Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ନୂଆ ଗାଇଡ଼ଲାଇନ ଯୋଗୁଁ ପ୍ରଥମ ଦିନ ଗ୍ରାମାଞ୍ଚଳରେ ମୋଟ ଟିକାକରଣ ହାର ୬୪ ପ୍ରତିଶତ ହାସଲ

ନୂଆଦିଲ୍ଲୀ, ସଂଶୋଧିତ ନିୟମାବଳୀ ଅନୁସାରେ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣର ପ୍ରଥମ ଦିନ, ଗତ ସୋମବାର ଜୁନ ୨୧ ତାରିଖ ସାରା ଦେଶରେ ମୋଟ ଯେତିକି ଟିକାକରଣ କରାଯାଇଛି ସେଥିରୁ ୬୩.୬୮ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ଦିଆଯାଇଛି । ସେହିଦିନ ଦିଆଯାଇଥିବା ମୋଟ କୋଭିଡ ଟିକା ମଧ୍ୟରୁ ୫୬.୦୯ ଲକ୍ଷ ଟିକା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଦିଆଯାଇଛି। ଏଥିସହିତ ସହରାଞ୍ଚଳରେ ସେହିଦିନ ୩୧.୯ ଲକ୍ଷ ଲୋକ କୋଭିଡ଼ ପ୍ରତିଷେଧକ ଟିକା ଗ୍ରହଣ କରିଥିଲେ ।

ନୂଆଦିଲ୍ଲୀଠାରେ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ କହିଛନ୍ତି ଯେ, ଗ୍ରାମାଞ୍ଚଳ ଟିକାକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଆରୋପ କରୁଛନ୍ତି । “ଏବେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି ଏବଂ ଅଧିକ ମାତ୍ରାରେ ଏହି ଟିକା ଲୋକମାନଙ୍କୁ ଦିଆଯାଉଛି । ସୋମବାର (ଜୁନ ୨୧, ୨୦୨୧) ଠାରୁ ଦେଶର ଗ୍ରାମାଞ୍ଚଳ – ସହରାଞ୍ଚଳ ଟିକାକରଣ ବିଭାଜନ ସଂଖ୍ୟା ପ୍ରାୟ ସମାନ ରହିଛି । ତେଣୁ ଏହା ପ୍ରମାଣିତ କରିଛି ଯେ ଦେଶର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ସହଜରେ ଟିକାକରଣ କରାଯାଇପାରିବ ।”

ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର

ଡକ୍ଟର ପଲ୍‍ ଆହୁରି ସୂଚାଇଥିଲେ ଯେ ଏବେ ଦେଶରେ ଥିବା ମୋଟ ଟିକାକରଣ କେନ୍ଦ୍ରର ୭୧ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ରହିଛି ଏବଂ ଗତ କିଛି ସପ୍ତାହ ଧରି ନିରବଚ୍ଛିନ୍ନ ଭାବେ ଗ୍ରାମାଞ୍ଚଳରେ ମୋଟ ଟିକାକରଣର ଅର୍ଦ୍ଧାଧିକ ଟିକା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । “ ଆଇଟି ବ୍ୟବସ୍ଥାର ଅଧିକ ଉପଯୋଗ ଦ୍ୱାରା, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଟିକାକରଣର ଉପକାରୀତା ସଂପର୍କରେ ଅବଗତ ଓ ସଚେତନ କରାଯାଉଛି । ଲୋକମାନେ ଏହାକୁ ଗ୍ରହଣ କରୁଥିବାରୁ ଏବେ ଗ୍ରାମାଞ୍ଚଳକୁ ଅଧିକରୁ ଅଧିକ ଟିକା ପଠାଯାଉଛି । ତେଣୁ ଆମର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛିଯେ ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର ।” ସେ ଆହୁରି କହିଲେ ଯେ ଗତ ସୋମବାର ଦିନ ଏତେ ଅଧିକ ସଂଖ୍ୟକ (୮୮.୦୯ ଲକ୍ଷ) ଟିକା ପରିଚାଳନାରେ କୋୱିନ୍‍ ପ୍ଲାଟଫର୍ମରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୋଇନାହିଁ ।

ଡକ୍ଟର ପଲ୍‍ ସୂଚାଇଥିଲେ ଯେ ସରକାରୀ ଟିକାକେନ୍ଦ୍ର ନୂତନ ଟିକାକରଣ ଅଭିଯାନରେ ବିରାଟ ଭୂମିକା ନିର୍ବାହ କରିଛନ୍ତି । “ ଜୁନ ୨୧, ୨୦୨୧ ଦିନ କେବଳ ସରକାରୀ କେନ୍ଦ୍ରମାନଙ୍କରୁ ୯୨ ପ୍ରତିଶତ ଟିକାଦାନ କରାଯାଇଛି । ଏହା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସାମର୍ଥ୍ୟ, ସହନଶୀଳତା ଓ ପହଞ୍ଚକୁ ପ୍ରମାଣସିଦ୍ଧ କରିବା ସହ ଏକ ନୂତନ ଉଦାହରଣ ସୃଷ୍ଟି କରିଛି” ବୋଲି ସେ କହିଛନ୍ତି । କୋଭିଡ଼ ୧୯ ଟିକାକରଣ ଅଭିଯାନରେ ସାର୍ବଜନୀନ ଟିକାକରଣ କାର‌୍ୟ୍ୟକ୍ରମକୁ ପ୍ରବର୍ତ୍ତନ କରିବାର ଖର୍ଚ୍ଚ ମୁଣ୍ଡାଇବା ମଧ୍ୟ ବେଶ୍‍ ଜଟିଳ ବୋଲି ସେ ସୂଚାଇଥିଲେ ।

ଅଧିକରୁ ଅଧିକ ମହିଳାଙ୍କ ଟିକାକରଣ ନିମନ୍ତେ ପ୍ରବର୍ତ୍ତାଯିବା ଆବଶ୍ୟକ

ଡକ୍ଟର ପଲ୍‍ କହିଲେ ଯେ ଗତକାଲି ଯେତେ ସଂଖ୍ୟକ ଲୋକ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା । ଅନ୍ୟ ୫୩ ପ୍ରତିଶତ ହେଉଛନ୍ତି ପୁରୁଷ । “ଯେଉଁସବୁ ସ୍ଥାନରେ ଏହି ବିଭେଦ ରହିଛି ଆମକୁ ଏଭଳି ଲିଙ୍ଗଗତ ବୈଷମ୍ୟକୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ । ଅଧିକରୁ ଅଧିକ ମହିଳା ଆସି ଟିକାକରଣରେ ସାମିଲ ହେବା ଆମେ ଚାହୁଁ” ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଖୁସି ଖବର; ଓଡିଶାର ପ୍ରସ୍ତୁତ ହେବ କୋଭିଡ ଟିକା, ଭୁବନେଶ୍ବରର ଅନ୍ଧାରୁଆରେ ଆରମ୍ଭ ହେଲା କାମ

ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଖବର। ବର୍ତ୍ତମାନ କୋଭିଡ ଟିକା ନେଇ ସାରା ଦେଶରେ ବିଭିନ୍ନ ବାଦବିବାଦ ଚାଲିଥିବା ବେଳେ ଓଡିଶା ଆଉ ଏକ ପାଦ ଆଗେଇଛି। ତାହା ହେଲା ଓଡିଶାରେ ଖୁବ ଶିଘ୍ର ପ୍ରସ୍ତୁତ ହେବ କୋଭିଡ ଟିକା। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୁବନେଶ୍ବରର ଅନ୍ଧାରୁଆରେ ଇଡକୋ ତରଫରୁ ଜମି ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି।

ତେବେ ଓଡିଶାରେ କୋଭାକ୍ସିନ ଟିକା ପ୍ରସ୍ତୁତ ହେବ ବୋଲି  ନିଷ୍ପତି ହୋଇଛି। ସେ ନେଇ କୋଭାକ୍ସିନ ପ୍ରସ୍ତୁତ କଂପାନୀ ସହିତ ଆଲୋଚନା ସରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 15 କୋଟି ଟଙ୍କା ମଂଜୁର କରାଯାଇଛି। ବର୍ତ୍ତମାନ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ପ୍ରାରମ୍ଭକି କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଟିକା ଆସନ୍ତା 2022 ମସିହା ଜୁନ ମାସରେ ଉତ୍ପାଦନ ହେବ ବୋଲି ଟାର୍ଗେଟ ରଖାଯାଇଛି।

ବର୍ତ୍ତମାନ ମହାମାରି ସମୟରେ ଜମି ଚିହ୍ନଟ କରି କାମ ଆରମ୍ଭ କରାଯାଇଥିବାରୁ ଉତ୍ପାଦକ କଂପାନୀ ତରଫରୁ ଖୁସି ପ୍ରକଟ କରାଯାଇଛି। ଓଡିଶା ସରକାରଙ୍କ ତରଫରୁ ପ୍ରଚଳିତ ଇଜି ଅଫ ଡୁଇିଂ ବିଜିନେସ ଆଧାରରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗର କ୍ଲିୟରାନସ ମଧ୍ୟ ମିଳିସାରିଛି।

ଓଡିଶା ସରକାର ପୂର୍ବରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଇ ସାରା ଭାରତରେ ପ୍ରଶଂସା ସାଉଁଟି ଆଣିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ସେହିପରି ପ୍ରଥମ ଲହର ବେଳେ ରାଜ୍ୟ ସରକାର ଯେପରି କୋଭିଡ ପରିଚାଳନା କଲେ ତାହା ମଧ୍ୟ ସାରା ବିଶ୍ବରେ ପ୍ରଶଂସା କରାଯାଇଛି। ବର୍ତ୍ତମାନ କୋଭଡି ଟିକା ପ୍ରସ୍ତୁତ ପାଇଁ ପଦକ୍ଷେପ ନେବା ସେହି ପ୍ରଶଂସାରେ ଆଉ ଏକ ଫର୍ଦ ଯୋଡି ହୋଇଛି।