Categories
ଆଜିର ଖବର ରାଜ୍ୟ ଖବର

ଓମ୍ବାଡସି ସହାୟତାରେ ଯାଜପୁରର ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ପାଇଛି ନୂଆ ରୂପ

ଯାଜପୁର/ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବାରେ କଲେଜ ଶିକ୍ଷାର ଏକ ବଡ଼ ଭୂମିକା ରହିଛି। ଏଥିପାଇଁ ବିଭିନ୍ନ କଲେଜର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଯାଜପୁରର ନରସିଂହ ଚୌଧୁରୀ (ଏନ୍ ସି) ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗକୁ ଆଧୁନିକ ରୂପ ଦିଆଯାଉଛି। ଫଳରେ ଏଠାରେ ଯେଉଁ ଶିକ୍ଷଣୀୟ ପରିବେଶ ସୃଷ୍ଟି ହୋଇଛି ତାହା ଆଜି ଯାଜପୁର ସହିତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣ ସାଜିଛି।

ଓଡ଼ିଶାରେ ଥିବା ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ ଭିତରେ ଯାଜପୁରର ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ୧୯୪୬ରେ ସ୍ଥାପିତ ଏହି ପୁରାତନ ମହାବିଦ୍ୟାଳୟକୁ ୧୯୯୯ ମସିହାରେ ସ୍ୱୟଂଶାସିତ ମାନ୍ୟତା ମିଳିବା ପରେ ଏଠାରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବା ସହିତ କଲେଜର ଭିତ୍ତିଭୂମିକୁ ଉନ୍ନତିକରଣ କରିବା ଉପରେ ପ୍ରାଥମିକତା ଦିଆଯାଉଛି।

ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ ପାଠ ପଢ଼ିବା ପାଇଁ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଆଗ୍ରହ ଦେଖାଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ବିଭାଗକୁ ନୂଆ ରୂପ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଠାରେ ନୂତନ କ୍ଲାସରୁମ୍ ଓ ଉନ୍ନତ ମାନର ଲାବୋରେଟୋରି ସ୍ଥାପନ କରାଯାଇଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଇଛି।

ଓମ୍ବାଡସି ସହାୟତାରେ ବିଜ୍ଞାନ ବିଭାଗରେ ଚାରି ମହଲା ବିଶିଷ୍ଟ ଏକ ନୂତନ କୋଠା ନିର୍ମାଣ କରାଯାଇଛି। ଏଥିରେ ପଦାର୍ଥ ବିଜ୍ଞାନ (ଫିଜିକ୍ସ), ରସାୟନ ବିଜ୍ଞାନ (କେମିଷ୍ଟ୍ରି), ଉଦ୍ଭିଦ ବିଜ୍ଞାନ (ବଟାନି) ଓ ପ୍ରାଣୀ ବିଜ୍ଞାନ (ଜୁଲୋଜି) ପାଇଁ ସ୍ୱତନ୍ତ୍ର କ୍ଲାସରୁମ୍ ଓ ଲାବୋରେଟୋରି ସ୍ଥାପନ କରାଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ଏଠାରେ ସୁବିଧାରେ ଥିଓରି ସହିତ ପ୍ରାକ୍ଟିକାଲ କରିପାରୁଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବିଜ୍ଞାନର ବିଭିନ୍ନ ଦିଗ ବିଷୟରେ ଜାଣିପାରୁଛନ୍ତି ଓ ଉଚ୍ଚତର ଗବେଷଣା ଲାଗି ଆଗ୍ରହ ଦେଖାଉଛନ୍ତି।

ସେହିପରି ଏହି ନୂତନ କୋଠାରେ ବିଭାଗୀୟ ମୁଖ୍ୟ ଓ ରିସର୍ଚ୍ଚ ଆସୋସିଏଟ୍ ରୁମ୍ ରହିଛି। ତା’ଛଡ଼ା କନଫରେନ୍ସ ଓ ଲାଇବ୍ରେରି ହଲ୍ ସହିତ କମ୍ପ୍ୟୁଟର ଲ୍ୟାବ୍ ଓ ରେକର୍ଡ ରୁମ୍ ମଧ୍ୟ କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ଏକ ପ୍ରତୀକ୍ଷା ଗୃହ, ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଓମ୍ବାଡସି ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି।

‘‘ବିଜ୍ଞାନ ବିଭାଗରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଥିଓରି ସହିତ ପ୍ରାକ୍ଟିକାଲ ଶିକ୍ଷାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଓମ୍ବାଡସି ସହାୟତାରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଇଛି। ଏଠାରେ ଆଧୁନିକ ବିଜ୍ଞାନାଗାର ସ୍ଥାପନ ହେବା ଯୋଗୁଁ ପ୍ରାକ୍ଟିକାଲ ପାଇଁ ଆଗରୁ ଯେଉଁ ସମସ୍ୟା ରହିଥିଲା ତାହା ଦୂର ହୋଇପାରିଛି। ଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ଗବେଷଣା କରିବାର ସୁଯୋଗ ପାଉଛନ୍ତି,’’ କହିଛନ୍ତି ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରଞ୍ଜନ କୁମାର ବେହେରା।

ଏନ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ ଆଧୁନିକ ଭିତ୍ତିଭୂମି ନିର୍ମାଣ ହେବା ଫଳରେ ଏଠାରେ ପାଠ ପଢ଼ିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଆଗ୍ରହ ଦେଖାଉଛନ୍ତି। ପ୍ରତିବର୍ଷ ୫୦୦ରୁ ଅଧିକ ସ୍ନାତକ ଓ ୧୯୦ରୁ ଅଧିକ ସ୍ନାତୋକତ୍ତର ଛାତ୍ରଛାତ୍ରୀ ଏଠାରେ ପାଠପଢ଼ି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇପାରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାରେ ‘ସମନ୍ୱିତ ଜଳବିଭାଜିକା ପରିଚାଳନା’ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଚାଷ ପାଇଁ ଉର୍ବର ମାଟି ଓ ପାଣିର ଆବଶ୍ୟକତା ରହିଛି। ଏଥିପାଇଁ ମୃତ୍ତିକା ଓ ବର୍ଷାଜଳ ସଂରକ୍ଷଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ତେଣୁ, ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ‘ସମନ୍ୱିତ ଜଳବିଭାଜିକା ପରିଚାଳନା’ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରକଳ୍ପ କରାଯାଉଛି। ଏହାଦ୍ୱାରା ଚାଷୀ ଓ ସ୍ଥାନୀୟ ଲୋକମାନଙ୍କ ଜୀବିକା ସୁଦୃଢ଼ ହୋଇପାରୁଛି।

‘ସମନ୍ୱିତ ଜଳ ବିଭାଜିକା ପରିଚାଳନା’ କାର୍ଯ୍ୟକ୍ରମ ଅଧୀନରେ କ୍ଷେତ ପୋଖରୀ, ଜଳ ଅମଳ ପ୍ରକଳ୍ପ ଓ ଆଡ଼ିବନ୍ଧ ନିର୍ମାଣ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି।

ରାଜ୍ୟର ଏକ ଆଦିବାସୀବହୁଳ ତଥା ଖଣି ପ୍ରଭାବିତ ଜିଲ୍ଲା ହେଉଛି କେନ୍ଦୁଝର। ବଣ ପାହାଡ଼ଘେରା ଏହି ଜିଲ୍ଲାରେ ବର୍ଷସାରା ବିଭିନ୍ନ ପ୍ରକାର ଫସଲ କରିବା ପାଇଁ ସବୁଠୁ ବଡ଼ ଆହ୍ୱାନ ଥିଲା ଜଳ। ଏହି ଆବଶ୍ୟକତା ପୂରଣ ପାଇଁ ଓମ୍ବାଡସି ସହାୟତାରେ କ୍ଷେତ ପୋଖରୀ, ଜଳ ଅମଳ ପ୍ରକଳ୍ପ ଓ ଆଡ଼ିବନ୍ଧ ନିର୍ମାଣ ହେବା ଫଳରେ ଚାଷୀମାନେ ବର୍ଷର ସବୁ ସମୟରେ ବିଭିନ୍ନ ଅର୍ଥକରୀ ଫସଲ କରିପାରୁଛନ୍ତି।

‘‘ଆଗରୁ ଚାଷ ପାଇଁ ଆମେ ବର୍ଷା ଉପରେ ନିର୍ଭର କରୁଥିଲୁ। ଏଥିରେ ବହୁତ ଅସୁବିଧା ହେଉଥିଲା। ପାହାଡ଼ିଆ ଅଞ୍ଚଳରେ ଆମ ଗାଁ ହୋଇଥିବାରୁ ବର୍ଷାପାଣି ରହୁ ନଥିଲା। ଓମ୍ବାଡସି ସହାୟତାରେ ଏବେ ଜଳ ଅମଳ ପ୍ରକଳ୍ପ ହେବା ଯୋଗୁଁ ଚାଷ ପାଇଁ ଆବଶ୍ୟକ ପାଣି ମିଳୁଛି। ଫଳରେ ମୁଁ ତରଭୁଜ, ରାଶି, ସୋରିଷ ଏବଂ ମାଛଚାଷ କରୁଛି,’’ କହନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଚାଷୀ ହରିହର ନାଏକ।

‘‘ଓମ୍ବାଡସିର ଆର୍ଥିକ ସହାୟତାରେ ମୁଁ ଗୋଟିଏ ପୋଖରୀ ଖୋଳିଛି। ଏହାର ପାଣିକୁ ବ୍ୟବହାରକରି ଧାନ ଓ ବିଭିନ୍ନ ପନିପରିବା ଚାଷ କରୁଛି। ଏଥିରେ ମୋ’ ପରିବାର ଲୋକ ମତେ ସାହାଯ୍ୟ କରୁଛନ୍ତି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ମୁଁ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ସହ ଘର ଚଳାଉଛି’’, କହନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକର ହିତାଧିକାରୀ କେତକୀ ମହାନ୍ତ।

୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାରେ ୧୭ଟି କ୍ଷେତପୋଖରୀ ଖୋଳାଯାଇଛି। ସେହିପରି ୨୩୮ଟି ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହାଦ୍ୱାରା ୨୩୦୦ରୁ ଅଧିକ ହିତାଧିକାରୀ ଉପକୃତ ହେଉଛନ୍ତି।

ସେହିପରି ଚାଷଜମିକୁ ଜଳସେଚନ ସୁବିଧା ପାଇଁ କେନ୍ଦୁଝର ଜିଲ୍ଲାରେ ମୋଟ ୨୪ଟି ଚେକଡ୍ୟାମ ନିର୍ମାଣ ହୋଇଛି। ଏହି ପ୍ରକଳ୍ପ ସହିତ ୩୦୦ରୁ ଅଧିକ ଚାଷୀ ଯୋଡ଼ି ହୋଇଛନ୍ତି।

ଏହି ଚେକଡ୍ୟାମ ପ୍ରକଳ୍ପ ବିଷୟରେ ଯୋଡ଼ା ବ୍ଲକ୍ ବଳିତା ଗ୍ରାମର ଚାଷୀ ଯୋଗେନ୍ଦ୍ର ଯାଦବ କହନ୍ତି, ‘‘ଆଗରୁ ଆମେ କେବଳ ବର୍ଷାଦିନେ ଗୋଟିଏ ଫସଲ କରୁଥିଲୁ। ୨୦୧୯ ମସିହାରେ ଓମ୍ବାଡସି ସହାୟତାରେ ଚେକଡ୍ୟାମ ହେବା ପରେ ଆମେ ବିଭିନ୍ନ ପ୍ରକାରର ଫସଲ କରିପାରୁଛୁ। ଫଳରେ ଆଗ ଅପେକ୍ଷା ଏବେ ଆମେ ରୋଜଗାର ମଧ୍ୟ ଭଲ କରୁଛୁ।’’

ଜଳବିଭାଜିକା ପ୍ରକଳ୍ପ ଅଧୀନରେ କ୍ଷେତ ପୋଖରୀ, ଜଳ ଅମଳ ପ୍ରକଳ୍ପ ଓ ଚେକଡ୍ୟାମ ଆଦି ନିର୍ମାଣ ହେବା ଫଳରେ ବର୍ଷାଜଳ ସଂରକ୍ଷିତ ହୋଇ ରହୁଛି। ଚାଷଜମିକୁ ବର୍ଷସାରା ସୁବିଧାରେ ପାଣି ମିଳିବା ସହିତ ଭୂତଳ ଜଳସ୍ତର ଓ ମୃତ୍ତିକା କ୍ଷୟ ନିୟନ୍ତ୍ରଣରେ ବଡ଼ ଭୂମିକା ନେଉଛି ଏହି ପ୍ରକଳ୍ପ। ଏହାସହିତ ମାଟିରେ ଆର୍ଦ୍ରତା ରହୁଥିବାରୁ ଭଲ ଫସଲ ମଧ୍ୟ ଅମଳ ହେଉଛି।

ଓମ୍ବାଡସି ସହାୟତାରେ ବିଭିନ୍ନ ପ୍ରକଳ୍ପ ହେବା ଫଳରେ କୃଷିକ୍ଷେତ୍ର ସମୃଦ୍ଧ ହୋଇଛି। ଚାଷୀମାନେ ଧାନ, ପନିପରିବା, ଡାଲି, ତୈଳବୀଜ ଓ ମାଛଚାଷ କରି ବିଶେଷ ଲାଭ ପାଇପାରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ଜିଲ୍ଲାରେ ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି ଓ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଲାଗି ବିଶେଷ ପଦକ୍ଷେପ

ମୟୂରଭଞ୍ଜ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମୌସୁମୀ ବର୍ଷାରେ ଅନିୟମିତତା ଏବଂ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ବଢ଼ି ଚାଲିଛି। ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଆଦିବାସୀ ବହୁଳ ତଥା ଖଣି ଜିଲ୍ଲା ମୟୂରଭଞ୍ଜରେ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଲାଗି ବିଭିନ୍ନ ପ୍ରକଳ୍ପ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଆୟତନ ଦୃଷ୍ଟିରୁ ଓଡ଼ିଶାର ଏକ ବୃହତମ ଜିଲ୍ଲା ହେଉଛି ମୟୂରଭଞ୍ଜ। ବଣ ପାହାଡ଼ଘେରା ଏହି ଜିଲ୍ଲାରେ ବିଭିନ୍ନ ବନଖଣ୍ଡ ଅଧୀନରେ ବର୍ଷାଜଳ ସଂରକ୍ଷଣ ପାଇଁ ଚେକଡ୍ୟାମ ନିର୍ମାଣ କରାଯାଇଛି। ବର୍ଷାଦିନେ ପାହାଡ଼ରୁ ବହି ଆସୁଥିବା ପାଣି ଏଠାରେ ସଂରକ୍ଷିତ ହୋଇ ରହୁଥିବାରୁ ବିଭିନ୍ନ ବନ୍ୟଜନ୍ତୁ ଉପକୃତ ହେବା ସହ ଜଙ୍ଗଲ ଆଖପାଖ ଗାଁର ଲୋକମାନେ ଏହାକୁ ଚାଷକାମରେ ବ୍ୟବହାରକରି ଭଲ ରୋଜଗାର କରିପାରୁଛନ୍ତି।

‘‘ଆଗରୁ ବର୍ଷା ହେଲେ ପାଖ ପାହାଡ଼ରୁ ପାଣି ଆସି ଆମ ଗାଁ ଭିତରେ ମାଡ଼ି ଯାଉଥିଲା। ଫଳରେ ଆମେ ବହୁତ ଅସୁବିଧା ଭୋଗୁଥିଲୁ। ଓମ୍ବାଡସି ସହାୟତାରେ ପାହାଡ଼ ତଳେ ବନ୍ଧ ନିର୍ମାଣ ହେବା ଫଳରେ ପାଣି ସେଠାରେ ସଂରକ୍ଷିତ ହୋଇ ରହୁଛି। ସେହି ପାଣିକୁ ବ୍ୟବହାର କରି ଆମେ ବିଭିନ୍ନ ପ୍ରକାର ଫସଲ କରୁଛୁ,’’ କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଅନ୍ତର୍ଗତ କଣ୍ଟାସଲା ଗାଁର ଝରଣା ମହାନ୍ତ।

‘‘ଜଙ୍ଗଲରେ ଅନେକ ମୂଲ୍ୟବାନ ତଥା ଔଷଧୀୟ ଗଛ ରହିଛି। ଆଗରୁ ପାଣି ଅସୁବିଧା ଥିବାରୁ ଗଛଗୁଡ଼ିକ ଭଲଭାବେ ବଢ଼ୁ ନଥିଲା। ଫଳରେ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଡ୍ୟାମ ଓ ବିଭିନ୍ନ ପ୍ରକଳ୍ପ ହେବା ଫଳରେ ଗଛଗୁଡ଼ିକ ଭଲଭାବେ ବଢୁଛି। ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ଲୋକମାନେ ସୁବିଧାରେ ରୋଜଗାର କରୁଛନ୍ତି,’’ କହିଛନ୍ତି କଣ୍ଟାସଲା ଗାଁର ଉପେନ୍ଦ୍ରନାଥ ମହାନ୍ତ।

ମୟୂରଭଞ୍ଜ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ଓ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ଭିତରେ ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ଓ୍ୱାୟାରମେସ୍ ଲୁଜ୍ ବୋଲ୍ଡର ଚେକଡ୍ୟାମ୍, ଗ୍ରେଡେଡ୍ ବଣ୍ଡ୍, ସବ୍-ସରଫେସ୍ ଡାଇକ୍, ପର୍କୁଲେସନ ପିଟ୍, ଷ୍ଟେଗର୍ଡ ଷ୍ଟ୍ରେଞ୍ଚ, ଓ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର, ଆର୍ଥେନ୍ ବଣ୍ଡ୍ ଏବଂ ଷ୍ଟୋନ୍ ବଣ୍ଡିଂ ଆଦି ପ୍ରକଳ୍ପ ରହିଛି। ଓମ୍ବାଡସି ପାଣ୍ଠିରୁ ଏଥିପାଇଁ ସହାୟତା ଦିଆଯାଉଛି।

‘‘ଆଗରୁ ବର୍ଷା ହେଲେ ଜଙ୍ଗଲରୁ ମୃତ୍ତିକା କ୍ଷୟ ହେଉଥିଲା। ଫଳରେ ବହୁ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହୋଇଯାଉଥିଲା। ବର୍ଷାଜଳ ସଂରକ୍ଷିତ କରି ରଖିବା ଲାଗି ବିଶେଷ ବ୍ୟବସ୍ଥା ନଥିଲା। ଓମ୍ବାଡସି ସହାୟତାରେ ମୃତ୍ତିକା କ୍ଷୟ ଓ ବର୍ଷାଜଳ ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କରାଯିବା ଫଳରେ ଜଙ୍ଗଲ ସୁରକ୍ଷିତ ରହିଛି। ତା’ଛଡ଼ା ଆଖପାଖ ଗାଁର ଲୋକମାନେ ଜୀବିକା ମଧ୍ୟ ପାଉଛନ୍ତି,’’ କହିଛନ୍ତି ବାଦାମପାହାଡ଼ ବନାଞ୍ଚଳର ରେଞ୍ଜର ସତ୍ୟବ୍ରତ ପଟ୍ଟନାୟକ।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଖଣି ଅଞ୍ଚଳରେ ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି ପାଇଁ ଗୋଷ୍ଠୀ ସହଭାଗିତାରେ ନର୍ସରୀ ସ୍ଥାପନ ସହ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡ ଅଧୀନରେ ବର୍ତ୍ତମାନ ସୁଦ୍ଧା ୮୩ ଲକ୍ଷ ୩୩ ହଜାର ଚାରା ରୋପଣ କରାଯାଇଛି।

ସେହିପରି ଜିଲ୍ଲାରେ ଓମ୍ବାଡସି ସହାୟତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କ୍ଷେତ ପୋଖରୀ, ଜଳ ଅମଳ ପ୍ରକଳ୍ପ ଏବଂ ଆଡ଼ିବନ୍ଧ ନିର୍ମାଣ କରାଯାଉଛି। ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଓ ମୃତ୍ତିକା ସଂରକ୍ଷଣ ଦିଗରେ ଏହି ପ୍ରକଳ୍ପ ବିଶେଷ ସହାୟକ ହେବା ସହିତ ଲୋକଙ୍କୁ ଜୀବିକା ମିଳିପାରୁଛି।

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଜଳର ଉତ୍ସକୁ ସୁଦୃଢ଼ କରିବା ସହିତ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଓ ସବୁଜିମା ସୃଷ୍ଟି ଦିଗରେ ଓମ୍ବାଡସି ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜଳ, ଜମି ଓ ଜଙ୍ଗଲ ଭିତରେ ସନ୍ତୁଳନ ରକ୍ଷା କରାଯାଇ ଲୋକଙ୍କ ଜୀବିକାକୁ କିପରି ସୁନିଶ୍ଚିତ କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସଶକ୍ତ ହେଉଛନ୍ତି ଚାଷୀ, ସୁଦୃଢ଼ ହେଉଛି ଜୀବିକା: କେନ୍ଦୁଝର ଜିଲ୍ଲାରେ ‘ଟସର ଚାଷ’କୁ ପ୍ରୋତ୍ସାହନ

କେନ୍ଦୁଝର: ଟସର ହେଉଛି ଏକ ଲାଭଜନକ ଚାଷ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଉଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନେର ଥିବା ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି।

କେନ୍ଦୁଝର ଜିଲ୍ଲାର ତେଲକୋଇ, ହରିଚନ୍ଦନପୁର, ଘଟଗାଁ ଏବଂ ବାଂଶପାଳ ବ୍ଲକରେ ବ୍ୟାପକ ଭାବେ ଟସର ଚାଷ କରାଯାଉଛି। ୩ ହଜାରରୁ ଅଧିକ ଚାଷୀ ଏହି ଚାଷ ସହିତ ଯୋଡ଼ି ହୋଇଛନ୍ତି। ଉନ୍ନତ ଉପାୟରେ ଟସର ଚାଷ କରି ସେମାନେ ବାର୍ଷିକ ୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି।

ଚାଷୀମାନଙ୍କୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇଦେବା ଲାଗି ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ଅଧୀନରେ ୧୩ଟି ଟସର ସେବା ସମବାୟ ସମିତି (ଟିଆରସିଏସ୍) ରହିଛି। ଜିଲ୍ଲା ରେଶମ କାର୍ଯ୍ୟାଳୟର ତତ୍ତ୍ୱାବଧାନରେ ଏହି ଚାଷ କରାଯାଉଛି।

‘‘ଆଗରୁ ମୁଁ ଟସର ଚାଷ କରୁଥିଲି। ହେଲେ ଭଲ ଲାଭ ମିଳୁ ନଥିଲା। ଏହି ଚାଷ ପାଇଁ ଏବେ ଓମ୍ବାଡସି ବିଭିନ୍ନ ସହାୟତା ଯୋଗାଇ ଦେବାରୁ ଉନ୍ନତ ମାନର ଟସର ଖୋସା ଉତ୍ପାଦନ ହୋଇପାରୁଛି। ଗତ ବର୍ଷ ମୁଁ ଏହି ଟସର ଚାଷରୁ ଦେଢ଼ ଲକ୍ଷ ଟଙ୍କା ପାଇଛି’’, କହିଛନ୍ତି ହରିଚନ୍ଦନପୁର ବ୍ଲକର ଜଣେ ଚାଷୀ ମାଳତୀ ଟୁଡୁ।

‘‘୭ ବର୍ଷ ହେଲା ମୁଁ ଟସର ଚାଷ କରୁଛି। ଏଥିପାଇଁ ଉନ୍ନତ ମାନର ବିହନ ମିଳୁଛି। ତା’ଛଡ଼ା ଜଙ୍ଗଲରେ ପୋକ ଛାଡ଼ିବାଠୁ ଟସର ଖୋସା ଉତ୍ପାଦନ ହେବା ଯାଏଁ ଆମକୁ ବିଭିନ୍ନ ସମୟରେ ସହାୟତା ମିଳୁଛି। ଖୋସା ବିକ୍ରି ପାଇଁ ସରକାର ଭଲ ବ୍ୟବସ୍ଥା ମଧ୍ୟ କରିଛନ୍ତି’’, କହିଛନ୍ତି ହରିଚନ୍ଦନପୁର ବ୍ଲକର ଆଉ ଜଣେ ଟସର ଚାଷୀ ଈଶ୍ୱର ଚନ୍ଦ୍ର ମାର୍ଣ୍ଡି।

ଟସର ଚାଷ ସାଧାରଣତଃ ଅର୍ଜୁନ ଓ ଅସନ ଗଛରେ କରାଯାଇଥାଏ। ଏହି ଚାଷ ପାଇଁ ଆବଶ୍ୟକ ଚୂନ, ବ୍ଲିଚିଂ ଓ କୀଟନାଶକ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି ଓମ୍ବାଡସି।

ସେହିପରି ଟସର ଚାଷ ଲାଗି ମୁଖ୍ୟ ଉପାଦାନ ହେଲା ରୋଗମୁକ୍ତ ଅଣ୍ଡା। ଚାଷୀଙ୍କୁ ସୁସ୍ଥ ଅଣ୍ଡା ଯୋଗାଇଦେବା ଲାଗି ଜିଲ୍ଲାରେ ରହିଛି ୩ଟି ପାଇଲଟ ପ୍ରୋଜେକ୍ଟ ସେଣ୍ଟର (ପିପିସି)। ଏହି କେନ୍ଦ୍ରଗୁଡ଼ିକର ଉପଯୁକ୍ତ ପରିଚାଳନା ପାଇଁ ମଧ୍ୟ ଓମ୍ବାଡସି ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଚାଷୀମାନେ ପିପିସିରୁ ଅଣ୍ଡା ଆଣିବା ପରେ ଏହାକୁ ଅସନ ଓ ଅର୍ଜୁନ ଗଛର ଡାଳ ସହ ରଖି ଦିଅନ୍ତି। ଅଣ୍ଡାରୁ ପୋକ ବାହାରିବା ପରେ ସେଗୁଡ଼ିକୁ ନେଇ ଅସନ ଓ ଅର୍ଜୁନ ଗଛରେ ଛାଡ଼ି ଦିଆଯାଏ। ପୋକ ବଡ଼ ହୋଇ ଗଛରେ ଖୋସା ବାନ୍ଧିବା ଆରମ୍ଭ କରିଥାଏ। ୧୦ରୁ ୧୫ ଦିନ ପରେ ଚାଷୀ ଗଛରୁ ଖୋସା ସଂଗ୍ରହ କରି ଟିଆରସିଏସକୁ ବିକ୍ରି କରିଥାନ୍ତି। ଟିଆରସିଏସରେ ଖୋସାଗୁଡ଼ିକର ଷ୍ଟାଫଲିଂ ଓ ଗ୍ରେଡିଂ ପାଇଁ ଓମ୍ବାଡସି ପାଣ୍ଠିରୁ ସହାୟତା ଦିଆଯାଉଛି।

‘‘ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ଲାଗି ଟସର ଚାଷ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏଥିପାଇଁ ଚାଷୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଫଳରେ କେନ୍ଦୁଝର ଜିଲ୍ଲାରୁ ଉନ୍ନତ ମାନର ଟସର ଉତ୍ପାଦନ ହୋଇପାରୁଛି। ରାଜ୍ୟ ତଥା ରାଜ୍ୟ ବହାରେ କେନ୍ଦୁଝର ଟସରର ବିଶେଷ ପରିଚୟ ରହିଛି,’’ କହିଛନ୍ତି ଜିଲ୍ଲା ରେଶମ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ସଙ୍ଗୀତା ମିଞ୍ଜ।

୨୦୨୩-୨୪ ବର୍ଷରେ କେନ୍ଦୁଝର ଜିଲ୍ଲାରୁ ୨୦ ହଜାର ୫୦୦ କାହାଣ ବା ୩ କୋଟି ୨୮ ଲକ୍ଷରୁ ଅଧିକ ଟସର ଖୋସା ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଆହୁରି ଅଧିକ ଖୋସା ଉତ୍ପାଦନ କରିବାକୁ ରେଶମ ନିର୍ଦ୍ଦେଶାଳୟ ଲକ୍ଷ୍ୟ ରଖିଛି। ଟସର ଖୋସା ବିକ୍ରି କରିବା ପାଇଁ ସେରିଫେଡ୍ ପକ୍ଷରୁ ମୂଲ୍ୟ ସ୍ଥିରୀକୃତ ହୋଇଛି।

ଟିଆରସିଏସରୁ ଟସର ଖୋସାଗୁଡ଼ିକ ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାସ୍ଥିତ ଟସର ସିଲ୍କ ପାର୍କ ସହିତ ରାଜ୍ୟ ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି। ସେଠାରେ ଖୋସାରୁ ରେଶମ ସୂତା ବାହାର କରାଯାଇ ଆକର୍ଷଣୀୟ ପୋଷାକ ଓ ଶାଢ଼ି ପ୍ରସ୍ତୁତ କରାଯାଉଛି।

Categories
EDUCATION ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ବଦଳୁଛି ରୂପରେଖ

ଭୁବନେଶ୍ୱର/ସୁନ୍ଦରଗଡ଼: ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ହାଇସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ନୂଆ ରୂପ ଦିଆଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ହାଇସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ଓମ୍ବାଡସି ସହାୟତାରେ ୩୪୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ଆଇସିଟି ଲ୍ୟାବ୍ ଏବଂ ଇ-ଲାଇବ୍ରେରି ଆଦି ବ୍ୟବସ୍ଥା କରାଯାଇଛି।

ପିଲାମାନେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ିବା ସହ ଆଧୁନିକ ବିଜ୍ଞାନାଗାରରେ ଉପଲବ୍ଧ ନୂଆ ନୂଆ ବିଜ୍ଞାନ ଉପକରଣର ବ୍ୟବହାର କରୁଛନ୍ତି। ଆଇସିଟି ଲ୍ୟାବ ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ସ୍ତରରୁ କମ୍ପ୍ୟୁଟର ଶିକ୍ଷା ପାଉଛନ୍ତି। ସେହିପରି ଇ-ଲାଇବ୍ରେରି ସୁବିଧା ଯୋଗୁଁ ସେମାନେ ଦେଶ ଦୁନିଆ ବିଷୟରେ ଆଜି ଜାଣିପାରୁଛନ୍ତି।

‘‘ଶିକ୍ଷକମାନେ ଆମକୁ ସ୍କୁଲରେ ସ୍ମାର୍ଟ ବୋର୍ଡ ସାହାଯ୍ୟରେ ପାଠ ପଢ଼ାଉଛନ୍ତି। ଫଳରେ ପାଠ ବୁଝିବା ଅଧିକ ସହଜ ହେଉଛି। ଯେଉଁ ବିଷୟ ଆମେ କେବଳ ବହିରେ ପଢୁଥିଲୁ ଏବଂ ଚିତ୍ର ଦେଖୁଥିଲୁ ତାହାକୁ ଏବେ ବିଜ୍ଞାନାଗାରରେ ନିଜ ହାତରେ ପ୍ରୟୋଗ କରିପାରୁଛୁ। ଏହା ଦ୍ୱାରା ବିଜ୍ଞାନ ସମ୍ପର୍କରେ ଆମେ ଅଧିକ ଜ୍ଞାନ ପାଇପାରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ବରୁଆ।

ଓମ୍ବାଡସି ସହାୟତାରେ ସରକାରୀ ହାଇସ୍କୁଲରେ ଖେଳ ପଡ଼ିଆର ବିକାଶ ଓ କ୍ରୀଡ଼ା ଉପକରଣ ବ୍ୟବସ୍ଥା କରାଯାଉଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା କ୍ରୀଡ଼ା ପ୍ରତିଭା ଦେଖାଇବାର ସୁଯୋଗ ପାଉଛନ୍ତି। ଓମ୍ବାଡସି ସହଯୋଗରେ ରାଜ୍ୟର ୭ଟି ଖଣି ପ୍ରଭାବିତ ଜିଲ୍ଲାର ୧୬ ଶହରୁ ଅଧିକ ସରକାରୀ ହାଇସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ଯୋଡ଼ି ହୋଇଛି।

ଗ୍ରାମାଞ୍ଚଳର ପିଲାଙ୍କୁ ଇଂଲିସ୍ ମିଡିୟମ ସ୍କୁଲ ଢାଞ୍ଚାରେ ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରତି ବ୍ଲକରେ ପ୍ରତିଷ୍ଠା କରାଯାଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଳକରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଦେଉଛି।

‘‘ଘରୋଇ ସ୍କୁଲଠାରୁ ଆମ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ହୋଇପାରୁଛି’’, କହିଛନ୍ତି ସିମଡେଗାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆଶିଷ କୁମାର ନାୟକ। ଏଥିପାଇଁ ସେ ଓମ୍ବାଡସିକୁ ଧନ୍ୟବାଦ ଜଣାଇଛନ୍ତି।

ଓମ୍ବାଡସି ସହାୟତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ଲାଗି ହଷ୍ଟେଲ ନିର୍ମାଣ କରାଯାଉଛି। ଦୂରବାଟ ଯୋଗୁଁ ଯେଉଁମାନେ ଦିନେ ସ୍କୁଲକୁ ଆସିବାକୁ ଅସୁବିଧା ହେଉଥିଲା, ଆଜି ସେମାନେ ହଷ୍ଟେଲରେ ରହି ସୁବିଧାରେ ପାଠ ପଢ଼ିପାରୁଛନ୍ତି। ସେହିପରି କିଚେନ୍, ଡାଇନିଙ୍ଗ ହଲ୍ ଓ ସାଇକେଲ୍ ଷ୍ଟାଣ୍ଡ ଆଦି ନିର୍ମାଣ କରାଯାଇଥିବାରୁ ସ୍କୁଲ ପରିବେଶ ଆହୁରି ଆକର୍ଷଣୀୟ ହୋଇପାରୁଛି।

‘‘ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସ୍ୱାଗତଯୋଗ୍ୟ। ଏଭଳି ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରୁଛି। ଫଳରେ ସେମାନେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ।

ହାଇସ୍କୁଲ ରୂପାନ୍ତରଣ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଧୁନିକୀକରଣ ଯୋଗୁଁ ଓଡ଼ିଶାର ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଶିକ୍ଷାର ମାନ ଉନ୍ନତ ହୋଇପାରିଛି। ଏଥିରେ ଆର୍ଥିକ ସହାୟତା ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ବାଟ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ଓମ୍ବାଡସି।