Categories
ଆଜିର ଖବର ସ୍ବାସ୍ଥ୍ୟ

ସଚେତନତା ସୃଷ୍ଟି ନିମନ୍ତେ ସମ୍ ହସ୍ପିଟାଲ୍‌ରେ ଏକତ୍ରିତ ହେଲେ ସର୍ଜନ୍‌

ଭୁବନେଶ୍ୱର: ଭାରତର ପ୍ରଥମ ମାକ୍ସିଲୋଫେସିଆଲ୍ ସର୍ଜନ୍ ଡାକ୍ତର ମିନୁ ସୋରାବ୍‌ଜୀ ଗିନ୍‌ୱାଲାଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନର ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍‌ମାନେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଓ ସମ୍ ହସ୍ପିଟାଲ୍‌ରେ ଏକତ୍ରିତ ହୋଇ ଏହି ଅସ୍ତ୍ରୋପଚାରର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରି ସଚେତନତା ସୃଷ୍ଟି କରିଥିଲେ।

ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍‌ସ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖାର ସଦସ୍ୟମାନେ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖରେ ଡାକ୍ତର ଗିନ୍‌ୱାଲାଙ୍କ ଜନ୍ମ ଦିନକୁ ପାଳନ କରିବା ସହ ଏହି ବିଶେଷ ଚିକିତ୍ସା ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିଥାନ୍ତି।

ଡେଂଟିଷ୍ଟ୍ରିର ୯ଟି ବିଶେଷତ୍ୱ ମଧ୍ୟରୁ ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜରୀ ହେଉଛି ଏକ ସର୍ଜିକାଲ୍ ଶାଖା ଯାହା ମୁଣ୍ଡ, ବେକ, ମୁହଁ, ପାଟି ଏବଂ ଓରାଲ୍ ଓ ମାକ୍ସିଲୋଫେସିଆଲ୍ ଅଂଶର ବିଭିନ୍ନ କଠିନ ଏବଂ ନରମ କୋଷିକା ଗୁଡ଼ିକରେ ସୃଷ୍ଟି ହେଉଥିବା ବିଭିନ୍ନ ରୋଗ, ଆଘାତ ଓ ସମସ୍ୟାର ଉପଚାର ନିମନ୍ତେ ଉଦ୍ଧିଷ୍ଟ ଅଟେ।

କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌, ଭୁବନେଶ୍ୱର ସ୍ଥିତ ହାଇ-ଟେକ୍ ଡେଂଟାଲ୍ କଲେଜ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍‌ମାନେ ଏଥିରେ ଯୋଗ ଦେଇଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଶୋଭନ୍ ମିଶ୍ର, ଅଲ୍ ଓଡ଼ିଶା ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଅଫ୍ ଇଣ୍ଡିଆ, ଓଡ଼ିଶା ଶାଖାର ସଭାପତି ଡାକ୍ତର ସ୍ୱର୍ଣ୍ଣାଭ ପଟ୍ଟନାୟକ, ସଂପାଦକ ଡାକ୍ତର ସ୍ତିତିପ୍ରଜ୍ଞ ଲେଙ୍କା ଏବଂ କୋଷାଧ୍ୟକ୍ଷ ଡାକ୍ତର ପ୍ରତିକ ତ୍ରିପାଠୀ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଙ୍କୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଏବଂ ଡାକ୍ତର ସୁଧାଂଶୁ ଷଢ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖଗହ୍ୱର କର୍କଟ ରୋଗର ନିରାକରଣ, ସଡକ ସୁରକ୍ଷା ଏବଂ ଘରୋଇ ହିଂସା ବିଷୟରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ହାଇ-ଟେକ୍ ଡେଂଟାଲ୍ କଲେଜର ଅଧ୍ୟକ୍ଷ ଡାକ୍ତର ସଂଗ୍ରାମ ପାତ୍ର, ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲ୍‌ର ଆସୋସିଏଟ୍ ପ୍ରଫେସର ଡାକ୍ତର ନିରଞ୍ଜନ ମିଶ୍ର, ହାଇ-ଟେକ୍ ଡେଂଟାଲ୍ କଲେଜର ଓଏମ୍‌ଏଫ୍‌ଏସ୍ ବିଭାଗର ମୁଖ୍ୟ ଡାକ୍ତର ସନ୍ଦୀପ୍ ସାମଲ୍‌,
କିଡ୍‌ସର ଓଏମ୍‌ଏଫ୍‌ଏସ୍ ବିଭାଗର ମୁଖ୍ୟ ଡାକ୍ତର ଲେହରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଚାରୋଟି ମେଡିକାଲ୍ କଲେଜର ଡେଂଟାଲ୍ ସର୍ଜନମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ, କୁଇଜ୍‌, ମୁଖ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କେବଳ ସେତିକି ନୁହେଁ ଲୋକମାନଙ୍କୁ ମୁଖଗହ୍ୱର କ୍ୟାନ୍ସର ଏବଂ ଟ୍ରାଫିକ୍ ନିୟମ ବିଷୟରେ
ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଉଭୟ ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲ୍ ଏବଂ ଆଇଡିଏସ୍ ପରିସରରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।

ଆଇଡିଏସ୍ ପକ୍ଷରୁ ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଡାକ୍ତର ସନ୍ତୋଷ ସୁବୁଦ୍ଧି, ଡାକ୍ତର ସୁବ୍ରତ ପଢ଼ିଆରୀ, ଡାକ୍ତର ସତ୍ୟବ୍ରତ ପଟ୍ଟନାଏକ, ଡାକ୍ତର ପ୍ରତୀକ୍ଷା କୋଠିଆ ଏବଂ ଡାକ୍ତର ସ୍ତିତି ପ୍ରଜ୍ଞ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ।