Categories
ଆଜିର ଖବର ରାଜ୍ୟ ଖବର

୯ମ ଚିଲିକା ସେଲଡକ ଲୋକକଳା ମହୋତ୍ସବ: ଦ୍ୱିତୀୟ ସନ୍ଧ୍ୟାରେ ମନ ମୋହିଲା ଶାଶ୍ୱତୀ ଗ୍ରୁପ ଓଡିଶୀ ନୃତ୍ୟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୯ମ ଚିଲିକା ସେଲଡକ ଲୋକକଳା ମହୋତ୍ସବ ବହୁ ଆଡମ୍ବରରେ ଉଦଘାଟିତ ହୋଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ଶାଶ୍ୱତୀ ଗ୍ରୁପ ଓଡିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଛି। ଏହାକୁ ଦେଖିବାପାଇଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚଳିତ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବାବେଳେ ଆଜି ଦ୍ୱିତୀୟ ଦିନ ପୂର୍ବାହ୍ନରେ ଦକ୍ଷିଣ କୋରିଆନ, ଭାରତୀୟ କଳାକାର ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମିଳିତଭାବେ ଟେରାକୋଟା, କାଚ, କାଇଞ୍ଚ, କାଠ ଖୋଦେଇ, ପେଣ୍ଟିଙ୍ଗ, ମୂର୍ତ୍ତି ତିଆରି ଏବଂ ମୁଖା ସହିତ ଗିରିଧାରୀ ଗମାଙ୍ଗ ଚାଙ୍ଗୁ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ମଧ୍ୟାହ୍ନରେ ଛାତ୍ରୀଙ୍କୁ ନେଇ ପୁଚି ଖେଳ, ମ୍ୟୁଜିକାଲ ଚେୟାର, ହୁଳହୁଳି ଆଦି ପ୍ରତିଯୋଗିତା ମାନ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ମୁକ୍ତାକାଶ ମଞ୍ଚରେ ଆଠମଲ୍ଲିକ ପଶୁ ମୁଖା ନୃତ୍ୟ, କୋରିଆନ ମୁଖା ନୃତ୍ୟ, କଲିକତା ପୁରୁଲିଆ ଛଉ, ଝାରଖଣ୍ଡ ଝୁମର ନୃତ୍ୟ, ଗଞ୍ଜାମର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, ଶାଶ୍ୱତୀ ଜ୍ୟୋତି ଗ୍ରୁପ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

ଆୟୋଜିତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ, ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ଉପ ସଭାପତି ନିରଞ୍ଜନ ଦାଶ, ସୁଧୀର ରାଉତ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ପ୍ରକଳ୍ପ ପରିଚାଳକ କାଶୀନାଥ ବେହେରା, ପ୍ରଶାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ଓଡ଼ିଆର୍ଟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ନୃତ୍ୟାଞ୍ଜଳିର ୩୧ ତମ ମହୋତ୍ସବର ଅନ୍ତିମ ସନ୍ଧ୍ୟା: ବଂଶୀ ବାଦନ ସହ ଓଡିଶୀ ନୃତ୍ୟରେ ବିଭୋର ଦର୍ଶକ

ଭୁବନେଶ୍ୱର: ସାରା ବିଶ୍ୱରେ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତଥା ତାଙ୍କର ଅତି ପ୍ରିୟ ବିଶ୍ୱ ପ୍ରସିଦ୍ଧ ଓ ପ୍ରଶଂସିତ ଓଡିଶୀ ନୃତ୍ୟ। ଓଡିଶୀ ନୃତ୍ୟ ସଂଗୀତ ତଥା ନାଟ୍ୟର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ୩୧ ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟଞ୍ଜଳି ” ଅନୁଷ୍ଠାନର ୩୧ ତମ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବର ତୃତୀୟ ଦିବସ ଆଜି ପୂର୍ବାହ୍ନ ୧୦ ଟା ରେ ଆରମ୍ଭ ହୋଇଥିଲା।

ରାଜ୍ୟ, ଦେଶ ତଥା ବିଦେଶର ୫୫ ରୁ ଉର୍ଦ୍ଧ୍ଵ ଓଡିଶୀ ନୃତ୍ୟଶିଳ୍ପୀ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାର ସମ୍ବର୍ଦ୍ଧନା ଉତ୍ସବରେ ଜଗତସିଂହପୁର ମାନ୍ୟବର ସଂlସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ଗୁରୁ ରତିକାନ୍ତ ମହାପାତ୍ର ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ନୃତ୍ୟଞ୍ଜଳିର ସଭାପତି ସୁକାନ୍ତ କୁଣ୍ଡୁ, ସମ୍ପାଦକ ପୁଷ୍ପରଞ୍ଜନ ମଙ୍ଗରାଜ, ଗଙ୍ଗାଧର ବିଶ୍ୱାଳ ଆଦି ଅତିଥି ରୂପେ ଯୋଗ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଅଭିନେତା ଅଶ୍ରୁ ମୋଚନ ମହାନ୍ତିଙ୍କୁ ନୃତ୍ୟଞ୍ଜଳୀ ଯୁବ କଳାକାର ପ୍ରତିଭା ସମ୍ମାନରେ ବିଶିଷ୍ଟ ବଂଶୀ ବାଦକ ଗୁରୁ ସୌମ୍ୟ ରଞ୍ଜନ ଯୋଶୀଙ୍କୁ, ସୁକାନ୍ତ କୁଣ୍ଡୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବାରୁ ତାଙ୍କୁ ବିଶେଷ ସମ୍ବର୍ଦ୍ଧିତ ଏବଂ ତବଲା ବାଦକ ବିଶ୍ୱରଂଜନ ନନ୍ଦ ଓ ଅୟସପ୍ରଭ ରାଉତ ଙ୍କୁ ସମ୍ମାନିତ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ୟୁରୋପ ରାଷ୍ଟ୍ରରେ ଓଡିଶୀ ନୃତ୍ୟକୁ ପ୍ରସାର କରିବା ପାଇଁ ଆରମ୍ଭ ହେଲା ଅଭିନବ ପଦକ୍ଷେପ

ଭୁବନେଶ୍ବର: ଓଡିଶୀ ନୃତ୍ୟକୁ ୟୁରୋପରେ ପ୍ରଚାର ପ୍ରସାର କରିବା ପାଇଁ ଆରମ୍ଭ ହେଲା ଏକ ଅଭିନବ ପଦକ୍ଷେପ। ଯୁବ ଓଡିଶୀ ନୃତ୍ୟଶିଳ୍ପୀ ତଥା ଜାତିସଂଘର ୱାର୍ଲ୍ଡ ଫୁଡ ପୋଗ୍ରାମ ର ଅଫିସର ବୈଶାଳୀ ମହାନ୍ତି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ଲୋବାଲ ସେଣ୍ଟର ଫର ପିସ୍ ଆଣ୍ଡ ପରଫରମିଂ ଆର୍ଟ ସଂସ୍ଥା ମାଧ୍ୟମରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଏଥିରେ ପ୍ରତିବର୍ଷ ୟୁରୋପର ବିଭିନ୍ନ ଦେଶରେ ଓଡିଶୀ ନୃତ୍ୟ ଉତ୍ସବ ଆୟୋଜନ କରିବାର ନିଷ୍ପତି ଗ୍ରହଣ କରାଯାଇଛି।

ସେଥିପାଇଁ ଗତ ଚାରି ତାରିଖରେ ସ୍ପେନରେ ଆୟୋଜିତ ହୋଇଥିଲା ଓଡିଶୀ ନୃତ୍ୟ ଉତ୍ସବ। ଏଥିରେ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ସୁଜାତା ମହାପାତ୍ର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିସହିତ ଫ୍ରାନ୍ସର ନୃତ୍ୟଶିଳ୍ପୀ କ୍ରାନି ଲିବ୍ଲାନସ, ବାଙ୍ଗାଲାଦେଶର ମ୍ରିତିକା ବରୁଆ ଏବଂ ନିଜେ ବୈଶାଳୀ ମହାନ୍ତି ଓଡିଶୀ ପରିବେଷଣ କରିଥିଲେ। ବିଦେଶୀ ନୃତ୍ୟଶିଳ୍ପୀଙ୍କୁ ଓଡିଶୀ ନୃତ୍ୟ ପ୍ରତି ଆକୃଷ୍ଠ କରିବା ପାଇଁ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ପେନରେ ଥିବା ଭାରତୀୟ ଦୂତାବାସ ତଥା ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ ସହଯୋଗ କରିଥିଲେ।

ସେହିପରି ଏହି ସିରିଜ ଉତ୍ସବର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଇଟାଲୀ ରାଜଧାନୀ ରୋମରେ ଆୟୋଜିତ ହୋଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବରେ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିୟାନ ସିତାରିଷ୍ଟ ଯୋଗ ଦେଇଥିଲେ। ସେ ନିଜେ ନୃତ୍ୟ ପରିବେଷଣ କରିବା ସହିତ ଏକ କର୍ମଶାଳାରେ ବିଦେଶୀ ନୃତ୍ୟଶିଳ୍ପୀଙ୍କୁ ଏହି ନୃତ୍ୟଶୈଳୀ ସଂପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଇଟାଲୀର ନୃତ୍ୟଶିଳ୍ପୀ ଗଂଗା ଦେବୀ, ସିଲିଭିୟା ଭୋନା, ବାଙ୍ଗାଲାଦେଶର ମ୍ରିତିକା ବରୁଆ, ଲିପ୍ସା ଶତପଥୀ, ଶିଳ୍ପା ଏବଂ ବୈଶୀଳୀ ମହାନ୍ତି ପ୍ରମୁଖ ଓଡିଶୀ ପରିବେଷଣ କରିଥିଲେ। ରୋମରେ ମଧ୍ୟ ଭାରତୀୟ ଦୂତାବାସ ତରଫରୁ ଏହି ନୃତ୍ୟ ଉତ୍ସବ ପାଇଁ ସହଯୋଗ ପ୍ରଦାନ କରାଯାଇଥିଲା।

ଖୁବ ଶିଘ୍ର ୟୁରୋପର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଉତ୍ସବର ଆୟୋଜନ କରାଯିବ ବୋଲି ଏହାର ଆୟୋଜକ ବୈଶାଳୀ ମହାନ୍ତି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟାଙ୍କର ପରଲୋକ

ଭୁବନେଶ୍ବର, ଓଡିଶୀର ଆଦିଗୁରୁ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘମାସ ଧରି ବାର୍ଦ୍ଧାକ୍ୟ ରୋଗରେ ପିଡିତ ଥିଲେ। ଶନିବାର ରାତି ୧୧ଟାରେ ଭୀମଟାଙ୍ଗିସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ତଥା ଗୁରୁ ରତିକାନ୍ତ ମହାପାତ୍ର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଲକ୍ଷ୍ମୀପ୍ରିୟା ଜଣେ ମହିଳା ଭାବରେ ସେ ମଞ୍ଚରେ ପ୍ରଥମ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେ ଏକାଧାରରେ ଜଣେ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଥିଲେ । ଅନ୍ନପୂର୍ଣ୍ଣ ଏ ଥିଏଟରରେ ଜଣେ ଅଭିନେତ୍ରୀ ଭାବେ ସେ ଅନେକ ନାଟକରେ ଅଭିନୟ ପ୍ରଦର୍ଶନ କରିଛନ୍ତି। ଏହାପରେ ଅନ୍ନପୂଣ୍ଣା ବି ଗ୍ରୁପରେ ସେ କେଳୁଚରଣଙ୍କ ମୃଦଙ୍ଗର ତାଳେ ତାଳେ ନୃତ୍ୟ ପରିବେଷଣ କରୁଥିଲେ। ସେହି ଅନ୍ନପୂର୍ଣା ଥିଏଟରରେ ଲକ୍ଷ୍ମୀପ୍ରିୟା କେଳୁଚରଣଙ୍କ ସହିତ ପରିଚିତ ହୋଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ତାଙ୍କ ବିୟୋଗରେ ଓଡିଶୀ ନୃତ୍ୟ ଓ ସଂଗୀତ କ୍ଷେତ୍ରରେ ଏକ ଶୋକର ଛାୟା ଖେଳିଯାଇଛି।