Categories
RathJatra ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ଲଳିତାଠାରୁ ସବ୍ୟସାଚୀ ମହାପାତ୍ରଙ୍କ ଶ୍ରୀଜଗନ୍ନାଥ ପର୍ଯ୍ୟନ୍ତ, ରୂପେଲି ପରଦାରେ ଶ୍ରୀଜଗନ୍ନାଥଙ୍କ ମହିମା

ଦିଲ୍ଲୀପ ହାଲି

ଓଡ଼ିଆ ଜନମାନସ ସହ ଜଗନ୍ନାଥ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଆଉ ଏଥିରୁ ଓଡ଼ିଆ ଫିଲ୍ମ ଦୁନିଆ ବା ବାଦ୍ ପଡ଼ନ୍ତା କିଭଳି? ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣିତ କାହାଣୀକୁ ନେଇ ବିଭିନ୍ନ ସମୟରେ ଅନେକ ଓଡ଼ିଆ ଫିଲ୍ମ ନିର୍ମିତ ହୋଇଛି ଓ ବେଶ୍ ସଫଳତା ମଧ୍ୟ ପାଇଛି। ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ ହେବାର ଦୀର୍ଘ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ମହିମାକୁ ଭିତ୍ତିକରି ମୁକ୍ତିଲାଭ କରିଥିଲା ପ୍ରଥମ ଚଳଚ୍ଚିତ୍ର ‘ଲଳିତା’ ।

ଗୌରେନ୍ଦ୍ର ପ୍ରତାପ ସିଂହ ଦେଓଙ୍କ ପ୍ରଯୋଜନା ଓ କଲ୍ୟାଣ ଗୁପ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଂଳାପ ଓ ଗୀତ ଲେଖିଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଲୋକନାଥ ମିଶ୍ର, ଉମା ଗୋଏଙ୍କା, ନନ୍ଦିନୀ ତ୍ରିପାଠୀ, ବୀଣା ଦେବୀ, ସୁମତୀ ଦେବୀ ପ୍ରମୁଖ କଳାକାର । ‘ଲଳିତା’ ପରେ ଜଗନ୍ନାଥଙ୍କ ସମ୍ପୂର୍ଣ୍ଣ କାହାଣୀକୁ ନେଇ ନିର୍ମିତ ‘ଶ୍ରୀଜଗନ୍ନାଥ’ ୧୯୫୦ ମସିହା ଫେବୃୟାରୀ ୨ ତାରିଖରେ ମୁକ୍ତିଲାଭ କଲା । ଏହାର ପ୍ରଯୋଜକ ଥିଲେ ସୁରେନ୍ଦ୍ର କୁମାର ଦାଶ । ‘ଶ୍ରୀଜଗନ୍ନାଥ’ ନିର୍ମାଣରେ ସେତେବେଳେ ୩ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚିତ୍ତରଞ୍ଜନ ମିତ୍ର ଏବଂ ସଙ୍ଗୀତ ରଚନା କରିଥିଲେ ବାଳକୃଷ୍ଣ ଦାଶ ।

‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଖଗେନ୍ଦ୍ର ମିତ୍ର, ରାମଚନ୍ଦ୍ର ମାଣିଆ, ଗୋପାଳ ଘୋଷ, କାର୍ତ୍ତିକ ଘୋଷ, ନିମାଇଁ ହରିଚନ୍ଦନ, ଭୋଳାନାଥ ଦାଶ, ନିରଞ୍ଜନ ଶତପଥୀ, ଗ୍ଲୋରିଆ ରାଉତ, ବିଦ୍ୟୁତଲତା ଦେବୀ, ବିଷ୍ଣୁପ୍ରିୟା ଦେବୀ ଓ ସାମୁଏଲ ସାହୁ (ବାବି) । ‘ଶ୍ରୀଜଗନ୍ନାଥ’ ସିନେମା ମୁକ୍ତିଲାଭ କଲା କଟକର କ୍ୟାପିଟାଲ ସିନେମା ହଲରେ । ସେ ସମୟରେ ୧୦ ସପ୍ତାହ ଧରି କ୍ୟାପିଟାଲ ସିନେମା ଗୃହରେ ଏହି ଚଳଚ୍ଚିତ୍ରଟି ଚାଲିଥିଲା ।

ଜଗନ୍ନାଥଙ୍କୁ ନେଇ ନିର୍ମାଣ ହୋଇଥିବା ତୃତୀୟ ଚଳଚ୍ଚିତ୍ର ଥିଲା ‘ମହାଲକ୍ଷ୍ମୀ ପୂଜା’ । ୧୯୫୯ ମସିହାରେ ନିର୍ମିତ ଏହି ଫିଲ୍ମ ପାଇଁ କଳାକାର ମନୋନୟନ ନିମନ୍ତେ ଖର୍ଚ୍ଚ ହୋଇଥିଲା ୧୦ ହଜାର ଟଙ୍କା । ‘ମହାଲକ୍ଷ୍ମୀ ପୂଜା’ର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ନାୟକ । ଆଉ ଅଭିନୟ କରିଥିଲେ ଅନୁଭା, ଶେଫାଳୀ, ଶରତ ଧୀର, ଶ୍ରୀକାନ୍ତ, ନରେନ୍ଦ୍ର ଓ ବାଉରୀବନ୍ଧୁ ପ୍ରମୁଖ । ପ୍ରଯୋଜକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ଏହି ‘ମହାଲକ୍ଷ୍ମୀ ପୂଜା’କୁ ‘ଜୟ ଜଗନ୍ନାଥ’ ନାମକରଣ ଦେଇ ହିନ୍ଦୀ ଡ଼ବିଂ କରି ଓଡ଼ିଶା ବାହାରେ ପ୍ରଦର୍ଶନ କରିଥିଲେ । ମହାଲକ୍ଷ୍ମୀ ପୂଜା ସେ ସମୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା ।

୧୯୬୩ ମସିହାରେ ଜଗନ୍ନାଥଙ୍କ ଉପରେ ଆଧାରିତ ଏକ ଓଡ଼ିଆ ଚଳଚ୍ଚିତ୍ର ‘ଜୟଦେବ’ ନିର୍ମିତ ହୋଇଥିଲା । ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତ । ହେଲେ ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଗଲା । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାଶ । ଫିଲ୍ମରେ ଅଭିନୟ କରିଥିଲେ-ବ୍ୟୋମକେଶ ତ୍ରିପାଠୀ, ଶେଫାଳୀ, ପ୍ରଭାବତୀ, ନଦିଆ, କମଳ । ତେବେ ଏହା ପୂର୍ବରୁ ୧୯୬୨ ମସିହାରେ ‘ଶ୍ରୀ ଶ୍ରୀ ପତିତପାବନ’ ନାମକ ଏକ ଫିଲ୍ମ ନିର୍ମାଣ ହୋଇଥିଲା । ଜଗନ୍ନାଥ ଧର୍ମର ପ୍ରଚାର କରିବା ଲାଗି ସୁକୁମାର ଗାଙ୍ଗୁଲି ଉଠାଇଥିବା ପୁରୀର ସାହିତଯାତ୍ରା, ଜଗନ୍ନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଏଥିରେ ସ୍ଥାନିତ ହୋଇଥିଲା । ଏହା ଥିଲା ଏକ ପରୀକ୍ଷାମୂଳକ ଚଳଚ୍ଚିତ୍ର ।

୧୯୭୬ ମସିହାରେ ନିର୍ମିତ ଫିଲ୍ମ ମଧ୍ୟରୁ ଗୋବିନ୍ଦ ତେଜଙ୍କ ‘କୃଷ୍ଣ ସୁଦାମା’, ଧୀରେନ୍ ପଟ୍ଟନାୟକଙ୍କ ‘ବନ୍ଧୁ ମହାନ୍ତି’ ଏବଂ କ୍ରାନ୍ତି କୁମାରଙ୍କ ‘ଶ୍ରୀ ଜଗନ୍ନାଥ’ (୧୯୭୯) ଥିଲା ଜଗନ୍ନାଥ ମହିମା ଆଧାରିତ । ‘କୃଷ୍ଣ ସୁଦାମା’ର ନିର୍ଦ୍ଦେଶକ ଥିଲେ ନିତାଇ ପାଲିତ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର । ନୃତ୍ୟ ନିର୍ଦ୍ଦେଶକ ଥିଲେ କେଳୁଚରଣ ମହାପାତ୍ର। ସେ ସମୟରେ ‘କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ଦର୍ଶକଙ୍କ ମନପସନ୍ଦ ହୋଇଥିଲା । ଗୋବିନ୍ଦ ତେଜ, ଶାନ୍ତିସ୍ୱରୂପ, ଧୀର ବିଶ୍ୱାଳ, ତ୍ରିପୁରା ମିଶ୍ର, ପ୍ରଶାନ୍ତ ନନ୍ଦ, ଅନୀତା ଦାସ, ମାମିନା ଓ ପ୍ରୀତି ପଟ୍ଟନାୟକ ଏଥିରେ ଅଭିନୟ କରିଥିଲେ । ‘କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ରୂପରେଖ ଭିନ୍ନ ସ୍ୱାଦର ଥିଲା, ଯାହାକି ଦର୍ଶକମାନଙ୍କୁ ଭଲ ଲାଗିଥିଲା । ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ‘ବନ୍ଧୁ ମହାନ୍ତି’ରେ ଅଭିନୟ କରିଥିଲେ ଗୋବିନ୍ଦ ତେଜ, ଧୀର ବିଶ୍ୱାଳ, ବନଜା ମହାନ୍ତି, ଭୀମ ସିଂ, ଡଃ ପ୍ରଶାନ୍ତ ଦାସ, ଅନୀତା ଦାସ ଓ ଲୀଳା ଦୁଲାଳୀ । ଏହି ଚଳଚ୍ଚିତ୍ରଟି ସେ ସମୟରେ ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।

କ୍ରାନ୍ତି କୁମାରଙ୍କ ‘ଶ୍ରୀ ଜଗନ୍ନାଥ’ରେ ନିର୍ଦ୍ଦେଶନା ଦେଇଥିଲେ ବିଜୟ ଭାସ୍କର, ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅକ୍ଷୟ ମହାନ୍ତି। ‘ଶ୍ରୀଜଗନ୍ନାଥ’ ଶୀର୍ଷକରେ ନିର୍ମିତ ହୋଇଥିଲା ଏହା ଥିଲା ଦ୍ୱିତୀୟ ଚଳଚ୍ଚିତ୍ର। ଏଥିରେ ଅଭିନୟ କରିଥିଲେ ଝରଣା ଦାସ, ଧୀରେନ୍ ଦାସ, ମିନୁଶ୍ରୀ ପାଣିଗ୍ରାହୀ, ଚକ୍ରପାଣି, ଶ୍ୟାମଳେନ୍ଦୁ ଓ ଲୁନା ମହାପାତ୍ର । କ୍ରାନ୍ତି କୁମାର ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରକୁ ବଙ୍ଗଳା, ତେଲୁଗୁ, ତାମିଲ, ଆସାମୀ ଭାଷାରେ ଡବିଂ କରି ପ୍ରଦର୍ଶନ କରାଇଥିଲେ।

ଜଗନ୍ନାଥଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ୧୯୭୯ ମସିହାରେ । ‘ନୀଳମାଧବ’ ନାମରେ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ରାଜକୁମାରୀ ଦେବୀ । ମମତା ରାୟ ଚୌଧୁରୀ, ରଘୁ ମିଶ୍ର, ଜୟା, ରାମ ପ୍ରତିହାରୀ ଓ କେଦାର ଗୁରୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଜେ.ପି. ଭଗତ । ସଙ୍ଗୀତ ନିର୍ଦ୍ଦେଶକ ଥିଲେ ନିର୍ମଳ କୁମାର।

ସାଲବେଗଙ୍କ କାହାଣୀକୁ ନେଇ ୧୯୮୩ ମସିହାରେ ‘ଭକ୍ତ ସାଲବେଗ’ ନିର୍ମାଣ କରିଥିଲେ ସୂର୍ଯ୍ୟ ନାରାୟଣ ମହାନ୍ତି । ଏହି ଚଳଚ୍ଚିତ୍ରଟି ବିଶେଷ ପ୍ରଭାବଶାଳୀ ହୋଇଥିଲା । ଏହାର ନିର୍ଦ୍ଦେଶକ ଥିଲେ ରାଧା ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଭୁବନେଶ୍ୱର ମିଶ୍ର । ଏଥିରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି, ଅପରାଜିତା, ଦୁଃଖିରାମ ସ୍ୱାଇଁ, ଅନୀତା ଦାସ, ବୀରେନ ରାଉତରାୟ, ବ୍ୟୋମକେଶ ତ୍ରିପାଠୀ, ଜୟୀ, ରାଧା ପଣ୍ଡା, କାଶୀନାଥ ପ୍ରମୁଖ ।

ଶ୍ରୀଜଗନ୍ନାଥ କାଞ୍ଚି ଅଭିଯାନ କାହାଣୀ ପୃଷ୍ଠଭୂମିରେ ପରମଭକ୍ତ ମାଣିକ ଗଉଡୁଣୀ ବିଷୟବସ୍ତକୁ ନେଇ ୧୯୮୬ ମସିହାରେ ନିର୍ମିତ ହୋଇଥିଲା ଫିଲ୍ମ ‘ମାଣିକ’ । ଏଥିରେ ନାୟକ ଓ ନାୟିକା ଥିଲେ ବିଜୟ ମହାନ୍ତି ଓ ତନ୍ଦ୍ରା ମହାନ୍ତି । ଏହାର ନିର୍ଦ୍ଦେଶନା ଦେଇଥିଲେ ଆର. ଅଜଗର ଓ ସଙ୍ଗୀତ ନିର୍ଦ୍ଦେଶନା ଉପେନ୍ଦ୍ର କୁମାର । ‘ଜୟଦେବ’ ଶୀର୍ଷକରେ ଦ୍ୱିତୀୟ ଫିଲ୍ମ ନିର୍ମାଣ କରିଥିଲେ ଶାନ୍ତି ରାଉତରାୟ ୧୯୮୭ ମସିହାରେ । ଶ୍ୟାମଳ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ କରିଥିଲେ ଚକ୍ରପାଣି, ଶର୍ମିଳା ବିଶ୍ୱାସ, ଉତ୍ତମ ମହାନ୍ତି, ନେତ୍ରାନନ୍ଦ ମିଶ୍ର ପ୍ରମୁଖ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବାଳକୃଷ୍ଣ ଦାସ ।

ତେବେ ଏହା ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଆଧାରିତ ଓଡିଆ ଫିଲ୍ମ ଆଉ ଦେଖିବାକୁ ମିଳିଲା ନାହିଁ । ୨୦୦୬ ମସିହାରେ ବଳିଉଡ ପ୍ରଯୋଜକ ଭରତ ଶାହଙ୍କ ପ୍ରଯୋଜନାରେ ନିର୍ମିତ ହେଲା ‘ଜୟ ଜଗନ୍ନାଥ‘ । ଏଥିରେ ନିର୍ଦ୍ଦେଶନା ଦେଇଥିଲେ ସବ୍ୟସାଚୀ ମହାପାତ୍ର । ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ ‘ଜୟ ଜଗନ୍ନାଥ’ରେ ଅଭିନୟ କରିଥିଲେ-ଶ୍ରୀତମ, ପିଣ୍ଟୁ ନନ୍ଦ, ଦେବାଶିଷ, ଜ୍ୟୋତି ମିଶ୍ର ପ୍ରମୁଖ । ଅକ୍ଷୟ ମହାନ୍ତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ୧୪ଟି ଭାଷାରେ ଡବିଂ ହୋଇ ଭିନ୍ନ ଭିନ୍ନ ରାଜ୍ୟରେ ଏକ ସମୟରେ ମୁକ୍ତିଲାଭ କରିଥିଲା ।

ଓଡ଼ିଶାରେ ଜଗନ୍ନାଥ ସଂସ୍କୃତି ହିଁ ମହାନ୍ । ଜଗନ୍ନାଥଙ୍କ ନାମକରଣ କରି ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ‘ପୁଅ ମୋର କଳାଠାକୁର’, ‘ଚକାଆଖି ସବୁ ଦେଖୁଛି’, ‘ଆସୁଛି ମୋ କାଳିଆ ସୁନା’, ‘ପଥର ଖସୁଛି ବଡ଼ ଦେଉଳୁ’ ଆଦି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଇଥିଲା । ଜଗନ୍ନାଥଙ୍କ ନାମକରଣ ଥାଇ ଅନ୍ୟାନ୍ୟ ଚଳଚ୍ଚିତ୍ର ‘ଚକାଡ଼ୋଳା କରୁଛି ଲୀଳା’, ‘ଠକୁର ଅଛନ୍ତି ଚଉ ବାହାକୁ’, ‘କାଳିଆ ଭରସା’, ‘ହିସାବ କରିବ କାଳିଆ’, ‘ମୋ ଭାଇ ଜଗା’, ‘ଜଗା ହାତରେ ପଘା’ ଆଦି ମୁକ୍ତିଲାଭ କରି ପ୍ରଭାବ ପକାଇଥିଲା ।