କୃଷି ସେବା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଣେ ଉଦାର ହୃଦୟ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ, ଓଜସ୍ୱିନୀ ବକ୍ତା ଓ ଜଣେ ପ୍ରସିଦ୍ଧ କବି ଭାବେ ଭାରତ ବର୍ଷର ରାଜନୈତିକ ଇତିହାସରେ ସ୍ୱର୍ଗତ ବାଜପେୟୀଙ୍କ ନାମ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ସେ ପୁଣି କହିଥିଲେ ଯେ ବାଜପେୟୀଜୀ ଥିଲେ ଜଣେ ଯୁଗପୁରୁଷ । ବିଂଶ ଶତାବ୍ଦୀର  ଶେଷ ଭାଗରେ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ଦେଶର ନେତୃତ୍ୱ ନେଇ ସାରା ଦେଶକୁ ଏକ ନୂଆ ଦିଗ୍​ଦର୍ଶନ ଦେଇଥିଲେ।

ଦେଶର ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର ସଫଳ ନେତୃତ୍ୱ ହିଁ ପ୍ରମାଣିତ କରିଥିଲା ଯେ, ଏକବିଂଶ ଶତାବ୍ଦୀ ହେବ ଭାରତର ଶତାବ୍ଦୀ ।  ତାଙ୍କ ଶାସନରେ ଦେଶର ବିକାଶର ଗତି ଏକ ନୂତନ ଶିଖର ଛୁଇଁ ଥିଲା ।
ଅର୍ଥନୈତିକ ପ୍ରଗତି ଓ ଭିତ୍ତିଭୂମିର ବିକାଶ ତାଙ୍କ ଶାସନର ଏକ ଉଜ୍ଜ୍ୱଳ ଅଧ୍ୟାୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଙ୍କୁ ଜଣେ ସୁଶାସକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ତାଙ୍କ ସମୟରେ ଦେଶର ଆର୍ଥିକ ପ୍ରଗତି ନୂତନ ଶିଖର ଛୁଇଁ ଥିଲା।

ବିକାଶର ସୁବୁଠୁ ବଡ ଆବଶ୍ୟକତା  ଭିତ୍ତିଭୂମି  ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଯଦି ଆମେ ଭାରତର ବିକାଶର ଇତିହାସକୁ ଦେଖିବା, ତେବେ ବାଜପେୟୀଙ୍କ ସମୟ ହେଉଛି, ଭିତ୍ତିଭୂମି  ବିକାଶର  ଏକ ନୂତନ  ଅୟମାରମ୍ଭ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଭାରତର ଚାରି ମହାନଗରୀକୁ ଯୋଡି ସେ ବିକାଶକୁ ଏକ ନୂଆ ଗତି ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସେ ଦେଶର ଗାଁ ଗୁଡିକରେ ସିମେଣ୍ଟ କଂକ୍ରିଟ ରାସ୍ତା କରି ଗ୍ରାମ୍ୟ ଭିତ୍ତିଭୂମି ସୁଦୃଢ କରିଥିଲେ।  ବାଜପେୟୀଙ୍କ ସୁଦୂର ପ୍ରସାରି ଚିନ୍ତାଧାରା ଗାଁ’ର ପରିବେଶ  ଓ   ଗ୍ରାମ୍ୟ  ଅର୍ଥନୀତିରେ ଏକ  ବ୍ୟାପକ ପରିବର୍ତ୍ତନ ଆଣି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଙ୍କ ସଂପର୍କରେ କେତେକ  କାହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଥିଲେ ଜଣେ ସର୍ବ ମାନ୍ୟ ନେତା। ନିଜ ଆଦର୍ଶ ସହିତ ବାଜପେୟୀ କେବେ ବି ସାଲିସ କରି ନ ଥିଲେ ବୋଲି ସେ କହିଥିଲେ।

ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ କିପରି ଜାତିସଂଘରେ   ପାକିସ୍ତାନର  ଚାଲ୍ କୁ ପ୍ରତିହତ କରିବାରେ ସଫଳ ହୋଇଥିଲେ, ୧୯୯୯ ରେ ସରକାର ବଞ୍ଚାଇବା ପାଇଁ ସେ କିପରି ରାଜନୈତିକ ମୂଲ୍ୟବୋଧ ସହିତ ସାଲିସ କରି ନ ଥିଲେ ଆଦି ବିଭିନ୍ନ ବିଷୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ, ନିଜ ନୀତି ଆଦର୍ଶ କିମ୍ବା ବାବା ସାହେବଙ୍କ ପ୍ରଣିତ ସମ୍ବିଧାନର ଆତ୍ମାର ସୁରକ୍ଷା ପାଇଁ ନିଜ ସରକାରକୁ ଉତ୍ସର୍ଗ କରିଦେଇଥିଲେ, କେବଳ ଗୋଟି ଭୋଟ ପାଇଁ।

ଏହି ଦୁଇଟି ପ୍ରସଙ୍ଗରୁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵ, ତାଙ୍କର ଦୁରଦୃଷ୍ଟି ଏବଂ ଦେଶ ତଥା ଗଣତନ୍ତ୍ର ପ୍ରତି ତାଙ୍କର ଆବେଗ ସହଜରେ ଅନୁମେୟ ବୋଲି ସେ କହିଥିଲେ ।

ଆଜି ଭାରତୀୟ ଜନତା ପାର୍ଟି ବିଶ୍ଵର ସବୁଠାରୁ ବଡ ରାଜନୈତିକ ଦଳ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦଳ କଷ୍ଟସାଧ୍ୟ ସମୟରେ ବାଜପେୟୀଙ୍କ  ଦୃଢ଼ ନେତୃତ୍ୱ ଭାରତୀୟ ଜନତା ପାର୍ଟିକୁ ଆଜି ଏକ ସଫଳ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଯେଉଁ ଦଳକୁ ବାଜପେୟୀ ଜୀ ସିଞ୍ଚନ କରି ଜାଗ୍ରତ କରିଥିଲେ, ମାନନୀୟ ମୋଦୀ ଜୀ ତାଙ୍କର ପଦାଙ୍କ ଅନୁସରଣ କରି ଦଳକୁ ହୃଷ୍ଟ ପୃଷ୍ଟ କରିଛନ୍ତି ଏବଂ ଏହି ପ୍ରକ୍ରିୟା ଆଜି ବି ଜାରି ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ ଏମିତି ଏକ ନେତୃତ୍ଵ ଥିଲେ, ଯାହାଙ୍କ ବ୍ୟକ୍ତିତ୍ୱ ଅନ୍ୟ ବିରୋଧୀ ଦଳଙ୍କୁ ଆକର୍ଷିତ କରିଥିଲା ଏବଂ ଭାରତରେ ଏକ ନୂଆ ପ୍ରକାର ରାଜନୀତିର ଅଭ୍ୟୁଦୟ ହୋଇଥିଲା। ବିଭିନ୍ନ ବିଚାରଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳଙ୍କୁ ନେଇ ଦେଶପାଇଁ ଗଠନମୂଳକ କାର୍ଯ୍ୟ କରିବାର କଳା, କୌଶଳ ତାଙ୍କର ଥିଲା।

ବାଜପେୟୀଙ୍କ ନେତୃତ୍ୱରେ ପୋଖରନ୍ ରେ ପରମାଣୁ ପରୀକ୍ଷଣ, କାରଗିଲ ଯୁଦ୍ଧରେ ବିଜୟ ଆଜି ଦୃଢ଼ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ।

1999ର କାରଗିଲ ବିଜୟ ସଂପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କ ଦୃଢ ନେତୃତ୍ୱର ପରିଚୟ ଦିଏ । ଦେଶର ଅଖଣ୍ଡତା ପାଇଁ ସେ ଦୃଢ ନେତୃତ୍ୱ ପ୍ରଦର୍ଶନ କରିଥିବା ବେଳେ, ଶାନ୍ତି ସ୍ଥାପନ ପାଇଁ  ଟିକିଏ Extra Mile ଚାଲିବାକୁ ସେ ପଛେଇ ଯାଉ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଲେ ଯେ, ପାକିସ୍ତାନ ସହିତ ଶାନ୍ତି ସ୍ଥାପନ ପାଇଁ ସେ  ପାକିସ୍ତାନ ଯାତ୍ରା କରିଥିଲେ ଓ ପାକିସ୍ତାନ ରାଷ୍ଟ୍ରମୁଖ୍ୟଙ୍କୁ ଭାରତ ମଧ୍ୟ ଆମନ୍ତ୍ରଣ କରିଥିଲେ । କିନ୍ତୁ, ଆବଶ୍ୟକ ହେଲେ କଠୋର ରୁ କଠୋରତମ ପଦକ୍ଷେପ ନେବା ପାଇଁ ସେ ତିଳେମାତ୍ର ପଛଉ ନ ଥିଲେ।

ତାଙ୍କ ପାଇଁ ଦେଶର ସ୍ୱାର୍ଥର ସୁରକ୍ଷା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ନୀତି, ଆଦର୍ଶ ଏବଂ ଜନତାଙ୍କ ପ୍ରତି ସମର୍ପଣ ମନୋଭାବ ତାଙ୍କୁ ଦେଶର ଏକ ଅଦ୍ୱିତୀୟ ନେତା ଓ ସୁଶାସକର ପରିଚୟ ଦେଇଥିଲା।

ସ୍ୱର୍ଗତ ବାଜପେୟୀଙ୍କର ଓଡିଶା ପ୍ରତି ଅନେକ ଅବଦାନ ରହିଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ 1999ର ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡିଶା ଯେତେବେଳେ ହତାଶା ମଧ୍ୟରେ ଗତି କରୁଥିଲା, ସେତେବେଳେ ବାଜପେୟୀଜୀ ଓଡିଶା ଆସି ପ୍ରତ୍ୟେକ ଓଡିଶାବାସୀଙ୍କୁ ଆଶାର ଆଲୋକ ଦେଖାଇଥିଲେ ।

ବାଜପେୟୀ କହିଥିଲେ ଯେ, ଓଡିଶାର ବିକାଶ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ । ବାଜପେୟୀଜୀଙ୍କ ଏହି ଆଶ୍ୱାସନା ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଥିଲା । ବାଜପେୟୀଜୀ ଏହାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ 300 କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

ଏହା ବ୍ୟତିତ ଓଡିଶାର କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ 7 ଲକ୍ଷ  ଘର ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରିଥିଲେ । କେବଳ ସେତିକି ନୁହେଁ, ପାରାଦୀପରେ Indian Oil Corporation ଦ୍ୱାରା ଏକ Refinery ସ୍ଥାପନ ଓ ଭୁବନେଶ୍ୱରରେ ଏମ୍​ସ ସ୍ଥାପନ ପାଇଁ ମଧ୍ୟ ସେ ଭିତ୍ତିପ୍ରସ୍ତର ରଖିଥିଲେ । ଏହା ସହିତ 2003 ମସିହାରେ East Coast Railway ମଧ୍ୟ ସ୍ଥାପନ ହୋଇଥିଲା । ବାଜପେୟୀଙ୍କ ସମୟରେ ହିଁ ସାନ୍ତାଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଯାଇ, ଦେଶର ଏକ ସରକାରୀ ଭାଷାର ମର୍ଯ୍ୟଦା ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମେ ଜଣେ ସୁଶାସକ କେବଳ ତାଙ୍କୁ ହିଁ କହି ପାରିବା, ଯାହାଙ୍କ ଶାସନରେ ଲୋକ ନିଜକୁ ସବୁ ଦୃଷ୍ଟିରୁ ସୁରକ୍ଷିତ ମନେ କରିବେ । ନିଜର ଏକ ସୁନ୍ଦର ଭବିଷ୍ୟତର ଉଜ୍ଜ୍ୱଳ ଆଶା ମଧ୍ୟ ଲୋକଙ୍କ ଭିତରେ  ସୃଷ୍ଟି ହେଉଥିବା ଆବଶ୍ୟକ ।  ସବୁ ଦୃଷ୍ଟିକୋଣରୁ ବାଜପେୟୀଜୀ ଥିଲେ ଜଣେ ସୁଶାସକ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଦେଶ ପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ଜନ୍ମ ଦିବସକୁ ସୁଶାସନ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଜୀଙ୍କୁ, ପ୍ରଧାନମନ୍ତ୍ରୀ ମୋଦୀଜୀ  ବହୁତ୍ ଶ୍ରଦ୍ଧା ଓ  ସମ୍ମାନ କରନ୍ତି  ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ 2018 ଅଗଷ୍ଟ ୧୬ ତାରିଖ, ଯେଉଁ ଦିନ ବାଜପେୟୀଙ୍କ ଦେହାବସାନ ହେଲା, ସେ ଦିନ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରୁ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ବାଜପେୟୀଙ୍କ ମର ଶରୀର ସହିତ ପଦରେ ଚାଲି ଚାଲି  ଶେଷକୃତ୍ୟ ସ୍ଥଳକୁ ଯାଇଥିଲେ । ଜଣେ ପୁତ୍ର ସଦୃଶ ସେ ତାଙ୍କର ଶେଷ କୃତ୍ୟ ସମ୍ପାଦନ କରିଥିଲେ।

ଏହା ହେଉଛି, ଭାରତୀୟ ସଂସ୍କାର। ଉଭୟ ବାଜପେୟୀଜୀ ଓ ମୋଦୀଜୀ ହେଉଛନ୍ତି ଏହାର ପ୍ରକୃଷ୍ଟ ଉଦାହରଣ  ବୋଲି ସେ କହିଥିଲେ।

ଓଡ଼ିଶାରେ ନୂଆ ସରକାର କିପରି ସୁଶାସନ ପାଇଁ ପ୍ରଟିବଦ୍ଧ ହୋଇ କାମ କରୁଛି ସେ ସମ୍ପର୍କରେ ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶାରେ  ଆମ   ସରକାର  ମାତ୍ର ୬  ମାସ  ପୂରଣ  କରିଛି। କିନ୍ତୁ, ଲୋକଙ୍କୁ ସୁଶାସନ ଦେବାରେ ଆମେ ଗୋଟିଏ ମିନିଟ ମଧ୍ୟ ନଷ୍ଟ କରିନାହୁଁ। ସୁଶାସନର ଏକ ବଡ଼ ଆବଶ୍ୟକତା ହେଉଛି ଲୋକଙ୍କ ଭରସା।

ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର ଗଠନ ହେଲା, ସେହି ଦିନ ହିଁ କ୍ୟାବିନେଟ୍ ବସାଇ ଆମେ ଚାରିଟି ମୁଖ୍ୟ ନିଷ୍ପତ୍ତି ନେଇଥିଲୁ। ସରକାର ଗଠନର ଛ’ ମାସ ମଧ୍ୟରେ ସେହି ଚାରିଟି ଯାକ ନିଷ୍ପତ୍ତି କାର୍ଯ୍ୟକାରୀ କରିଛୁ। ଶ୍ରୀମନ୍ଦିର’ର ଚାରି ଦ୍ଵାର ଖୋଲିବା, ଶ୍ରୀମନ୍ଦିର’ର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ସହିତ ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଓ ଚାଷୀ ଭାଇ ମାନଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା  ପ୍ରଦାନ —  ସବୁ ପ୍ରତିଶ୍ରୁତି  କାର୍ଯ୍ୟକାରୀ  କରିଛୁ। ଲୋକଙ୍କ ଭିତରେ ସରକାରଙ୍କ ଉପରେ ଭରସା ସୃଷ୍ଟି ହୋଇ ପାରିଛି । ଲୋକ ଅନୁଭବ କରୁଛନ୍ତି, ଯେ ସରକାରଙ୍କ କଥା ଓ କାମ ସମାନ। ଆଉ ଗୋଟିଏ କଥା ହେଉଛି, ଗୋଟିଏ ସରକାର ଭାବେ ଲୋକଙ୍କୁ ନିୟମିତ ଭାବେ ଭେଟିବା, ସେମାନଙ୍କ ସୁଖ ଦୁଃଖ ବୁଝିବା।

ଆମ  ସରକାର ଗଠନର ପ୍ରଥମ ଦିନରୁ ହିଁ ମୁଁ ନିଜେ ଲୋକଙ୍କୁ ନିୟମିତ ଭାବେ ଭେଟୁଛି ଓ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଛି। ପ୍ରତି ସୋମବାର ଦିନ ମୁଁ ଓ ମୋ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କୁ ଶୁଣି ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛୁ । ଆମ ପାଇଁ ଖୁସିର କଥା, ଆମ ସରକାର ‘ଲୋକଙ୍କ ସରକାର’ ବା People’s Government  ଭାବରେ ସୁନାମ ଅର୍ଜନ କରିଛି। ଗୋଟିଏ ନୂଆ ସରକାର ପାଇଁ ଏହା କିଛି କମ୍ ଉପଲବ୍​ଧି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । କେବଳ ସେତିକି ନୁହେଁ, ଓଡ଼ିଶାର ଲୋକଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ‘ଭିଜନ ଡକୁମେଣ୍ଟ’ ମଧ୍ୟ ପ୍ରସ୍ତୁତ କରୁଛୁ  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ

୨୦୩୬ କୁ ଦୃଷ୍ଟିରେ ରଖି ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଯୋଜନା ପ୍ରସ୍ତୁତ କର

ବାଜପେୟୀଜୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ  ସୁଶାସନ ପାଇଁ ଆମର ଏହି ସଂକଳ୍ପ ଓ କାର୍ଯ୍ୟାବଳୀ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ବାଜପେୟୀଙ୍କ ଏକ କାଳଜୟୀ ପଂକ୍ତି ସହିତ ଅଭିଭାଷଣ ଶେଷ କରିଥିଲେ।

କ୍ୟା ହାର୍ ମେଁ, କ୍ୟା ଜିତ୍ ମେଁ,
କିଞ୍ଚିତ୍ ନେହିଁ ଭୟଭୀତ୍ ମେଁ ।
କର୍ତ୍ତବ୍ୟ ପଥ୍ ପର୍ ଯୋ ଭି ମିଲା,
ୟହ  ଭି ସହି, ଓ  ଭି   ସହି,
ବରଦାନ୍ ନେହିଁ ମାଙ୍ଗୁଗାଁ ।
ହୋ କୁଛ,
ପର୍, ହାର୍ ନେହିଁ ମାନୁଙ୍ଗା
ପର୍, ହାର୍ ନେହିଁ ମାନୁଙ୍ଗା ।।

ବିଧାୟକ, ଏକାମ୍ର- ଭୁବନେଶ୍ୱରଶ୍ରୀ ବାବୁ ସିଂହ କହିଥିଲେ ଯେ ବାଜପେୟୀ ଥିଲେ ଦେଶର ଶ୍ରେଷ୍ଠ ପୁରୁଷ। ତାଙ୍କର ସୁଶାସନ ପାଇଁ ଦେଶ ଆଜି ବି ତାଙ୍କର ପୁନର୍ଜନ୍ମ କୁ ଚାହିଁ ରହିଛି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଲେ ଯେ ବାଜପେୟୀଙ୍କ ଜୀବନୀ ଓ ଆଦର୍ଶ ରୁ ଆମକୁ ବହୁତ୍ କିଛି ଶିଖିବାର ଅଛି। ବିକାଶ ଓ ପ୍ରଗତିର ଏକମାତ୍ର ମାଧ୍ୟମ ହେଉଛି ସୁଶାସନ ବୋଲି ସେ କହିଥିଲେ।

ସ୍ବାଗତ ଭାଷଣ ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭା ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ସେବା ଭାବ, ସମ୍ବେଦନଶୀଳତା  ଓ ଉତ୍ତଦାୟିତା ମାଧ୍ୟମରେ ବାଜପେୟୀ ସୁଶାସନ ପ୍ରତିଷ୍ଠା କରିଥିଲେ।

ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଭୋକ, ଭୟ ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାର ପ୍ରକୃତ ମାର୍ଗ ଦର୍ଶନ କରିଥିଲେ ବାଜପାୟୀ । ତାଙ୍କ ଜୟନ୍ତୀକୁ  ରାଜ୍ୟ ସ୍ତରୀୟ ଉତ୍ସବ ଭାବେ ପାଳନ କରାଯାଇ ଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ।

ଭାରତ ରତ୍ନ ଅଟଳ ବିହାରୀ ଓ ସାମାଜିକ ସମଦର୍ଶିତା ନାମକ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆଜି ମଧ୍ୟାହ୍ନରେ  ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର କବିମାନେ କବିତା ପାଠ କରିବା ସହ ଅଟଳ ବିହାରୀ ବାଜପେୟୀଜୀଙ୍କର ସ୍ମୃତିଚାରଣ କରିଥିଲେ। କବିତାମାନଙ୍କର ଅଟଳଜୀଙ୍କ ଦେଶମାତୃକା ପ୍ରତି ରହିଥିବା ତ୍ୟାଗ ଓ ସମ୍ମାନ ପ୍ରସ୍ଫୁଟିତ ହୋଇଉଠିଥିଲା।

Categories
ବିଶେଷ ଖବର

ଓଡ଼ିଶାର ବିକାଶ ପାଇଁ ୬୫୦ କିଲୋମିଟର ବିଜୁ ଏକ୍ସପ୍ରେସଓ୍ୱେ କାହିଁକି ଗୁରୁତ୍ୱପୂର୍ଣ୍ଣ

ମନୋଜ କୁମାର ମିଶ୍ର

ଅଧିକ ପ୍ରଭାବଶାଳୀ ବିଜୁ ଏକ୍ସପ୍ରେସଓ୍ୱେ – ଏକ ଦୂରଦର୍ଶୀ ଭିତ୍ତିଭୂମି ଅର୍ଥନୈତିକ ପ୍ରଗତିର ପ୍ରତିଶ୍ରୁତି ଦେଇଥାଏ। ଦୀର୍ଘ ୬୫୦ କିଲୋମିଟର ବ୍ୟାପୀ ଏହି ଏକ୍ସପ୍ରେସଓ୍ୱେ କୃଷି କ୍ଷେତ୍ରରେ ବିଶେଷ କରି ପଶ୍ଚିମ ଓଡ଼ିଶା ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିବ ଏବଂ ନୂତନ ଅର୍ଥନୈତିକ କରିଡ଼ର ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଅଭିବୃଦ୍ଧିର ଲକ୍ଷ୍ୟ ନିର୍ଦ୍ଧାରଣ କରିବ। କୃଷକଙ୍କ ପାଇଁ ବଜାର ବଡ଼ ହେବା ସହ ପର୍ଯ୍ୟଟନ ଅଧିକ ଆକର୍ଷଣୀୟ ହୋଇପାରିବ।

ବ୍ରହ୍ମପୁର ଓ ଜୟପୁରକୁ ସଂଯୋଗ କରୁଥିବା ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏହି ଅଞ୍ଚଳରେ ଭିତ୍ତିଭୂମି ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ଦର୍ଶାଉଛି।

ରାଜପଥ ଜୀବନକୁ ସଂଯୋଗ କରେ, କୌଣସି ଅଞ୍ଚଳର ସାମାଜିକ-ଅର୍ଥନୈତିକ ସ୍ଥିତି ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରେ ଏବଂ ନୂତନ ଅର୍ଥନୈତିକ ଲାଭ ସୃଷ୍ଟି କରେ। ଅଧିକ ମାତ୍ରାରେ, ସେମାନେ ଲୋକଙ୍କ ହୃଦୟକୁ ସଂଯୋଗ କରନ୍ତି ଯାହାକୁ ରିଟର୍ଣ୍ଣ ଅନ୍‍ ଇନଭେଷ୍ଟମେଣ୍ଟ (ଆରଓଆଇ) ସ୍କେଲରେ ମାପ କରାଯାଇପାରିବ ନାହିଁ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଯୋଗାଯୋଗକୁ ନୂତନ ଭାବରେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବିକାଶ ରୋଡମ୍ୟାପ୍‍କୁ ପ୍ରୋତ୍ସାହିତ କରିବା ସହ ଲୋକଙ୍କ ଗତିଶୀଳତାଠାରୁ ଆରମ୍ଭ କରି ରାଜ୍ୟର ଅର୍ଥନୀତିକୁ ପରିବର୍ତ୍ତିତ କରି ଆଉ ଏକ ନୂତନ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ‘ବିଜୁ ଏକ୍ସପ୍ରେସଓ୍ୱେ’ ଆରମ୍ଭ କରିଛନ୍ତି- ଯାହାକି ଓଡ଼ିଶା ଓ ଏହି ଅଞ୍ଚଳ ପାଇଁ ବିକାଶର ଏକ ନୂତନ ଯାତ୍ରା ଆରମ୍ଭ କରିବ।

କୌଣସି ଅଞ୍ଚଳର ବିକାଶ ପାଇଁ ଗୁଣାତ୍ମକ ସଡ଼କ ଭିତ୍ତିଭୂମି ପ୍ରାଥମିକତା ଅଟେ। ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ ଓ ମାର୍ଗଦର୍ଶନ କରିବାରେ ସଡ଼କ ଭିତ୍ତିଭୂମି ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ସାମଗ୍ରିକ ପରିବହନ ଦକ୍ଷତା ବୃଦ୍ଧି କରି ଏକ୍ସପ୍ରେସ୍ ୱେ ଏକ ଅଞ୍ଚଳର ଅର୍ଥନୀତିରେ ଉଲ୍ଲେଖନୀୟ ଯୋଗଦାନ ଦେଇଥାଏ। ଏକ୍ସପ୍ରେସ୍‍ ଓ୍ୱେ ଯେଉଁ ଅର୍ଥନୈତିକ ଲାଭାଂଶ ଦେଇଥାଏ ତାହା ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ରାଜ୍ୟ ଭଲ ଭାବରେ ଅନୁଭବ କରିଥିଲା।

ବିଗତ ଦୁଇ ଦଶନ୍ଧି ଧରି ବିକାଶରେ ପୁନଃଜାଗରଣ ହୋଇଥିବା ଓଡ଼ିଶାର ପଶ୍ଚିମ ଭାଗରେ ସଡ଼କ ଭିତ୍ତିଭୂମି ଦୃଷ୍ଟିରୁ ‘ବିଜୁ ଏକ୍ସପ୍ରେସ୍ ୱେ’ ଏକ ସ୍ଥିତି ପରିବର୍ତ୍ତନକାରୀ ପ୍ରକଳ୍ପ ଭାବରେ ସାବ୍ୟସ୍ତ ହୋଇଛି। ଏହି ବୃହତ୍‍ ଭିତ୍ତିଭୂମି ପଦକ୍ଷେପ ଏହି ଅଞ୍ଚଳର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ସମ୍ପ୍ରଦାୟକୁ ସଂଯୋଗ କରିଛି।
ପାଖାପାଖି ୪ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ଏକ୍ସପ୍ରେସ୍ ୱେ ପ୍ରଥମ ପର୍ଯ୍ୟାୟ ପଶ୍ଚିମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ଦୃଶ୍ୟପଟ, ଏହି ଅଞ୍ଚଳର ବିକାଶ, ଶିଳ୍ପାୟନ ଓ ଉନ୍ନତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗଭୀର ପ୍ରଭାବ ପକାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ ରାଜ୍ୟର ପଶ୍ଚିମ ଭାଗ ଦେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶାକୁ ଯୋଜନାବଦ୍ଧଭାବେ ସଂଯୋଗ କରୁଛି। ଏହା ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳ ପାଇଁ ଏକ ଜୀବନରେଖା ଭାବରେ କାର୍ଯ୍ୟ କରିବ। ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସର୍ବଦା ବିଶ୍ୱାସ କରୁଥିଲା ଯେ ଉତ୍ତମ ପରିବହନ ଭିତ୍ତିଭୂମି ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ଏବଂ ଅଭିବୃଦ୍ଧିରେ ଅଗ୍ରଣୀ ହେବ। ରାଜ୍ୟର କୋଣ ଅନୁକୋଣକୁ ସଂଯୋଗ କରିବା ପାଇଁ ୧୦ଟି ବିମାନବନ୍ଦର ନିର୍ମାଣ କରିବାକୁ ଯୋଜନା ରହିଛି। ରାଜ୍ୟ ସରକାର ମଧ୍ୟ ରେଳ ପ୍ରକଳ୍ପ ପାଇଁ ଆଗେଇ ଆସିଛନ୍ତି ଏବଂ ପ୍ରତ୍ୟେକ ଜିଲ୍ଲାକୁ ରେଳ ନେଟୱାର୍କ ସହିତ ଯୋଡ଼ିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି) ସୃଷ୍ଟି କରିଛନ୍ତି। ବିଜୁ ଏକ୍ସପ୍ରେସଓ୍ୱେ ସମ୍ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟକୁ ପୂର୍ବ ଦିଗରେ ପ୍ରବେଶ ଦ୍ୱାରରେ ପରିଣତ କରିବା ପାଇଁ ଉତ୍ତମ ପରିବହନ ଭିତ୍ତିଭୂମି ବିକଶିତ କରିବା ପାଇଁ ଓଡ଼ିଶାର ଯୋଜନାକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବ।

ବିଜୁ ଏକ୍ସପ୍ରେସ୍ ୱେର ଲକ୍ଷ୍ୟ ଭିତ୍ତିଭୂମି ଅଭାବକୁ ପୂରଣ କରିବା ଏବଂ ପୂର୍ବରୁ ଅବହେଳିତ ଅଞ୍ଚଳରେ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଅସମାନତା ହ୍ରାସ କରିବା। ଏହା ରାଉରକେଲା ଭଳି ଶିଳ୍ପ ସହରକୁ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସହିତ ସଂଯୋଗ କରୁଥିବାବେଳେ ବିଭିନ୍ନ ପ୍ରକାର ରତ୍ନଭଣ୍ଡାର ଦେଇ ଯାଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଭଳି ପଛୁଆ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲା ଯଥା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଏହି ପ୍ରକଳ୍ପ ସଂଯୋଗ କରିଛି।

ଏକ୍ସପ୍ରେସଓ୍ୱେର ଯୋଜନାବଦ୍ଧ ଅବସ୍ଥିତି ଏହାକୁ ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦର ଏବଂ ପଡ଼ୋଶୀ ରାଜ୍ୟର ଶିଳ୍ପ କେନ୍ଦ୍ର ସହିତ ସଂଯୋଗ କରିବା ସହ ଯୋଗାଯୋଗ ବୃଦ୍ଧି କରି ନିବେଶକମାନଙ୍କୁ ଆକୃଷ୍ଟ କରୁଛି। ଉନ୍ନତ କନେକ୍ଟିଭିଟି ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ସହିତ ଯାତ୍ରୀଙ୍କ ଯାତ୍ରା ସମୟକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ।

ଉନ୍ନତ ଭିତ୍ତିଭୂମି ପଶ୍ଚିମ ଓଡ଼ିଶାକୁ ଏକ ପ୍ରମୁଖ କୃଷି କେନ୍ଦ୍ରରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ଦେଶର ଖାଦ୍ୟଶସ୍ୟ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ନୂଆ ଶତାବ୍ଦୀର ପ୍ରାରମ୍ଭରେ ସବୁ ଭୁଲ କାରଣରୁ ଗଣମାଧ୍ୟମରେ ଯେଉଁ ଅଞ୍ଚଳ ସ୍ଥାନ ପାଇଥିଲା, ତାହା ଏବେ ଦେଶର ଭାତ ହାଣ୍ଡିରେ ପରିଣତ ହୋଇଛି। ଓଡ଼ିଶାରେ ଏବେ ୧୩ ନିୟୁତ ଟନ୍‍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି। ଉତ୍ପାଦନ ବୃଦ୍ଧି ଯୋଗୁଁ ଓଡ଼ିଶା ଏବେ ଦେଶର ଶସ୍ୟ ଭଣ୍ଡାରରେ ତୃତୀୟ ସ୍ଥାନରେ ରହିଛି। ଆଭ୍ୟନ୍ତରୀଣ ଅଞ୍ଚଳକୁ ସଂଯୋଗ କରୁଥିବା ଏକ ଗୁଣାତ୍ମକ ସଡ଼କ ଭିତ୍ତିଭୂମି ସମୟର ଆବଶ୍ୟକତା ରହିଛି। ବିଜୁ ଏକ୍ସପ୍ରେସଓ୍ୱେ ଏହି ଅଞ୍ଚଳର ସମ୍ଭାବ୍ୟତାକୁ ଉନ୍ମୋଚନ କରିବା ଦିଗରେ ଚମତ୍କାର କାମ କରିଛି। ୪ ଲେନ୍ ବିଶିଷ୍ଟ ଏହି ସୁପରହାଇୱେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାର ଅନେକ ଆଭ୍ୟନ୍ତରୀଣ ଅଞ୍ଚଳକୁ ସଂଯୋଗ କରିଛି। ଏହା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅନେକ ସୀମାନ୍ତ ସହର ଯଥା ଚାନ୍ଦଲି, ବୋରିଗୁମା, ନବରଙ୍ଗପୁର, ପାପଡାହାଣ୍ଡି, ଅମ୍ବାପାଣି, ଧର୍ମଗଡ଼, ସିନାପାଲି, ଭେଲା, ନୂଆପଡ଼ା, ପାଇକମାଳ, ପଦ୍ମପୁର, ସୋହେଲା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାକୁ ସଂଯୋଗ କରିବା ପାଇଁ ଡିଜାଇନ କରାଯାଇଥିଲା।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଫଳରେ ଏହି ଅଞ୍ଚଳରେ ବ୍ୟାପକ ସାମାଜିକ ଅର୍ଥନୈତିକ ପ୍ରଭାବ ପଡ଼ିଛି। ବିଜୁ ଏକ୍ସପ୍ରେସଓ୍ୱେ ରାଜ୍ୟର ଏହି ଅଞ୍ଚଳର ବିକାଶର ଅଭାବକୁ ଦୂର କରିବାରେ ସହାୟକ ହେବା ସହ ଅର୍ଥନୀତି, କୃଷି, ବାଣିଜ୍ୟ ଓ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଛି। ଏକ୍ସପ୍ରେସୱେ କୃଷିଜାତ ଦ୍ରବ୍ୟକୁ ଏକ ନିରବଚ୍ଛିନ୍ନ ଉପାୟରେ ବଜାରରେ ପହଞ୍ଚାଇବାରେ ସାହାଯ୍ୟ କରିଛି ଏବଂ ଖଣିଜ ସମ୍ପଦ ଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରଛି।

ସଡ଼କ ଭିତ୍ତିଭୂମିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ୫ଟି ଚାର୍ଟର ଅଧୀନରେ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି ଏବଂ ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବ୍ରହ୍ମପୁର ଓ ଜୟପୁରକୁ ସଂଯୋଗ କରୁଥିବା ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା ଏହି ଅଞ୍ଚଳରେ ଭିତ୍ତିଭୂମି ବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ଦର୍ଶାଉଛି।

ଗ୍ରୀନଫିଲ୍ଡ ପ୍ରକଳ୍ପ ୩୦୫ କିଲୋମିଟରକୁ ବ୍ୟାପିବ ଏବଂ ୪ଟି ଜିଲ୍ଲାର ୧୫ଟି ବ୍ଲକକୁ ସଂଯୋଗ କରିବ। ଏହାଦ୍ୱାରା ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ଯାତ୍ରା ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ ହ୍ରାସ ପାଇବ। ବିଶେଷ କରି ଗଞ୍ଜାମ ଜିଲ୍ଲାର କେତେକ ବଡ଼ ବଡ଼ ପ୍ରକଳ୍ପ ସମେତ ଅନେକ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏହି ନୂତନ ପ୍ରକଳ୍ପ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ନିଯୁକ୍ତି ସୃଷ୍ଟିର ନୂଆ ସମ୍ଭାବନା ସୃଷ୍ଟି କରିବ । ଏହାବ୍ୟତୀତ ନୂଆ ବିଜୁ ଏକ୍ସପ୍ରେସଓ୍ୱେ ଯାତ୍ରୀଙ୍କ ଯୋଗାଯୋଗ ଓ ସୁବିଧା ବୃଦ୍ଧି କରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ।
ରାଜ୍ୟରେ ପ୍ରଥମ ଥର ପାଇଁ ଏହି ପ୍ରକଳ୍ପ ପାହାଡ଼ ଖନନ କରି ଏକ ସୁଡ଼ଙ୍ଗ ନିର୍ମାଣ କରିବ, ଏହି ରାସ୍ତାର ଲମ୍ବ ୨୫ରୁ ୩୦ କିଲୋମିଟର ହ୍ରାସ କରିବ ଏବଂ ଯାତ୍ରା ସମୟକୁ ଆହୁରି ହ୍ରାସ କରିବ। ଏହି ପ୍ରକଳ୍ପ ୩ ବର୍ଷ ମଧ୍ୟରେ ଶେଷ ହୋଇ ଦକ୍ଷିଣ ଓଡ଼ିଶାର ସମୃଦ୍ଧିରେ ଏକ ନୂତନ ଅର୍ଥନୈତିକ କରିଡ଼ର ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ପରିବହନ ଖର୍ଚ୍ଚ ଏବଂ ସମୟ ହ୍ରାସ ଯୋଗୁଁ ଏକ୍ସପ୍ରେସଓ୍ୱେ ଶିଳ୍ପଗୁଡ଼ିକୁ ଆକୃଷ୍ଟ କରିଛି, ଯାହା ଫଳରେ ଶିଳ୍ପ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି। ଏହି ଏକ୍ସପ୍ରେସଓ୍ୱେ ପଶ୍ଚିମ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ପ୍ରଥମତଃ ବିଜୁ ଏକ୍ସପ୍ରେସଓ୍ୱେ ପରିବହନ ଖର୍ଚ୍ଚ ଓ ସମୟକୁ ଯଥେଷ୍ଟ ହ୍ରାସ କରି ଉଦ୍ୟୋଗଗୁଡ଼ିକୁ ସେମାନଙ୍କ ସାମଗ୍ରୀ ଶୀଘ୍ର ଓ ପ୍ରଭାବଶାଳୀଭାବେ ପହଞ୍ଚାଇବାରେ ସହାୟକ ହେଉଛି। ଏହି ଅଞ୍ଚଳର ଉନ୍ନତ ଭିତ୍ତିଭୂମି ଉପଲବ୍ଧତା କାରଣରୁ, ଅନେକ ଶିଳ୍ପ ସେଠାରେ କାରଖାନା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଶିଳ୍ପ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସମ୍ଭାବନାକୁ ବୃଦ୍ଧି କରିଛି।

ଉତ୍ତମ ପରିବହନ ଭିତ୍ତିଭୂମି ସହ ଅନ୍‍ଲକ ହେବାକୁ ଅପେକ୍ଷା କରିଥିବା ରାଜ୍ୟର ଏହି ଅଞ୍ଚଳର ଅର୍ଥନୈତିକ ସମ୍ଭାବନାକୁ ମଧ୍ୟ ଏକ୍ସପ୍ରେସଓ୍ୱେ ନିର୍ମାଣଦ୍ୱାରା ଖୋଲାଯାଇଛି। ଏହା ସଠିକ୍ ସମୟରେ ଏକ ଦୂରଦର୍ଶୀ ନିଷ୍ପତ୍ତି ଥିଲା ଯାହା ରାଜ୍ୟର ଅର୍ଥନୀତିକୁ ଉତ୍ସାହିତ କରିଛି ଏବଂ ଏହି ଅଞ୍ଚଳରେ ଶିଳ୍ପ ଏବଂ ଆବାସିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି।

ଲୁହାପଥର, କୋଇଲା, ବକ୍ସାଇଟ୍ ଓ ମାଙ୍ଗାନିଜ୍ ଭଳି ବହୁଳ ପ୍ରାକୃତିକ ସମ୍ପଦରେ ଭରପୂର ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ବିଜୁ ଏକ୍ସପ୍ରେସ୍ ୱେର ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ। ଏହି ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଇସ୍ପାତ କାରଖାନା, ଆଲୁମିନିୟମ ସ୍ମେଲଟର ଏବଂ ସିମେଣ୍ଟ କାରଖାନା ଭଳି ପ୍ରମୁଖ ଶିଳ୍ପପାଇଁ ଏଭଳି ଗୁଣାତ୍ମକ ଭିତ୍ତିଭୂମିର ଆବଶ୍ୟକତା ଥିଲା ଯାହା ରାଜପଥ ଦ୍ୱାରା ପୂରଣ ହେବା ଅପେକ୍ଷାରେ ଥିଲା।

ଏକ୍ସପ୍ରେସଓ୍ୱେ ଯୋଗୁଁ ଝାରସୁଗୁଡ଼ା, ସମ୍ବଲପୁର ଓ ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳରେ ଯାତାୟାତରେ ଉନ୍ନତି ହୋଇଛି। ଉତ୍ପାଦନ, ଶକ୍ତି ଉତ୍ପାଦନ, ଖଣି ଓ ଇସ୍ପାତ ଉତ୍ପାଦନ ଭଳି ଶିଳ୍ପରେ ପୁଞ୍ଜିନିବେଶ ଏହାଦ୍ୱାରା ଉପକୃତ ହୋଇଛି। ଏକ୍ସପ୍ରେସଓ୍ୱେ ବିଭିନ୍ନ କ୍ଷେତ୍ରପାଇଁ ଆବଶ୍ୟକ କଞ୍ଚାମାଲର ନିରବଚ୍ଛିନ୍ନ ପରିବହନକୁ ସହଜ କରିଛି।

ଅତ୍ୟାଧୁନିକ ଚାରି ଲେନ୍ ବିଶିଷ୍ଟ ଏକ୍ସପ୍ରେସଓ୍ୱେରେ ଭିତ୍ତିଭୂମିର ଅଭାବ ପୂରଣ ହୋଇଛି ଯାହା ବିକାଶ ପାଇଁ ଏକ ପ୍ରମୁଖ ପ୍ରତିବନ୍ଧକ ଥିଲା। ବିଜୁ ଏକ୍ସପ୍ରେସଓ୍ୱେ ଦ୍ୱାରା ଏହି ଅଞ୍ଚଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ ଭଳି ଆଖପାଖ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବନ୍ଦର, ବିମାନବନ୍ଦର ଏବଂ ଶିଳ୍ପ କେନ୍ଦ୍ର ସହିତ ସଂଯୁକ୍ତ ହେବ। ବିମାନ ବନ୍ଦର ଓ ବନ୍ଦରର ବିକାଶ ସହ ଗୁଣାତ୍ମକ ପରିବହନ ଭିତ୍ତିଭୂମି ଉପରେ ଓଡ଼ିଶା ସରକାର ନିରନ୍ତର ଗୁରୁତ୍ୱ ଦେଉଛନ୍ତି। ଏହି ସଡ଼କ ଭିତ୍ତିଭୂମି ଦ୍ରୁତ ଗତିରେ ଉନ୍ନତ ହେଉଥିବା ଆଞ୍ଚଳିକ ବିମାନ ଯୋଗାଯୋଗକୁ ବହୁତ ଭଲ ଭାବରେ ପୂରଣ କରିବ ଏବଂ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଗୁଣାତ୍ମକ ସଡ଼କ ଉପଲବ୍ଧ କରାଇବ। ଗୁଣାତ୍ମକ ଭିତ୍ତିଭୂମି ନିବେଶକଙ୍କୁ କେବଳ ଶିଳ୍ପୋଦ୍ୟୋଗିକ ଅଞ୍ଚଳକୁ ନୁହେଁ ବରଂ ଆଭ୍ୟନ୍ତରୀଣ ଅଞ୍ଚଳକୁ ଆକୃଷ୍ଟ କରିବ।

ଏକ୍ସପ୍ରେସୱେର ଆଖପାଖ ଅଞ୍ଚଳକୁ ଅର୍ଥନୈତିକ କରିଡ଼ରଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହାର ଏକ ଅଂଶ ଭାବରେ ଅର୍ଥନୈତିକ କରିଡ଼ରରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରାଯିବ । ବିଜୁ ଏକ୍ସପ୍ରେସଓ୍ୱେରେ ଅନେକ ଶିଳ୍ପ ସଂସ୍ଥା ସେମାନଙ୍କର ସୁବିଧା ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ବିଜୁ ଏକ୍ସପ୍ରେସଓ୍ୱେ ଦ୍ୱାରା ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟରେ କୃଷକମାନେ ସେମାନଙ୍କ ସାମଗ୍ରୀକୁ ତୁରନ୍ତ ଓ ପ୍ରଭାବଶାଳୀଭାବେ ବଜାରରେ ପହଞ୍ଚାଇବା ସମ୍ଭବ ହେବ। ଏହାବ୍ୟତୀତ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ବୃଦ୍ଧି ପାଇବ ଏବଂ ଏହାର ସାଂସ୍କୃତିକ ଐତିହ୍ୟ ସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଅନୁସନ୍ଧାନ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।

ଏହାବ୍ୟତୀତ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କୋରାପୁଟର ବିକାଶ ପାଇଁ ଏକ ନୂଆ ସୁଯୋଗର ଦୁନିଆ ଖୋଲିବ। ଉପର ମୁଣ୍ଡରେ ଲୋକମାନେ ନିରବଚ୍ଛିନ୍ନ ଯାତ୍ରା ଅନୁଭୂତି ଉପଭୋଗ କରିବେ ଏବଂ ଆଖପାଖ ଅଞ୍ଚଳରେ ଶିଳ୍ପ ବିକାଶକୁ ମଧ୍ୟ ଉତ୍ସାହିତ କରାଯିବ। ବିଜୁ ଏକ୍ସପ୍ରେସଓ୍ୱେ ରାଜ୍ୟର ଖରାପ ରେଳ ନେଟୱାର୍କ ଦ୍ୱାରା ସୃଷ୍ଟି ହୋଇଥିବା ଅଭାବକୁ ମଧ୍ୟ ପୂରଣ କରିବ। ରାଜ୍ୟର ସବୁ ସ୍ଥାନରେ ଗୁଣାତ୍ମକ ସଡ଼କ ଆଞ୍ଚଳିକ ଅସନ୍ତୋଷ ଦୂର କରି ସମୃଦ୍ଧିର କରିଡ଼ରରେ ପରିଣତ ହେବ।

(ଲେଖକ ହେଉଛନ୍ତି ଓଡ଼ିଶା ସରକାରଙ୍କ ଆଇଟି ସଚିବ)