Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶୀ ସଂଗୀତର ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂଗୀତ ସଂଧ୍ୟା

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶୀ ସଂଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗ ମଂଚରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପ୍ରଥମେ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ ବରିଷ୍ଠ ଓଡିଶୀ ସଂଗୀତ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଯିଏ କି ତାଙ୍କର ବାଲ୍ୟ ଜୀବନରେ ସ୍ୱର୍ଗତ ଶ୍ୟାମସୁନ୍ଦର କରଙ୍କ ଠାରୁ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ। ପରେ ପରେ ଗୁରୁ କେଶବ ଚନ୍ଦ୍ର ରାଉତ ଏବଂ ଗୁରୁ ଅଚ୍ୟୁତ ମହାରଣା ଓଡ଼ିଶୀସଂଗୀତ ପରିବେଷଣ କରିଥିଲେ।

ଶେଷରେ ଶ୍ରୀଜଗନ୍ନାଥ ମର୍ଦଳ ପ୍ରତିଷ୍ଠାନ ,ପୁରୀର ଛାତ୍ରୀମାନେ ସମୂହ ଓଡ଼ିଶୀ ମର୍ଦ୍ଦଳ ପରିବେଷଣ କରିଥିଲେ। ଉକ୍ତ ସଂଗୀତଭିତ୍ତିକ କାର୍ଯ୍ୟକ୍ରମଟି ଖୁବ୍ ଚିତ୍ତାକର୍ଷକ ଏବଂ ଦର୍ଶକଙ୍କ ମହଲରେ ଖୁବ୍ ଆଦୃତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ବରିଷ୍ଠ ଓଡ଼ିଶୀ ସଂଗୀତ ଗବେଷକ ଡକ୍ଟର କୀର୍ତ୍ତନ ନାରାୟଣ ପାଢୀ, ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ, ଓଡ଼ିଶୀ ଗବେଷଣା କେନ୍ଦ୍ର ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ତାରିଣୀ ମିଶ୍ରଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଶ୍ରଜିତ୍ ବଳିଆର ସିଂ ସଂଯୋଜନା କରିଥିଲେ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ଉତ୍ସବର ଦ୍ୱିତୀୟ ସଂଧ୍ୟା, ପରିବେଷଣ ହେଲା ଓଡ଼ିଶୀ ସହିତ ଭାରତନାଟ୍ୟମ

ଭୁବନେଶ୍ୱର : ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ସେପ୍ଟେଟମ୍ବର ୬ ତାରିଖରେ ରବୀନ୍ଦ୍ର ମଣ୍ଡପରେ ୨୮ ତମ ଓ.ଏମ୍‌.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଉଦ୍‌ଘାଟନୀ ସନ୍ଧ୍ୟାରେ ବଂଶୀ ଉପରେ ପଣ୍ଡିତ ରୋନୁ ମଜୁମଦାର, ଜେମ୍ବେରେ ଉସ୍ତାଦ୍ ତୋଫିକ୍ କୁରେଶି ଏବଂ ତବଲାରେ ଇଶାନ୍ ଘୋଷଙ୍କ ସଂଗୀତର ଏକ ଚମତ୍କାର ମିଳନ ଦେଖିବାକୁ ମିଳିଥିଲା।

ମୁଖ୍ୟ ଅତିଥି ଭାବେ ଓଡିଆ ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି; ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଓ ପାରାଦୀପ ଫସଫେଟ୍ ଲିମିଟେଡ୍‌ର କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ଶ୍ରୀ ସୁଧୀ ରଂଜନ ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ଏକ ବୃନ୍ଧଗାୟନ ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା। ପ୍ରଥମେ ସୁନାମଧନ୍ୟ ତଥା ପ୍ରତିଭାଶାଳୀ ଗାୟିକା ସୁଶ୍ରୀ ସୃଷ୍ଟି ସ୍ୱରୂପା ମିଶ୍ର, ପରେ ପ୍ରଖ୍ୟାତ ବିଦୁଷୀ ଗୀତା ଚନ୍ଦ୍ରନ୍ ଏବଂ ତାଙ୍କ ସଂଗୀତ ନାଟ୍ୟ ଭ୍ରୀକ୍ସା ନୃତ୍ୟ ସଂଗଠନର ଶିଳ୍ପୀମାନଙ୍କ ଦ୍ୱାରା ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶୀତ ହୋଇଥିଲା।

ଗୁରୁ ରାମହରି ଦାସ ଏବଂ ଗୁରୁ ବ୍ରଜବନ୍ଧା ରଣସିଂହଙ୍କ ଅଧୀନରେ ୧୩ ବର୍ଷରୁ ଅଧିକ ତାଲିମ୍ (ପ୍ରଶିକ୍ଷଣ) ସହିତ, ସୃଷ୍ଟି ସ୍ୱରୂପା ମିଶ୍ର ଏକ ଉଦିୟମାନ ଓଡ଼ିଶୀ କଣ୍ଠଶିଳ୍ପୀ ଅଟନ୍ତି। ସେ ଜଣେ ଅଲ୍ ଇଣ୍ଡିଆ ରେଡିଓ କଳାକାର, ସେ ତିନିଥର ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ପାଇଛନ୍ତି। ସେ ରାଗ ସରସ୍ୱତୀରେ ସରସ୍ୱତୀ ବନ୍ଦନା ସହିତ ତାଙ୍କର ସଙ୍ଗୀତ ଆରମ୍ଭ କରିଥିଲେ। ଏହି ଉପସ୍ଥାପନା ଦୁଇଟି ପରସ୍ପର ସହ ସଂଯୁକ୍ତ ତଲାସ୍ ତ୍ରିପଟା (୭ ବିଟ୍ ରେ) ଏବଂ ଝମ୍ପା (୧୦ ବିଟ୍ ରେ) ଉପରେ ଆଧାରିତ ଥିଲା।

ସନ୍ଧ୍ୟାର ଦ୍ୱିତୀୟ ଉପସ୍ଥାପନାରେ ଥିଲା ରାଗ ମୁଖାରୀ ଏବଂ ତାଳ ଏକତାଲିରେ ନିବଦ୍ଧ ହୋଇଥିବା ରାଗାଙ୍ଗ ଗାୟନ । କବିଚନ୍ଦ୍ର କାଲିଚରଣ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ସହିତ ଓଡ଼ିଶୀ ସଙ୍ଗୀତରେ ଭିନ୍ନ ଗାମାକୁ ସେ ଚିତ୍ରଣ କରିଥିଲେ। ତାଙ୍କର ତୃତୀୟ ତଥା ଅନ୍ତିମ ଉପସ୍ଥାପନା ଥିଲା କିଶୋର କବି ଶ୍ୟାମ ସୁନ୍ଦର ଦାସଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ “ନାହି କେ କରିଦେଲ”, ଏକ ପାରମ୍ପାରିକ ତଥା ଲୋକପ୍ରିୟ ଓଡ଼ିଶୀ ରଚନା, ଚାରିଟି ତାଳ ଯଥା ଆଦିତାଳ, ତ୍ରିପଟା, ଏକତାଲି ଓ ଖେମଟା ଉପରେ ଆଧାରିତ ଥିଲା। ତାଙ୍କୁ ମର୍ଦଳରେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ବେହେଲାରେ ଗୁରୁ ରମେଶ ଚନ୍ଦ୍ର ଦାସ ସହଯୋଗ କରିଥିଲେ।

ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶିକା ବିଦୁଷୀ ଗୀତା ଚନ୍ଦ୍ରନ୍ ଏବଂ ତାଙ୍କ ସଂଗୀତ ନାଟ୍ୟ ଭ୍ରୀକ୍ସା ନୃତ୍ୟ ସଂଗଠନର ଶିଳ୍ପୀମାନେ ଭାରତନାଟ୍ୟମ ନୃତ୍ୟ ଉପସ୍ଥାପନା କରିଥିଲେ। ସେମାନେ ପ୍ରଥମେ ବିବିଧତା ମଧ୍ୟରେ ଏକତା ଜୟ ଭାରତ ଆଲାରିପୁ ପରେ ପରେ ବନ୍ଧୁତା ଓ ସମ୍ପର୍କ ଉପରେ ସଖୀ ସ୍ୱରମ୍‍ ପ୍ରସ୍ତୁତ କରିଥିଲେ।

ତା ପରେ ଏକକ ନୃତ୍ୟରେ ଗୀତା ଚନ୍ଦ୍ରନ୍ ନିଜେ ପରିବେଷଣ କରିଥିଲେ ଲାବଣ୍ୟତ୍ୱମ ଏବଂ ଶେଷରେ ଶିଳ୍ପୀମାନେ ଋତୁ ସଂହାରମ୍‍ ଆଧାରରେ ଋତୁ ଚକ୍ର ପରିବେସିତ କରିଥିଲେ। ସେମାନଙ୍କର ସମକାଳୀନ ଏବଂ ବଳିଷ୍ଠ ପ୍ରଦର୍ଶନ ସେମାନଙ୍କର ବୈଷୟିକ ପ୍ରବୃତ୍ତି ଏବଂ ସୃଜନଶୀଳ ଅଭିବ୍ୟକ୍ତିକୁ ପ୍ରତିଫଳିତ କରିଥିଲା। ଶ୍ରୀ ମିଲନ୍ଦ ଶ୍ରୀବାସ୍ତବଙ୍କ ସକ୍ଷମ ଆଲୋକ ଡିଜାଇନ୍ ଏବଂ ଶ୍ରୀ ସି ଆନନ୍ଦ କୃଷ୍ଣଙ୍କ ସାଉଣ୍ଡ ଇଞ୍ଜିନିୟରିଂ ସେମାନଙ୍କର ନୃତ୍ୟକୁ ଦ୍ୱିଗୁଣିତ କରିଥିଲା।

ତୃତୀୟ ସନ୍ଧ୍ୟାରେ ଶିବାଗ୍ନି, ଏକ ସଙ୍ଗୀତ କାର୍ଯ୍ୟକ୍ରମ ଯାହାକି ନିଜ ନିଜ କ୍ଷେତ୍ରର ସମସ୍ତ ଶୀର୍ଷ ମାନ୍ୟତପ୍ରାପ୍ତ ବିଶିଷ୍ଟ କଳାକାରଙ୍କ ସହିତ ପ୍ରଦର୍ଶିତ ହେବ, ଯେଉଁମାନେ ସମସ୍ତେ ଓଡିଶାରେ ଅବସ୍ଥାପିତ। ବେହେଲାରେ ଶ୍ରୀ ଅଗ୍ନିମିତ୍ର ବେହେରା ଏବଂ ବଂଶୀରେ ଶ୍ରୀ ଶ୍ରୀନିବାସ ସତପଥୀଙ୍କ ସହିତ ଅନ୍ୟାନ୍ୟ କଳାକାରମାନେ ଏଥିରେ ଅଂଶ ଗ୍ରହଣ କରିବେ।

ସୃଜନ ଅନୁଷ୍ଠାନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯାଉଛି। ଏହି ଉତ୍ସବର ପରିକଳ୍ପନା ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା କରାଯାଇଛି। ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦାବୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ,ଓଡ଼ିଶୀ ସଙ୍ଗୀତ ଦ୍ବିତୀୟ ଶତାବ୍ଦୀର ହୋଇଥିଲେ ମଧ୍ୟ ଭାରତ ସରକାରଙ୍କ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ଦେଇ ନାହାଁନ୍ତି।

ଓଡିଶୀ ସଂଗୀତ ତାହାର ନିଜସ୍ବ ରାଗ ରହିଛି। ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଠାରୁ କୌଣସି ଗୁଣରେ କମ ନୁହେଁ। ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ସବୁ ପ୍ରକାରର ଗୁଣ ଓଡ଼ିଶୀ ସଙ୍ଗୀତର ରହିଛି। ତେଣୁ ଏହାକୁ କେନ୍ଦ୍ର ସଂସ୍କୃତି ବିଭାଗ ତରଫରୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।