Categories
ଆଜିର ଖବର ବ୍ୟବସାୟ

ଫରଚ୍ୟୁନ ଟାୱାରରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ପରିଦର୍ଶନ କଲେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଫରଚ୍ୟୁନ ଟାୱାର ସ୍ଥିତ ଓପିସିଏଲ୍‌, ଓପିଜିସି, ଇଡ୍‌କୋ ଓ ଟାଟା ଷ୍ଟିଲ୍‌ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେଠାରେ ଚାଲୁଥିବା ଏହି ସଂସ୍ଥାଗୁଡ଼ିକର ଦପ୍ତରକୁ ଯାଇ ସେ ବୁଲି ଦେଖିବା ସହ ଆନୁଷଙ୍ଗିକ ବ୍ୟବସ୍ଥା, ଭିତ୍ତିଭୂମି ବିଷୟରେ ପଚାରି ବୁଝିଥିଲେ ।

ଇଡ୍‌କୋଠାରେ ଥିବା ମନ୍ତ୍ରୀଙ୍କ ଦପ୍ତରକୁ ଯାଇ ସେଠାରେ ଅଫିସ୍‌ କାର୍ଯ୍ୟ କରିଥିଲେ । ଏଣିକି ବାହାରୁ ଆସୁଥିବା ପ୍ରତିନିଧି ଦଳମାନଙ୍କୁ ସେହି କାର୍ଯ୍ୟାଳୟଠାରେ ସେ ସାକ୍ଷାତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଟେକ୍ନୋଲୋଜିକୁ ଯଥାଯଥ ବ୍ୟବହାର କରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଉପରେ କର୍ମଚାରୀମାନଙ୍କୁ କହିଥିଲେ। ସମୟ ବଦଳୁଛି । ତେଣୁ ସେହି ପ୍ରକାରେ ଆମେ ନିଜକୁ ମଧ୍ୟ ବଦଳାଇବାକୁ ହେବ ସେ ଦିଗରେ ଆମକୁ ବୈଷୟିକ ଜ୍ଞାନ ବିଶେଷ ସାହାଯ୍ୟ କରିବ ବୋଲି ପ୍ରବର୍ତ୍ତାଇଥିଲେ ।

ତାଙ୍କ ଗସ୍ତ କାଳରେ ଓପିସିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାରିପୁତ୍ତ ମିଶ୍ର ଓପିଜିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ମହାପାତ୍ର ଇଡ୍‌କୋର ପରିଚାଳକ ଶ୍ରୀ ରାଜକୁମାର ଦାସ ଏବଂ ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ନିଜ କାର୍ଯ୍ୟାଳୟ ସଂପର୍କରେ ଅବଗତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓପିଜିସି ସେୟାରକୁ ଅଧିଗ୍ରହଣ କରିବ ଓଏଚପିସି, ସିସିଆଇ ଦେଲା ଅନୁମୋଦନ

ନୂଆଦିଲ୍ଲୀ, ପ୍ରତିଯୋଗିତା ନିୟମ, ୨୦୦୨ ର ଧାରା ୩୧ (୧) ଅନୁଯାୟୀ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍‍ପିସି) ଦ୍ୱାରା ଓଡିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ର ସେୟାର ଅଧିଗ୍ରହଣକୁ ଭାରତୀୟ ପ୍ରତିଯୋଗିତା ଆୟୋଗ ବା ସିସିଆଇ ଅନୁମୋଦନ ପ୍ରଦାନ କରିଛି।

ଓଏଚ୍‍ପିସି ହେଉଛି ଏକ ପିଏସ୍‍ୟୁ ଯାହାର ସମ୍ପୁର୍ଣ୍ଣ ମାଲିକାନା ଏବଂ ନିୟନ୍ତ୍ରଣ ଅଧିକାର ଓଡିଶା ସରକାରଙ୍କ ପାଖରେ ରହିଛି। ଏହା ଅକ୍ଷୟ ଉତ୍ସରୁ ଜଳ ବିଦ୍ୟୁତ୍ ଏବଂ ସୌର ଶକ୍ତି ଯୁକ୍ତ ବିଦ୍ୟୁତ୍ ଉତ୍ପାଦନ ବ୍ୟବସାୟରେ ନିୟୋଜିତ ଅଛି।

ଓପିଜିସି ହେଉଛି ଏକ ରାଷ୍ଟ୍ରାୟତ୍ତ ମିଳିତ ଉଦ୍ୟୋଗ ଯାହାର ୫୧% ସେୟାର ଓଡିଶା ସରକାର ଏବଂ ଅବଶିଷ୍ଟ ୪୯% ସେୟାର ଏଇଏସ୍‍ ଓପିଜିସି ହୋଲଡିଂ ଏବଂ ଏଇଏସ୍‍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ମାଧ୍ୟମରେ ଆମେରିକୀୟ କମ୍ପାନି ଏଇଏସ୍‍ କର୍ପୋରେସନ ପାଖରେ ରହିଛି। ଏହା କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ ଏବଂ ମିନି ହାଇଡ୍ରୋ ବିଦ୍ୟୁତ୍ ପ୍ରକଳ୍ପରୁ ଶକ୍ତି ଉତ୍ପାଦନ ବ୍ୟବସାୟରେ ନିୟୋଜିତ।

ସେୟାର ବିକ୍ରୟ ଏବଂ କ୍ରୟ ଚୁକ୍ତିନାମା ଅନୁଯାୟୀ, ଏଇଏସ୍‍ ଓପିଜିସି ହୋଲଡିଂ ଏବଂ ଏଇଏସ୍‍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଅଧିନରେ ଥିବା ୪୯% ଇକ୍ୱିଟି ସେୟାରକୁ ଓଏଚ୍‍ପିସି ଅଧିଗ୍ରହଣ କରିବ।