Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ସରକାର ଦେଲେ ୩୧.୧୦ କୋଟିର ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ଦେଲେ ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବା ଇନସେଣ୍ଟିଭ। ଏହି ଅର୍ଥ ଓମଫେଡ୍ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ସେପ୍ଟେମ୍ବର ୨୦୨୪ ରୁ ଫେବୃଆରୀ ୨୦୨୫ ମଧ୍ୟରେ ଯେଉଁ ଚାଷୀ ଯେଉଁ ପରିମାଣର ଦୁଗ୍ଧ ଓମଫେଡକୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅନୁପାତରେ ଏହି ପ୍ରୋତ୍ସାହନ ରାଶି ଯାଇଛି।

ସାଧାରଣତଃ ସେପ୍ଟେମ୍ବରରୁ-ଫେବୃଆରୀ ୬ ମାସ ହେଉଛି ଦୁଗ୍ଧର ତିରୋଟ ସମୟ ବା ଦୁଗ୍ଧ ଉତ୍ପାଦନ କମ୍ ହୋଇଥାଏ। ଏହି ସମୟରେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଓମଫେଡ୍ ପକ୍ଷରୁ ଲିଟର ପିଛା ୧ ରୁ ୫ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଓମଫେଡକୁ ଆର୍ଥିକ ସହାଯତା ଯୋଗାଇ ଦେଇଥିଲେ।

ସଂପ୍ରତ୍ତି ରାଜ୍ୟରେ ମୋଟ ୧୧ ଟି ଜିଲ୍ଲା ଦୁଗ୍ଧ ସମବାୟ ସମିତି ରହିଛି। ଏହି ୧୧ ଟି ଜିଲ୍ଲା ଦୁଗ୍ଧ ସମୟବାୟ ସମିତି ମଧ୍ୟରୁ ସର୍ବାଧିକ ୩୩ ହଜାର ଚାଷୀ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ରହିଛନ୍ତି। କଟକ ପଛକୁ ରହିଛି ବାଲେଶ୍ୱର ଜିଲ୍ଲା । ବାଲେଶ୍ୱର ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ୧୮ ହାଜର ଚାଷୀ ରହିଛନ୍ତି। ସର୍ବନିମ୍ନ ଅର୍ଥାତ୍ ୫୩୧ ଜଣ ଚାଷୀ ରହିଛନ୍ତି ମୟୁରଭଂଜ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ।

କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ ସର୍ବାଧିକ ୧୩ କୋଟି ଟଙ୍କା ଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଦୁଗ୍ଧ ସମବାୟ ସମିତି ଚାଷୀଙ୍କ ଖାତାକୁ ଯାଇଛି ୫ କୋଟି । ସେହିପରି ସମ୍ବଲପୁରକୁ- ୪.୭୩ କୋଟି, ବଲାଙ୍ଗିର-କଳାହାଣ୍ଡି-ନୂଆପଡା ଜିଲ୍ଲା ଦୁଗ୍ଧ ସମବାୟ ସମିତ ଅଧିନରେ ଥିବା ଚାଷୀଙ୍କ ଖାତାକୁ ୨.୬୨ କୋଟି, ପୁରୀ ଜିଲ୍ଲାକୁ- ୨.୩୨ କୋଟି ଟଙ୍କା ଯାଇଥିବା ବେଳେ ସର୍ବନିମ୍ନ ପ୍ରୋତ୍ସାହନ ରାଶି ଯାଇଛି ମୟୂରଭଂଜ ଜିଲ୍ଲା ଦୁଗ୍ଧ ସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ। ମୟୂରଭଞ୍ଜ ଜିଲ୍ଲାକୁ ଯାଇଛି ମାତ୍ର ୨୦ ଲକ୍ଷ ଟଙ୍କା।

ଆଗାମୀ ବର୍ଷରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରକ୍ରିୟା ଜାରି ରହିବ। କେବଳ ସେତିକି ନୁହେଁ, ବର୍ଷ ସାରା ଓମଫେଡର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଓମଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।

ଏହି ଅର୍ଥ କୌଣସି ୟୁନିୟନ ମାଧ୍ୟମରେ ଦିଆଯାଇ ନାହିଁ। ଏହା ସିଧାସଳଖ ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଯାଇଛି। ଫଳରେ ଚାଷୀମାନେ ଏହି ପ୍ରୋତ୍ସାହନ ରାଶି ପାଇବା ପରେ ବେଶ ଖୁସି ପ୍ରକଟ କରିବା ସହ ଓମଫେଡ୍ ଏବଂ ରାଜ୍ୟ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁଗ୍ଧ ଚାଷୀଙ୍କ ପାଇଁ ଜୀବନ ବୀମା କରିଲା ଓମଫେଡ୍

ଭୁବନେଶ୍ୱର: ଓମଫେଡର 114 ତମ ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଆଜି ଭୁବନେଶ୍ୱର ସହିଦ ନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓମଫେଡ୍ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓମ୍ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପରିଚାଳନା ନିର୍ଦେଶକ ମଣ୍ଡଳୀର ସଦସ୍ୟ, ସଦସ୍ୟା ଓ ରାଜ୍ୟ ସରକାରଙ୍କର ପ୍ରତିନିଧି ଯୋଗଦେଇଥିଲେ।

ଓମଫେଡକୁ ଦୁଗ୍ଧ ଦେଉଥିବା ଚାଷୀଙ୍କୁ ଦୁର୍ଘଟଣା ଜନିତ ବୀମା ପରିସରଭୁକ୍ତ କରାଯାଇଥିବାରୁ ନିର୍ଦେଶକ ମଣ୍ଡଳୀ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ପରିଚାଳନା ନିର୍ଦେଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଦ୍ୱାରା ରାଜ୍ୟର 2.5 ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ। ଚାଷୀମାନଙ୍କର ବୀମା ପ୍ରିମିୟମ ଓମଫେଡ୍ ଦେବ। ଏହି ବୈଠକରେ ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ସମସ୍ତେ ସ୍ୱାଗତ କରିବା ସହ ମାଈ ବାଛୁରୀ ପାଳନ ଯୋଜନାକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ସଂପ୍ରତି ଦିନକୁ ଦିନ ସବୁ ଜିନିଷର ଦର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଚାଷୀମାନଙ୍କଠାରୁ ସଂଗ୍ରହ ହେଉଥିବା ଦୁଗ୍ଧ ଦାମ ବୃଦ୍ଧି କରିବା ପାଇଁ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଜରିଆରେ ସରକାରଙ୍କୁ ଅବଗତ କରାଇଛନ୍ତି। ଦୁଗ୍ଧର ତିରୋଟ ସମୟରେ ଚାଷୀମାନଙ୍କୁ ରାଜ୍ୟ ସରକାର ଲିଟର ପିଛା 1ରୁ5 ଟଙ୍କା ପର୍ଯ୍ୟନ୍ତ ଇନସେଣ୍ଟିଭ ଦେଉଥିବାରୁ ସମସ୍ତେ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

ଗୁଣାତ୍ମକ ଦୁଗ୍ଧ ସଂଗ୍ରହ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଚାଷୀଙ୍କଠାରୁ ଗୁଣାତ୍ମକ ଦୁଗ୍ଧ ସଂଗ୍ରହ କରିବା ଏବଂ ସଂଗ୍ରହ ପରିମାଣ ବୃଦ୍ଧି କରିବା ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା। ଏବେ ଦୈନିକ 5 ଲକ୍ଷ 40 ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଛି। ମାତ୍ର 2025-26 ଆର୍ଥିକ ବର୍ଷରେ ତା’ର ପରିମାଣ 6 ଲକ୍ଷ ଲିଟରକୁ ବୃଦ୍ଧି କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କେବଳ ସଂଗ୍ରହ ବୃଦ୍ଧି ନୁହେଁ, ଓମ୍ଫେଡ୍ ଉତ୍ପାଦଗୁଡିକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ମାର୍କେଟ୍ ବିସ୍ତାର କରିବାକୁ ମଧ୍ୟ ଆଲୋନଚା ହୋଇଥିଲା। ସେହିପରି ଗୁଣାତ୍ମକ ଦୁଗ୍ଧ ସଂଗ୍ରହ ପାଇଁ ଅତ୍ୟାଧୁନିକ ପରୀକ୍ଷା ଯନ୍ତ୍ର ବା ଟେଷ୍ଟିଂ ମେସିନ ରାଜ୍ୟ ସରକାର ପ୍ରତ୍ୟେକ ସୋସାଇଟକୁ ଯୋଗାଇ ଦେବାକୁ ସଦସ୍ୟ ସଦସ୍ୟାମାନେ ଅନୁରୋଧ କରିଛନ୍ତି।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଅଂଚଳରେ ସୋଲାର ପ୍ଲାଣ୍ଟ ଓ ବାୟୋ ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି।

ଓମଫେଡ୍ ଏକ ଭରସାଯୋଗ୍ୟ ଆତ୍ମ ନିଯୁକ୍ତି ସଂସ୍ଥା ହୋଇଥିବାରୁ ଏଥିରେ ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ପରିବାର ପ୍ରତିପୋଷଣ ହେଉଛନ୍ତି। ଓଡିଆ ଅସ୍ମିତ ସହ ଜଡିତ ଓମ୍ଫେଡକୁ ସରକାର କାମଧେନୁ ଯୋଜନାରେ ସାମିଲ କରିଛନ୍ତି। ଆଗାମୀ ଦିନରେ ଓମଫେଡ ଉତ୍ପାଦଗୁଡିକ କିପରି ଗ୍ରାମାଞ୍ଚଳର ସବୁ ଲୋକଙ୍କ ପାଖରେପହଞ୍ଚି ପାରିବ, ସେଥିପାଇଁ ସମସ୍ତେ କାମ କରିବାକୁ ଅନୁରୋଧ କରିଛନ୍ତି ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ସଦସ୍ୟ ସଦସ୍ୟାମାନେ ଯେଉଁସବୁ ପ୍ରସ୍ତାବ ଦେଇଛନ୍ତି ତାହା ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି।

ଏହି ବୈଠକରେ ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହ ଅତିରିକ୍ତ ନିର୍ଦେଶକ, ଡକ୍ଟର ଗିରିଧର ଭୋଇ, ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ହାଡିବନ୍ଧୁ ଭୋଇ, ଓମଫେଡର ଜେନେରାଲ ମ୍ୟାନେଜର (ଫାଇନାନ୍ସ) ସୁରେଶ କୁମାର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।