Categories
ଅନ୍ତରାଷ୍ଟ୍ରୀୟ ରାଜ୍ୟ ଖବର

ତାନଜାନିଆରେ ପାଳିତ ହେଲା ଉତ୍କଳ ଦିବସ, ଓଡିଶାର ପାରଂପାରିକ ନୃତ୍ୟରେ ଝୁମିଲେ ଦର୍ଶକ

Utkal Diwas In Tanzania: ଉତ୍କଳ ଦିବସ ବା ଓଡିଶା ଦିବସ କେବଳ ଓଡିଶା ବା ଭାରତରେ ନୁହେଁ, ବିଶ୍ବର ବିଭିନ୍ନ କୋଣରେ ମଧ୍ୟ ପାଳିତ ହୋଇଛି। ସେମିତି ତାନଜାନିଆରେ ଥିବା ଓଡିଆମାନେ ଏହି ଦିବସକୁ ବେଶ ଧୂମଧାମରେ ପାଳନ କରିଛନ୍ତି। ତାନଜିଆରେ ଥିବା ଭାରତ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଏବଂ ତାନଜାନିଆ ଓଡିଆ ସମାଜ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା।

ତାନଜିଆର ଦାର ଇସ ସଲ୍ଲାମ ସହରରେ ଆୟୋଜିତ ଏହି ଉତ୍ସବରେ ସେଠାରେ ଥିବା ପ୍ରାୟ ଦେଢଶହ ଓଡିଆ ଯୋଗଦେଇଥିଲେ। ଭାରତ ହାଇକମିଶନ କାର୍ଯ୍ୟାଳୟରେ ଅବସ୍ଥାପିତ ରାଜନୈତିକ ୟୁଇଙ୍ଗିର ମୁଖ୍ୟ ଶ୍ରୀ ଲକ୍ଷ୍ୟ ଆନନ୍ଦ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାନଜାନିଆ ରେ ଥିବା କଳାକାରମାନେ ଓଡିଶାର ପାରଂପାରିକ ନୃତ୍ୟ, ସଂଗୀତକୁ ପରିବେଷଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ତଥା ଯାଜପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ଵର: ପ୍ରତିବର୍ଷ ଭଳି ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୫ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ପ୍ରଦୀପ ବଳ ସାମନ୍ତ , ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ପ୍ରମୁଖ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁରଠାରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି, କିଆନାଳୀ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା କାରାଗାରର ଅନ୍ତେବାସୀ, ଉତ୍କଳ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ପ୍ୟାକେଟ ବଣ୍ଟନ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।

ଏହି ଅବସରରେ ଜିଲ୍ଲାର ୫ ଜଣ ଶ୍ରେଷ୍ଠ ଅଗ୍ରଣୀ ଚାଷୀଙ୍କୁ ଶ୍ରୀ ଜଗନ୍ନାଥ ମଲ୍ଲିକ କୃଷକ ସମ୍ମାନରେ ସମ୍ମାନିତ କରାଯିବା ସହ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ଓଡ଼ିଶା ଦିବସ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ଗତି ତ୍ୱରାନ୍ୱିତ ହୋଇଛି। ଡବଲ ଇଞ୍ଜିନ ସରକାର ଆସିବା ପରେ ରାଜ୍ୟର ପ୍ରଗତି ଆହୁରି ଗତିଶୀଳ ହେଉଛି। ରାଜ୍ୟକୁ ମିଳୁଥିବା ରେଳ ଅନୁଦାନ ଚାରି ଗୁଣ ବୃଦ୍ଧି ପାଇଛି। ବିଗତ ତିନି ବର୍ଷ ଧରି ମୋଦୀ ସରକାର ଓଡ଼ିଶାକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଲେଖାଏଁ ରେଳ ଅନୁଦାନ ଯୋଗାଇ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରାଥମିକତା ଦେଉଛନ୍ତି। ପୂର୍ବରୁ ରାଜ୍ୟର ବିକାଶ ଅତି ମନ୍ଥର ଗତିରେ ହେଉଥିଲା। ଏବେ କିନ୍ତୁ ବନ୍ଦେ ଭାରତ ବେଗରେ ଓଡ଼ିଶାର ବିକାଶ ହେଉଛି । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଦୁଇ ହଜାର କିଲୋମିଟର ନୂଆ ରେଳ ଟ୍ରାକ୍‌ ନିର୍ମାଣ କରାଯାଇଛି। ମାଲେସିଆ ଭଳି ଦେଶର ମୋଟ୍‌ ରେଳ ନେଟୱର୍କର ଆକାର ଯେତିକି ତା’ଠାରୁ ଅଧିକ ରେଳ ଟ୍ରାକ୍‌ ଓଡ଼ିଶାରେ ନିର୍ମାଣ କରାଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶାକୁ ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ଏହାକୁ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଆହୁରି ଅଧିକ ବନ୍ଦେ ଭାରତ ଟ୍ରେନ ଚଳାଚଳ କରାଯିବ। ତୃତୀୟ କାର୍ଯ୍ୟକାଳରେ ରାଜ୍ୟର ତିନି ଗୁଣ ଅଧିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟକୁ ଆଇଟି ଉଦ୍ୟୋଗର କେନ୍ଦ୍ରସ୍ଥଳୀରେ ପରିଣତ କରିବା ଲାଗି ଯୋଜନା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଭୁବନେଶ୍ୱର ରେଳ ଷ୍ଟେସନରେ ନିର୍ମାଣାଧୀନ ଅଟ୍ଟାଳିକାର ପ୍ରଥମ ଚାରିଟି ମହଲାକୁ ରେଳବାଇ କାର୍ଯ୍ୟରେ ଉପଯୋଗ କରାଯିବ। ପଞ୍ଚମରୁ ଏକାଦଶ ମହଲାକୁ ଆଇଟି ଉଦ୍ୟୋଗକୁ ସମର୍ପିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଜି ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ପ୍ରାତଃ ଘ ୪.୩୦ ମି. ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତର ରେକର୍ଡିଂ ବଜାଯାଇ ସହର ପରିକ୍ରମା କରାଯାଇଥିଲା। ପ୍ରାତଃ ଘ ୭.୦୦ ମି. ରେ ଜିଲ୍ଲାର ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ/କାର୍ଯ୍ୟ ନିର୍ବାହୀ ଅଧିକାରୀ, ଖୋରଧାଙ୍କ ଦ୍ବାରା ପୁଷ୍ପମାଲ୍ୟ ମାଲ୍ୟାର୍ପଣ କରାଯାଇଥିଲା।

ସନ୍ଧ୍ୟା ଘ. ୬.୩୦ ମି. ରେ ଜୟୀ ରାଜଗୁରୁ ଟାଉନ ହଲ ଠାରେ ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ଫଟୋ ପ୍ରଦର୍ଶନୀ ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ଏବଂ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ/ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଜିଲ୍ଲାପାଳ ଚଞ୍ଚଳ ରାଣା, ଅଧ୍ୟକ୍ଷତା କରୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ସ୍ୱାଗତ ଭାଷଣ ରଖିଥିଲେ।

ସମସ୍ତ ଙ୍କଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ପରେ ପରେ ଅତିଥିମାନଙ୍କୁ ଉତ୍ତରୀୟ ସହିତ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ସ୍ବାଗତ ଅଭିଭାଷଣ ରଖିଥିଲେ। ଏହା ପରେ ସମସ୍ତ ଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ ଯେ ଯେଉଁ ଜାତିର ଇତିହାସ ଯେତେ ସମୃଦ୍ଧ ସେ ଜାତି ସେତେ ଉନ୍ନତ, ପିଲାମାନଙ୍କୁ ଇତିହାସ ପଢିବାକୁ ଉପଦେଶ ଦେଇଥିଲେ, ସେହିପରି ମାନ୍ୟବର ବିଧାୟକ କହିଲେ ଯେ ଆଜି ହେଉଛି ଆତ୍ମ ବିଶ୍ଳେଷଣର ଦିନ, ଆଜି ସମୟ ଆସିଛି ଆମେ ସମସ୍ତେ ଓଡ଼ିଆ କହିବା ଅନୁଧ୍ୟାନ କରିବା, ମାନନୀୟା ଅଧକ୍ଷା ଜିଲ୍ଲା ପରିଷଦ କହିଲେ, ଆଜି ଆମେ ବୀର ପୁରୁଷର ମହାନତା ଓ ବଳିଦାନ ବିଷୟରେ ମନେପକାଇବା। ସେହିପରି ଜିଲ୍ଲାପାଳ କହିଲେ ଓଡ଼ିଆ ପକ୍ଷକୁ ଏତେ ସୁନ୍ଦର ଭାବେ ପାଳନ କରାଯାଉଛି, ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ, ଓଡ଼ିଆ ବୋଲି ଆମେ ଜାଣିବୁ, ପିନ୍ଧିବୁ ଏବଂ ସାରା ଭାରତ ଆମକୁ ଜାଣିବ। ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ଗୌରବମୟ ବୋଲି ସମ୍ମାନୀୟ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ବକ୍ତବ୍ୟ ରଖିଥିଲେ।

ସେହିପରି ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ କହିଲେ ଯେଉଁ ଗଛର ମୂଳ ଯେତେ ଦୃଢ ସେ ସେତେ ଦୃଢ, ସେହିପରି ଓଡିଶା ଭାଷାକୁ ସୁଦୃଢ କରିବାକୁ ହେଲେ ତାର ମୂଳଦୁଆକୁ ସୁଦୃଢ କରିବାକୁ ହେବ। ପରେ ଓଡ଼ିଶା ଦିବସ ଉପଲକ୍ଷେ କରାଯାଇଥିବା ଜିଲ୍ଲା ସ୍ତରରେ ପ୍ରତିଯୋଗିତା ରେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ଯମିକ ଏବଂ ମହା ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତାରେ ପ୍ରଥମ, ଦ୍ବିତୀଯ ଓ ତୃତୀୟ ସ୍ଥାନ ଅଧିକାର କରିଥିବା (୩୧ ଜଣ ଛାତ୍ର/ଛାତ୍ରୀ ଙ୍କୁ) ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମେମ୍ବର, ପୌର ପରିଷଦ ମେମ୍ବର, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ପଂଚାୟତ ସ୍ତରୀୟ ମେମ୍ବର, ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାର ବିଭାଗୀୟ ଅଧିକାରି, ବ୍ଲକ ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ବିଭାଗୀୟ କର୍ମଚାରୀ ଏବଂ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ରୀ/ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାଯ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରୁଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ପ୍ରଦାନ କରିବା ପରେ ସଭାସାଙ୍ଗ କରଯାଇଥିଲା।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ସତ୍ୟଭାମାପୁରରେ ଓଡ଼ିଶା ଦିବସ, ମଧୁବାବୁଙ୍କ ଜନ୍ମସ୍ଥାନର ବିକାଶ ପାଇଁ ୨୧ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡିଶା ଦିବସ । ସାରା ରାଜ୍ୟରେ ଓଡିଆ ଅସ୍ମିତାର ଉତ୍ସବ। ଏହି ଅବସରରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟ ସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ଆମ ପାଇଁ ଏକ ପବିତ୍ର ସ୍ଥାନ, ଏକ ତୀର୍ଥ। ଏ ସ୍ଥାନକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜି ଦିନଟି ହେଉଛି ଓଡ଼ିଆ ଅସ୍ମିତାର ଦିବସ। ଓଡ଼ିଆ ସ୍ୱାଭିମାନର ଦିବସ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଆଣିଥିଲେ, ତାକୁ ସମ୍ମାନ ଦେଇ, ଆଜି ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁଙ୍କ ଗାଁ’ ମାଟିରେ ‘ଓଡ଼ିଶା ଦିବସ’ ପାଳନ କରୁଛୁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ‘ମଧୁସୂଦନ ଦାସଙ୍କ ଜନ୍ମ ସ୍ଥାନର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ(Integrated Development of Madhusudan Das’ Birth Place)’ର ଭିତ୍ତିପ୍ରସ୍ତର ରଖିଥିଲେ । ୨୧ କୋଟି ଟଙ୍କା ବିନିଯୋଗରେ ବିକଶିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମଧୁବାବୁଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ସହିତ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ, ଏନ୍ତୁଡିଶାଳର ଉନ୍ନତିକରଣ, ପ୍ରତିମୂର୍ତ୍ତି ନିର୍ମାଣ, ଅତିଥି ଭବନ, ପାଠାଗାର ଏବଂ ସେଠାରେ ଥିବା ଜଳାଶୟରେ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ସ୍ଥାପନ ଆଦି କରାଯିବ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆମର ବରପୁତ୍ର ମାନେ ଯେଉଁ ତ୍ୟାଗ ଓ ସଂଗ୍ରାମ କରିଯାଇଛନ୍ତି, ସେ ଋଣକୁ ଆମେ କେବେ ବି ସୁଝି ପାରିବୁ ନାହିଁ। ତେବେ, ଏକ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଯେତେବେଳେ ଏକଜୁଟ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗେଇ ଚାଲିବେ, ସେତେବେଳେ ପୃଥିବୀର କୌଣସି ଶକ୍ତି ତାଙ୍କୁ ଅଟକେଇ ପାରିବେ ନାହିଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ୱପ୍ନ ପୂରଣ ହେବ। ଲକ୍ଷ୍ୟ ସଫଳ ହେବ।

ଓଡିଶାର ଏହି ମହା ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହୋଇ ସମୃଦ୍ଧ ଓଡ଼ିଶାର ମହାନ ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ।

ଓଡିଆ ପକ୍ଷ

ରାଜ୍ୟରେ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ପାଳନ କରିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଓଡ଼ିଶାର ପ୍ରକୃତ ସମ୍ପଦ ହେଉଛନ୍ତି ଆପଣମାନେ। ଆମର ସାଢ଼େ ଚାରି କୋଟି ଓଡ଼ିଶାବାସୀ। ଆମର ପ୍ରତ୍ୟେକ ରକ୍ତ ବିନ୍ଦୁରେ ଓଡ଼ିଆ ଅସ୍ମିତା ଭରି ରହିଛି। ଆମର ଚାଲିଚଳଣ, କଥାବାର୍ତ୍ତା, ଖାଦ୍ୟ… ସବୁଥିରେ ଭରି ରହିଛି ଗୋଟିଏ ନିଚ୍ଛକ ଓଡ଼ିଆପଣ। ସେହି ଓଡ଼ିଆପଣ, ଓଡ଼ିଆ ଅସ୍ମିତାକୁ ଆଗେଇ ନେବା ପାଇଁ ଆମେ ପ୍ରତିବଦ୍ଧ। ସେଥିପାଇଁ ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଆମେ ‘ଓଡ଼ିଆ ପକ୍ଷ’ ପାଳନ କରୁଛୁ ।

ଏହି ସମୟରେ ପ୍ରତ୍ୟେକ ଓଡିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।

ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ରାଜ୍ୟ ତଥା ରାଜ୍ୟ ବାହାରେ ଏବଂ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର କେବଳ ମଧୁବାବୁଙ୍କ ଜନ୍ମମାଟି ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଆଧୁନିକ ଭାରତରେ ଓଡ଼ିଆ ଭାଷାର ଉତ୍‍ଥାନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାଙ୍କ ଜନ୍ମସ୍ଥଳୀ ହେଉଛି ଏ ପବିତ୍ର ମାଟି। ଯେଉଁ ମାଟିର ସନ୍ତାନ ସବୁ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି, ଆମକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିଲେ, ତାଙ୍କୁ ସଶ୍ରଦ୍ଧ ପ୍ରଣିପାତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେ ଯେ, ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ଆନ୍ଦୋଳନର ଲକ୍ଷ୍ୟ କେବଳ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ଭୌଗୋଳିକ ଭୂଖଣ୍ଡ ବନାଇବା ନ ଥିଲା। ଏହାର ଆଉ ଗୋଟିଏ ପ୍ରଧାନ ଲକ୍ଷ୍ୟ ଥିଲା, ଅବକ୍ଷୟମାନ ଓଡ଼ିଆ ଭାଷା ଓ ସାହିତ୍ୟକୁ ପୁନର୍ଜୀବିତ କରି ଘରେ ଘରେ ଆଦୃତ କରାଇବା।

ତେଣୁ, ଓଡ଼ିଶା ପ୍ରଦେଶ ଗଠନ ସହିତ, ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗୃତି ପାଇଁ ମଧ୍ୟ ଲେଖନୀ ମାଧ୍ୟମରେ ଆନ୍ଦୋଳନ ଚାଲିଥିଲା। ଏହାର ପୁରୋଧା ଥିଲେ ସ୍ଵଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କର୍ମବୀର ଗୌରି ଶଙ୍କର ରାୟ, ବ୍ୟାସକବି ଫକୀର ମୋହନ ସେନାପତି।

ଏପରିକି, ମଧୁବାବୁ ଓଡ଼ିଆମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଲେଖନୀ ଚାଳନା କରୁଥିଲେ। ତାଙ୍କ ରଚିତ “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ; ପୂରୁବ ଗୌରବ ପୂରୁବ ସାହସ, ପଡ଼ିବ କି କେବେ ମନେ!” ଲକ୍ଷ ଲକ୍ଷ ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିଲା।

ମଧୁବାବୁଙ୍କ ଡାକରେ ସାରା ଓଡ଼ିଆ ଜାତି ଏକତ୍ରିତ ହୋଇଥିଲା ଏବଂ ୮୯ ବର୍ଷ ପୂର୍ବେ ଆଜିର ଦିନରେ ଆମେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନ କରିଥିଲୁ।

ସାରା ଭାରତରେ ଓଡ଼ିଶା ଥିଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ମହାନ୍‍ ଭାରତ ବର୍ଷରେ ରାଜ୍ୟ ଗଠନ ପାଇଁ ଓଡ଼ିଶାର ସଂଗ୍ରାମ ଥିଲା ଏକ ମାର୍ଗଦର୍ଶକ। ଏହା ପରେ ଦେଶର ଅଧିକାଂଶ ରାଜ୍ୟ, ଭାଷା ଭିତ୍ତିରେ ହିଁ ଗଠନ କରାଯାଇଥିଲା।

ଏହି ଅବସରରେ ଓଡ଼ିଶା ଭୂଖଣ୍ଡକୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ କରିବା ପାଇଁ ଯେଉଁ ମହାନ ବରପୁତ୍ରମାନେ ସାରା ଜୀବନ ସଂଗ୍ରାମ କରିଥିଲେ ସେମାନଙ୍କୁ ମୁଁ ପ୍ରଣାମ କରୁଛି।

ଏକ ‘‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’’ ଗଠନ କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୯୦୩ ମସିହାରେ କଟକରେ ଉତ୍କଳ ସମ୍ମିଳନୀର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ନିରନ୍ତର ଉଦ୍ୟମ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ସ୍ଥାପନ କରିଥିଲା।

ମଧୁବାବୁଙ୍କ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହରଙ୍କ ପରି ଅନେକ ବରପୁତ୍ର ମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ସ୍ବତନ୍ତ୍ର ଓଡ଼ିଶାର ସ୍ବପ୍ନ ସଫଳ ହୋଇପାରିଥିଲା। ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଦେଶୀୟ ରାଜ୍ୟଗୁଡ଼ିକ ଓଡ଼ିଶାରେ ମିଶିଥିଲେ ଏବଂ ଓଡ଼ିଶା ତାର ବର୍ତ୍ତମାନର ସ୍ୱରୂପ ପାଇଥିଲା। ଏହି ଅବସରରେ ସେମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପାଇକ ବିଦ୍ରୋହ

୧୮୦୩ ମସିହାରେ ଓଡ଼ିଶାରେ ଇଂରେଜ ଶାସନ ଆରମ୍ଭ ହୋଇଥିଲା। ଏହାର ମାତ୍ର ୧୪ ବର୍ଷ ପରେ ୧୮୧୭ ମସିହାର ପାଇକ ବିଦ୍ରୋହ ଓଡ଼ିଶାରେ ବ୍ରିଟିଶ୍‍ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ବକ୍‍ସି ଜଗବନ୍ଧୁଙ୍କ ସହିତ ଅନେକ ବୀର ସଂଗ୍ରାମୀ ଦେଶର ସ୍ୱାଧିନତା ପାଇଁ ଜୀବନ ଦେଇଥିଲେ।

ଭାରତ ଇତିହାସରେ ଏହାଥିଲା ସବୁଠାରୁ ପ୍ରଥମ ବଡ଼ ଜନ ସଂଗ୍ରାମ। କାରଣ ପାଇକ ବିଦ୍ରୋହ କେବଳ ରାଜା କିମ୍ୱା ନେତୃବୃନ୍ଦ ମାନଙ୍କର ସଂଗ୍ରାମ ନଥିଲା, ଏହା ଥିଲା ଓଡ଼ିଶାର ବୀର ପାଇକମାନଙ୍କର ଏବଂ ସାଧାରଣ ଲୋକଙ୍କ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ସଂପୂର୍ଣ୍ଣ ସଂଗ୍ରାମ। ବୋଧହୁଏ, ସିପାହୀ ବିଦ୍ରୋହ ପାଇଁ ଓଡ଼ିଶାର ପାଇକ ବିଦ୍ରୋହ ଥିଲା ପ୍ରେରଣାର ଏକ ମହାନ୍‍ ଉତ୍ସ।

ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ଭାଷା ଆନ୍ଦୋଳନ

ଓଡ଼ିଆ ଭାଷା ଆଜି ଏକ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ହାସଲ କରିଛି। କିନ୍ତୁ ଦିନ ଥିଲା, ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ଭାବେ ଗ୍ରହଣୀୟ ମଧ୍ୟ ହେଉ ନଥିଲା। ବ୍ରିଟିଶ୍‍ ସମୟର ରାଜନୈତିକ ପରିସ୍ଥିତି ଓଡ଼ିଶାକୁ ଏକ ଶୋଚନୀୟ ସ୍ଥିତିରେ ରଖିଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳର କିଛି ଭାଗ ବେଙ୍ଗଲ ପ୍ରେସିଡେନ୍ସି ସହିତ ମିଶି ରହିଥିଲା, କିଛି ଭାଗ କେନ୍ଦ୍ରୀୟ ପ୍ରୋଭିନ୍ସ ସହିତ ମିଶି ରହିଥିଲା, ଦକ୍ଷିଣର କିଛି ଅଞ୍ଚଳ ମାଡ୍ରାସ ପ୍ରେସିଡେନ୍ସି ସହିତ ମିଶି ରହିଥିଲା, ତ କିଛି ଅଞ୍ଚଳ ବିହାର-ଓଡ଼ିଶା ପ୍ରୋଭିନ୍ସରେ ସମ୍ମିଳିତ ହୋଇଥିଲା। ଫଳରେ, ସେହିସବୁ ଅଞ୍ଚଳରେ ଓଡ଼ିଆ ବଦଳରେ ବଙ୍ଗାଳୀ, ହିନ୍ଦୀ ଓ ତେଲୁଗୁ ଭାଷା ଓ ସଂସ୍କୃତି ବିସ୍ତାର ଲାଭ କରୁଥିଲା।

ତେଣୁ, ଏହି ସବୁ ଅଞ୍ଚଳର ଏକତ୍ରିକରଣ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପଛରେ ଓଡ଼ିଆ ଭାଷାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ୱତନ୍ତ୍ର ରାଜ୍ୟ ଗଠନ କ୍ଷେତ୍ରରେ ଆମର ସଂଗ୍ରାମୀ ମହାପୁରୁଷମାନେ ଓଡ଼ିଆ ଭାଷାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ।

ଇଣ୍ଡୋ-ଆର୍ଯ୍ୟାନ୍ ଓ ଓଡ୍ର ପ୍ରାକୃତ ଭାଷାରୁ ସୃଷ୍ଟି ହୋଇଥିବା ଓଡ଼ିଆ ଭାଷାର ଏକ ଦୀର୍ଘ ଇତିହାସ ରହିଛି। ପଞ୍ଚଦଶ ଶତାବ୍ଦୀରେ ଆଦିକବି ସାରଳା ଦାସଙ୍କ ମହାଭାରତର ଲୋକପ୍ରିୟତା ଓଡ଼ିଆ ଭାଷାର ଉତ୍‍ଥାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ସମୟରେ ପଞ୍ଚସଖାଙ୍କର ରଚିତ ବିଭିନ୍ନ ପୁରାଣ ଓଡ଼ିଆ ଭାଷାକୁ ଘରେ ଘରେ ଲେଖନ-ପଠନର ଭାଷା ଭାବେ ବିକଶିତ କରିଥିଲା। ଏହାପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶରେ ଏକ ଅନନ୍ୟ ଭୂମିକା ଗ୍ରହଣ କରିଥିଲେ।

ନୂଆ ଲକ୍ଷ୍ୟ, ନୂଆ ସ୍ୱପ୍ନ

ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପୁରି 90ତମ ବର୍ଷ ଆରମ୍ଭ ହୋଇଛି। ଉତ୍କଳ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଭିତରୁ ଏକ ସ୍ଵତନ୍ତ୍ର ଓଡ଼ିଶାର ସର୍ବାଙ୍ଗୀନ ବିକାଶ କରିବା ଥିଲା ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ।

କିନ୍ତୁ, ଦୁର୍ଭାଗ୍ୟବଶତଃ, ସ୍ଵାଧୀନତାର 77 ବର୍ଷ ବିତିଯାଇଥିଲେ ସୁଦ୍ଧା, ଓଡ଼ିଶା ତାର ସାମର୍ଥ୍ୟକୁ ପୂର୍ଣ୍ଣ ରୂପେ ବିନିଯୋଗ କରି, ରାଜ୍ୟବାସୀଙ୍କ ଉନ୍ନତି ଦିଗରେ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ ।

କିନ୍ତୁ, ଓଡ଼ିଆ ଜାତି ଭାବରେ ଆମର ସ୍ୱପ୍ନ ଅସୀମ, ଅସୁମାର। ଆମର ଲକ୍ଷ୍ୟ ଖୁବ୍ ବିଶାଳ। ସେହି ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମର ଓଡ଼ିଆ ଭାଇ ଭଉଣୀମାନେ ରାଜ୍ୟରେ ଆଣିଛନ୍ତି ପରିବର୍ତ୍ତନ। ଆପଣମାନଙ୍କ ପରିବର୍ତ୍ତନର ସ୍ୱପ୍ନ ଓ ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆପଣଙ୍କ ନୂଆ ସରକାର ଦୃଢ଼ ସଂକଳ୍ପ ଓ ଉତ୍ସାହର ସହ ଉଦ୍ୟମ ଆରମ୍ଭ କରିଛନ୍ତି।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବୁ। ଆହୁରି ଆଗକୁ ଯାଇ, ୨୦୪୭ରେ ଆମର ଓଡ଼ିଶାକୁ ଆମେ ବିକଶିତ ଭାରତର ଏକ ଗ୍ରୋଥ୍‍ ଇଞ୍ଜିନ୍‍ କରିବୁ। ସମୃଦ୍ଧ ଓଡ଼ିଶାର ପ୍ରତ୍ୟେକଟି ସ୍ତମ୍ଭ ଓଡ଼ିଶାବାସୀ ହିଁ ନିର୍ମାଣ କରିବେ ଏବଂ ଓଡ଼ିଶାବାସୀ ହିଁ ପୁଣି ଥରେ ଲେଖିବେ ସେମାନଙ୍କର ଗୌରବମୟ ଇତିହାସ।

ମଧୁବାବୁଙ୍କ ଜନ୍ମମାଟିରେ ଆମର ଏହି ସଂକଳ୍ପ, ଓଡ଼ିଶା ପାଇଁ ଆଣିବ ଏକ ନୂଆ ସକାଳ। ମଧୁ-ମାଟିର ପ୍ରତ୍ୟେକଟି କଣିକା ଓଡ଼ିଆ ଜାତିର ସ୍ୱପ୍ନ ଓ ସଫଳତାର ବାର୍ତ୍ତାବହ।

ସମୃଦ୍ଧ ଓଡିଶା ଗଠନର ତିନିଟି ଆଧାର– ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମ

ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ତିନୋଟି ଶକ୍ତିର ଉପଯୋଗ କରିବୁ। ସେଇ ତିନୋଟି ଆଧାର ହେଉଛି –

ଅସ୍ମିତା ହେଉଛି ଆମର ଓଡ଼ିଆ ସ୍ୱାଭିମାନ। ଆମର ମୌଳିକ ପରିଚୟ। ନିଜର ପରିଚୟ ବିନା ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳେ ନାହିଁ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମର ଗର୍ବ ଓ ଗୌରବ। ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଥିଲେ –

‘ମାତୃଭୂମି ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ?’

ଦ୍ୱିତୀୟଟି ହେଉଛି ଉଚ୍ଚାଶା। ଉଚ୍ଚ ହେବା ପାଇଁ ପ୍ରଥମେ ଆମର ଆଶା, ଆକାଂକ୍ଷାକୁ ଉଚ୍ଚ କରିବାକୁ ପଡ଼ିବ। ବଡ଼ ସ୍ୱପ୍ନ ନ ଦେଖିଲେ, ଆମେ ବଡ଼ ହୋଇ ପାରିବା ନାହିଁ । ସେଥିପାଇଁ ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମେ ସଂକଳ୍ପ ନେଇଛୁ।

ତୃତୀୟଟି ହେଉଛି ଅବିଶ୍ରାନ୍ତ ଉଦ୍ୟମ। ଆମର ଏହି ଉଚ୍ଚ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ଯେଉଁ ସମୟ, ଯେଉଁ ସୁଯୋଗ ପାଇଛୁ, ତା’ର ପ୍ରତ୍ୟେକଟି ମୁହୂର୍ତ୍ତକୁ ଓଡ଼ିଶାର ବିକାଶ, ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ବିନିଯୋଗ କରିବୁ।ଏହି ତିନୋଟି ଶକ୍ତିକୁ ଆଧାର କରି ଆଗାମୀ ଦିନରେ ଆମେ ବିକଶିତ ଓଡିଶା ଗଠନ କରିବୁ ।

ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ତ୍ୟାଗ ଓ ପରିଶ୍ରମ ଜରିଆରେ ଓଡ଼ିଶା, ଦେଶର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ସାରା ଭାରତ ପାଇଁ ଆଲୋକ ବର୍ତ୍ତିକା ହେବ।

ଏକ ପ୍ରକୃତ ଗଣତାନ୍ତ୍ରିକ ସରକାର ହେଉଛି ଯାହା ଲୋକଙ୍କ ସାଥିରେ ରହେ, ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନ ପାଇଁ ଉଦ୍ୟମ କରେ। ଆମ ସରକାର ପ୍ରଥମ ଦିନରୁ ହିଁ ଲୋକଙ୍କ ପାଇଁ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରି ଆସୁଛି।

ପରିବର୍ତ୍ତନର ପ୍ରକ୍ରିୟା

ଆପଣମାନେ ଯେଉଁ ପରିବର୍ତ୍ତନର ଲକ୍ଷ୍ୟ ନେଇ ଆମର ନୂଆ ସରକାର ଗଠନ କରିଥିଲେ, ସେହି ପରିବର୍ତ୍ତନର ଭିତ୍ତି ଆମେ ଏହି ଅଳ୍ପ ସମୟ ମଧ୍ୟରେ ସ୍ଥାପନ କରିସାରିଛୁ। ଓଡ଼ିଶା ପାଇଁ ବିପୁଳ ସମ୍ଭାବନାର ଏକ ଯୁଗ ସୃଷ୍ଟି ହୋଇଛି। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି… ସବୁ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିର ପ୍ରକ୍ରିୟା ଆରମ୍ଭ ହୋଇଛି।

ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ସମାଜର ମୂଳଦୁଆ। ଏକ ଶିକ୍ଷିତ ଓ ସୁସ୍ଥ ଓଡ଼ିଶା ହିଁ, ସମୃଦ୍ଧ ଓଡ଼ିଶା ଗଠନ କରିପାରିବ। ଶିକ୍ଷା କ୍ଷେତ୍ରର ନବ କଳେବର ଆମର ଲକ୍ଷ୍ୟ। ନୂତନ ଶିକ୍ଷା ନୀତି-2020 ଲାଗୁ କରି ରାଜ୍ୟର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ସବୁ ବିଭାଗ ମଧ୍ୟରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ ବ୍ୟୟବରାଦ କରାଯାଇଛି। ଶିଶୁ ବାଟିକା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପଞ୍ଚଶିକ୍ଷା ସେତୁ ଅଭିଯାନ ଆଦି ଯୋଜନା ଜରିଆରେ ସ୍କୁଲ ଶିକ୍ଷାର ସୁଦୃଢୀକରଣ ପାଇଁ ପଦକ୍ଷେପ ନିଆଯାଉଛି।

ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆସନ୍ତା କାଲି ଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଆରମ୍ଭ ହେବ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ପି.ଏମ୍ ଉଷା ଯୋଜନା କାର୍ଯ୍ୟକାରୀ କରାଯାଇ ଗୁଣାତ୍ମକ ଶିକ୍ଷା ଓ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି।

ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ସୁଲଭ, ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ୱାରା ରାଜ୍ୟର ସାଢ଼େ ତିନି କୋଟିରୁ ଅଧିକ ଲୋକ ଦେଶର 29 ହଜାର ଡାକ୍ତରଖାନାରେ ଚିକିତ୍ସା ସେବା ପାଇପାରିବେ। ଏହା ଦ୍ୱାରା ଆମର ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ବିଶେଷ ଉପକୃତ ହେବେ। ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା କାର୍ଯ୍ୟକାରୀ କରାଯାଇ 70 ବର୍ଷରୁ ଅଧିକ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଯୋଡା ଯାଉଛି।

ଭିତ୍ତିଭୂମି ହେଉଛି ବିକାଶର ପ୍ରଥମ ପାହାଚ। ବିନା ଭିତ୍ତିଭୂମିରେ ଅର୍ଥନୈତିକ ଅଭିବୃଦ୍ଧିର ପରିକଳ୍ପନା କରାଯାଇପାରିବ ନାହିଁ। ରାଜ୍ୟ ରାଜପଥ ଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ନୂତନ ସଡ଼କ ନୀତି ପ୍ରସ୍ତୁତ କରିବା ସହିତ ‘ଓଡ଼ିଶା ରାଜପଥ ପ୍ରାଧିକରଣ’ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା 5 ବର୍ଷରେ 75 ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

*ଓଡ଼ିଆ ଅସ୍ମିତା*ର ସୁରକ୍ଷା ଥିଲା ଆମର ଏକ ମୁଖ୍ୟ ପ୍ରତିଶ୍ରୁତି। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଠାରୁ ଆରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଉନ୍ନତି ପାଇଁ 500 କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବା ଆଦି ସମସ୍ତ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରାଯାଇଛି।

ଓଡ଼ିଆ ଅସ୍ମିତା ଭବନ, ଓଡ଼ିଆ ଅନୁବାଦ ଏକାଡେମୀ, ତାଳପତ୍ର ପୋଥି ସଂଗ୍ରହାଳୟ, ପାଇକ ବିଦ୍ରୋହ ସ୍ମାରକୀ ଆଦି ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ। ବାଲିଯାତ୍ରା ଓ ଧନୁଯାତ୍ରା ଭଳି ମହୋତ୍ସବକୁ ଜାତୀୟ ମାନ୍ୟତା ପାଇଁ ପଦକ୍ଷେପ ନିଆଯାଉଛି। ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ କୁଟୁମ୍ବ ଯୋଜନାରେ ପେନ୍‍ସନ ପ୍ରଦାନ ଓ ଜରୁରୀକାଳିନ ପରିସ୍ଥିତି ସମୟରେ ମିଶା ଆଇନରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ପେନସନ ପ୍ରଦାନର ବ୍ୟବସ୍ଥା କରାଯାଇଛି।

ଆମର ଅସ୍ମିତାର ପ୍ରସାର ଯାତ୍ରାରେ ପ୍ରବାସୀ ଓଡ଼ିଆମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାନୁଆରୀ ମାସରେ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ, ଓଡ଼ିଶା ପାଇଁ ବିଶ୍ୱ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଏଥିରେ ପ୍ରବାସୀ ଓଡ଼ିଆମାନେ ଖୁବ୍ ଉତ୍ସାହର ସହ ଯୋଗଦେଇଥିଲେ।

ପ୍ରବାସୀ ଓଡ଼ିଆ ମାନଙ୍କ ସହିତ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ‘ପ୍ରବାସୀ ଓଡ଼ିଆ: ଓ-ସମ୍ପର୍କ’ ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୋଇ ସେମାନଙ୍କ ଅମୂଲ୍ୟ ଅବଦାନ ରଖିବା ପାଇଁ ପ୍ରବାସୀ ଓଡ଼ିଆମାନେ ବେଶ୍‍ ଆଗ୍ରହୀ। ଏହି ଉଦ୍ଦେଶ୍ୟରେ ଆମେ ଏକ ସ୍ୱତନ୍ତ୍ର ପ୍ରବାସୀ ଓଡ଼ିଆ ନୀତି ମଧ୍ୟ ପ୍ରସ୍ତୁତ କରିବୁ ଏବଂ ପ୍ରତି ଦୁଇ ବର୍ଷରେ ପ୍ରବାସୀ ଓଡ଼ିଆ ଦିବସ ମଧ୍ୟ ପାଳନ କରାଯିବ।

ମହିଳା ସଶକ୍ତିକରଣ

ମା’ମାନେ ହେଉଛନ୍ତି ଆମ ଜନସଂଖ୍ୟାର ଅଧା। ସେମାନଙ୍କ ଉନ୍ନତି ବିନା ଓଡ଼ିଶାର ପ୍ରଗତି ଅସମ୍ଭବ। ତେଣୁ, ଆମ ସରକାରଙ୍କ ଏକ ମୁଖ୍ୟ ଫୋକସ୍ ହେଉଛି, ମା’ମାନଙ୍କ ବିକାଶ।

ଆମର ସୁଭଦ୍ରା ଯୋଜନା ଏକ କୋଟିରୁ ଅଧିକ ମା’ମାନଙ୍କ ପାଇଁ ସଶକ୍ତିକରଣର ମାର୍ଗ ପ୍ରସ୍ତୁତ କରିଛି। 2027 ସୁଦ୍ଧା ଆମର 25 ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା 10 ଲକ୍ଷରୁ ଅଧିକ ମହିଳା ଲକ୍ଷପତି ହୋଇସାରିଲେଣି। ମୁଁ ଆଶା କରୁଛି, 2027ରେ ଆମେ ଆମର ଲକ୍ଷ୍ୟର ବହୁତ ଆଗରେ ଥିବୁ। ଓଡ଼ିଶାର ସଶକ୍ତ ମା’ମାନେ ହିଁ ନିର୍ମାଣ କରିବେ ସଶକ୍ତ ଓଡ଼ିଶା।

ଯୁବବର୍ଗ ହେଉଛନ୍ତି ଓଡ଼ିଶାର ବିକାଶର ଇଞ୍ଜିନ। ଏକ ସମୃଦ୍ଧ ଓଡ଼ିଶା ପାଇଁ ଆମ ଯୁବବର୍ଗକୁ ଦକ୍ଷ ହେବାକୁ ପଡିବ ଏବଂ ଦକ୍ଷ ଯୁବବର୍ଗ ପାଇଁ ଆବଶ୍ୟକ ବିପୁଳ ସୁଯୋଗ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଯୁବବର୍ଗଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଆରୋପ କରିଛି।

ଦକ୍ଷତା ବିକାଶ ପାଇଁ ରାଜ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ‘ସି.ଏମ୍- ଆସ୍ପାୟାର୍ ଯୋଜନା’, ପାରମ୍ପରିକ କ୍ଷେତ୍ରରେ ତାଲିମ ପାଇଁ ‘ନୂଆ ଓଡ଼ିଶା ଯୋଜନା’, ଆଇ.ଟି.ଆଇ ଓ ପଲିଟେକ୍‍ନିକ୍ ଗୁଡିକର କ୍ଷମତା ବୃଦ୍ଧି ଆଦି ଅନେକ ପଦକ୍ଷେପ ନିଆଯାଉଛି।

ଦକ୍ଷ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ସୁଯୋଗ। ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଜାନୁଆରୀ ମାସରେ ଆମର ‘ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା-2025’ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି 17 ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ପାଇଛି। 13 ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଆମର ପଦକ୍ଷେପ, ଦକ୍ଷତା ଓ ଶିଳ୍ପ କ୍ଷେତ୍ରରେ ଏକ ନୂଆ କ୍ରାନ୍ତି ଆଣିବ। ଓଡ଼ିଶା ହେବ ଅସୀମ ସୁଯୋଗର ରାଜ୍ୟ।

 ଓଡିଶ ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍

ମୁଖ୍ୟମନ୍ତ୍ରୀ ଆଜି ସକାଳୁ ପ୍ରଥମେ ଭୁବନେଶ୍ୱର ରାଜଭବନ ନିକଟସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସେ ସତ୍ୟଭାମାପୁର ଯାଇ ସେଠାରେ ମଧୁବାବୁଙ୍କ ଜୀବନୀ ଓ ସ୍ୱତନ୍ତ୍ର ଓଡିଶା ଗଠନ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‍ଘାଟନ କରିଥିଲେ । ଏହା ପରେ ମଧୁବାବୁଙ୍କ ଜନ୍ମ ପୀଠର ସମନ୍ୱିତ ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ମଧୁବାବୁଙ୍କ ଏନ୍ତୁଡିଶାଳ ସହିତ ତାଙ୍କ ସ୍ମୃତି ସହିତ ଜଡିତ ଅନେକ ସ୍ଥାନ ପରିଦର୍ଶନ କରିଥିଲେ ।

କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଓଡିଆ ଜାତି ପୂଜ୍ୟପୂଜାର ପରମ୍ପରାର ବିଶ୍ୱାସ ରଖେ । ଏ ଜାତି ପାଇଁ ଓ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କୁ ସମ୍ମାନ ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା । ମଧୁବାବୁ ଜୀବନୀରୁ ଆମକୁ ବହୁତ କିଛି ଶିଖିବାର ଅଛି । ଆମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜ୍ୟପୂଜା ପରମ୍ପରା ସବୁଦିନ ପାଇଁ ଅବ୍ୟାହତ ରହିବ ।

ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମମାଟିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡିଆ ସ୍ୱାଭିମାନ, ଓଡିଶା ଓ ଓଡିଆ ଭାଷାକୁ ଭଲ ପାଇବାର କାର୍ଯ୍ୟକ୍ରମ । ଏ ଜାତିକୁ ମହାନ କରିଥିବା ବରପୁତ୍ରମାନଙ୍କ ନୀତି ଓ ଆଦର୍ଶକୁ ଆମେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଆମେ ଯଦି ଲଗେଇ ପାରିବା ତେବେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

କାର୍ଯ୍ୟକ୍ରମରେ ଓଡିଶା ଦିବସ ଉପଲକ୍ଷେ ମାନ୍ୟବର ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା ପଠନ କରାଯାଇଥିଲା । ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହୋଇଥିଲେ ଏବଂ କୃତି ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଗଣ ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀ ସୌଭିକ ବିଶ୍ୱାଳ, ଇଂ. ସୋଫିଆ ଫିର୍ଦ୍ଦୋସ, ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ଶ୍ରୀ ଛବି ମଲ୍ଲିକ, ଶ୍ରୀ ସାରଦା ପ୍ରଧାନ, ଶ୍ରୀ ବିଜୟ କୁମାର ଦଳବେହେରା ଉପସ୍ଥିତ ଥିଲେ ।

କେନ୍ଦ୍ରାଞ୍ଚଳ ଆର୍.ଡି.ସି. ଶ୍ରୀ ବି. ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଓଡ଼ିଆ ପରିବାର ତରଫରୁ ଉତ୍କଳ ଦିବସ ପାଳିତ, ଯୋଗଦେଲେ ବିଜେପି ନେତା ସଜ୍ଜନ ଶର୍ମା

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ପରିବାର ତରଫରୁ ଉତ୍କଳ ଦିବସ ଉପଲକ୍ଷେ ଏକ କର୍ମଶାଳା ଭିନ୍ନ ଢଙ୍ଗରେ ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିଠରେ ଅନୁଷ୍ଠିତ ହୋଇଯାଇଛି। ଯାହାର ଶୀର୍ଷକ ଥିଲା ‘ଶିକ୍ଷା ବିକାଶର ବାତାୟନ’ ପ୍ରଜ୍ଞାନ। ଏହି କର୍ମଶାଳାରେ ବିକଶିତ ଓଡ଼ିଶାର-୨୦୩୬ର ସଫଳତା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଶିକ୍ଷା ବିଭାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ବିକଶିତ ଓଡ଼ିଶା ପାଇଁ ସରକାର ବହୁ ସୁଚିନ୍ତିତ ଯୋଜନା ଓ ପଦକ୍ଷେପ ନେଉଛନ୍ତି । ଏହି ଆଭିମୁଖ୍ୟକୁ ସଫଳ କରିବା ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ବୁଦ୍ଧିଜିବୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶାର ବିକାଶ ଦିଗରେ ଶିକ୍ଷା ବ୍ୟବସ୍ଥା କିଭଳି ସହାୟକ ହେବ ତାହା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ ।

ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ପ୍ରାଧ୍ୟାପକ ଗୌରାଙ୍ଗ ଚରଣ ନନ୍ଦ କହିଥିଲେ ଯେ, କେବଳ ବ୍ୟବସ୍ଥାର ସମାଲୋଚନା କଲେ ସମସ୍ୟାର ସମାଧାନ ହେବ ନାହିଁ । ଆମକୁ ବିକଶିତ ଓଡ଼ିଶା ଗଠନ ଦିଗରେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦିଗରେ ସକରାତ୍ମକ ପଦକ୍ଷେପ କରିବାକୁ ପଡ଼ିବ ।
ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମା ତାଙ୍କର ଉଦ୍‌ଘାଟନୀ ଅଭିଭାଷଣରେ କହିଥିଲେ ଯେ, ସମୃଦ୍ଧ ଶିଳ୍ପ ଓ ଭାଷ୍କର୍ଯ୍ୟ ସଂସ୍କୃତିର ପରମ୍ପରା ସୁଦୀର୍ଘ ନଦୀ, ପର୍ବତର ସରସ ସୁନ୍ଦର ବେଳାଭୂମି ଏବଂ ସମ୍ମୋହିତ ପର୍ଯ୍ୟଟନ ବିଭବରେ ପରିପୂର୍ଣ୍ଣ ଆମ ଓଡ଼ିଶା ।

ଆଜି ଓଡ଼ିଶା ଦିବସରେ ଆମେ ସେହି ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅଖଣ୍ଡ ଓଡ଼ିଶା ଐକ୍ୟ, ସମୃଦ୍ଧି ବଜାୟ ରଖିବା ପାଇଁ ପ୍ରତିଶୃତିବଦ୍ଧ ହେବା । ଓଡ଼ିଆ ଭାଷା, ସଂସ୍କୃତି, ନୃତ୍ୟ, ପରମ୍ପରା, ଐତିହ୍ୟର ପୋଷାକ, ପରିଧାନ ଚାଳିଚଳନି ଓ ଖାଦ୍ୟପାନୀୟର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

ପ୍ରଥମ ଥର ପାଇଁ ଆଜିଠୁ ଓଡ଼ିଆ ନୂଆବର୍ଷ ଯାଏ ଓଡ଼ିଆ ପକ୍ଷ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ବିଶ୍ୱ ଓଡ଼ିଆ ପରିବାର ତରଫରୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ବିଶ୍ୱ ଓଡ଼ିଆ ପରିବାର ଏହି ଆନ୍ଦୋଳନର ଏକ ଅଂଶ ବିଶେଷ ସେ କହିଥିଲେ । ବିଶ୍ୱ ଓଡ଼ିଆ ପରିବାର ଏହି ଆନ୍ଦୋନଳର ଏକ ଅଂଶବିଶେଷ ମାତ୍ର । ଓଡ଼ିଶାର ପ୍ରତ୍ୟେକ ଓଡ଼ିଆଙ୍କର ସ୍ୱରକୁ ସମଗ୍ର ବିଶ୍ୱରେ ପରିଚିତ ଓ ସମ୍ମାନିତ କରିବା ପାଇଁ ଉଦ୍ୟମ ଜାରି ରଖିବା ପାଇଁ ସେ କହିଥିଲେ ।

ଏହି କର୍ମଶାଳାରେ ପୂର୍ବତନ ପ୍ରଶାସକ ଶ୍ରୀ ଅଲେଖ ପଢିଆରୀ, ପ୍ରଫେସର ଡଃ ବଦ୍ରିନାଥ ପଟ୍ଟନାୟକ, କେଦାର ନାଥ ଆଚାର୍ଯ୍ୟ, ହରିହର ମିଶ୍ର, ସୁଧାଂଶୁ ପାତ୍ର, ଚିତ୍ରଲେଖା ମହାନ୍ତି, ସମ୍ୟକ ମହାନ୍ତି, ଡଃ ରାଧାଗୋବିନ୍ଦ ପଣ୍ଡା, ଚକ୍ରଧର ବେହେରା, ସୁବାଷ ଚନ୍ଦ୍ର ରାଉତ, ସୁଦର୍ଶନ ମିଶ୍ର, ଅମ୍ବିକା ଦାସ, ପଲ୍ଲବୀ ମହାପାତ୍ର, କାଳିପଦ ଦାସ, ଆୟସା ଦାସ, ବ୍ରଜକିଶୋର ଜେନା, ହରିହର କାନୁନଗୋ, ପ୍ରମୁଖ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷାନୀତି ଉପରେ ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ବିଶିଷ୍ଠ ଶିକ୍ଷାବିତ୍ ତଥା କବି ଡଃ ପ୍ରୀତି ପ୍ରତିଭା ଭୋଳ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ଶ୍ରୀ ଭବାନୀ ପ୍ରସାଦ ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ପାଳିତ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଓଡ଼ିଶା ଦିବସ ଓ ଓଡ଼ିଆ ପକ୍ଷ ପାଳନର ଶୁଭାରମ୍ଭ କରାଯାଇଛି। ଆଜି ପୂର୍ବାହ୍ଣରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ୱାବଧାନରେ ପ୍ରଥମେ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସଭ୍ୟ ସଭ୍ୟାମାନେ ସମବେତ ଭାବେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହାପରେ ଏକ ସଭାରେ ଅତିଥି ବକ୍ତାଭାବେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଓ ଡକ୍ଟର ଅକ୍ଷୟ କୁମାର ମିଶ୍ର ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଶ୍ଚାତରେ ଥିବା ଉତ୍କଳ ସମ୍ମିଳନୀ, ବ୍ୟକ୍ତିବିଶେଷ ଓ ବିଭିନ୍ନ ସଂଗଠନର ନିଷ୍ଠାପର ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଆଲୋଚନା କାର୍ଯ୍ୟକ୍ରମରେ ଅଧ୍ୟାପକ ମୀନକେତନ ସୁନ୍ଦରାୟ, ଜାତୀୟ ସେବା ଯୋଜନାର ସ୍ବେଛାସେବୀ ରଶ୍ମି ବେହେରା, ପ୍ରଜ୍ଞାସ୍ମିତା ସାହୁ, ରୁପାଲୀ ପ୍ରଧାନ, ନୀଳକଣ୍ଠ ଦାସ, ହରିହର ତ୍ରିପାଠୀ, ସୁନୀଲ ତ୍ରିପାଠୀ, ଦୀନବନ୍ଧୁ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜିଠାରୁ ଓଡିଶାରେ ପାଳନ ହେବ ଓଡିଆ ପକ୍ଷ ଦିବସ, ଜାଣନ୍ତୁ କେଉଁ ଦିନ କଣ ହେବ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଓଡିଆ ପକ୍ଷ ଦିବସ ପାଳନ ହେବ। ଏ ନେଇ ସଂସ୍କୃତି ମନ୍ତ୍ରୀ ସୂଚନା ଦେବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଓଡିଆ ଅସ୍ମିତାକୁ ପ୍ରସାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ପାଳନ କରାଯିବ।

ଜାଣନ୍ତୁ କେଉଁ ଦିନ କଣ ହେବ ପାଳନ

  • ୧ ଏପ୍ରିଲ- ଓଡିଶା ଦିବସ
  • ୨ ଏପ୍ରିଲ୍- ଖଡିଛୁଆଁ ଦିବସ
  • ୩ ଏପ୍ରିଲ୍- ପାରଂପାରିକ ପୋଷାକ ପରିଧାନ
  • ୪ ଏପ୍ରିଲ୍- ଓଡିଆ ନାମଫଳକ ପ୍ରଚାର ଅଭିଯାନ
  • ୫ ଏପ୍ରିଲ୍- ଐତିହ୍ୟ ଗଣ ଦୌଡ
  • ୬ ଏପ୍ରିଲ୍- ଦେବାଳୟ ଏବଂ ଐତିହ୍ୟ ସ୍ଥଳ ସ୍ବଚ୍ଛତା ଦିବସ
  • ୭ ଏପ୍ରିଲ୍- ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ୮ ଏପ୍ରିଲ୍-  ରକ୍ତଦାନ ଅଭିଯାନ
  • ୯ ଏପ୍ରିଲ୍- ଆସ ବହିଟିଏ କିଣିବା ଅଭିଯାନ
  • ୧୦ ଏପ୍ରିଲ- ଲୋକକଳା ପାଇଁ ଦିନିଟିଏ
  • ୧୧ ଏପ୍ରିଲ- ଯୁବ ଲେଖକ ସମ୍ମିଳନୀ
  • ୧୨ ଏପ୍ରିଲ୍- ବରପୁତ୍ରଙ୍କ ଉପରେ ଆଲୋଚନା
  • ୧୩ ଏପ୍ରିଲ୍- ପାରଂପାରିକ ଖାଦ୍ୟ ଦିବସ
  • ୧୪ ଏପ୍ରିଲ୍- ଓଡିଆ ନବ ବର୍ଷ ପାଳନ
Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଦିବସଠାରୁ ୧୪ ଦିନ ପାଇଁ ପାଳନ ହେବ ଓଡ଼ିଆ ପକ୍ଷ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଏହି ପକ୍ଷର ପ୍ରତ୍ୟେକ ମୁହୂର୍ତ୍ତ ସବୁ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନେଇ ପ୍ରେରଣାର ସମୟ ହେଉ ।

ସେହିପରି ସେ କହିଛନ୍ତି ଯେ, ଓଡ଼ିଆ ପର୍ବ ହେଉ ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିର ଉତ୍ସବ। ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬ ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା, ସେହି ବିନ୍ଧାଣୀ ମାନଙ୍କୁ ଆମେ ସ୍ମରଣ କରିବା ଓ ସମ୍ମାନ ଦେବା।

ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂତନ ଅବସର। ଆସନ୍ତୁ, ମନ, ପ୍ରାଣ, ହୃଦୟରେ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ଵାଭିମାନୀ ଓଡ଼ିଶା ଗଢ଼ିବା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ, ଉତ୍ସାହର ସହିତ ଗାଁ, ସହର ଓ ପ୍ରତ୍ୟେକ ଘରେ ୧ ଏପ୍ରିଲ୍‌ରୁ ୧୪ ଏପ୍ରିଲ୍ ଯାଏଁ ‘ଓଡ଼ିଆ ପକ୍ଷ’ ପାଳନ କରିବା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ଉପଲକ୍ଷେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ସାରା ଓଡିଶାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜିର ଦିନରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ଯାହାର ପୁରୋଧା ଥିଲେ ଉତ୍କଳଗୌରବ ମଧୂସୁଦନ ଦାସ।

ତାଙ୍କୁ ମନେ ପକାଇବା ପାଇଁ ଆଜିର ଦିନରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜଭବନ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ସେ ମଧୁବାବୁଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ଉତ୍କଳ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଆଜିର ଦିନରେ ଆସନ୍ତୁ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ କରିବାର ସଂକଳ୍ପକୁ ଆହୁରି ଦୃଢ଼ କରିବା। #ଓଡ଼ିଶାଦିବସ

ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହାପରେ ସେ ମଧୁବାବୁଙ୍କ ଜନ୍ମପିଠ ସତ୍ୟଭାମାପୁର ଯିବେ। ସେଠାରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଦିବସ ଉପଲକ୍ଷେ ଓଡିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଆଜିର ଦିନରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ପରିଚିତ ହୋଇଥିଲା। ଏହି ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ ହେବାରେ ଲାଗିଛି। ତେବେ ଆଜିର ଦିନରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ ସାମାଜିକ ଗଣମାଧ୍ୟମରେ ଯାହା କହିଛନ୍ତି ତାହା ହେଲା, “ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ! ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ । ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ବିତ। ଓଡ଼ିଶାର ଲୋକମାନେ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଗତ ଏକ ବର୍ଷ ଧରି କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ଆହୁରି ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ।”

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଦିବସ ଉପଲକ୍ଷେ ରଂଗୀନ ଆଲୋକରେ ଝଲସୁଛି ରାଜଧାନୀରେ ବିଭିନ୍ନ ଅଫିସ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ରାତିରୁ ରାଜଧାନୀର ସମସ୍ତ ସରକାରୀ ବିଲିଡିଂକୁ ରଂଗୀନ ଆଲୋକରେ ସଜା ଯାଇଛି। ଯାହାଫଳରେ ବାଟରେ ଯାଉଥିବା ଲୋକଙ୍କୁ ବେଶ ଆକୃଷ୍ଠ କରିପାରିଛି।

ଏଥିରେ ଓଡିଶା ରାଜଭବନ, ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ପୋଲିସ କମିଶନରେଟ ଅଫିସ ପ୍ରମୁଖ ବିଲିଡିଂରେ ରଂଗୀନ ଆଲୋକରେ ଝଲସୁଛି। ଏହି ଆଲୋକମାଳାରେ ଓଡିଶାର ଜନସାଧାରଣଙ୍କୁ ସ୍ବାଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା

ଛତ୍ରପୁର: ଚଳିତ ବର୍ଷ ଓଡ଼ିଶା ଦିବସ ପାଳନ ନିମନ୍ତେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।

ଉଚ୍ଚ ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ (ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ), ଅଙ୍କିତା ସାହୁ (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ) ଦ୍ୱିତୀୟ ଓ ଆଦ୍ୟାଶା ପ୍ରିୟଦର୍ଶିନୀ (ଡି ଏ ଭି ପବ୍ଲିକ ସ୍କୁଲ) ତୃତୀୟ ଏବଂ ସଙ୍ଗୀତ ପ୍ରତିଯୋଗିତାରେ ଅନୁଷ୍କା ରାଉତ (ସେଣ୍ଟ ଜାଭିୟର ହାଇ ସ୍କୁଲ) ପ୍ରଥମ, ଅମ୍ରିତା ପଟ୍ଟନାୟକ (ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର)ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ମହାବିଦ୍ୟାଳୟ ବର୍ଗରେ ବକ୍ତୃତା ପ୍ରତିଯୋଗିତା ରେ ଆଲିସା ପାଢ଼ୀ (ସରସ୍ଵତୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର)ପ୍ରଥମ, ପାୟଲ ପ୍ରିୟା ପାତ୍ର (ମହାମାୟୀ ମହିଳା ମହାବିଦ୍ୟାଳୟ) ଦ୍ୱିତୀୟ, ଏବଂ ସଙ୍ଗୀତ ପ୍ରତିଯୋଗିତା ରେ ଏସ ମନିଷା ରାଣୀ ପାତ୍ର (ମହାମୟୀ ମହିଳା ମହାବିଦ୍ୟାଳୟ)ପ୍ରଥମ, ପ୍ରଗତି କିରଣ ବେହେରା (ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର)ଦ୍ୱିତୀୟ ହୋଇଛନ୍ତି। ଏହି କୃତି ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ରେ ଏପ୍ରିଲ ୧ ତାରିଖରେ ହେବାକୁ ଥିବା ପୂର୍ବାହ୍ନ ୧୦ ଘଣ୍ଟା ରେ ଓଡିଶା ଦିବସ ସମାରୋହରେ ପୁରସ୍କୃତ କରାଯିବ। ତିନୋଟି ଉପଖଣ୍ଡ ରେ ହୋଇଥିବା ଉଚ୍ଚ ବିଦ୍ୟାଳୟ ସ୍ତରର ବକ୍ତୃତା ପ୍ରତିଯୋଗିତା ରେ ଯେଉଁ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେହି ପ୍ରତିଯୋଗୀ ଙ୍କ ମଧ୍ୟରେ ପୁନର୍ବାର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତା ରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଚନ୍ଦ୍ର ଶେଖର ଶତପଥୀଙ୍କୁ ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରେରଣ କରାଯିବ। ସମସ୍ତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ,ଲୋକନାଥ ଶତପଥୀ,ରବୀନ୍ଦ୍ର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ୯୦ ତମ ଓଡ଼ିଶା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି  ଅପରାହ୍ନ ୦୪.୦୦ ଘଣ୍ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ସେଠି ଓ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇଥିଲେ।

ଏହି ବୈଠକରେ ପୂର୍ବ ବର୍ଷ ଭଳି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପ୍ରାତଃ ୦୪.୩୦ ମିନିଟ୍ ସମୟରେ, ବରପୁତ୍ର ମାନଙ୍କର ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ, ରାଲି, ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ସାଂସ୍କୃତିକ  କାର୍ଯ୍ୟକ୍ରମ, ସାଧାରଣ ସଭା ଇତ୍ୟାଦି କରାଯିବାକୁ ସ୍ଥିର କରାଗଲା। ଜିଲ୍ଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହି ଅଧିକାରୀ ମାନଙ୍କୁ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାକୁ ନିଷ୍ପତ୍ତି  ନିଆଗଲା। ରାଜ୍ୟ ସ୍ତରରେ ପ୍ରସ୍ତୁତି ବୈଠକର ବିବରଣୀ ଅନୁଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଗଲା।

ଏଥିରେ  ଜିଲ୍ଲା  ମଙ୍ଗଳ  ଅଧିକାରୀ, ଗୀତାନସୂ ମୋହନ ଦାସ / ଡେପୁଟି କଲେକ୍ଟର ରଞ୍ଜନ ମହାନ୍ତି / ଜିଲ୍ଲା ସଂସ୍କୃତି  ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ / ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଖୋର୍ଦ୍ଧା / ଜିଲ୍ଲା ମୁଖ୍ୟ ଚିକିସ୍ଛା ଅଧିକାରୀ ଙ୍କ କାର୍ଯ୍ୟଳୟର ସହକର୍ମଚାରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି  କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ  ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାଯ୍ୟ ସ୍ବାଗତ ଭାଷଣ ରଖିବା ସହ ବୈଠକ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ଉପଲକ୍ଷେ ଭୁବନେଶ୍ବରରେ ଆୟୋଜିତ ହେଲା ବରପୁତ୍ରଙ୍କ ଉପରେ ପ୍ରଦର୍ଶନୀ

ଭୁବନେଶ୍ବର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ଜୟଦେବ ଭବନରେ ଉଦଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଓ ନିର୍ଦ୍ଦେଶକଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତିଙ୍କ ଠାରୁ ଆରମ୍ଭ କରି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳ ସମ୍ମିଳନୀ ସହିତ ଜଡିତ ବ୍ରଜ ସୁନ୍ଦର ଦାସ ଏବଂ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଫଟୋଚିତ୍ର ସହ ୧୯୩୬ ଏବଂ ବର୍ତ୍ତମାନ ଓଡ଼ିଶାର ମାନଚିତ୍ର ଏଥିରେ ସ୍ଥାନ ପାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉତ୍କଳ ଦିବସ ଉପଲକ୍ଷେ ସୁନ୍ଦର ଆଲୋକରେ ଝଲସୁଛି ରାଜଧାନୀର ବିଭିନ୍ନ ଅଫିସ ବିଲଡିଂ

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଗତକାଲି ରାତିରେ ରାଜଧାନୀର ସମସ୍ତ ସରକାରୀ ବିଲିଡିଂକୁ ରଂଗୀନ ଆଲୋକରେ ସଜା ଯାଇଥିଲା। ଯାହା ବାଟରେ ଯାଉଥିବା ଲୋକଙ୍କୁ ବେଶ ଆକୃଷ୍ଠ କରିପାରିଥିଲା।

ଏଥିରେ ଓଡିଶା ରାଜଭବନ, ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ପୋଲିସ କମିଶନରେଟ ଅଫିସ ପ୍ରମୁଖ ବିଲିଡିଂରେ ରଂଗୀନ ଆଲୋକରେ ଝଲସୁଥିଲା। ଏହି ଆଲୋକମାଳାରେ ଓଡିଶାର ଜନସାଧାରଣଙ୍କୁ ସ୍ବାଗତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ସାରା ରାଜ୍ୟରେ ପାଳନ ହେଉଛି ଏହି ଦିବସ। ଆଜି ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ଏକ ଗରିମାମୟ ଇତିହାସ। ପ୍ରତିଟି ଓଡ଼ିଆଙ୍କ ପ୍ରତିବଦ୍ଧତାରେ ଓଡ଼ିଶା ହୋଇଛି ସମୃଦ୍ଧ। ରୂପାନ୍ତରଣର ଏ ଯୁଗ ସହ ତାଳ ଦେଇ ‘ବିକଶିତ ଓଡ଼ିଶା’ ଗଠନ କରିବା ହେଉଛି ଓଡ଼ିଆର ସଙ୍କଳ୍ପ। ଏହି ‘ଓଡ଼ିଶା ଦିବସ’ରେ ଆସନ୍ତୁ ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ବଳିଷ୍ଠ କରି ‘ବିକଶିତ ଓଡ଼ିଶା’ ଗଢ଼ିବା ଦିଗରେ ଆଗକୁ ବଢ଼ିବା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: “ଓଡିଶା ଦିବସ-୨୦୨୪” ମହାସମାରୋହରେ ପାଳନ ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ଯକ୍ଷତାରେ ଓସ୍ୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସଭାର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଉକ୍ତ ପବିତ୍ର ଦିବସଟି କିପରି ଶାନ୍ତି ଶୃଙ୍ଖଳା ଓ ସୌହାର୍ଘ୍ୟପୂର୍ଣ ବାତାବରଣ ଭିତରେ ପାଳନ କରାଯିବ ସେଥିପାଇଁ ଉପସ୍ଥିତ ସଭ୍ୟ ସଭ୍ୟାଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ବିଶଦ ଭାବରେ ଆଲୋଚନା ପରେ ନିମ୍ନଲିଖତ କାର୍ଯ୍ୟକ୍ରମମାନ ସ୍ଥିରୀକୃତ ହୋଇଥିଲା।

ଏହି ଆଲୋଚନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରାତଃ ଘ ୫.୦୦ରେ “ରାମ ଧୂନ” ସଙ୍ଗୀତ ଗାନର ପ୍ରଚାର ଏବଂ ପରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଜେବି ହାଇସ୍କୁଲ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସମୂହ ଗାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ଏକ ଶୋଭାଯାତ୍ରା ଉକ୍ତ ସ୍ଥାନରୁ ବାହାରି ଜୟୀ ରାଜଗୁରୁ ଟାଉନ ହଲ ପର୍ଯନ୍ତ ଜାରି ରହିବ। ସେଠାରେ ଏକ ବୈଠକ ର ଆୟୋଜନ କରାଯାଇ ଉପସ୍ଥିତ ଥିବା ଅତିଥିମାନେ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଭାଷଣ ରଖିବେ।

ପରେ ପରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିବା କୃତୀ ଛାତ୍ରୀ/ ଛାତ୍ରଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏହି କାର୍ଯକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧାନ୍ୟବାଦ ପ୍ରଦାନ କରିବା ପରେ ସଭା ସାଙ୍ଗ କରା ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ଖରିଫ-୨୦୨୩ କାଳିଆ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ  କରାଯାଇଛି। ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୭ କୋଟି ୩୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର କାଳିଆ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଅପ୍ରେଲ ପହିଲା ଓଡ଼ିଶା ଦିବସ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ୨୯ଟି ଜିଲ୍ଲାର ୪୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୪୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୮୭୭ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ପରିପ୍ରେକ୍ଷୀରେ କାଳିଆ ସହାୟତା ରାଶି ଝାରସୁଗୁଡ଼ା ଜିଲ୍ଲାର କାଳିଆ ହିତାଧିକାରୀ କୃଷକମାନଙ୍କୁ ଦିଆଯାଇ ନଥିଲା। ଇତି ମଧ୍ୟରେ ଝାରସୁଗୁଡ଼ାର ଉପନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ଉପରୋକ୍ତ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଐତିହାସିକ କୃଷକ କଲ୍ୟାଣକାରୀ ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ପ୍ରତି ଫସଲ ଋତୁ ପ୍ରାରମ୍ଭରେ ନଗଦ ଅର୍ଥ ଆକାରରେ ସହାୟତା ଦିଆଯାଇଥାଏ ଯାହାକି ଚାଷୀ ଭାଇଭଉଣୀମାନଙ୍କୁ କୃଷିକାର୍ଯ୍ୟ ପାଇଁ ପ୍ରାଥମିକ ମୂଳଧନ ଭଳି ସାହାଯ୍ୟ କରିଥାଏ।
ଏହା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ପରିବାରର ଆୟବୃଦ୍ଧି କରିବା ସହିତ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ। କାଳିଆ ହିତାଧିକାରୀ ଚାଷୀମାନେ ଏହି ଯୋଜନାରେ ସହାୟତା ରାଶି ପ୍ରାପ୍ତି ପରେ ଆଉ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ଗାଁ ସାହୁକାରଙ୍କଠାରୁ ଉଚ୍ଚ ସୁଧହାରରେ ହାତଉଧାରୀ ଋଣ ଆବଶ୍ୟକ କରୁନାହାନ୍ତି। ଏହି ସହାୟତା ରାଶି ଚାଷୀମାନଙ୍କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ କ୍ଷତିକୁ ସାମ୍‌ନା କରିବା ପାଇଁ ମନରେ ଦମ୍ଭ ଆଣିଦେଇଛି। ଏଥି ସହିତ କାଳିଆ ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ଜୀବିକା ସହାୟତା ନିମନ୍ତେ ତିନୋଟି କିସ୍ତିରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି।
ଗତ ୨୦୨୨-୨୩ ରବି ଋତୁ ସୁଦ୍ଧା ରାଜ୍ୟର ୪୧ ଲକ୍ଷରୁ ଊଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହିତାଧିକାରୀଙ୍କ ପରିବାରକୁ ମୋଟ ୮ଟି କିସ୍ତିରେ ସମୁଦାୟ ୨୨ ହଜାର ଟଙ୍କାର କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଥିଲା। ସେହିଭଳି ୧୮ ଲକ୍ଷରୁ ଊଦ୍ଧ୍ୱର୍ ଭୂମିହୀନ କୃଷି ଶ୍ରମିକ ପରିବାରକୁ ବିଭିନ୍ନ କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି।
ସେହିପରି କାଳିଆ ହିତାଧିକାରୀ ପିଲାମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ନିମନ୍ତେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨ ଶିକ୍ଷାବର୍ଷଠାରୁ ପ୍ରଦାନ କରାଯାଉଛି। ୨୦୨୨-୨୩ ଶିକ୍ଷାବର୍ଷରେ ୧୦୭୪ ଜଣ କାଳିଆ ହିତାଧିକାରୀ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ବାବଦରେ ସମୁଦାୟ ୨.୬ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।
Categories
ଆଞ୍ଚଳିକ

ମହାସମାରୋହରେ ଖୋର୍ଦ୍ଧାରେ ପାଳିତ ହେଲା ଓଡିଶା ଦିବସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ମହା ସମାରୋହରେ ଓଡିଶା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି, ଏବଂ ଉପସ୍ଥିତ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।  ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା।

ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ମୁଖ୍ୟ ସଭାପତି କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଉପ ଜିଲ୍ଲା ପାଳ ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା,ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ,କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ସଭା ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ କହିଲେ. ଯେ ଶୁଖିଲା ପତ୍ର ନ ହୋଇ ମେହେନ୍ଦି ପତ୍ର କୁ ଯେମିତି ବ୍ୟବହାର କରାଯାଇପାରେ ସେହିଭଳି ଅନ୍ୟର ଉପକାରରେ ଆସିବା ଦରକାର।ଜିଲ୍ଲାପାଳ କହିଲେ ସମସ୍ତ ଅଧିକାରୀ ଭଲ କାମ କରିବାକୁ ଶପଥ ନେବା ଦରକାର। ଅନ୍ୟ ସମସ୍ତ ଅତିଥି ସେମାନଙ୍କ ଅଭିଭାଷଣ ରଖିଥିଲେ। ପରେ ପରେ ଓଡିଶା ଦିବସ ଉପଲକ୍ଷେ ପୁରସ୍କାର ବିତ୍ତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ରାଜ୍ୟ ଶିକ୍ଷକ ପୁରସ୍କାର ଜଣେ କୃତ୍ତି ଶିକ୍ଷୟିତ୍ରୀ, କବିତା କାନୁନଗୋ, ସହକାରୀ ଶିକ୍ଷୟିତ୍ରୀ, ବରମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ଏବଂ ଉପେନ୍ଦ୍ର ଦାସ, ସହକାରୀ ଶିକ୍ଷକ, ଦଧିବାମନଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପଙ୍ଗାର ସିଂହ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ତରଫରୁ ପ୍ରତ୍ୟେକ ଙ୍କୁ ଏକ ଉତ୍ତରୀୟ,ପୁଷଗୁଛ 25,000/-ଟଙ୍କାର ଡ୍ରାଫ୍ଟ ପ୍ରଦାନ କରାଯାଇଥିଲା। ଏହାପରେ 5 ଜଣ ଏନ. ସି. ସି କାଡ଼େଟ ଯଥାକ୍ରମେ ଶ୍ରେୟ ମିଶ୍ର, ଶାସ୍ୱତୀ ନାରାୟଣ ଆଚାର୍ଯ୍ୟ, ସୋନାଲି ସାହୂ, ପଦ୍ମିନୀ ସେଠି, ଓ ସମୃଦ୍ଧି ସାମନ୍ତରାୟ ଙ୍କୁ ଫଳକ, ପ୍ରଶଂସା ପତ୍ର ପୁରସ୍କୃତ କରାଯାଇଥିଲା।

ଏହାପରେ ଓଡିଶା ଦିବସ ଉପଲକ୍ଷେ କରାଯାଇଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ଦ୍ୟାଳୟ / ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ/ଛାତ୍ରଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପୁରସ୍କାର ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଶେଷରେ ଦେଶାତ୍ମ ବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା, ଏଥିରେ ବିଜେଵି ଉଚ୍ଚ ବିଦ୍ୟାଳୟ, ଗୁରୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁକୁନ୍ଦ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟଭଟ୍ଟ ଆନସିଏଣ୍ଟ ଏକାଡେମୀ, ସିଗମା ପବ୍ଲିକ ସ୍କୁଲ ନୃତ୍ୟ ପରିବେଷଣ କରିଥିଲେ। ଶେଷ ରେ ସୁର ଭାଇବ୍ରେସନ ଜୟଶ୍ରୀ ଧଳ ଓ ସାଥି ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ।