Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ ଏସ୍‌ଏଚ୍‌ଏମ୍‌ରେ ସୋମବାର ସକାଳେ ପହଂଚି ପିଠା ପ୍ରସ୍ତୁତ ଆରମ୍ଭ କରିଥିଲେ। ଅନ୍ୟ ପିଠା ପ୍ରତିଯୋଗିତା ଭଳି ଘରୁ ପ୍ରସ୍ତୁତ କରିଥିବା ପିଠା ନ ଆଣି ଏଠାରେ ହିଁ ନିଜର ରୋଷେଇ କଳା ଦେଖାଇଥିଲେ ମହିଳାମାନେ। ମୋଟ ୧୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୮ଟି ଗ୍ରୁପ୍ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ଚାଉଳ ପୋଡପିଠା, ଖିର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ତ୍ରିରଙ୍ଗା ପୋଡ ପିଠା, ଭୋଗେଇ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ପିତାମ୍ବର ବିଶ୍ୱାଳ ଓ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ବିଚାରକ ଭାବେ ଯୋଗ ଦେଇ ଖାଦ୍ୟ ପରୀକ୍ଷା କରିଥିଲେ।

ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜ୍ୟୋସ୍ନା ମିଶ୍ର ଓ ମୀନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିହାରିକା ତ୍ରିପାଠୀ ଓ ମାନସୀ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଶୁଭଶ୍ରୀ ପଟ୍ଟନାୟକ ଓ ମାନସୀ ଓଝା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।
ପ୍ରିତଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଚାରକମାନେ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ନିମନ୍ତେ ପ୍ରଶଂସା କରିଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ପିଠା ପ୍ରତିଯୋଗିତା ଭଳି ଆଗାମୀ ଦିନରେ ମିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ବିକ୍ରୀ ହେବାର ଯୋଜନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଗଣପର୍ବ ରଜକୁ ଭୁଲ ନ ଲେଖିବା ପାଇଁ ଆରମ୍ଭ ହେଲା ସୋସିଆଲ ମିଡିଆ କ୍ୟାମ୍ପେନ

ଭୁବନେଶ୍ବର, ଓଡିଶାର ଗଣପର୍ବ ହେଉଛି ରଜ। ଏହା କାହିଁ କେଉଁ କାଳରୁ ଓଡିଶାର ସଂସ୍କୃତି ସହିତ ଜଡିତ ହୋଇ ରହିଛି। ହେଲେ ଏହି ପର୍ବର ବନାନକୁ ନେଇ ଗତ କିଛି ବର୍ଷ ଧରି ଭୁଲ ଲେଖାଯାଉଛି। ଯାହାକୁ ନେଇ ସ୍ବର ଉଠାଇଛନ୍ତି ସାମ୍ବାଦିକ ସୌମ୍ୟା ପରିଡା ଏବଂ ସ୍ତମ୍ଭକାର ରୁଦ୍ର ପ୍ରସାଦ ରଥ। ଗତ ତିନି ବର୍ଷ ଧରି ସେମାନେ ସୋସିଆଲ ମିଡିଆରେ ଏହି କ୍ୟାମ୍ପନ କରୁଛନ୍ତି।

କେତେକ ସଂସ୍ଥା ସେମାନଙ୍କର ରଜ ସମୟର ବିଜ୍ଞାପନରେ ରଜୋ ଲେଖି ପ୍ରକାଶିତ କରିଥାନ୍ତି। ଏହାକୁ ଦେଖି ଅନେକ ମଧ୍ୟ ସେହି ରଜୋ ଶଦ୍ଦକୁ ବ୍ୟବହାର କରିଥାନ୍ତି। ଏହାର କାରଣରେ କୁହାଯାଉଛି ଯେ ରଜକୁ ଅନେକ ଇଂରାଜୀରେ Rajo ବୋଲି ଲେଖିଥାନ୍ତି। ତାହା ଓଡିଆରେ ରଜୋ ବୋଲି ଉଚ୍ଚାରଣ ହୋଇଥାଏ । ସେଥିପାଇଁ ଯେଉଁମାନେ ଓଡିଆ ସଂସ୍କୃତି ସହିତ ପରିଚିତ ନ ଥାନ୍ତି ସେମାନେ ଏହାକୁ ରଜୋ ବୋଲି ଲେଖିଥାନ୍ତି। ତେବେ ଏହା ସଂପୂର୍ଣ୍ଣ ଭୁଲ ଶଦ୍ଦ। ସେଥିପାଇଁ ରଜକୁ ରଜୋ ନ ଲେଖିବା ପାଇଁ ଉଭୟ ଏହି ରଜ ସମୟରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି।