Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମଦ ବ୍ୟବସାୟୀଙ୍କ ଜବତ ଟଙ୍କାକୁ ନେଇ ଓଡିଶା ରାଜନୀତିରେ ଝଡ, ବିଜେଡି କଲା ସାଂଘାତିକ ଅଭିଯୋଗ

ଭୁବନେଶ୍ବର: ଓଡିଶା ଓ ଝାଡଖଣ୍ଡ ମଦ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ବର୍ତ୍ତମାନ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ଝଡ। ଏତେ ଟଙ୍କା ସଂପୃକ୍ତ ବ୍ୟବସାୟୀଙ୍କ ବ୍ୟବସାୟରୁ ଆସିଛି ନା ତାହା ଆଉ କାହାର। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ତେବେ ଝାଡଖଣ୍ଡର ଜଣେ କଂଗ୍ରେସ ସାଂସଦଙ୍କ ଭାଇଙ୍କର ଏହି ମଦ ବ୍ୟବସାୟ ହୋଇଥିବାରୁ ଓଡିଶା କଂଗ୍ରେସ ଚୁପ ରହିଛି।

ପ୍ରଥମେ ଏହି ମଦ ବ୍ୟବସାୟୀଙ୍କ ଜବତ ଟଙ୍କା ବିଜେଡିର ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ପରୋକ୍ଷରେ ସୂଚନା ଦେଇଛି। ଦଳର ମୁଖପାତ୍ର ମନୋଜ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟାର୍ଗେଟ କରିଛି। ମନୋଜ ଟୁକୁନୀ ସାହୁଙ୍କ ସହିତ ସେହି ବ୍ୟବସାୟୀ ବସିଥିବାର ଫଟୋ ଦେଖାଇଛନ୍ତି। ସିଧା ବିଜେଡିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏହି ଟଙ୍କା ବିଜେଡି ଆଗୁଆ ନିର୍ବାଚନ କରି ଖର୍ଚ୍ଚ କରିବା ପାଇଁ ମଦ ବ୍ୟବସାୟୀଙ୍କ ପାଖରେ ଗଚ୍ଛିତ ରଖିଥିଲା।

ମନୋଜ କହିଛନ୍ତି ଯେ, ବଲାଙ୍ଗୀର, ବରଗଡ ଏବଂ ସମ୍ବଲପୁରର ବିଜେଡି ନେତା ଏଥିରେ ସଂପୃକ୍ତି ରହିଛି। ହେଲେ ବିଜେଡି ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରଛି। ଦଳର ମୁଖପାତ୍ର ଇପିସ୍ସିତା ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଜେପି ମିଛ କହୁଛି। ସେ କହିଛନ୍ତି ଯେ, ଝାଡଖଣ୍ଡର ବିଜେପି ସେଠାରେ ଅଭିଯୋଗ କରିଛି ଯେ, ଏହି ଟଙ୍କା କଂଗ୍ରେସ ଦଳର। ହେଲେ ଓଡିଶା ବିଜେପି କହୁଛି ଏହା ବିଜେଡିର।

ତେଣୁ ବିଜେପି ନେତାଙ୍କ ମଧ୍ୟରେ ତାଳମେଳ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ଦଳ କହିଛି ଯେ, ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଝାଡଖଣ୍ଡ ବିଜେପିକୁ ପଚାରି ଦେଇଥିଲେ ଭଲ ହୋଇଥାଆନ୍ତା। ତେବେ ଇପସ୍ସିତା ଆଉ ଏକ ବଡ ଅଭିଯୋଗ କରିଛନ୍ତି। ତାହା ହେଲା ଯେ, ଜବତ ଟଙ୍କା ହେଉଛି ପଶ୍ଚିମ ଓଡିଶାର କେତେକ ବିଜେପି ନେତାଙ୍କର। ବର୍ତ୍ତମାନ ତଦନ୍ତ ଚାଲିଛି। ଏହି ତଦନ୍ତ ପରେ ପ୍ରକୃତ ରହସ୍ୟ ଫିଟିବ ବୋଲି ବିଜେଡି କହିଛି।

ତେବେ ପ୍ରକୃତରେ ଦେଖିବାକୁ ଗଲେ ଏପରି ବିପୁଳ ପରିମାଣର ଟଙ୍କା ମିଳିବା କେବଳ ଓଡିଶା ଝାଡଖଣ୍ଡ କାହିଁକି ସାରା ଦେଶରେ ଏହା ଏକ ଚର୍ଚ୍ଚା ବିଷୟ ପାଲଟିଛି। ଏପରିକି ଖୋଦ ପ୍ରଧାନମନ୍ତ୍ରୀ ଏହି ଖବରକୁ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେହିପରି ବହୁ ବିଜେପି ନେତା ଓ ମନ୍ତ୍ରୀ ଏହି ଟଙ୍କାକୁ ନେଇ କେବଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ହେଲେ କେହି ବିଜେଡିକୁ ସମାଲୋଚନା କରି ନାହାଁନ୍ତି।

Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ଓଡିଶା ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ, ସବୁ ଆଲମାରିରେ ଟଙ୍କା, ମିଳିଲାଣି ୩୬୦ କୋଟି

ଭୁବନେଶ୍ବର: ଓଡିଶାର ମଦ ବ୍ୟବସାୟୀଙ୍କ ଘରର ସମସ୍ତ ଆଲମିରାରରେ ପୁରା ଲୋଡ ହୋଇ ରହିଛି ଟଙ୍କା। ଆଇଟି ଠକେଇ ଯାଞ୍ଚ ବେଳେ ଏତେ ଟଙ୍କା ଦେଖି ତାଜୁବ ହୋଇଛନ୍ତି ଅଧିକାରୀ। ଆଳୁଖୋଳୁ ଖୋଳୁ ମହାଦେବ ବାହାରିବା ପରି ପରିସ୍ଥିତି ହୋଇଛି। ତେବେ ସେମାନେ ଭାବିଥିଲେ ଚାରି ପାଞ୍ଚ କୋଟି ଟଙ୍କା ହେବ। ହେଲେ ଏବେ ବାହାରିଲାଣି ୩୬୦ କୋଟି ଟଙ୍କା।

ଓଡିଶାର ବୌଦ୍ଧ ଡିଷ୍ଟ୍ରିଲାରୀ ପ୍ରାଇଭେଟ ଲିମିଟେଡ କଂପାନୀ ଆଇଟି ଠକେଇ ଅଭିଯୋଗରେ ଚଢାଉ କରାଯାଇଥିଲା। ତାଙ୍କର ଭୁବନେଶ୍ବର ଅଫିସରେ ଏହି ଚଢାଉ ହୋଇଥିଲା। ସେଠାରେୁ ଏକ ଟ୍ରଙ୍କରୁ ଟଙ୍କା ବାହାରିବା ପରେ ଆଇଟି ବିଭାଗ ତାଙ୍କର ସମସ୍ତ ଅଫିସରେ ଚଢାଉ କରିଥିଲା। ଭୁବନେଶ୍ବର ସହିତ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ ପ୍ରଭୃତି ସ୍ଥାନରେ ଚଢାଉ କରାଯିବା ପରେ ସବୁସ୍ଥାନରେ ପୁଳାପୁଳା ଟଙ୍କା ଥିବାର ଦେଖି ଆଇଟି ଅଧିକାରୀଙ୍କ ମୁଣ୍ଡ ଖରାପ ହୋଇଯାଇଛି।

ଗତକାଲି ଏହି ଚଢାଉ କରାଯାଇଥିଲା। ହେଲେ ସବୁସ୍ଥାନରୁ ଟଙ୍କା ବାହାରିବା ପରେ ଏହି ଚଢାଉ ଆଜି ପର‌୍ୟ୍ୟନ୍ତ ମଧ୍ୟ ଚାଲିଛି। ପ୍ରଥମେ ଭୁବନେଶ୍ବରରୁ ଟଙ୍କା ମିଳିବା ପରେ ସମ୍ବଲପୁରର ମୁଖ୍ୟ ଅଫିସରୁ ୧୫୦ କୋଟି ମିଳିଥିବାର ଜଣାପଡିଛି। ସେହିପର ବଲାଙ୍ଗୀର ଅଫିସରୁ ମଧ୍ୟ ପୁଳାପୁଳ ଟଙ୍କା ଆଲମାରି ଭିତରେ ଖୁନ୍ଧାଖୁନ୍ଧି କରି ରଖାଯାଇଛି।

ତେବେ ଏହି ଟଙ୍କା ଭିତରେ କେବଳ ୫୦୦ ଟଙ୍କିଆ ନୋଟ ନାହିଁ। ଏଥିରେ ୧୦୦ ଟଙ୍କିଆ ଏବଂ ୨୦୦ ଟଙ୍କିଆ ନୋଟ ବିଡା ମଧ୍ୟ ରହିଛି। ଏଗୁଡିକ ୯ଟି ଆଲମିରାରେ ଭର୍ତ୍ତିକରି ରଖାଯାଇଥିବାର ଜଣାପଡିଛି।  ଆଇଟି ବିଭାଗ ମେସିନ ଲଗାଇ ଦୁଇଦିନ ଧରି ଗଣତି କରିବାରେ ଲାଗିଛନ୍ତି। ଏଥିରେ ପ୍ରାୟ ୨୦ଟି ଟଙ୍କା ଗଣତି ମେସିନ ନିୟୋଜିତ କରାଯାଇ ଥିବାର ଜଣାପଡିଛି।

ସୂଚନାରୁ ଜଣାପଡିଛି ଯେ, ଓଡିଶାର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ କଂପାନୀ ରହିଛି। ଏଥିସହିତ ତାଙ୍କର ମଦ ଦୋକାନ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛି। ଏହି ବ୍ୟବସାୟ ବ୍ୟତିତ ତାଙ୍କର ବସ ସେବା, ଗ୍ୟାସ ଏଜେନସୀ, ରିଅଲ ଇଷ୍ଟେଟ ପ୍ରଭୃତି ବ୍ୟବସାୟ ରହିଛି। ରାଉରକେଲାରେ ତାଙ୍କର ଏକ ଟାଉନସିପ ମଧ୍ୟ ରହିଛି। ପ୍ରଥମେ ମଦ କଂପାନୀରୁ ଟଙ୍କା ମିଳିବା ପରେ ବର୍ତ୍ତମାନ ତାଙ୍କର ସବୁ ବ୍ୟବସାୟ ଉପରେ ଚଢାଉ ହୋଇଛି।

ତେବେ ସମ୍ବଲପୁରରେ ରିଜର୍ଭ ବ୍ୟାଙ୍କ ନ ଥିବାରୁ ସେଠାରେ ସମ୍ବଲପୁର ଏସବିଆଇ ଶାଖାରେ ଆଇଟି ଅଧିକାରୀମାନେ ୨୦୦ କୋଟି ଟଙ୍କା ଜମା କରାଯାଇଥିବାର ଜଣାଯାଇଛି। ଦୁଇଟି ଭ୍ୟାନରେ ଏହି ଟଙ୍କା ବ୍ୟାଗକୁ ବୋଝେଇ କରି ନିଆଯାଇଥିବାର ଜଣାପଡିଛି। ଏହି ଖବର ମିଳିବା ପରେ ଆଇଟି ବିଭାଗର ଡିଜି ସଞ୍ଜୟ ବାହାଦୂର ସମ୍ବଲପୁରରେ ପହଞ୍ଚିଥିବାର ଜଣାପଡିଛି।