Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକାରେ ଓଡ଼ିଶା ଉପକୂଳ ସୁରକ୍ଷା ଉପରେ ୫ମ ଆପେକ୍ସ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ଉପରେ ୫ମ ଆପେକ୍ସ କମିଟିର ସମୀକ୍ଷା ବୈଠକ ଆଇଏନଏସ ଚିଲିକାରେ ଅନୁଷ୍ଠିତ ହୋଇଯାଇଛି। ଉପ-ଆଡମିରାଲ୍ ତଥା ଇଷ୍ଟର୍ନ ନାଭାଲ କମାଣ୍ଡ ମୁଖ୍ୟ ବିଶ୍ୱଜିତ୍ ଦାସଗୁପ୍ତା ଏବଂ ଓଡ଼ିଶା ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଭାରତୀୟ ନୌସେନା, ଓଡିଶା ସରକାର, ତଟରକ୍ଷୀ,ଏସଆଇବି, ଆଇଟିଆର ବାଲେଶ୍ୱରର ମତ୍ସ୍ୟ ବିଭାଗ, କଷ୍ଟମ ବିଭାଗ ଏବଂ ପୁରୀ, ଧାମରା ଓ ଗୋପାଳପୁର ବନ୍ଦରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଓଡିଶାର ଉପକୂଳ ସୁରକ୍ଷା ପ୍ରସଙ୍ଗର ବାର୍ଷିକ ସମୀକ୍ଷା ନିମନ୍ତେ ଏହି ବୈଠକ ଡକାଯାଇଥିଲା।

ଗତ ସମୀକ୍ଷା ବୈଠକ ପରଠାରୁ ଆଜି ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ସମସ୍ୟାର ସମାଧାନ, ବିକାଶ ତଥା ମୁଖ୍ୟ ସମସ୍ୟାଗୁଡିକ ବିଷୟରେ ବୈଠକରେ ଉପସ୍ଥାପନା କରାଯାଇଥିଲା।  ଉପକୂଳ ନିରାପତ୍ତା ବଢାଇବା ପାଇଁ ସାମୁଦ୍ରିକ ଡୋମେନରେ ଥିବା ବିଭିନ୍ନ ଚ୍ୟାଲେଞ୍ଜକୁ କିପରି ପୂରଣ କରାଯିବ ଏବଂ ନିକଟ ଭବିଷ୍ୟତରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକର ମଧ୍ୟ ଉକ୍ତ ବୈଠକରେ ବିଚାର କରାଯାଇଥିଲା।

ଓଡିଶାର ଉପକୂଳ ସୁରକ୍ଷାକୁ ମଜବୁତ କରିବା ନିମନ୍ତେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ଉକ୍ତ ବୈଠକରେ ବାହାରିପାରିଛି, ଯାହାଦ୍ୱାରା ବୈଠକରେ ଯୋଗ ଦେଇଥିବା ବିଭିନ୍ନ ବିଭାଗର ପ୍ରତିନିଧିମାନଙ୍କ ମଧ୍ୟରେ ମଧ୍ୟ ସମନ୍ୱୟ ସୁଦୃଢ ହୋଇଥିବାର ଦେଖାଯାଇଛି।