Categories
ବିଶେଷ ଖବର ରାଜ୍ୟ ଖବର

ବିଜୟ ସାହୁଙ୍କ ପରଲୋକ ପରେ ବସିଲା ପ୍ରଥମ ଆଦର୍ଶ ବିଦ୍ୟାଳୟ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର, ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରର ଅନ୍ଧାରୁଆଠାରେ ନିର୍ମାଣାଧୀନ ମଡେଲ ଆଦର୍ଶ ବିଦ୍ୟାଳୟର ପାଚେରୀ କାନ୍ଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପୂର୍ଣ୍ଣାଙ୍ଗ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୫୦୦ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ମେଡିକାଲ, ଇଂଜିନିୟରିଂ ଏବଂ ଅନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ପ୍ରଶିକ୍ଷଣ ଦିଆଯିବ । ଏହା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କର ଏକ ଅଭିଳଷିତ ପ୍ରକଳ୍ପ ଥିଲା ଏବଂ ପ୍ରମୁଖ ଶାସନ ସଚିବ ଆଗାମୀ ଶିକ୍ଷାବର୍ଷରୁ ଏଠାରେ ଶିକ୍ଷାରମ୍ଭ କରି ସଂଗଠନର ଉପଦେଷ୍ଟାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦର୍ଶନ କରିବାକୁ କହିଥିଲେ ।

ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍‌ ଦ୍ୱାରା ଜାରି ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ନିବେଦନ କରାଯାଇଥିଲା । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ବରଗଡ଼ର ଜିଲ୍ଲାପାଳମାନଙ୍କୁ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ସହ ଜମିର ମାଲିକାନା ନିର୍ବାହୀ ଯନ୍ତ୍ରୀମାନଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା ।

କେଉଁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାମାନଙ୍କରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ଓମ୍‌ବାଡ୍‌ସ ପାଣ୍ଠିରେ ନିର୍ମିତ ହେଉଥିବା ହଷ୍ଟେଲ, ପଚୋରୀ କାନ୍ଥ, ସାଇକେଲ ଷ୍ଟାଣ୍ଡ, ଗମନାଗମନ ରାସ୍ତା ଆଦି ବାବଦରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅନୁରୋଧ କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଆର୍‌ଡବ୍ଲୁ୍ୟଏସ୍‌ଏସ୍‌ର ମୁଖ୍ୟ ଯନ୍ତ୍ରୀ, ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ପ୍ରତିନିଧି, ଓବିସିସିର ପରିଚାଳନା ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ସଚିବ, ଅନ୍ୟ ସମସ୍ତ ସଂପୃକ୍ତ ର୍ନିବାହୀ ଯନ୍ତ୍ରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାଞ୍ଚଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ଉପାଧୀ ପ୍ରଦାନ କଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ

ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଉତ୍କଳ ବିଶ୍ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପାଞ୍ଚ ଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଛନ୍ତି। ସେମାନେ ହେଲେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖାନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁ, ବିଚାରପତି ସଂଜୁ ପଣ୍ଡା, ଭାବା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଅଜିତ ମହାନ୍ତି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଠା ବିଜୟ କୁମାର ସାହୁ। ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।