Categories
ଆଜିର ଖବର ରାଜ୍ୟ ଖବର ସିନେମା

ଖୋର୍ଦ୍ଧା: ଓଡିଆ ପୌରାଣିକ ଧାରାବାହିକ ‘ମହାଲକ୍ଷ୍ମୀ’ ସୁଟିଂ ସେଟରେ ଭୟାବହ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅ ସ୍ଥିତ ଘରୋଇ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତିରେ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଲିଭା କାମରେ ବେଗୁନିଆ ଓ ଖୋର୍ଦ୍ଧାର ଅଗ୍ନିଶମବାହିନୀ ନିୟୋଜିତ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ସାରୁଅ ଶିଳ୍ପାଞ୍ଚଳରେ ଥିବା ଘରୋଇ ଷ୍ଟୁଡିଓର ୪ ନମ୍ବର ସେଟରେ ଗତକାଲି ବିଳମ୍ବିତ ରାତିରେ ଓଡିଆ ପୌରାଣିକ ଧାରାବାହିକ ‘ମହାଲକ୍ଷ୍ମୀ’ ସୁଟିଂ ଶେଷ ହୋଇଥିଲା ବୋଲି ଜଣାପଡିଛି। କିନ୍ତୁ ଆଜି ସକାଳୁ ସେଠାରେ ନିଆଁ ଲାଗିଥିବା ଜଣାପଡିବା ପରେ ପ୍ରଥମେ ବେଗୁନିଆ ଓ ପରେ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାମରେ ଲାଗିଛି।

ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଅଗ୍ନିଶମ ବାହିନୀ ଭିତରେ ପଶି ନିଆଁ ଲିଭାଇବା କଷ୍ଟସାଧ୍ୟ ହୋଇଥିଲା। ଷ୍ଟୁଡିଓ ଭିତରେ ଥିବା ସବୁ ସାମଗ୍ରୀ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମକୁ ଭିତରକୁ ଛଡା ଯାଉନଥିବା ବେଳେ ଷ୍ଟୁଡିଓ ଭିତରେ କିଏ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନି।

ସେହିପରି ସଂସ୍ଥା ପାଖରେ ଫାୟାର ସେଫଟିର ଅନୁସଙ୍ଗିକ ବ୍ୟବସ୍ଥା ଥିଲା କି ନାହିଁ ତାହା ବଡ଼ ପ୍ରଶ୍ନ ପାଲଟିଛି। ବିଶେଷକରି ଏତେବଡ ଅଘଟଣ କିପରି ଘଟିଲା ଏବଂ ଅଗ୍ନିକାଣ୍ଡର ପକୃତ କାରଣ କଣ ତାହା ସ୍ପଷ୍ଟ ହାଇପାରିନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଫକୀର ମୋହନଙ୍କ “ରସଗୋଲା’

ଅସୀତ ମହାନ୍ତି

ଓଡ଼ିଆ ସାହିତ୍ୟର ଇତିହାସରେ ୨୦୧୮ ବର୍ଷ ଥିଲା ଏକ ବିରଳ ସଂଯୋଗର ବର୍ଷ। କାରଣ ସେବର୍ଷଟି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁର ୧୦୦ ବର୍ଷ। ସେ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଛୋଟବଡ଼ ଅନେକ ଅନୁଷ୍ଠାନ ପକ୍ଷରୁ କେତେକ ଛୋଟବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସମେତ ରାଜ୍ୟ ଓ ଦେଶର କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସଭା, ସେମିନାର ଆଦି ଆୟୋଜନ ହୋଇଛି।

ଏ ପ୍ରସଙ୍ଗରେ ଆଉ ଏକ ଭିନ୍ନ ଦୃଷ୍ଟିର ସଂଯୋଗ ହେଉଛି- ଯେଉଁ ଜାନୁଆରୀ ୧୪, ମକର ସଂକ୍ରାନ୍ତି ତିଥି ଫକୀରମୋହନ ସେନାପତିଙ୍କ ଆବିର୍ଭାବ ଦିବସ, ଠିକ୍‍ ଦୁଇମାସ ତଳେ, ନଭେମ୍ୱର ମାସର ସେହି ୧୪ ତାରିଖ ଦିନରେ ପଶ୍ଚିମବଙ୍ଗ “ବାଂଲାର ରସଗୋଲ୍ଲା’ ପାଇଁ ଭୌଗୋଳିକ ପରିଚିତି (ଜି.ଆଇ.) ମାନ୍ୟତା ପାଇଛି। ଏହି ପରିପ୍ରେକ୍ଷୀରେ “ଫକୀରମୋହନଙ୍କ ରସଗୋଲା’ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ।

ଫକୀରମୋହନଙ୍କ ଜୀବନ ଓ ସାହିତ୍ୟର ଏକ ବିଶେଷତ୍ୱ ହେଉଛି, ଯେଉଁ କାଳଖଠରେ ସେ ଜୀବିତ ଓ ସୃଷ୍ଟିଶୀଳ ଥିଲେ, ସେହି ସମୟ ଥିଲା ଓଡ଼ିଆ ଅସ୍ମିତାର ଏକ ସନ୍ଧିକାଳ ଏବଂ ସେ ତାଙ୍କର ସାଧ୍ୟମତେ ଏହି ଅସ୍ମିତାର ଉଦ୍‍ବୋଧନପାଇଁ ଉଦ୍ୟମ କରିଥିଲେ। ସେଇଥିପାଇଁ, ତାଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁ ଶତବାର୍ଷିକୀ ଅବସରରେ, ସେ ସର୍ବାଧିକ ସଂଜୀବିତ ଥିବାପରି ମନେ ହେଉଛନ୍ତି।

ଏ ପ୍ରସଙ୍ଗରେ ଆହୁରି ଏକ ବିରଳ ସଂଯୋଗ ହେଉଛି, ଏ ଭିତରେ ଫକୀର ମୋହନଙ୍କ “ଉତ୍କଳଭ୍ରମଣଂ’ର ମଧ୍ୟ ୧୨୬ ବର୍ଷ ପୂର୍ଣ୍ଣ ହୋଇଛି। ଏ ସଂପର୍କିତ ବିବରଣୀରୁ ଜଣାଯାଏ, ୧୮୯୨ ମସିହା ଫେବୃଆରି ମାସରେ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ର ପହିଲି ଗସ୍ତ ଲିଖିତ ହୋଇ, ଆନନ୍ଦପୁର ପ୍ରେସ୍‍ରୁ ପ୍ରକାଶ ପାଇଥିଲା। ତାହା ପ୍ରକାଶ ପାଇଥିଲା ବିନା ମୂଲ୍ୟରେ ବିତରିତ ହେବାପାଇଁ ଏବଂ ପୁସ୍ତକର ସୂଚନା ଅନୁସାରେ ତାହା ଥିଲା “କେନ ଉତ୍କଳପୁତ୍ରେଣ ବିରଚିତ’। ପୁସ୍ତକର ବର୍ଣ୍ଣନା ଶୈଳୀ ଓ ବିଷୟ ପ୍ରକରଣ ଏପରି ଅଭିନବ ଥିଲା ଯେ ସେତେବେଳେ ନୀଳମଣି ବିଦ୍ୟାରତ୍ନ ତାହାକୁ “ସମ୍ୱଲପୁର ହିତୈଷିଣୀ’ରେ କ୍ରମାନ୍ୱୟରେ ପୁନର୍ମୁଦ୍ରଣ କରିଥିଲେ। ପରବର୍ତ୍ତୀ କାଳରେ, ସେହିବର୍ଷ ଜୁଲାଇ ମାସରେ “ଉତ୍କଳ ଭ୍ରମଣଂ’ର ଦୁସରା ଗସ୍ତ ବାଲେଶ୍ୱରର ଉତ୍କଳ ପ୍ରିଣ୍ଟିଂ ପ୍ରେସରେ ମୁଦ୍ରିତ ହୋଇ ପ୍ରକାଶ ପାଇଲା। ପହିଲିଗସ୍ତ ପରି ଏହି ଦୁସରା ଗସ୍ତ ମଧ୍ୟ ବିନାମୂଲ୍ୟରେ ବିତରିତ ହେବାପାଇଁ ଉଦ୍ଦିଷ୍ଟ ଥିଲା। ପରେ ୧୮୯୯ ଓ ୧୯୧୬ରେ ଯଥାକ୍ରମେ ତାହାର ଦ୍ୱିତୀୟ ଓ ତୃତୀୟ ସଂସ୍କରଣ ଏବଂ ୧୯୨୫ରେ ତାଙ୍କ ପୁତ୍ର ମୋହିନୀମୋହନ ସେନାପତିଙ୍କ ଦ୍ୱାରା ଚତୁର୍ଥ ସଂପାଦିତ ସଂସ୍କରଣ ପ୍ରକାଶ ପାଇଥିଲା।

“ଉତ୍କଳ ଭ୍ରମଣଂ’ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଆଦିର ଏକ ଅମୂଲ୍ୟ ଦଲିଲ। ଏଥିରେ ପ୍ରାୟ ୯୦ ଜଣ ବିଶିଷ୍ଟ ବ୍ୟକ୍ତି, ପ୍ରାୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ କେତେକ ଗୋଷ୍ଠୀ ଓ ଅନୁଷ୍ଠାନ ସଂପର୍କରେ ବ୍ୟଞ୍ଜନାପୂର୍ଣ୍ଣ ଆଲେଖ୍ୟ ଅଛି। ଏପରିକି ପୁରୀ ମନ୍ଦିର ଓ ତାହାର ଚଳନ୍ତି ବ୍ୟବସ୍ଥା ବାବଦରେ ମଧ୍ୟ ଫକୀରମୋହନ ଅତ୍ୟନ୍ତ କଠୋର ମତ, ମନ୍ତବ୍ୟ ଦେଇଛନ୍ତି।

ତେବେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଯେଉଁ ୧୮୯୨ ବର୍ଷର ଜୁଲାଇ ମାସରେ ଏହା ପ୍ରଥମେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା, ତାହାର ପର ମାସରେ, “ଉତ୍କଳ ଦୀପିକା’ର ଅଗଷ୍ଟ ୨୭ ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା ତାହାର ଏକ ରୋଚକ ସମୀକ୍ଷା  ଢେଙ୍କାନାଳଗଡ଼ରୁ ୧୬ ଅଗଷ୍ଟ ୧୮୯୨ରେ ପ୍ରେରିତ ସେହି ସମୀକ୍ଷା ପଦ୍ୟାକାରରେ ରଚିତ ଏବଂ ତାହା ଢେଙ୍କାନାଳ ରାଜବଂଶଜ ଦାମୋଦର ପଟ୍ଟନାୟକ ଲେଖିଥିବା ଜଣାଯାଏ। କୌତୁକର ବିଷୟ ହେଉଛି- “ଉତ୍କଳ ଭ୍ରମଣଂ’ରୁ ଗୋଟିଏ ପଙ୍‍କ୍ତି ନେଇ ଏବଂ ତା’ ସହିତ ଆଉ ଗୋଟିଏ ପଙ୍‍କ୍ତି ଯୋଡ଼ି, ସେ ସେହି ସମୀକ୍ଷାର ଶୀର୍ଷକକୁ ଏକ ପଦର ରୂପ ଦେଇଛନ୍ତି। ସେହି ପଦଟି ହେଉଛି-

“ନିନ୍ଦା ଯଶ ଗନ୍ଧ ବାସ ରୁହେ ନାହିଁ ଢଙ୍କା

ଏ ପରି କବିତା ପାଇଁ ନଲାଗଇ ଟଙ୍କା।”

କିନ୍ତୁ “ରସଗୋଲା’କୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଏବେ ଜାରି ରହିଥିବା ବିବାଦ ପରିପ୍ରେକ୍ଷୀରେ, ସେହି ସମୀକ୍ଷାର ପ୍ରଥମ ଦୁଇପଦ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ। ସେଥିରେ ସେ ଲେଖିଛନ୍ତି-

“”ପଢ଼ିଲି ପଢ଼ିଲି ମୁହିଁ ଉତ୍କଳ ଭ୍ରମଣ।

ଓଡ଼ିଆରେ ବହୀ ଖଠେ ଏକା ଏକୁ ଗଣ।

ଖଟା ମିଠା ସବୁ ଅଛି ଚୁଡ଼ା ରସଗୋଲ୍ଲା।

କିଏ ବା ହୋଇଛି ତହିଁ ଅଲ୍ଲା ବିସମୁଲ୍ଲା।”

ଅବଶ୍ୟ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ରେ “ଚୁଡ଼ା’ ସହିତ “ଚିତଉ’ ଆଦି “ପିଠା’ ଓ “ଲଡ଼ୁ’ ଆଦି ନାନାଜାତି “ମିଠା’ ଏବଂ “ଛେନାବରା’ ପରି ଅନ୍ୟ କେତେକ ଖାଦ୍ୟଦ୍ରବ୍ୟର ବର୍ଣ୍ଣନା ଅଛି- କିନ୍ତୁ “ରସଗୋଲା’ (ରସଗୋଲ୍ଲା) ମିଳେ ନାହିଁ। କିନ୍ତୁ ପ୍ରମୋଦ ପଟ୍ଟନାୟକ ଏହା ଲେଖିଛନ୍ତି ପ୍ରତୀକାତ୍ମକ ଭାବରେ ଏବଂ ଖଟା, ମିଠା, ଚୁଡ଼ା, ରସଗୋଲ୍ଲା, ଅଲ୍ଲା, ବିସମୁଲ୍ଲା- ସବୁ ସେଥିରେ ଏକ ଏକ ପ୍ରତୀକ ଭାବରେ ବ୍ୟବହୃତ ହୋଇଛନ୍ତି। ଏହା ମଧ୍ୟ ସୂଚାଏ ଯେ ୧୮୯୨ରେ “ଉତ୍କଳ ଭ୍ରମଣଂ’ର ରଚନାର ବହୁ ପୂର୍ବରୁ, ଚୁଡ଼ା ଏକ ସାଧାରଣ ଖାଦ୍ୟ ଭାବରେ ଓ ରସଗୋଲା ଏକ ସଂଭ୍ରାନ୍ତ ମିଷ୍ଟାନ୍ନ ଭାବରେ ଓଡ଼ିଶାରେ ସୁପ୍ରଚଳିତ ଥିଲା।

ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ “ରସଗୋଲା’ର ପ୍ରାଚୀନତା ନେଇ ଚାଲିଥିବା ବିତର୍କର ଅନୁଧ୍ୟାନ କଲେ ଜଣାଯାଏ ଯେ ଉଭୟ ରାଜ୍ୟ ପକ୍ଷରୁ ଏ ବାବଦରେ ନିଜ ନିଜ ସାହିତ୍ୟର ପ୍ରମାଣକୁ ମଧ୍ୟ ଗୁରୁତ୍ୱ ଦିଆ ହୋଇଆସିଛି। କଲିକତାର “ଗାଙ୍ଗଚିଲ’ ପ୍ରକାଶନ ପକ୍ଷରୁ ପ୍ରକାଶିତ ବଙ୍ଗଳା ବହି (ରସଗୋଲ୍ଲା- ବାଂଲାର ଜଗତମାତାନୋ ଆବିଷ୍କାର)ରେ “ରସଗୋଲ୍ଳା’ର ସର୍ବପ୍ରାଚୀନ ସାହିତ୍ୟକ ଉଲ୍ଲେଖ ଅଛି ବୋଲି କୁହାଯାଇଛି। ସେହି ପ୍ରମାଣ ହେଉଛି “ରସିକତା’ ପତ୍ରିକାର ୧୮୯୬ ମସିହା, ପ୍ରଥମ ଭାଗରେ ପ୍ରକାଶିତ “ରସଗୋଲାର ସ୍ତବ’ କବିତା। ରାଖାଲ ଦାସ ଅଧିକାରୀ ତାହାର ରଚୟିତା। ଯେ କେହି ବ୍ୟକ୍ତି “ରସଗୋଲ୍ଲା’ ନାମକ ଏକ ମିଠା ଖାଇ ତାହାର ସ୍ୱାଦରେ ମୁଗ୍ଧ ହୋଇ ଏପରି କବିତା ଲେଖିବା କିଛି ଅସ୍ୱାଭାବିକ ନୁହେ। ଅପରପକ୍ଷେ, ଏହି ଲେଖକର “ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହି (ପ୍ରକାଶକ, ଆମ ଓଡ଼ିଶା)ରେ ପଞ୍ଚଦଶ ଶତାବ୍ଦୀ ଶେଷଭାଗର ବଳରାମ ଦାସଙ୍କ “ଦାଣ୍ଡି ରାମାୟଣ’କୁ ଓଡ଼ିଶାର ପ୍ରମାଣ ରୂପେ ଉପସ୍ଥାପିତ କରାଯାଇଛି। “ଦାଣ୍ଡି ରାମାୟଣ’ର “ଅଯୋଧ୍ୟା କାଣ୍ଡ’ରେ ଥିବା ବର୍ଣ୍ଣନା ଅନୁସାରେ, ଭରତ, ଶତ୍ରୁଘ୍ନ ଓ ଅନ୍ୟମାନଙ୍କୁ ଭରଦ୍ୱାଜ ମୁନି ତାଙ୍କ ଆଶ୍ରମରେ ଯେଉଁସବୁ ଖାଦ୍ୟ ଦ୍ରବ୍ୟ ପରଷିଛନ୍ତି, ତା’ ମଧ୍ୟରେ ବହୁ ଓଡ଼ିଆ ଖାଦ୍ୟ ସହିତ ରସଗୋଲା ରହିଛି। “ଅଯୋଧ୍ୟା କାଣ୍ଡ’ର ସେହି ପଦରୁ କେତୋଟି ହେଉଛି-

“ନାଡ଼ୀ ସରପୁଳି ଯେ ଆରିଷା ଛେନାପୁରୀ।

କାକରା ଛେନା ଲଡ଼ୁ ଯେ ମାଲପୁଆ ପୁରୀ।

ସଜମରା ଘିଅ ଆଣି ଦ୍ୟନ୍ତି ବଢ଼ାବଢ଼ା

ଗଜା କଚୁରୀ ପଣସ ଖୋସା ବୀରିବରା।।

କୋରା ରସଗୋଲା ଯେ ଅମୃତ ରସାବଳୀ।

ମଠା ନାନମାନ ଅମୃତପାଣି କଦଳୀ।”

ପ୍ରାୟ ୫୦୦ ବର୍ଷ ତଳର ଏହି ପ୍ରାଚୀନ ପ୍ରମାଣ ବ୍ୟତୀତ, ଆଧୁନିକ ସାହିତ୍ୟର ପ୍ରମାଣ ଭାବରେ ଓଡ଼ିଆ “ରସଗୋଲା’ ବହିରେ ଦିଆଯାଇଛି “ଇନ୍ଦ୍ରଧନୁ’ ପତ୍ରିକାର ୧୮୯୩ ମସିହା, ଡିସେମ୍ୱର ୧୪ ସଂଖ୍ୟାରେ ପ୍ରକାଶିତ “ବାଲିଯାତ୍ରା’ କବିତା। ସେହି ଦୀର୍ଘ କବିତାରେ କଟକର ଇତିହାସ-ପ୍ରସିଦ୍ଧ ବାଲିଯାତ୍ରାର ବିଶଦ ବର୍ଣ୍ଣନା ସହିତ ସେଠାରେ ବିକ୍ରି ହେଉଥିବା ଗୁଡ଼ିଆସାହୁ ଦୋକାନ ଓ ସେଥିରେ ବିକ୍ରି ହେଉଥିବା “ରସଗୋଲା’ର ବର୍ଣ୍ଣନା ରହିଛି। ତାହାର ୩୫ ଓ ୩୬ ପଦରେ କୁହାଯାଇଛି-

“ଗୁଡ଼ିଆ ସାହୁର                  ମିଠାଇ ଦୋକାନ

ହୋଇଅଛି ବଡ଼ ଜାକଜମକ

ଲଡ଼ୁ ରସଗୋଲା                 ବରଫି, ଜଲପି

ପୁଣି ତେଜପତ୍ର ପୋଡ଼ା ପିଷ୍ଟକ। (୩୫)

କଞ୍ଚାଗୋଲା ସର-               ପୁଳି ମାଲପୁଆ

ମୋହନଭୋଗ ଯେ ଲାଲମୋହନ

କେତେ କି କହିବା                ଦେଖି ନଖାଇଲେ

ପାଟିରୁ ବହିବ ଲାଳ ବହନ।”

ଏହା ବଙ୍ଗୀୟ ‘ରସଗୋଲ୍ଲା’ର ୧୮୯୬ ମସିହା ପ୍ରମାଣର ତିନିବର୍ଷ ପୂର୍ବର ପ୍ରମାଣ।

କିନ୍ତୁ ‘ଉତ୍କଳଭ୍ରମଣଂ’ର ଉପର ସୂଚିତ ସମୀକ୍ଷା ଏହାର ଆହୁରି ପ୍ରାଚୀନ ପ୍ରମାଣ। କାରଣ ଏହା ବଙ୍ଗଳା ‘ରସିକତା’ ପତ୍ରିକାର ‘ରସଗୋଲ୍ଲାର ସ୍ତବ’ କବିତାର ଚାରିବର୍ଷ ପୂର୍ବରୁ (୧୮୯୨)ପ୍ରକାଶିତ ଏବଂ କେବଳ ‘ରସଗୋଲା’ ନୁହେ, ରସଗୋଲାର ପ୍ରତୀକାତ୍ମକତାର ସୂଚକ।

କିନ୍ତୁ ଫକୀରମୋହନଙ୍କ ରଚନାରୁ ‘ରସଗୋଲା’ର ଆଉ ଏକ ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ମିଳେ। ତାହା ହେଉଛି- ତାଙ୍କର ଏକ ଭ୍ରମଣ-ବୃତ୍ତାନ୍ତ ‘ଓୟାଲ୍‍ଟେୟାର ଦର୍ଶନ’। ତାହା ‘ଉତ୍କଳ ସାହିତ୍ୟ’ର ୭ମ ବର୍ଷ, ୧ମ ସଂଖ୍ୟା, ୧୩୧୦-୧୧ ସାଲ (୧୯୦୪)ରେ ପ୍ରକାଶିତ। ଏ ସଂପର୍କିତ ବିବରଣୀରୁ ଜଣାଯାଏ ଯେ ଏପ୍ରିଲ୍‍ ୧୧ ଓ ୧୨ ତାରିଖ ଦୁଇଦିନ ବ୍ରହ୍ମପୁରଠାରେ ‘ଗଞ୍ଜାମ ଜାତୀୟ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା ଏବଂ ମଧୁସୂଦନ ଦାସ ଓ ବିଶ୍ୱନାଥ କର ପ୍ରମୁଖଙ୍କ ସହିତ ଫକୀରମୋହନ ସେହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀ ପରେ ସେଠାରେ କିଛିଦିନ ଅବସ୍ଥାନ କରିବା ପରେ, ଯୁବରାଜ ବିକ୍ରମଦେବ ବର୍ମା (୧୮୬୯-୧୯୫୧)ଙ୍କ ନିମନ୍ତ୍ରଣକ୍ରମେ ସେ ଓ୍ୱାଲଟିୟର ଯାଇଥିଲେ। ଏ ସଂପର୍କରେ ସେହି ଭ୍ରମଣ ବୃତ୍ତାନ୍ତରେ ସେ ଲେଖିଛନ୍ତି- ‘‘ଉତ୍କକର ଶିକ୍ଷିତ, ସ୍ୱଦେଶବତ୍ସଳ ସୁସନ୍ତାନମାନେ ଗତ ଏପ୍ରିଲ୍‍ ମାସ ୧୧/୧୨ ତାରିଖରେ ବ୍ରହ୍ମପୁରଠାରେ ମାତୃସେବା ସମାପ୍ତ କରି ସ୍ୱସ୍ୱ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କଲା ଉତ୍ତାରେ ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ଗ୍ରହଣ କରି କିଛିଦିନ ସେହିଠାରେ ଅବସ୍ଥାନ କରି ଏପ୍ରିଲ୍‍ ମାସ ୨୪ ତାରିଖ ଦିନ ଦିବା ୧୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଟିକିଟ କ୍ରୟ କରି ମାନ୍ଦ୍ରାଜଗାମୀ ଟ୍ରେନ୍‍ରେ ଯାତ୍ରା କଲୁଁ। ସନ୍ଧ୍ୟା ୭ ଘଟିକା ସମୟରେ ଟ୍ରେନ୍‍ ଓୟାଲ୍‍ଟେୟାରରେ ଉପସ୍ଥିତ ହେଲା।… ପ୍ରିନ୍‍ସ ବିକ୍ରମ ଦେଓ ବର୍ମାଙ୍କ ପ୍ରେରିତ ବାବୁ ବଡ଼ ନିନା ଦେଓ ଆମ୍ଭମାନଙ୍କ ଅପେକ୍ଷାରେ ପ୍ଲାଟଫର୍ମରେ ଦଣ୍ଡାୟମାନ ଥିଲେ। ଟ୍ରେନରୁ ଅବତରଣ କଲା ମାତ୍ରକେ ତାଙ୍କ ସହିତ ସାକ୍ଷାତ ହେଲା। ବାବୁ ନିନା ଦେଓ ଆମ୍ଭମାନଙ୍କୁ ଅତି ଯତ୍ନ ଓ ଆଦର ସହିତ ରାଜକୀୟ ଅଶ୍ୱଶକଟରେ ଘେନିଗଲେ। ଆମ୍ଭମାନଙ୍କ ବାସ ନିମନ୍ତେ ବିଶାଖାପତ୍ତନ ସହର ମଧ୍ୟଭାଗରେ ଗୋଟିଏ କ୍ଷୁଦ୍ର ସୁନ୍ଦର ଦ୍ୱିତଳ ଗୃହ ନିରୂପିତ ଥିଲା।… ଆହାରାଦି କରି ପରମାନନ୍ଦରେ ରାତ୍ରିଯାପନ କଲୁଁ।”

ଏହି ପରିପ୍ରେକ୍ଷୀରେ ସେଠାର ଦର୍ଶନୀୟ ସ୍ଥାନଗୁଡ଼ିକର ବର୍ଣ୍ଣନା ସମେତ, ସେଠାର ଖାଦ୍ୟ ରୁଚି ଓ ତାଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର ବର୍ଣ୍ଣନା ଅଛି। ଫକୀରମୋହନ ଲେଖିଛନ୍ତି, “ଦକ୍ଷିଣ ଦେଶସ୍ଥ ଅନ୍ୟାନ୍ୟ ସହର ପରି ଆମ୍ଭେମାନେ ବୈଜାଗ ସହରରେ ମଧ୍ୟ ଉପଯୁକ୍ତ ମିଷ୍ଟାନ୍ନ ଦୋକାନ ଦେଖିଲୁ ନାହିଁ। ଯେ ସମସ୍ତ ଦୋକାନ ଅଛି ତାହା ନେତ୍ର ତୃପ୍ତିକର ଓ ରୁଚିକର ବୋଲି ବୋଧ ହେଲା ନାହିଁ। ବୋଧହୁଏ ଆନ୍ଧ୍ରଲୋକେ ମିଷ୍ଟାନ୍ନକୁ ଏତାଦୃଶ ପସନ୍ଦ କରନ୍ତି ନାହିଁ। ଆମ୍ଭେମାନେ ସେଠାରେ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ରସଗୋଲା, କଚୁରୀ ଓ ପୁରୀ ପାଇ ଆଶ୍ଚର୍ଯ୍ୟବୋଧ କଲୁ। ସେସବୁ ପ୍ରିନ୍‍ସ ବିକ୍ରମ ଦେଓଙ୍କ ସ୍ୱଗୃହ ପ୍ରସ୍ତୁତ।”

ଫକୀରମୋହନଙ୍କର ଏହି ବର୍ଣ୍ଣନା ସ୍ପଷ୍ଟ ସୂଚାଏ ଯେ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ରସଗୋଲା ପରି ମିଠା ପ୍ରାୟ ପ୍ରଚଳିତ ନଥିବାବେଳେ, ଓଡ଼ିଶାରେ ଓ ସଂଭ୍ରାନ୍ତ ଓଡ଼ିଆ ପରିବାରରେ ରସଗୋଲା ସୁପ୍ରଚଳିତ ଥିଲା।

“ବାଂଲାର ରସଗୋଲ୍ଲା’ ପାଇଁ ପଶ୍ଚିମବଙ୍ଗ ଜି.ଆଇ. ମାନ୍ୟତା ପାଇବାକୁ ଏ ଭିତରେ ପ୍ରାୟ ୧୫ମାସ ବିତିଯିବାକୁ ବସିଛି। ଯଥେଷ୍ଟ ତଥ୍ୟ ପ୍ରମାଣ ମହଜୁଦ ଥିଲେ ମଧ୍ୟ ଓଡ଼ିଶା ସରକାର “ଓଡ଼ିଶାର ରସଗୋଲା’ ବା “ଜଗନ୍ନାଥ ରସଗୋଲା’ପାଇଁ ଜି.ଆଇ. ମାନ୍ୟତା ଦାବି ପାଇଁ ଯଥେଷ୍ଟ ଅବହେଳା ଦେଖାଇଥିଲେ। ବହୁ ବିଳମ୍ୱରେ ଏଥିପାଇଁ ଆବେଦନ କଲେ। ଫକୀରମୋହନଙ୍କ ରସଗୋଲା ପ୍ରସଙ୍ଗ ଓଡ଼ିଶାର ଦାବିକୁ ଆହୁରି ବଳିଷ୍ଠ କରିଛି। ତାଙ୍କ  ଓ୍ୱାଲଟିୟର ଭ୍ରମଣ ବୃତ୍ତାନ୍ତରେ ଏବଂ ତାଙ୍କ “ଉତ୍କଳ ଭ୍ରମଣଂ’ ବାବଦ ଆଲୋଚନାରେ “ରସଗୋଲା’ର ଉପସ୍ଥିତି, ରସଗୋଲା ଯେ ଓଡ଼ିଶାର ଏକ ପ୍ରାଚୀନ ଓ ସୁପ୍ରଚଳିତ ମିଷ୍ଟାନ୍ନ- ଏହାର ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ।

ଏଣୁ ଆଶା କରାଯାଏ, ଫକୀରମୋହନଙ୍କର ମୃତ୍ୟୁର ଶତବାର୍ଷିକୀର ସ୍ମୃତିରେ, ଅନ୍ତତଃ ତାଙ୍କର ସମ୍ମାନାର୍ଥେ ରାଜ୍ୟ ସରକାର ଓଡ଼ିଶାର ଏହି ଲୋକପ୍ରିୟ ମିଷ୍ଟାନ୍ନର ଜି.ଆଇ. ମାନ୍ୟତାପାଇଁ ଅଧିକ ତତ୍ପର ହେବେ।

Categories
ଆଞ୍ଚଳିକ

ବାଲୁଗାଁ: ଯୁକ୍ତ ୨ ପରୀକ୍ଷା ପ୍ରଥମ ଦିବସରେ ଦୁଇ ଜଣ ଅନୁପସ୍ଥିତ

ବାଲୁଗାଁ: ଆଜି ସାରା ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି। ୧୯ଟି ସିଟିଂରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ପ୍ରଥମ ଦିବସରେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା।

ପ୍ରଥମ ଦିବସରେ ବାଲୁଗାଁ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଦୀର୍ଘ ଦିନ ଧରି କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଯୋଗୁଁ ପାଠ୍ୟକ୍ରମ ସରି ନଥିବା ବେଳେ ପାଠ ପଢ଼ାପଢିରେ ଘୋର ବ୍ୟାଘାତ ହୋଇଥିବା କିଛି ଛାତ୍ରଛାତ୍ରୀ କହିଛନ୍ତି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ବେଳେ କପି ରୋକିବା ଦିଗରେ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିବା ଅଧିକ୍ଷକ ଜୟନ୍ତୀ ସାମଲ କହିଛନ୍ତି।

ଆଜିର ପରୀକ୍ଷାରେ ୮୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ଥିବା ଅଧ୍ୟକ୍ଷା କଳ୍ପନା ଦାସ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କେନ୍ଦ୍ରକୁ ସିସି ଟିଭି ପରିସର ଭୁକ୍ତ କରାଯିବା ସହ ପରୀକ୍ଷାରେ ଯେପରି କୌଣସି ତ୍ରୁଟି ନହେଉ ସେଥିପାଇଁ ପୁରା ବ୍ୟବସ୍ଥା କରାଯାଇଥିବା କଲେଜ ଅଧ୍ୟକ୍ଷା ଶ୍ରୀମତୀ ଦାସ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ- ୨୦୨୩”ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ  “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ – ୨୦୨୩”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଯୁବଗୋଷ୍ଠୀଙ୍କ ଭାବନାକୁ ସଠିକ୍ ଦିଗରେ ପ୍ରେରିତ କରିବା ଏବଂ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ। ଆମର ଜାତି, ସମାଜ, ଭାଷାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଭାବନା ଯୁବକଙ୍କ ମନରେ ତିଆରି କରିବାକୁ ପଡିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ମାଇ ଭାରତ ସଂଗଠନ ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ଏକଜୁଟ କରିବାର ବଡ ସୁଯୋଗ ଦେଇଛି।

ଭାରତ @୨୦୪୭ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ବିକଶିତ ଭାରତ ପାଇଁ ପଞ୍ଚ ପ୍ରଣର ସଂକଳ୍ପ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ଆଜିର ଯୁବପିଢିଙ୍କ କାନ୍ଧରେ ହିଁ ଦେଶ ଚରମ ବୈଭବକୁ ପହଞ୍ଚିବ। ଏଥିପାଇଁ ଆମକୁ ଦାସତ୍ୱ ଓ ବିଦେଶୀ ମାନସିକତାକୁ ଦୂର କରିବାକୁ ହେବ। ଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବାକୁ ହେବ। ଦେଶର ଏକତା ଓ ଅଖଣ୍ଡତାକୁ ଯେଭଳି କ୍ଷତି ନପହଞ୍ଚିବ, ସେଥିପାଇଁ ଆଗଭର ହେବାକୁ ପଡିବ। ନାଗରିକ ଭାବେ କେବଳ ଅଧିକାର ନୁହେଁ ବରଂ ସମାଜର କର୍ତ୍ତବ୍ୟ ଓ ଦାୟିତ୍ୱ ନେବା ପାଇଁ ପଡିବ। ଦାୟିତ୍ୱ ନେଲେ ହିଁ ୧୦ ଜଣଙ୍କ ଅଧିକାର ସୁରକ୍ଷିତ ରହିବ। ଚାକିରି କରିବା ପାଇଁ ନୁହେଁ, ଚାକିରି ଦେବା ପାଇଁ ପ୍ରସ୍ତୁତ ହେବା ପାଇଁ ପଡ଼ିବ। ଏଥିପାଇଁ ନିଜ ନିଜ ଢଙ୍ଗରେ ଯୋଜନା କରିବା ସହ ବଡ ଭାବିବା ଓ ବଡ ସ୍ୱପ୍ନ ଦେଖିବା ଦରକାର। ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାମାନେ ନିଜ ବିଷୟରେ ନୁହେଁ ବରଂ ପରିବାର ଓ ସମାଜ ପାଇଁ ଚିନ୍ତା କରିଥାଏ। ସାଧାରଣ ପରିବାରର ପିଲା ମାନେ ଏବେ ଅପାର ସମ୍ଭାବନାର ହିମାଳୟ ପର୍ବତର ଶିଖର ଛୁଇଁଛନ୍ତି।

ସାମାନ୍ୟ ଘର ପିଲାମାନେ ତଥା ବଲାଙ୍ଗୀରର ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ ମିଶନ ‘ଗଗନଯାନ’ର ଅଂଶ ହୋଇଛନ୍ତି। ଓଡ଼ିଆ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ସ୍ଥାନ ପାଇଛି। ଓଡ଼ିଆ ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଗବେଷଣା କରୁଥିବା ପ୍ରତୀକ ପଟ୍ଟନାୟକ ହୁଅନ୍ତୁ ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା ହୁଅନ୍ତୁ କିମ୍ବା ଓ୍ୱିକିପଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ ସେନାପତି ହୁଅନ୍ତୁ ସମସ୍ତେ ନିଜ ବଳରେ ଆଗକୁ ବଢିଛନ୍ତି। ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଦେବବ୍ରତ, ସ୍ମୃତିରଞ୍ଜନ, ରଶ୍ମିରଞ୍ଜନ, ଶୁଭକାନ୍ତ ଓ ଜ୍ଞାନରଞ୍ଜନ କରୋନା ସମୟରେ ଲୋକମାନେ କୋଭିଡ୍ ପରୀକ୍ଷା ନ କରୁନଥିବା ବେଳେ ଏହାର ସମାଧାନ ଚିନ୍ତା କରି ସେମାନେ ଏକ ଭିଡିଓ ତିଆରି କରି ସମାଜରେ ସଚେତନତା ସୃଷ୍ଟି କରିଥିଲେ।

୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଆଗାମୀ ୨୦୩୬ ଓ ୨୦୪୭ ପାଇଁ ଗାଁରୁ ରାଜ୍ୟ ପର୍ଯ୍ୟନ୍ତ ମୋର ଦାୟିତ୍ୱ କଣ, ତା’ ଉପରେ ବିଚାର କରି ଯୁବବର୍ଗମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଚିତ୍ରାଙ୍କନ, କବିତା ଲେଖନୀ, ବକ୍ତୃତା ଏବଂ ସାଂସ୍କୃତିକ କାର୍ଯକ୍ରମ ବ୍ୟତିତ ମୋବାଇଲ ଫଟୋଗ୍ରାଫି ଭଳି ନୂଆ ପ୍ରତିଯୋଗିତା ଯୋଡାଯାଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ସେ କହିତିୱେ  ଓଡ଼ିଶାର କଳା, ସଂସ୍କୃତିର ଅପାର ପ୍ରୟୋଗଶାଳା, ଅପାର ଭଣ୍ଡାର। ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ମାଧ୍ୟମରେ ଯେଉଁ ବିଜେତାମାନେ ଦିଲ୍ଲୀରେ ଜାତୀୟ ସ୍ତରରେ ଭାଗନେବେ,  ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ “ପାର୍ବଣରେ ସୁନାର ବର୍ଷା” ପ୍ରତିଯୋଗିତା

ଭୁବନେଶ୍ଵର: ଏହି ପାର୍ବଣ ମହୋତ୍ସବରେ, ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ହେବ ସୁନାର ବର୍ଷା। ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ପ୍ରଯୋଜିତ ଏହି ମେଗା ପ୍ରତିଯୋଗୀତା “ପାର୍ବଣରେ ସୁନାର ବର୍ଷା”।

ଅକ୍ଟୋବର ୫ରୁ ନଭେମ୍ବର ୨୦ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେବେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଲାଲଚାନ୍ଦ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ ମୁଦ୍ରା। ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିବ ଲାଲଚାନ୍ଦ ତରଫରୁ ୨୦ ଗ୍ରାମ ଓଜନର ସ୍ଵର୍ଣ ମୁଦ୍ରା। ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ ନାମ। ଜ଼ି ସାର୍ଥକ ଦେଖନ୍ତୁ, ସ୍ଵର୍ଣ ମୁଦ୍ରା ପାଆନ୍ତୁ। ଦର୍ଶକମାନେ ଏହି ପ୍ରତିଯୋଗୀତାର ସମ୍ପୂର୍ଣ୍ଣ ଲାଭ ଉଠାଇବାପାଇଁ ଜ଼ି ସାର୍ଥକର ପୁର ଟିମ୍ ଆଶା ପ୍ରକାଶ କରିଛନ୍ତି।

ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ ଆଗରୁ “ଦେଖିବା ନିତି ହେବା ଲକ୍ଷପତି” ପ୍ରତିଯୋଗିତା ବହୁତ ସଫଳ ହୋଇଥିଲା। ମନୋରଞ୍ଜନ ସହ ପରିବାର ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ପରି ପ୍ରତିଯୋଗୀତା ସବୁ ଏକ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ “ଦେଖିବା ନିତି, ହେବା ଲକ୍ଷପତି”: ମେଗା ବିଜେତା ହେଲେ କାବେରୀ ନାୟକ

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଏପ୍ରିଲ ୩ରୁ ଆରମ୍ଭ ହୋଇ ମେ ୨୭ ପର୍ଯନ୍ତ ଚାଲିଥିବା ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ର ମେଗା ବିଜେତା ଘୋଷଣା ହୋଇଛି। ନିୟମ ମୁତାବକ ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓଡିଆ ଦର୍ଶକ ଭାଗନେଇଥିଲେ ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଥିଲା।

ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ପ୍ରଯୋଜିତ ଏହି ମେଗା ପ୍ରତିଯୋଗୀତା ଆଇପିଏଲ୍ ସମୟରେ ପୁରା ୪୫ ଦିନ ଧରି ଜୀ-ସାର୍ଥକରେ ଚାଲିଥିଲା।

ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ ଦେଇଥିଲେ ଓ ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୨୪୦ ଜଣ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିଥିଲା।

ତେବେ ପୁରା ପ୍ରତିଯୋଗୀତାରେ ସର୍ବାଧିକ ସଠିକ ଉତ୍ତର ଦେଇଥବା ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ଧନରାଶି ମିଳିବ ବୋଲି ମୂଳରୁ କୁହାଯାଇଥିଲା ଯାହାର ବିଜେତା ହୋଇଛନ୍ତି କାବେରୀ ନାୟକ।

ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ହୋଟେଲ ନିଉ ମାରୀୟନରେ ଲାଲଚାନ୍ଦର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୟ ହଂସ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଧନରାଶି ପ୍ରଦାନ କରିଥିଲେ। ବହୁ ସଂଖ୍ୟାରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ଜୀ-ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଦର୍ଶକଙ୍କ ମନ ମୋହିଲା ଓଡିଆରେ ପ୍ରଥମ ମ୍ୟୁଜିକାଲ ପ୍ଲେ “ଦେବଦାସ” 

ଭୁବନେଶ୍ଵର: ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେଲା ମ୍ୟୁଜିକାଲ ପ୍ଲେ “ଦେବଦାସ”।  ଅରୋମିରା ଏଣ୍ଟରଟେନମେଣ୍ଟ , ଆମରା ମ୍ୟୁଜିକ ସହଭାଗିତା ରେ ଆଣିଲା ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଉପଭୋଗ କରିଥିଲେ। ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ୍ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, “ଦେବଦାସ” ର ମୁଖ୍ୟ ଭୂମିକା ବା ଦେବଦାସ ହୋଇଥିଲେ ରାଣୋ ଜୟ, ପାରୋ ଭୂମିକାରେ ସିନେ ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଭିନେତ୍ରୀ ବୈଶାଳୀ ଅଭିନୟ କରିଥିଲେ। ନାଟକ ‘ଆହେ ନୀଳ ଶୈଳ’, ‘ନବକଳେବର’, ‘ବୟସର ଅନ୍ତେ’ ର ସଫଳତା ପରେ ମଲ୍ଟି ସିନେ ଷ୍ଟାର ଙ୍କୁ ନେଇ ପ୍ରଥମଥର ରବୀନ୍ଦ୍ର ମଣ୍ଡପ ଠାରେ ଏହି ମ୍ୟୁଜିକାଲ ପ୍ଲେ “ଦେବଦାସ” ପ୍ରଦର୍ଶିତ ହୋଇଥିଲା।

“ଦେବଦାସ” ମ୍ୟୁଜିକାଲ ପ୍ଲେ ର ରଚନା କରିଥିଲେ ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ। ଓମ୍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ସଂଯୋଜନା ହୋଇଥିଲା। ସୁସ୍ମିତା ଦାସ, ଅରବିନ୍ଦ ଦତ୍ତ ଓ ଦେବସ୍ମିତା ମିଶ୍ର କଣ୍ଠଦାନ କରିଥିବା ୧୦ ଟି ସଙ୍ଗୀତକୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ ସେଠୀ। ଦେଢ଼ ଘଣ୍ଟାର ଏହି ମ୍ୟୁଜିକାଲ୍ ପ୍ଲେ ରେ ଅଭିନେତ୍ରୀ ଶୀତଲ ପାତ୍ର ଏବଂ ବୈଶାଳୀ ଙ୍କ ଜୀବନ୍ତ ନୃତ୍ୟାଭିନୟ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ। ପ୍ରତି ଟି ଗୀତ ର ଶେଷରେ ତାଳି ରେ କମ୍ପିଉଠୁଥିଲା ମଣ୍ଡପ। ୯୦ ମିନିଟ୍ ର ଏହି ମଲ୍ଟି ଷ୍ଟାର ମ୍ୟୁଜିକାଲ୍ ପ୍ଲେ ରେ ଦେଖିବାକୁ ମିଳିଥିଲା ପ୍ରକୃତ ଦେବଦାସଙ୍କ ଚନ୍ଦ୍ରମୁଖୀ ଏବଂ ପାରୋ ସହିତ ଘଟିଥିବା ପ୍ରେମ କାହାଣୀ। ଏହି ମ୍ୟୁଜିକାଲ ପ୍ଲେ ରଚନା କରିବାକୁ ପ୍ରାୟ ୫ ବର୍ଷ ସମୟ ନେଇଥିଲେ ବୋଲି ଗୀତିକାର ଦେବଦାସ ଛୋଟରାୟ କହିଥିଲେ।

ଭାରତୀୟ ସିନେମାରେ ‘ଦେବଦାସ’ ର ଅନେକ ସଂସ୍କରଣ ଦେଖିଛନ୍ତି, ତଥାପି ଉପନ୍ୟାସରେ ଅନେକ କିଛି ଅଛି ଯାହା ଦର୍ଶକଙ୍କୁ ସବୁବେଳେ ‘ଦେବଦାସ’ ସହ ଯୋଡିରଖିଥାଏ। ଦେବଦାସ’ ର ଷ୍ଟେଜ୍ ମ୍ୟୁଜିକାଲ୍ ସଂସ୍କରଣ ପୂର୍ବରୁ କେବେ ଦେଖାଯାଇ ନଥିଲା ତେଣୁ ରବୀନ୍ଦ୍ର ମଣ୍ଡପଠାରେ ସିନେ ତାରକାଙ୍କ ଏହି ପ୍ରଦର୍ଶନ ଦର୍ଶକ ଙ୍କ ମନକୁ ବେଶ ଛୁଇଁଛି ଏବଂ ଏହା ଏକ ନୂଆ ଇତିହାସ ସୃଷ୍ଟି କରିଛି ବୋଲି ଅନେକ ନାଟକ ସମୀକ୍ଷକ ମତ ଦେଇଥିଲେ।

ନିର୍ଦ୍ଦେଶକ ଦେବ୍ ମେହେର କହିଥିଲେ, “ଦେବଦାସ” ସମସ୍ତ ପ୍ରେମ କାହାଣୀର ମା’ ସଦୃଶ।  ଏହି କାହାଣୀ ଏକ ଶହ ବର୍ଷରୁ ଅଧିକ ସମୟ ଧରି ନିଜକୁ ବଜାୟ ରଖିଛି ଏବଂ କାହାଣୀରେ ଅନ୍ତଃର୍ନିହିତ କବିତା ଏବଂ ନାଟକ ପାଇଁ ବିଭିନ୍ନ ଭାଷାଗୁଡ଼ିକ ମଧ୍ୟରେ ସିନେମା ପାଇଁ ଅନୁକୂଳ ହୋଇଛି। ବର୍ତ୍ତମାନ ପ୍ରଥମ ଥର ପାଇଁ ମଞ୍ଚରେ ଏହା ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ସୃଜନଶୀଳତାର ଏକ ନୂଆ ଅଭିଜ୍ଞତା ଦେଇଛି।

ରବୀନ୍ଦ୍ର ମଣ୍ଡପର ଚିତ୍ତାକର୍ଷକ ସେଟ୍, ଆତ୍ମାକୁ ଛୁଇଁଲାପରି ମେଲୋଡି, ଚମତ୍କାର ନୃତ୍ୟ ଏବଂ ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା। ଆଗରୁ ଆମେ ଅନେକ ପୌରାଣିକ ଚରିତ୍ର କୁ ନେଇ ଗୀତିନାଟ୍ୟ ଦେଖୁଥିଲୁ, ବର୍ତ୍ତମାନ ର ଟ୍ରେଣ୍ଡ ଅନୁସାରେ ଆମେ ମ୍ୟୁଜିକାଲ ପ୍ଲେ ଦର୍ଶକଙ୍କ ମନରେ ନୂଆ ଆଶା ସଞ୍ଚରିତ କରିବ ବୋଲି ମିଡ଼ିଆ ପ୍ଲାନର ର ମୁଖ୍ୟ ପ୍ରଣୟ ଜେଠୀ ମତବ୍ୟକ୍ତ କରିବା ସହିତ ସମସ୍ତ ଦର୍ଶକ ତଥା ମିଡ଼ିଆ ବନ୍ଧୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ଆରମ୍ଭ ହୋଇଛି “ଦେଖିବା ନିତି, ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀସାର୍ଥକରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି”। ଏପ୍ରିଲ ୩ରୁ ଏହି ପ୍ରତିଯୋଗିତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। କାର୍ଯ୍ୟକ୍ରମର  ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ। ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ମିଳିବ। ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ ନାମ। ଦର୍ଶକମାନେ ଏହି ପ୍ରତିଯୋଗୀତାର ସମ୍ପୂର୍ଣ୍ଣ ଲାଭ ଉଠାଇବାପାଇଁ ଜ଼ି ସାର୍ଥକର ଚାନେଲ ମୁଖ୍ୟ ପ୍ରତୀକ ସିଲ ପ୍ରକାଶ କରିଛନ୍ତି। ଜ଼ି ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ନାମ ଫଳକ ଓଡିଆରେ ଲେଖିବାକୁ ବାଧ୍ୟ, ନଚେତ..

ଭୁବନେଶ୍ୱର: ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା। ଏଥିନିମିତ୍ତ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଦ୍ଵାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ କରାଯାଇଅଛି।

ଏଯାବତ ରାଜ୍ୟର ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭,୦୦୦ ପ୍ରତିଷ୍ଠାନରେ ଓଡ଼ିଆର ନାମ ଫଳକ ଲେଖା ଯାଇଅଛି। କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ବିରୁଦ୍ଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଅଛି।

ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିବର୍ତ୍ତିତ ଅଧିନିୟମର କଡାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତି କରାଗଲା।

ଶ୍ରମ ଆୟୁକ୍ତ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲଗାଇବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର‌୍ୟ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏହାର କଡାକଡି ନିରୀକ୍ଷଣ କରି ଆବଶ୍ୟକୀୟ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଚଳିତ ମାସଠାରୁ ଖିଲାପକାରୀଙ୍କୁ ୭ଦିନିଆ ନୋଟିସ ଦିଆଯିବ। ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର‌୍ୟ୍ୟାନୁଷ୍ଠାନ ସହିତ ଜୋରିମାନା/ ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମଥର ଖିଲାପକାରୀଙ୍କୁ ୫୦୦୦ ଟଙ୍କା ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।

ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର‌୍ୟ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ କରି ଏହାର ସମୀକ୍ଷା କରିବା ସହିତ ବିବରଣୀ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗଙ୍କୁ ପ୍ରଦାନ କରିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ପ୍ୟାନ୍ ଇଣ୍ଡିଆରେ ୫୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଦମନ’

ଭୁବନେଶ୍ବର: ହିନ୍ଦୀ ସ୍କ୍ରିନରେ ଦମନର ଦବଦବା। ଓଡ଼ିଆ ପରେ ଏବେ ହିନ୍ଦୀରେ ସଫଳତା ହାସଲ କରିଛି। ଦେଶବ୍ୟାପୀ ୫୦୦ ହଲରେ ରିଲିଜ୍ ହୋଇଛି ଚଳଚ୍ଚିତ୍ର। ପ୍ରଥମ ଥର ପାନ୍ ଇଣ୍ଡିଆରେ ଲେଭଲରେ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମର ହିନ୍ଦୀ ରୂପାନ୍ତର। ଯେତେବେଳେ ଦର୍ଶକ ହଲରୁ ମୁହଁ ଫେରାଇ ନେଉଥିଲେ। ସେହି ସମୟରେ ଦମନ ଦେଇଥିଲା ଦମ୍ଭ। ଓଡିଆରେ ନିର୍ମିତ ଫିଲ୍ମ ଲୋକାଦୃତ ହେବା ସହ ଓଡିଶାରେ ରେକର୍ଡ ସଂଖ୍ୟକ ସଫଳତା ହାସଲ କରିଥିଲା। ପରେ ହିନ୍ଦୀରେ ନିର୍ମାଣ କରାଯାଇଥିଲା ଚଳଚ୍ଚିତ୍ର। ଫେବୃୟାରୀ ୩ ତାରିଖରେ ମୁମ୍ବାଇର ପିଭିଆର ହଲରେ ଫିଲ୍ମ ରିଲିଜ କରାଯାଇଥିବା ବେଳେ ମିଳିଛି ଦର୍ଶକଙ୍କ ଅହେତୁକ ସମର୍ଥନ ଓ ଭଲ ପାଇବା।

ଏକ ସତ୍ୟ ଓ ବାସ୍ତବଧର୍ମୀ ଘଟଣାକୁ ନେଇ ଫିଲ୍ମ ଦମନର କାହାଣୀ ପ୍ରସ୍ତୁତ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମଡିବି ରେଟିଂରେ ୯ଦଶମିକ ୭ ପଏଣ୍ଟ ପାଇ RRR, କେଜିଫ୍-୨କୁ ପଛରେ ପକାଇଥିଲା। ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବ ବୋଲି ମେକର୍ସ ଆଶା ରଖିଛନ୍ତି। ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ନେଇ ତିଆରି ହୋଇଛି ଫିଲ୍ମ ଦମନ। ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଉତ୍କଣ୍ଠା ବଢିଛି । ଯେଉଁ ଦର୍ଶକ ଫିଲ୍ମ ଦେଖି ଫେରିଛନ୍ତି, ସେମାନେ ନୂଆ କିଛି ଆହ୍ୱାନ ନେଇ ଫେରୁଥିବା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେପଟେ ମୁମ୍ବାଇରେ ଥିବା ସମସ୍ତ ଓଡିଆ ଲୋକଙ୍କ ଗହଳି ହଲ ଆଗରେ ଦେଖିବାକୁ ମିଳିଥିଲା। ପାନୋରମା ଭଳି ଏକ ବଡ଼ ବ୍ୟାନରରେ ଦମନ ପ୍ରସ୍ତୁତ ହୋଇଥିବାବେଳେ ସୁପରଷ୍ଟାର ଅଜୟ ଦେବଗନ ଏବଂ ବିଦ୍ୟୁତ ଜମୱାଲଙ୍କ ଭଳି ଅଭିନେତା ଫିଲ୍ମର କାହାଣୀକୁ ବେଶ ପ୍ରଂଶସା କରିବା ସହ ନିଜ ସୋସିଆଲ ସାଇଟରେ ପୋଷ୍ଟର ସେୟାର କରିଥିଲେ।

ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ନେଇ ତିଆରି ହୋଇଛି ଫିଲ୍ମ ଦମନ। ୨୦୨୨ ନଭେମ୍ବରରେ ଡାକ୍ତରଙ୍କ କାହାଣୀକୁ ନେଇ ଓଡ଼ିଆରେ ରିଲିଜ୍ ହୋଇଥିଲା ଫିଲ୍ମ। କିଭଳି ଏକ ଅପହଞ୍ଚ ଅଞ୍ଚଳରେ ମ୍ୟାଲେରିଆ ନିରାକରଣକୁ ସରକାର ଗୁରୁତ୍ୱ ଦେଇଥିଲେ। ଏବଂ ସେଠାରେ ଡାକ୍ତର ଲୋକଙ୍କ ଠାରୁ ଅନ୍ଧ ବିଶ୍ୱାସକୁ ଦୂରୀଭୂତ କରି ସଚେତନତାକୁ ଲୋକଙ୍କ ପାଖରେ ପହଁଚାଇଥିଲେ ତାବା ପରିବେଶିତ। ଓଡିଆରେ ଫିଲ୍ମର ଲୋକପ୍ରିୟତା ଏବଂ ‘ଦମନ’ର ବାର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳଚ୍ଚିତ୍ରର ପ୍ରଶଂସା କରିଥିଲେ।

ଅଭିନେତା ବାବୁଶାନ ମହାନ୍ତି ଡାକ୍ତର ଭୂମିକାରେ ଅଭିନୟ କରିଥିବାବେଳେ ଦ୍ୱିପାନିତ ଦାସ ଫାର୍ମାସିଷ୍ଟ ଭୂମିକାରେ ନଜର ଆସିଛନ୍ତି। କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା। ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି। ହିନ୍ଦୀରେ ନିର୍ମିତ ଦମନରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଦିବ୍ୟ କୁମାର କଣ୍ଠ ଦାନ କରିଥିବାବେଳେ ମୁଜ୍ୟିକ ପ୍ରସ୍ତୁତ କରିଛନ୍ତି ଗୌରବ ଆନନ୍ଦ। ଓଡ଼ିଆ ଭଳି ହିନ୍ଦୀରେ ମଧ୍ୟ ଦମନର ଦବଦବା ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ଦମନର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ।

ହିନ୍ଦୀ ଫିଲ୍ମ ‘ପଠାନ୍’ ପୁରା ଭାରତରେ ଚାଲିଥିବା ବେଳେ ଏହାର ପ୍ରଭାବ ‘ଦମନ’ ଉପରେ ରହିବ କି ପଚାରିବାରୁ ବାବୁଶାନ କହିଥିଲେ ଯେ, ଏହି ଦୁଇଟି ଫିଲ୍ମ ଦୁଇ ପ୍ରକାରର ଓ ଏହାର ଦର୍ଶକ ମଧ୍ୟ ଭିନ୍ନ ତେଣୁ ସେମିତି କିଛି ଅସୁବିଧାର ସମ୍ଭାବନା ନାହିଁ ଓ ଆହୁରି କହିଥିଲେ ଯେ, ଓଡ଼ିଶାର ନିଜ ମାଟିର ଏହି ସତ୍ୟକାହାଣୀ ଉପରେ ଆଧାରିତ ଫିଲ୍ମ ଓଡିଆ ଚଳଚିତ୍ର ଜଗତକୁ ଏକ ନୂଆ ଦିଗ ଦେଖାଇବାରେ ଚେଷ୍ଟା କରିବା ନିଶ୍ଚୟ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର: ବାବୁଶାନଙ୍କ ‘ଦମନ୍’ ଆଣିବ ବୈପ୍ଳବିକ ଆନ୍ଦୋଳନ

ଭୁବନେଶ୍ଵର: ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’। କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା। ପରିସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେଶିଳ୍ପ। ସେହି କ୍ରମରେ ରିଲିଜ୍ ପାଇଁ ସଜବାଜ ହେଉଛି ‘ଦମନ’। ଏ ଫିଲ୍ମରେ ବାବୁସାନଙ୍କ ସହ କଳାକାର ଭାବେ ଦେଖିବାକୁ ମିଳିବେ ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।

ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠାର କାହାଣୀ ସ୍ଥାନିତ ହୋଇଛି ଫିଲ୍ମରେ। ଡାକ୍ତରୀ ପାଠ ଶେଷ କରିବା ପରେ ଏହି ଯୁବ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ତାହା ଦେଖିବାକୁ ମିଳିବ ‘ଦମନ’ ରେ। ବଡ଼ ବଜେଟର ଏହି ଫିଲ୍ମରେ ବାବୁସାନଙ୍କ ଭରପୂର ଆକ୍ସନ ଦେଖିବେ ସିନେପ୍ରେମୀ। ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି।

ପ୍ରଯୋଜନାରେ ଅଛନ୍ତି ଦୀପେନ୍ଦ୍ର ସାମଲ। ଜେପି ଓ୍ବାର୍ଡସ୍ମିଥ୍ ଓ ବାପୁ ଗୋସ୍ଵାମୀ ଏହାର ଗୀତ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କର ଟିମ୍। ବଡ଼ ଷ୍ଟାର, ରିଅଲ ଷ୍ଟୋରୀ କୁ ନେଇ ଆସନ୍ତା ୪ ନଭେମ୍ବର ରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ଦମନ’ କୁ ଦର୍ଶକ ଆଗ୍ରହ ସହିତ ଅପେକ୍ଷା ରେ ଅଛନ୍ତି। ଯାହା ଫିଲ୍ମର କ୍ରିଏଟିଭ୍ ହେଡ୍ ତଥା ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ପ୍ରଣୟ ଜେଠୀ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଫକୀର ମୋହନଙ୍କ “ରସଗୋଲା’

ଅସୀତ ମହାନ୍ତି

ଓଡ଼ିଆ ସାହିତ୍ୟର ଇତିହାସରେ ୨୦୧୮ ବର୍ଷ ଥିଲା ଏକ ବିରଳ ସଂଯୋଗର ବର୍ଷ। କାରଣ ସେବର୍ଷଟି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁର ୧୦୦ ବର୍ଷ। ସେ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଛୋଟବଡ଼ ଅନେକ ଅନୁଷ୍ଠାନ ପକ୍ଷରୁ କେତେକ ଛୋଟବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସମେତ ରାଜ୍ୟ ଓ ଦେଶର କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସଭା, ସେମିନାର ଆଦି ଆୟୋଜନ ହୋଇଛି।

ଏ ପ୍ରସଙ୍ଗରେ ଆଉ ଏକ ଭିନ୍ନ ଦୃଷ୍ଟିର ସଂଯୋଗ ହେଉଛି- ଯେଉଁ ଜାନୁଆରୀ ୧୪, ମକର ସଂକ୍ରାନ୍ତି ତିଥି ଫକୀରମୋହନ ସେନାପତିଙ୍କ ଆବିର୍ଭାବ ଦିବସ, ଠିକ୍‍ ଦୁଇମାସ ତଳେ, ନଭେମ୍ୱର ମାସର ସେହି ୧୪ ତାରିଖ ଦିନରେ ପଶ୍ଚିମବଙ୍ଗ “ବାଂଲାର ରସଗୋଲ୍ଲା’ ପାଇଁ ଭୌଗୋଳିକ ପରିଚିତି (ଜି.ଆଇ.) ମାନ୍ୟତା ପାଇଛି। ଏହି ପରିପ୍ରେକ୍ଷୀରେ “ଫକୀରମୋହନଙ୍କ ରସଗୋଲା’ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ।

ଫକୀରମୋହନଙ୍କ ଜୀବନ ଓ ସାହିତ୍ୟର ଏକ ବିଶେଷତ୍ୱ ହେଉଛି, ଯେଉଁ କାଳଖଠରେ ସେ ଜୀବିତ ଓ ସୃଷ୍ଟିଶୀଳ ଥିଲେ, ସେହି ସମୟ ଥିଲା ଓଡ଼ିଆ ଅସ୍ମିତାର ଏକ ସନ୍ଧିକାଳ ଏବଂ ସେ ତାଙ୍କର ସାଧ୍ୟମତେ ଏହି ଅସ୍ମିତାର ଉଦ୍‍ବୋଧନପାଇଁ ଉଦ୍ୟମ କରିଥିଲେ। ସେଇଥିପାଇଁ, ତାଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁ ଶତବାର୍ଷିକୀ ଅବସରରେ, ସେ ସର୍ବାଧିକ ସଂଜୀବିତ ଥିବାପରି ମନେ ହେଉଛନ୍ତି।

ଏ ପ୍ରସଙ୍ଗରେ ଆହୁରି ଏକ ବିରଳ ସଂଯୋଗ ହେଉଛି, ଏ ଭିତରେ ଫକୀର ମୋହନଙ୍କ “ଉତ୍କଳଭ୍ରମଣଂ’ର ମଧ୍ୟ ୧୨୬ ବର୍ଷ ପୂର୍ଣ୍ଣ ହୋଇଛି। ଏ ସଂପର୍କିତ ବିବରଣୀରୁ ଜଣାଯାଏ, ୧୮୯୨ ମସିହା ଫେବୃଆରି ମାସରେ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ର ପହିଲି ଗସ୍ତ ଲିଖିତ ହୋଇ, ଆନନ୍ଦପୁର ପ୍ରେସ୍‍ରୁ ପ୍ରକାଶ ପାଇଥିଲା। ତାହା ପ୍ରକାଶ ପାଇଥିଲା ବିନା ମୂଲ୍ୟରେ ବିତରିତ ହେବାପାଇଁ ଏବଂ ପୁସ୍ତକର ସୂଚନା ଅନୁସାରେ ତାହା ଥିଲା “କେନ ଉତ୍କଳପୁତ୍ରେଣ ବିରଚିତ’। ପୁସ୍ତକର ବର୍ଣ୍ଣନା ଶୈଳୀ ଓ ବିଷୟ ପ୍ରକରଣ ଏପରି ଅଭିନବ ଥିଲା ଯେ ସେତେବେଳେ ନୀଳମଣି ବିଦ୍ୟାରତ୍ନ ତାହାକୁ “ସମ୍ୱଲପୁର ହିତୈଷିଣୀ’ରେ କ୍ରମାନ୍ୱୟରେ ପୁନର୍ମୁଦ୍ରଣ କରିଥିଲେ। ପରବର୍ତ୍ତୀ କାଳରେ, ସେହିବର୍ଷ ଜୁଲାଇ ମାସରେ “ଉତ୍କଳ ଭ୍ରମଣଂ’ର ଦୁସରା ଗସ୍ତ ବାଲେଶ୍ୱରର ଉତ୍କଳ ପ୍ରିଣ୍ଟିଂ ପ୍ରେସରେ ମୁଦ୍ରିତ ହୋଇ ପ୍ରକାଶ ପାଇଲା। ପହିଲିଗସ୍ତ ପରି ଏହି ଦୁସରା ଗସ୍ତ ମଧ୍ୟ ବିନାମୂଲ୍ୟରେ ବିତରିତ ହେବାପାଇଁ ଉଦ୍ଦିଷ୍ଟ ଥିଲା। ପରେ ୧୮୯୯ ଓ ୧୯୧୬ରେ ଯଥାକ୍ରମେ ତାହାର ଦ୍ୱିତୀୟ ଓ ତୃତୀୟ ସଂସ୍କରଣ ଏବଂ ୧୯୨୫ରେ ତାଙ୍କ ପୁତ୍ର ମୋହିନୀମୋହନ ସେନାପତିଙ୍କ ଦ୍ୱାରା ଚତୁର୍ଥ ସଂପାଦିତ ସଂସ୍କରଣ ପ୍ରକାଶ ପାଇଥିଲା।

“ଉତ୍କଳ ଭ୍ରମଣଂ’ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଆଦିର ଏକ ଅମୂଲ୍ୟ ଦଲିଲ। ଏଥିରେ ପ୍ରାୟ ୯୦ ଜଣ ବିଶିଷ୍ଟ ବ୍ୟକ୍ତି, ପ୍ରାୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ କେତେକ ଗୋଷ୍ଠୀ ଓ ଅନୁଷ୍ଠାନ ସଂପର୍କରେ ବ୍ୟଞ୍ଜନାପୂର୍ଣ୍ଣ ଆଲେଖ୍ୟ ଅଛି। ଏପରିକି ପୁରୀ ମନ୍ଦିର ଓ ତାହାର ଚଳନ୍ତି ବ୍ୟବସ୍ଥା ବାବଦରେ ମଧ୍ୟ ଫକୀରମୋହନ ଅତ୍ୟନ୍ତ କଠୋର ମତ, ମନ୍ତବ୍ୟ ଦେଇଛନ୍ତି।

ତେବେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଯେଉଁ ୧୮୯୨ ବର୍ଷର ଜୁଲାଇ ମାସରେ ଏହା ପ୍ରଥମେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା, ତାହାର ପର ମାସରେ, “ଉତ୍କଳ ଦୀପିକା’ର ଅଗଷ୍ଟ ୨୭ ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା ତାହାର ଏକ ରୋଚକ ସମୀକ୍ଷା  ଢେଙ୍କାନାଳଗଡ଼ରୁ ୧୬ ଅଗଷ୍ଟ ୧୮୯୨ରେ ପ୍ରେରିତ ସେହି ସମୀକ୍ଷା ପଦ୍ୟାକାରରେ ରଚିତ ଏବଂ ତାହା ଢେଙ୍କାନାଳ ରାଜବଂଶଜ ଦାମୋଦର ପଟ୍ଟନାୟକ ଲେଖିଥିବା ଜଣାଯାଏ। କୌତୁକର ବିଷୟ ହେଉଛି- “ଉତ୍କଳ ଭ୍ରମଣଂ’ରୁ ଗୋଟିଏ ପଙ୍‍କ୍ତି ନେଇ ଏବଂ ତା’ ସହିତ ଆଉ ଗୋଟିଏ ପଙ୍‍କ୍ତି ଯୋଡ଼ି, ସେ ସେହି ସମୀକ୍ଷାର ଶୀର୍ଷକକୁ ଏକ ପଦର ରୂପ ଦେଇଛନ୍ତି। ସେହି ପଦଟି ହେଉଛି-

“ନିନ୍ଦା ଯଶ ଗନ୍ଧ ବାସ ରୁହେ ନାହିଁ ଢଙ୍କା

ଏ ପରି କବିତା ପାଇଁ ନଲାଗଇ ଟଙ୍କା।”

କିନ୍ତୁ “ରସଗୋଲା’କୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଏବେ ଜାରି ରହିଥିବା ବିବାଦ ପରିପ୍ରେକ୍ଷୀରେ, ସେହି ସମୀକ୍ଷାର ପ୍ରଥମ ଦୁଇପଦ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ। ସେଥିରେ ସେ ଲେଖିଛନ୍ତି-

“”ପଢ଼ିଲି ପଢ଼ିଲି ମୁହିଁ ଉତ୍କଳ ଭ୍ରମଣ।

ଓଡ଼ିଆରେ ବହୀ ଖଠେ ଏକା ଏକୁ ଗଣ।

ଖଟା ମିଠା ସବୁ ଅଛି ଚୁଡ଼ା ରସଗୋଲ୍ଲା।

କିଏ ବା ହୋଇଛି ତହିଁ ଅଲ୍ଲା ବିସମୁଲ୍ଲା।”

ଅବଶ୍ୟ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ରେ “ଚୁଡ଼ା’ ସହିତ “ଚିତଉ’ ଆଦି “ପିଠା’ ଓ “ଲଡ଼ୁ’ ଆଦି ନାନାଜାତି “ମିଠା’ ଏବଂ “ଛେନାବରା’ ପରି ଅନ୍ୟ କେତେକ ଖାଦ୍ୟଦ୍ରବ୍ୟର ବର୍ଣ୍ଣନା ଅଛି- କିନ୍ତୁ “ରସଗୋଲା’ (ରସଗୋଲ୍ଲା) ମିଳେ ନାହିଁ। କିନ୍ତୁ ପ୍ରମୋଦ ପଟ୍ଟନାୟକ ଏହା ଲେଖିଛନ୍ତି ପ୍ରତୀକାତ୍ମକ ଭାବରେ ଏବଂ ଖଟା, ମିଠା, ଚୁଡ଼ା, ରସଗୋଲ୍ଲା, ଅଲ୍ଲା, ବିସମୁଲ୍ଲା- ସବୁ ସେଥିରେ ଏକ ଏକ ପ୍ରତୀକ ଭାବରେ ବ୍ୟବହୃତ ହୋଇଛନ୍ତି। ଏହା ମଧ୍ୟ ସୂଚାଏ ଯେ ୧୮୯୨ରେ “ଉତ୍କଳ ଭ୍ରମଣଂ’ର ରଚନାର ବହୁ ପୂର୍ବରୁ, ଚୁଡ଼ା ଏକ ସାଧାରଣ ଖାଦ୍ୟ ଭାବରେ ଓ ରସଗୋଲା ଏକ ସଂଭ୍ରାନ୍ତ ମିଷ୍ଟାନ୍ନ ଭାବରେ ଓଡ଼ିଶାରେ ସୁପ୍ରଚଳିତ ଥିଲା।

ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ “ରସଗୋଲା’ର ପ୍ରାଚୀନତା ନେଇ ଚାଲିଥିବା ବିତର୍କର ଅନୁଧ୍ୟାନ କଲେ ଜଣାଯାଏ ଯେ ଉଭୟ ରାଜ୍ୟ ପକ୍ଷରୁ ଏ ବାବଦରେ ନିଜ ନିଜ ସାହିତ୍ୟର ପ୍ରମାଣକୁ ମଧ୍ୟ ଗୁରୁତ୍ୱ ଦିଆ ହୋଇଆସିଛି। କଲିକତାର “ଗାଙ୍ଗଚିଲ’ ପ୍ରକାଶନ ପକ୍ଷରୁ ପ୍ରକାଶିତ ବଙ୍ଗଳା ବହି (ରସଗୋଲ୍ଲା- ବାଂଲାର ଜଗତମାତାନୋ ଆବିଷ୍କାର)ରେ “ରସଗୋଲ୍ଳା’ର ସର୍ବପ୍ରାଚୀନ ସାହିତ୍ୟକ ଉଲ୍ଲେଖ ଅଛି ବୋଲି କୁହାଯାଇଛି। ସେହି ପ୍ରମାଣ ହେଉଛି “ରସିକତା’ ପତ୍ରିକାର ୧୮୯୬ ମସିହା, ପ୍ରଥମ ଭାଗରେ ପ୍ରକାଶିତ “ରସଗୋଲାର ସ୍ତବ’ କବିତା। ରାଖାଲ ଦାସ ଅଧିକାରୀ ତାହାର ରଚୟିତା। ଯେ କେହି ବ୍ୟକ୍ତି “ରସଗୋଲ୍ଲା’ ନାମକ ଏକ ମିଠା ଖାଇ ତାହାର ସ୍ୱାଦରେ ମୁଗ୍ଧ ହୋଇ ଏପରି କବିତା ଲେଖିବା କିଛି ଅସ୍ୱାଭାବିକ ନୁହେ। ଅପରପକ୍ଷେ, ଏହି ଲେଖକର “ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହି (ପ୍ରକାଶକ, ଆମ ଓଡ଼ିଶା)ରେ ପଞ୍ଚଦଶ ଶତାବ୍ଦୀ ଶେଷଭାଗର ବଳରାମ ଦାସଙ୍କ “ଦାଣ୍ଡି ରାମାୟଣ’କୁ ଓଡ଼ିଶାର ପ୍ରମାଣ ରୂପେ ଉପସ୍ଥାପିତ କରାଯାଇଛି। “ଦାଣ୍ଡି ରାମାୟଣ’ର “ଅଯୋଧ୍ୟା କାଣ୍ଡ’ରେ ଥିବା ବର୍ଣ୍ଣନା ଅନୁସାରେ, ଭରତ, ଶତ୍ରୁଘ୍ନ ଓ ଅନ୍ୟମାନଙ୍କୁ ଭରଦ୍ୱାଜ ମୁନି ତାଙ୍କ ଆଶ୍ରମରେ ଯେଉଁସବୁ ଖାଦ୍ୟ ଦ୍ରବ୍ୟ ପରଷିଛନ୍ତି, ତା’ ମଧ୍ୟରେ ବହୁ ଓଡ଼ିଆ ଖାଦ୍ୟ ସହିତ ରସଗୋଲା ରହିଛି। “ଅଯୋଧ୍ୟା କାଣ୍ଡ’ର ସେହି ପଦରୁ କେତୋଟି ହେଉଛି-

“ନାଡ଼ୀ ସରପୁଳି ଯେ ଆରିଷା ଛେନାପୁରୀ।

କାକରା ଛେନା ଲଡ଼ୁ ଯେ ମାଲପୁଆ ପୁରୀ।

ସଜମରା ଘିଅ ଆଣି ଦ୍ୟନ୍ତି ବଢ଼ାବଢ଼ା

ଗଜା କଚୁରୀ ପଣସ ଖୋସା ବୀରିବରା।।

କୋରା ରସଗୋଲା ଯେ ଅମୃତ ରସାବଳୀ।

ମଠା ନାନମାନ ଅମୃତପାଣି କଦଳୀ।”

ପ୍ରାୟ ୫୦୦ ବର୍ଷ ତଳର ଏହି ପ୍ରାଚୀନ ପ୍ରମାଣ ବ୍ୟତୀତ, ଆଧୁନିକ ସାହିତ୍ୟର ପ୍ରମାଣ ଭାବରେ ଓଡ଼ିଆ “ରସଗୋଲା’ ବହିରେ ଦିଆଯାଇଛି “ଇନ୍ଦ୍ରଧନୁ’ ପତ୍ରିକାର ୧୮୯୩ ମସିହା, ଡିସେମ୍ୱର ୧୪ ସଂଖ୍ୟାରେ ପ୍ରକାଶିତ “ବାଲିଯାତ୍ରା’ କବିତା। ସେହି ଦୀର୍ଘ କବିତାରେ କଟକର ଇତିହାସ-ପ୍ରସିଦ୍ଧ ବାଲିଯାତ୍ରାର ବିଶଦ ବର୍ଣ୍ଣନା ସହିତ ସେଠାରେ ବିକ୍ରି ହେଉଥିବା ଗୁଡ଼ିଆସାହୁ ଦୋକାନ ଓ ସେଥିରେ ବିକ୍ରି ହେଉଥିବା “ରସଗୋଲା’ର ବର୍ଣ୍ଣନା ରହିଛି। ତାହାର ୩୫ ଓ ୩୬ ପଦରେ କୁହାଯାଇଛି-

“ଗୁଡ଼ିଆ ସାହୁର                  ମିଠାଇ ଦୋକାନ

ହୋଇଅଛି ବଡ଼ ଜାକଜମକ

ଲଡ଼ୁ ରସଗୋଲା                 ବରଫି, ଜଲପି

ପୁଣି ତେଜପତ୍ର ପୋଡ଼ା ପିଷ୍ଟକ। (୩୫)

କଞ୍ଚାଗୋଲା ସର-               ପୁଳି ମାଲପୁଆ

ମୋହନଭୋଗ ଯେ ଲାଲମୋହନ

କେତେ କି କହିବା                ଦେଖି ନଖାଇଲେ

ପାଟିରୁ ବହିବ ଲାଳ ବହନ।”

ଏହା ବଙ୍ଗୀୟ ‘ରସଗୋଲ୍ଲା’ର ୧୮୯୬ ମସିହା ପ୍ରମାଣର ତିନିବର୍ଷ ପୂର୍ବର ପ୍ରମାଣ।

କିନ୍ତୁ ‘ଉତ୍କଳଭ୍ରମଣଂ’ର ଉପର ସୂଚିତ ସମୀକ୍ଷା ଏହାର ଆହୁରି ପ୍ରାଚୀନ ପ୍ରମାଣ। କାରଣ ଏହା ବଙ୍ଗଳା ‘ରସିକତା’ ପତ୍ରିକାର ‘ରସଗୋଲ୍ଲାର ସ୍ତବ’ କବିତାର ଚାରିବର୍ଷ ପୂର୍ବରୁ (୧୮୯୨)ପ୍ରକାଶିତ ଏବଂ କେବଳ ‘ରସଗୋଲା’ ନୁହେ, ରସଗୋଲାର ପ୍ରତୀକାତ୍ମକତାର ସୂଚକ।

କିନ୍ତୁ ଫକୀରମୋହନଙ୍କ ରଚନାରୁ ‘ରସଗୋଲା’ର ଆଉ ଏକ ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ମିଳେ। ତାହା ହେଉଛି- ତାଙ୍କର ଏକ ଭ୍ରମଣ-ବୃତ୍ତାନ୍ତ ‘ଓୟାଲ୍‍ଟେୟାର ଦର୍ଶନ’। ତାହା ‘ଉତ୍କଳ ସାହିତ୍ୟ’ର ୭ମ ବର୍ଷ, ୧ମ ସଂଖ୍ୟା, ୧୩୧୦-୧୧ ସାଲ (୧୯୦୪)ରେ ପ୍ରକାଶିତ। ଏ ସଂପର୍କିତ ବିବରଣୀରୁ ଜଣାଯାଏ ଯେ ଏପ୍ରିଲ୍‍ ୧୧ ଓ ୧୨ ତାରିଖ ଦୁଇଦିନ ବ୍ରହ୍ମପୁରଠାରେ ‘ଗଞ୍ଜାମ ଜାତୀୟ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା ଏବଂ ମଧୁସୂଦନ ଦାସ ଓ ବିଶ୍ୱନାଥ କର ପ୍ରମୁଖଙ୍କ ସହିତ ଫକୀରମୋହନ ସେହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀ ପରେ ସେଠାରେ କିଛିଦିନ ଅବସ୍ଥାନ କରିବା ପରେ, ଯୁବରାଜ ବିକ୍ରମଦେବ ବର୍ମା (୧୮୬୯-୧୯୫୧)ଙ୍କ ନିମନ୍ତ୍ରଣକ୍ରମେ ସେ ଓ୍ୱାଲଟିୟର ଯାଇଥିଲେ। ଏ ସଂପର୍କରେ ସେହି ଭ୍ରମଣ ବୃତ୍ତାନ୍ତରେ ସେ ଲେଖିଛନ୍ତି- ‘‘ଉତ୍କକର ଶିକ୍ଷିତ, ସ୍ୱଦେଶବତ୍ସଳ ସୁସନ୍ତାନମାନେ ଗତ ଏପ୍ରିଲ୍‍ ମାସ ୧୧/୧୨ ତାରିଖରେ ବ୍ରହ୍ମପୁରଠାରେ ମାତୃସେବା ସମାପ୍ତ କରି ସ୍ୱସ୍ୱ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କଲା ଉତ୍ତାରେ ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ଗ୍ରହଣ କରି କିଛିଦିନ ସେହିଠାରେ ଅବସ୍ଥାନ କରି ଏପ୍ରିଲ୍‍ ମାସ ୨୪ ତାରିଖ ଦିନ ଦିବା ୧୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଟିକିଟ କ୍ରୟ କରି ମାନ୍ଦ୍ରାଜଗାମୀ ଟ୍ରେନ୍‍ରେ ଯାତ୍ରା କଲୁଁ। ସନ୍ଧ୍ୟା ୭ ଘଟିକା ସମୟରେ ଟ୍ରେନ୍‍ ଓୟାଲ୍‍ଟେୟାରରେ ଉପସ୍ଥିତ ହେଲା।… ପ୍ରିନ୍‍ସ ବିକ୍ରମ ଦେଓ ବର୍ମାଙ୍କ ପ୍ରେରିତ ବାବୁ ବଡ଼ ନିନା ଦେଓ ଆମ୍ଭମାନଙ୍କ ଅପେକ୍ଷାରେ ପ୍ଲାଟଫର୍ମରେ ଦଣ୍ଡାୟମାନ ଥିଲେ। ଟ୍ରେନରୁ ଅବତରଣ କଲା ମାତ୍ରକେ ତାଙ୍କ ସହିତ ସାକ୍ଷାତ ହେଲା। ବାବୁ ନିନା ଦେଓ ଆମ୍ଭମାନଙ୍କୁ ଅତି ଯତ୍ନ ଓ ଆଦର ସହିତ ରାଜକୀୟ ଅଶ୍ୱଶକଟରେ ଘେନିଗଲେ। ଆମ୍ଭମାନଙ୍କ ବାସ ନିମନ୍ତେ ବିଶାଖାପତ୍ତନ ସହର ମଧ୍ୟଭାଗରେ ଗୋଟିଏ କ୍ଷୁଦ୍ର ସୁନ୍ଦର ଦ୍ୱିତଳ ଗୃହ ନିରୂପିତ ଥିଲା।… ଆହାରାଦି କରି ପରମାନନ୍ଦରେ ରାତ୍ରିଯାପନ କଲୁଁ।”

ଏହି ପରିପ୍ରେକ୍ଷୀରେ ସେଠାର ଦର୍ଶନୀୟ ସ୍ଥାନଗୁଡ଼ିକର ବର୍ଣ୍ଣନା ସମେତ, ସେଠାର ଖାଦ୍ୟ ରୁଚି ଓ ତାଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର ବର୍ଣ୍ଣନା ଅଛି। ଫକୀରମୋହନ ଲେଖିଛନ୍ତି, “ଦକ୍ଷିଣ ଦେଶସ୍ଥ ଅନ୍ୟାନ୍ୟ ସହର ପରି ଆମ୍ଭେମାନେ ବୈଜାଗ ସହରରେ ମଧ୍ୟ ଉପଯୁକ୍ତ ମିଷ୍ଟାନ୍ନ ଦୋକାନ ଦେଖିଲୁ ନାହିଁ। ଯେ ସମସ୍ତ ଦୋକାନ ଅଛି ତାହା ନେତ୍ର ତୃପ୍ତିକର ଓ ରୁଚିକର ବୋଲି ବୋଧ ହେଲା ନାହିଁ। ବୋଧହୁଏ ଆନ୍ଧ୍ରଲୋକେ ମିଷ୍ଟାନ୍ନକୁ ଏତାଦୃଶ ପସନ୍ଦ କରନ୍ତି ନାହିଁ। ଆମ୍ଭେମାନେ ସେଠାରେ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ରସଗୋଲା, କଚୁରୀ ଓ ପୁରୀ ପାଇ ଆଶ୍ଚର୍ଯ୍ୟବୋଧ କଲୁ। ସେସବୁ ପ୍ରିନ୍‍ସ ବିକ୍ରମ ଦେଓଙ୍କ ସ୍ୱଗୃହ ପ୍ରସ୍ତୁତ।”

ଫକୀରମୋହନଙ୍କର ଏହି ବର୍ଣ୍ଣନା ସ୍ପଷ୍ଟ ସୂଚାଏ ଯେ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ରସଗୋଲା ପରି ମିଠା ପ୍ରାୟ ପ୍ରଚଳିତ ନଥିବାବେଳେ, ଓଡ଼ିଶାରେ ଓ ସଂଭ୍ରାନ୍ତ ଓଡ଼ିଆ ପରିବାରରେ ରସଗୋଲା ସୁପ୍ରଚଳିତ ଥିଲା।

“ବାଂଲାର ରସଗୋଲ୍ଲା’ ପାଇଁ ପଶ୍ଚିମବଙ୍ଗ ଜି.ଆଇ. ମାନ୍ୟତା ପାଇବାକୁ ଏ ଭିତରେ ପ୍ରାୟ ୧୫ମାସ ବିତିଯିବାକୁ ବସିଛି। ଯଥେଷ୍ଟ ତଥ୍ୟ ପ୍ରମାଣ ମହଜୁଦ ଥିଲେ ମଧ୍ୟ ଓଡ଼ିଶା ସରକାର “ଓଡ଼ିଶାର ରସଗୋଲା’ ବା “ଜଗନ୍ନାଥ ରସଗୋଲା’ପାଇଁ ଜି.ଆଇ. ମାନ୍ୟତା ଦାବି ପାଇଁ ଯଥେଷ୍ଟ ଅବହେଳା ଦେଖାଇଥିଲେ। ବହୁ ବିଳମ୍ୱରେ ଏଥିପାଇଁ ଆବେଦନ କଲେ। ଫକୀରମୋହନଙ୍କ ରସଗୋଲା ପ୍ରସଙ୍ଗ ଓଡ଼ିଶାର ଦାବିକୁ ଆହୁରି ବଳିଷ୍ଠ କରିଛି। ତାଙ୍କ  ଓ୍ୱାଲଟିୟର ଭ୍ରମଣ ବୃତ୍ତାନ୍ତରେ ଏବଂ ତାଙ୍କ “ଉତ୍କଳ ଭ୍ରମଣଂ’ ବାବଦ ଆଲୋଚନାରେ “ରସଗୋଲା’ର ଉପସ୍ଥିତି, ରସଗୋଲା ଯେ ଓଡ଼ିଶାର ଏକ ପ୍ରାଚୀନ ଓ ସୁପ୍ରଚଳିତ ମିଷ୍ଟାନ୍ନ- ଏହାର ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ।

ଏଣୁ ଆଶା କରାଯାଏ, ଫକୀରମୋହନଙ୍କର ମୃତ୍ୟୁର ଶତବାର୍ଷିକୀର ସ୍ମୃତିରେ, ଅନ୍ତତଃ ତାଙ୍କର ସମ୍ମାନାର୍ଥେ ରାଜ୍ୟ ସରକାର ଓଡ଼ିଶାର ଏହି ଲୋକପ୍ରିୟ ମିଷ୍ଟାନ୍ନର ଜି.ଆଇ. ମାନ୍ୟତାପାଇଁ ଅଧିକ ତତ୍ପର ହେବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ “ଦିଦି ନମ୍ବର ୱାନ୍”

ଭୁବନେଶ୍ୱର: ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ତିଆରି କରିବାକୁ ଯାଉଛି ଜୀ ସାର୍ଥକ। ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାର ନାଁ ରହିଛି “ଦିଦି ନମ୍ବର ୱାନ୍”। ଆସନ୍ତା ମେ ୩୦ ତାରିଖରୁ ଏହାର ପ୍ରସାରଣ ହେବାକୁ ଥିବା ବେଳେ ଓଡ଼ିଆ ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ର ହୋଷ୍ଟ କରିବେ। ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୫ଟାରେ “ଦିଦି ନମ୍ବର ୱାନ୍” ର ପ୍ରସାରଣ ସମୟ ରଖା ଯାଇଛି। ସେହିପରି ରବିବାର ରାତି ୮:୩୦ରେ ଏହି କାର୍ଯ୍ୟକ୍ରମର ସ୍ପେସିଆଲ ଏପିସୋଡ ପ୍ରସାରଣ ହେବ ବୋଲି ଚ୍ୟାନେଲ ତରଫରୁ ସୂଚନା ଦିଆଯାଇଛି।

ଓଡ଼ିଆ ପରିବାରର ଗୁଣବତୀ, ବୁଦ୍ଧିମତୀ ଓ କଳାବତୀ ମହିଳାମାନେ ଦିଦି ନମ୍ବର ୱାନ୍‌ରେ ନିଜ ଅନ୍ତର୍ନିହିତ ଗୁଣକୁ ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇପାରିବେ। ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ପ୍ରତିଯୋଗୀମାନେ ଭାଗ ନେଇ ନିଜର ବୁଦ୍ଧିକୁ ଦେଖେଇପାରିବେ ଏବଂ ତା ସହିତ ବହୁତସାରା ଏକ୍ସାଇଟିଙ୍ଗ ଗିଫ୍ଟ ଜିତିବାର ସୁଯୋଗ ପାଇପାରିବେ। ଏହାର ଅଡିସନ ଓଡ଼ିଶାର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି। ମନୋରଞ୍ଜନ ଦୁନିଆରେ ପ୍ରଥମ ଥର ପାଇଁ ଏଭଳି ଏକ ଶୋ’ର ପରିକଳ୍ପନା କରିଛି ଜୀ ସାର୍ଥକ। ସବୁବେଳେ ଓଡ଼ିଆ କଳା ଓ ସଂସ୍କୃତି ସହ ଦର୍ଶକଙ୍କ ରୁଚିକୁ ଗୁରୁତ୍ୱ ଦେଇ ଆସୁଥିବା ଜୀ ସାର୍ଥକ ଏଥର ମହିଳାମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି।

ଆଲବମ ଓ ଟେଲିଭିଜନ ପରଦାରେ ଘରେ ଘରେ ପରିଚିତ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ରେ ହୋଷ୍ଟ କରିବେ। ଶହେରୁ ଅଧିକ ଆଲବମରେ ଲିପି ନାୟିକା ଭାବରେ ଅଭିନୟ କରିଛନ୍ତି। ମେଘରେ ମେଘ ଠାରୁ ନେଇ ଜାଈଫୁଲ ଯାଏଁ ଶହେରୁ ଅଧିକ ହିଟ୍ ମ୍ୟୁଜିକ ଭିଡିଓ ଦେଇଛନ୍ତି ଲିପି। ସେହିଭଳି ଟେଲି ସିରିୟଲ ମାଧ୍ୟମରେ ଲିପି ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛନ୍ତି। ଏବେ “ଦିଦି ନମ୍ବର ୱାନ”ରେ ହୋଷ୍ଟ ହୋଇ ମହିଳାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଦେଖାଇବାରେ ଉତ୍ସାହିତ କରିବେ ଲିପି। ବିଭିନ୍ନ ଶୋ ମାଧ୍ୟମରେ ବାରମ୍ବାର ହିଟ୍ ଦେଉଥିବା ଜୀ- ସାର୍ଥକର ‘ଦିଦି ନମ୍ବର ୱାନ୍’ ଶୋ’ ବି ଏଥର ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ସଂସ୍କୃତି

ଆସ କିଏ ଖାଇବ ହୋ ଆମ ରାଜା ଘର ଖାନା; ଓଡିଆ ଖାଦ୍ୟ ପରମ୍ପରାକୁ ନେଇ ଛୋଟିଆ ଐତିହାସିକ ଗଦ୍ୟ

ଶୈଲେନ ରାଉତରାୟ

(ଖାଇବାକୁ ନେଇ ଲେଖିବାର ପରମ୍ପରା ଆମର ବହୁତ କମ। ତେଣୁ ଓଡିଆ ଖାଦ୍ୟର କୌଣସି ବିଶେଷ ଐତିହାସିକ ଦଲିଲ ଆମର ନାହିଁ। କାଁ ଭାଁ ଲେଖାକୁ ବାଦ ଦେଲେ ଖାଦ୍ୟର ଏକ ସଂକଳିତ ଇତିହାସ ଆମର ନାହିଁ। ଓଡିଆ ଖାଦ୍ୟର ଏକ ଛୋଟିଆ ବିବରଣୀ ଓ ତାର ସମାଜତାତ୍ତ୍ଵିକ ଦିଗ ଉପରେ ଏଇ ଆଲେଖ୍ୟ।)  

 ୧୯୨୯ ମସିହାରେ ମୟୁରଭଞ୍ଜ ରଜା ଶ୍ରୀ ପୂର୍ଣଚନ୍ଦ୍ର ଭଞ୍ଜ ସରକାରୀ କାମରେ ପାରିଷଦ ଓ କର୍ମଚାରୀ ବେଷ୍ଟିତ ହୋଇ ବମ୍ବେଇ ଯାଇଥିଲେ। ସେଠି ଖିଅର ହେବା ସମୟରେ ଖୁର ମୁନରେ ସାମାନ୍ୟ ଆଘାତ ପାଇଲେ। ତହିଁରୁ ଧନୁଷ୍ଠଙ୍କାର ହୋଇ ସେ ଅପ୍ରେଲ ୨୩ ତାରିଖରେ ପରଲୋକ ଚାଲିଗଲେ। ସେତେବେଳକୁ ମହାରାଜାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥାଏ। ଟ୍ରେନରେ ଶବ ମୟୁରଭଞ୍ଜ ଆସିବା ପାଇଁ ଚାରି ଦିନ ଲାଗି ଗଲା। ଓଡ଼ିଶାର ପ୍ରଖ୍ୟାତ ଗାଳ୍ପିକ ଶ୍ରୀ ବସନ୍ତ ଶତପଥୀ ସେ ସମୟରେ ଫ୍ରେଜର୍ ହଷ୍ଟେଲରେ ରହି  ବାରିପଦାର ମୟୁରଭଞ୍ଜ ଇଂରାଜୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁ ଥାଆନ୍ତି। ଏବେ ସେ ସ୍କୁଲର ନାଁ ଏମ୍.କେ.ସି. ଉଚ୍ଚ ବିଦ୍ୟାଳୟ।

ରଜାଙ୍କର ଏଗାର ଦିନ ଭୋଜି ପାଇଁ ମୟୁରଭଞ୍ଜ ଯାକର ନିମନ୍ତ୍ରିତ ଶାସନୀ ବ୍ରାହ୍ମଣ, ବାଟକଟିଆ ଓ ଦକ୍ଷିଣା ବ୍ରାହ୍ମଣ, ବୋର୍ଡିଙ୍ଗିର ବ୍ରାହ୍ମଣ ପିଲା, ସମସ୍ତେ ଚିତା, ପଇତା, ଚଇତନ ଜଡ଼ିତ ହୋଇ ଭୋଜି ଖାଇ ଆସିଲେ। ଏହି ଦଳରେ ଥିଲେ ଶ୍ରୀ ଶତପଥୀ। ପଂକ୍ତି ପଡ଼ିଲା ରାଜବାଟୀର ଛାତର ଦୋତାଲା ଉପରେ। ଅସମ୍ଭବ ଭିଡ଼। ଗୋସେଇଁମାନଙ୍କ ଆଗରେ ପ୍ରଥମେ ମାଟି ଗିଲାସରେ ପାଣି ଓ ଖଲି ପତର ଲାଗିଗଲା।

ପ୍ରଥମେ ଲାଗି ହେଲା ଚୁଡ଼ାଭଜା। ତାହା ପରେ ଉଖୁଡ଼ା। ତା’ ପିଠିକି ବସାଦହି। ନୁଣନଙ୍କା ଖଲିରେ ଲାଗୁ ନ ଲାଗୁଣୁ ଭୋଜନ ଆରମ୍ଭ ହେଲା। ବାପାମାନେ ପୁଅମାନଙ୍କୁ ଏ ଦେଶୀ ଜିନିଷରେ ପେଟ ଭର୍ତ୍ତି ନ କରି ଅସଲ ରଜାଘର ଖାନା ପାଇଁ ଅନିସା କରି ପେଟ ଖାଲି ରଖିବା ପେଇଁ କହିଲେ। ବସାଦହି ପଛକୁ ଲାଗିଲା ପୁରୀ ଆଉ ସୋଲା-କଖାରୁ ତରକାରୀ। ତାହା ପରେ ଜିଲାପି ଓ ଫେଣି।

ଜିଲେପି ପରେ ନାଗିଲା ଅସଲ ରଜାଘର ଚିଜ – କଲିକତି ଆମଦାନୀ।  ସେତେବେଳେ ବାରିପଦାରେ ଖାଲି ରସଗୋଲା ଓ ଲେଡି କେନିଙ୍ଗ୍ – ଯାହାକୁ ଏବେ ଆମେ ପାନ୍ତୁଆ କହୁଚୁ, ମିଳୁଥିଲା। ଭୋଜିରେ ପରସା ଗଲା ଟିଣଖୋଲା ପ୍ରସିଦ୍ଧ ଭୀବନାଗର ସନ୍ଦେଶ ଓ ବାଘ ବଜାରର ସନ୍ଦେଶ। ଯିଏ ଯାହା ଖାଇଲେ ଖାଇଲେ, ଓ ଗାମୁଛାରେ ଘର ପାଇଁ ବାନ୍ଧିଲେ। ଟଙ୍କାଏ ଲେଖାଏଁ ଦକ୍ଷିଣା (ସେତେବେଳେ ଦୁଇ ପଇସାରେ ଶେରେ ବା ପାଖାପାଖି କିଲେ ଚାଉଳ ମିଳୁଥିଲା) ନେଇ ଘରକୁ ବାହାରିଲା ବେଳକୁ ଦୁଇ ଦିନ ପରେ ମହାରାଜାଙ୍କର ଶଶୁର, ୱାଙ୍କାନୀର୍ ମହାରାଜାଙ୍କ ତରଫରୁ ଆଉ ଏକ ଭୋଜି ପାଇଁ ଗୋସେଇଁମାନଙ୍କୁ ନିମନ୍ତ୍ରଣ ଦିଆଗଲା।

ସେ ଦିନ ଦୁଇ ବାଜିଲା ବେଳକୁ ରାଜବାଟୀର ଛାତରେ ଥାଟପଟାଳି। ଏଥର ଖଲିରେ ସେବା ପାଇଁ ଲାଗିଲା ଗଜା, ବାଲୁସାଇ, ନୂଆବସାଣି ମିଠେଇ, ପୁରୀ ଓ କଲିକତି ରସଗୋଲା। ହେଲେ ବ୍ରାହ୍ମଣ ଗୋସାଇଁମାନେ ସେବା ଆରମ୍ଭ କରିଛନ୍ତିକି ନାହିଁ ଗୋଟିଏ ମାନୁଗଳିଆ, କଳାପାହାଡ଼ିଆ ମେଘ ଶିମିଳିପାଳ ଆଡ଼ୁ ଘୋଟି ଆସିଲା। ଖୁବ୍ ଅଳ୍ପ ସମୟରେ ବର୍ଷା ପବନରେ ଭୋଜିର ସତ୍ତା ରହିଲା ନାହିଁ। ଗୋସେଇଁମାନେ ଯେ ଯାହା ପାରିଲେ କାନିରେ ବାନ୍ଧି ସ୍ୱଗୃହକୁ ଫେରିଗଲେ। ଶ୍ରୀ ଶତପଥୀଙ୍କର ଜଣେ ସାଙ୍ଗ ବର୍ଷା ବିତ୍ପାତରୁ ଗୋଟିଏ ରସଗୋଲା ଟିଣକୁ ଉଦ୍ଧାର କରି ଆଣି ଥାଆନ୍ତି। ସାଙ୍ଗମାନେ ସେସବୁ ସେବା କରି ଗୋଟିଏ ଅଶୁଭ ଦିନକୁ ଶୁଭରେ ରୂପାନ୍ତରିତ କଲେ।

ବି.ଦ୍ର.: ଏହି ଲେଖାଟି ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ ସୌଜନ୍ୟରୁ ପ୍ରାପ୍ତ। ଆଲେଖ୍ୟଟିର ବିଷୟବସ୍ତୁ ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ୨୦୦୮ ମସିହାରେ ଛପାଇଥିବା ବସନ୍ତ କୁମାର ଶତପଥୀଙ୍କ ଦ୍ୱାରା ଲିଖିତ ଓ ସୁମନ୍ୟୁ ଶତପଥିଙ୍କ ଦ୍ୱାରା ସମ୍ପାଦିତ ଆତ୍ମଜୀବନୀ ‘ମନେ ପଡ଼େ’ ରୁ ଆହୃତ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆମାନେ ଅତୀତ ବୀରତ୍ୱ କାହାଣୀକୁ ମନେ ପକାଇବାକୁ ଆନ୍ଧ୍ର ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ୱର: ବରୁଣେଇରେ ପାଇକ ବିଦ୍ରୋହର ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଆନ୍ଧ୍ରପଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେବା ସହ ଅନୁରୋଧ କରିଛନ୍ତି। ଆଜି ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବୁଦ୍ଧିଜୀବୀ, ସାହିତ୍ୟିକ, ଐତିହାସିକ ତଥା କଳାକାରମାନଙ୍କ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଲେ, ଓଡ଼ିଆ ଜାତିର ଗର୍ବିତ ପରମ୍ପରା ସମଗ୍ର ବିଶ୍ୱବିଦିତ। ଇଂରେଜ ସରକାର ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହି ବୀରତ୍ୱପୂର୍ଣ୍ଣ ରକ୍ତାକ୍ତ ସଂଗ୍ରାମର ସ୍ମୃତିକୁ ପ୍ରତ୍ୟେକ ଓଡ଼ିଆ ମନେ ପକାଇବା ସହିତ ନିଜ ମାଟି ଓ ମାତୃଭାଷା ପ୍ରତି ମମତାବୋଧ ପ୍ରକାଶ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ସବୁଜ ବିଶ୍ୱ ପାଇଁ ଆମେ ବୃକ୍ଷରୋପଣ କରିବା ଅଭିଯାନର’ର ଲୋଗୋକୁ ଉନ୍ମୋଚନ କରି ଶ୍ରୀ ହରିଚନ୍ଦନ କହିଲେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି ଜନିତ ଯେଉଁ ସମସ୍ୟା ଦେଖା ଦେଇଛି ସେଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ।

ଏହି ଉତ୍ସବରେ ବିଶିଷ୍ଟ ଅତିଥି ରୂପେ ପୂର୍ବତନ କେନ୍ଦ୍ର ସାହିତ୍ୟ ଏକାଦେମୀ ସଭାପତି ପଦ୍ମ ଭୂଷଣ ବିଶିଷ୍ଟ କବି ରମାକାନ୍ତ ରଥ ଯୋଗଦେଇ ଆମର ପୂର୍ବଜ ସାହିତ୍ୟିକ କାହ୍ନୁଚରଣ ମହାନ୍ତି, କାଳନ୍ଦୀ ପାଣିଗ୍ରାହୀ ଆଦିଙ୍କର କୃତିକୁ ସଂରକ୍ଷଣ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିବା ନିମନ୍ତେ ମତ ରଖିଥିଲେ। ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଯେ, ପ୍ରତ୍ୟେକ ଓଡ଼ିଆ ନିଜ ଜାତିର ଇତିହାସକୁ ମନେ ପକାଇ ଆଗକୁ ନିଜର ସ୍ୱାଭିମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସହ ବିଶ୍ୱର ପରିବେଶଜନିତ ସଙ୍କଟକୁ ଉଦ୍ଧାର କରିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଆଚିଭର ଫାଉଣ୍ଡେସନର ସଭାପତି ଡଃ ଅଶୋକ ସୁନ୍ଦରାୟ, ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜିକା ବିନି ସାମଲ, ରୋଟାରିଆନ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉତ୍କଳ ଜନନୀର ବୀରତ୍ୱପୂର୍ଣ୍ଣ ଗାଥା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡଃ ସୁଭାଷ ଚନ୍ଦ୍ର ନାୟକ, ସମାଜସେବୀ ଓ ଶିକ୍ଷାବିତ୍ ଲାୟନ୍ସ ସ୍ମୃତିସୁଧା ନାୟକ, ଶିକ୍ଷାବିତ୍ ଡଃ ପତିତପାବନ ପଣ୍ଡା, ସକାଳ ଖବରକାଗଜର ସାମ୍ବାଦିକ ଅନୁରାଧା ବାରିକ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ନମ୍ରତା ସିଂହଦେଓ, ଧାରାବାହିକ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତୃପ୍ତି ସାହୁ, ଚଳଚ୍ଚିତ୍ର ଧାରାବାହିକ ଅଭିନେତ୍ରୀ ଆଲିସା ବ୍ରହ୍ମା, ଧାରାରବାହିକ ଅଭିନେତ୍ରୀ ମାନସୀ ପାଲ, ସ୍ନିଗ୍ଧା, ଅଭିନେତା ନୀଲ୍ ପଣ୍ଡା, ସାମ୍ବାଦିକ ସୁସ୍ମିତା ମିଶ୍ର ଓ ଚଳିତବର୍ଷର ଶ୍ରେଷ୍ଠ ଧାରାବାହିକ ଓ ଚଳଚ୍ଚିତ୍ର ପ୍ରଯୋଜିକା ଭାବେ ବିନି ସାମଲଙ୍କୁ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଆ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଲା ଖେଳରତ୍ନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ବର୍ଷ ପାଇଁ କ୍ରୀଡ଼ା ଓ ଦୁଃସାହସିକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆଜି (ନଭେମ୍ବର ୧୩, ୨୦୨୧)ରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର-୨୦୨୧, ଅର୍ଜ୍ଜୁନ ପୁରସ୍କାର-୨୦୨୧, ଧ୍ୟାନ ଚାନ୍ଦ ପୁରସ୍କାର -୨୦୨୧, ରାଷ୍ଟ୍ରୀୟ ଖେଳ ପୁରସ୍କାର-୨୦୨୧, ମୌଲାନା ଅବୁଲ କାଲାମ ଆଜାଦ୍ ଟ୍ରଫି-୨୦୨୧ ଏବଂ ତେଞ୍ଜିଂ ନୋର୍ଗେ ଜାତୀୟ ଦୁଃସାହସିକ କ୍ରୀଡ଼ା ପୁରସ୍କାର-୨୦୨୦ ପ୍ରଦାନ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଟୋକିଓ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିଥିଲେ। ଏଥିପୂର୍ବରୁ ଶ୍ରୀ ଭଗତ ୨୦୧୯ ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ୨ଟି ସ୍ବର୍ଣ୍ଣ ପଦକ ଜିତିଥିଲେ।

ସେହିପରି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାତୀୟ ହକି ଦଳର ସଦସ୍ୟ ଓଡ଼ିଆ ହକି ଖେଳାଳୀ ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ରାଷ୍ଟ୍ରପତି ସମ୍ମାନିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶାସ୍ତ୍ରୀୟ ଭାଷା ଓଡ଼ିଆ ଆଜି ସରକାରୀ ଅବହେଳାର ଶିକାର: କେବେ ଚେତିବ ଶାସନ?

ହେମାଙ୍ଗ ପ୍ରସାଦ ରାଉଳ
ଭୁବନେଶର/ବ୍ରହ୍ମପୁର: ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାର ଦିନଟି ଥିଲା ୨୦ ଫେବୃୟାରୀ ୨୦୧୪ ତାରିଖ। ଏଇ ଦିନ ଓଡ଼ିଶା କେତେ ଆଡ଼ମ୍ବର ସହ ବାଣଫୁଟାଇ ଢ଼ୋଲ ବଜାଇ ନାଚୁଥିଲା। ଆଲୋକମାଳା ଆତସବାଜିରେ ଝଲସି ଉଠୁଥିଲା ସରକାରୀ ବଡ଼ ବଡ଼ କୋଠା ଏବଂ ଲୋକସେବା ଭବନ। କିନ୍ତୁ ଆଜି ସତରେ ଓଡ଼ିଆ ଭାଷା ପ୍ରତି ସମ୍ମାନ, ଆଦର, ଶ୍ରଦ୍ଧା ଓ ସୌହାର୍ଦ୍ଧ୍ୟ କେତେ ? ତାହା ମଧ୍ୟ ଅନୁଶୀଳନୀୟ।

ରାଜ୍ୟ ସରକାରଙ୍କ ଅପାରଗତାର ଆଉ ଏକ ପ୍ରମାଣ ସରକାରୀ କାର୍ଯ୍ୟରେ ବ୍ୟବହୃତ ପତ୍ର ଚିଠି ଗୁଡ଼ିକରେ ଓଡ଼ିଆ ଭାଷାର ଦୈନ୍ୟତା। ପଶ୍ଚିମ ଇଂରାଜୀ ଭରଷା ପ୍ରେମରେ ଓଡ଼ିଶାର ଶାସନ। ଏଇ ପ୍ରେମର ମୋହ ଭାଙ୍ଗିବ କେବେ ବୋଲି ଭାଷାପ୍ରେମୀମାନଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ବହୁ ଦିନର ସଂଗ୍ରାମ, ତଥ୍ୟଭିତ୍ତିକ ତର୍କବିତର୍କ ପରେ ଓଡ଼ିଶାର ଓଡ଼ିଆ ଭାଷା ବିଶ୍ୱର ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ଭାରତରେ ୭ମ ସ୍ଥାନ ଏବଂ ବିଶ୍ୱରେ ୩୭ତମ ସ୍ଥାନ ଦାଖଲ କରିଥିବା ପ୍ରାଚୀନ ଭାଷା ଓଡ଼ିଆକୁ ଉଚିତ ସମ୍ମାନ ଦେବା ପାଇଁ ଓଡ଼ିଶା ଶାସନକଳ ଦୁର୍ବଳ କାହିଁକି? ଘୋଷଣା କରାଯାଏ ଭାଷାର ବ୍ୟବହାର କରିବା ପାଇଁ କିନ୍ତୁ ତା’ର ବ୍ୟବସ୍ଥାକୁ ଏମାନେ ହିଁ ଭାଙ୍ଗିଦିଅନ୍ତି।

ଓଡ଼ିଶାର ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ଏକଦା ୮୪୫ ଦିନ ଧରି ସାରା ଓଡ଼ିଶାରେ ନୀରବ କଳାପତାକା ପଦଯାତ୍ରା ଚାଲିଥିଲା ଏବଂ ଓଡ଼ିଶା ସରକାର ଏହି ଆନ୍ଦୋଳନରେ ପ୍ରଭାବିତ ହୋଇ ଦାବି ମଧ୍ୟ ମାନିନେଲେ। ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଓଡ଼ିଆ ଭାଷାରେ ଶାସନ ପାଇଁ ନିର୍ଦ୍ଦେଶନାମା ମଧ୍ୟ ସରକାର ଜାରି କଲେ। ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ସଂସ୍ଥା, ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ସମ୍ମାନ ଏବଂ ଯିଏ ଭାଷା ଆଇନକୁ ଖିଲାପ କରିବ ତା’ ପ୍ରତି ଦଣ୍ଡ ମଧ୍ୟ ବିଧାନ କରାଯିବ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏସବୁ କେବଳ ଆଜି ପ୍ରହସନ ପରି ମନେହୁଏ।

ବ୍ରହ୍ମପୁର ସହରରେ ଓଡ଼ିଶାର ଭାଷା ଆନ୍ଦୋଳନ ଏକ ପ୍ରଭାବଶାଳୀ ଆନ୍ଦୋଳନ ଥିଲା। ଜଣେ ଡ଼ାକ୍ତର ଭାଷାପ୍ରେମର ନିଖୁଲ ସଂଦେଶ ଦେଇ ଓଡ଼ିଶା ଶାସନକୁ ଚେତାଇଥିଲେ। ନୀରବ କଳା ପତାକା ପଦଯାତ୍ରା ମାଧ୍ୟମରେ ଗଂଜାମ ଜିଲ୍ଲାରୁ ଡା. ସାଗର ରଂଜନ ତ୍ରିପାଠୀ ନିଜ କାନ୍ଧରେ ଭାଷା ଆନ୍ଦୋଳନର ଭାର ବହନ କରି ରାଜ୍ୟ ଶାସନ ସମ୍ମୁଖରେ ଏକ ପ୍ରଭାବଶାଳୀ ସଂଦେଶ ଦେଇଥିଲେ। ଯାହାକି ସାରା ଓଡ଼ିଶାର ଭାଷାପ୍ରେମୀଙ୍କ ପାଇଁ ଏକ ନୂଆଖବର ଥିଲା ଯେ ଜଣେ ଡ଼ାକ୍ତର ଭାଷାପ୍ରେମର ଜାଲରେ।

ଓଡ଼ିଶାର ଭୁବନେଶ୍ୱର, ଯାଜପୁର, ସମ୍ବଲପୁରରେ ଭାଷା ଆନ୍ଦୋଳନର ସ୍ୱର ଶାଣିତ ଥିଲା। ଏସବୁ ଭାଷା ଜନନୀର ସୁରକ୍ଷା। କିନ୍ତୁ ବଡ଼ ବିଡ଼ମ୍ବନା କାହିଁକି? ଭାଷା ଆଇନ ଓ ଦଣ୍ଡ ? ମାଳ ମାଳ ଇଂରାଜୀ ନାମଫଳକ ସରକାରୀ ଦପ୍ତରରେ ଏବଂ ବିଜ୍ଞାପନରେ ଦେଖୁଥିବା ଭାଷାପ୍ରେମୀଙ୍କୁ ସରକାର ଆଘାତ ଦେଇ ଚାଲିଛନ୍ତି। ଶାସ୍ତ୍ରୀୟ ଭାଷା ଓଡ଼ିଆ ହେଲା, ଭାଷା ଆଇନ ମାଧ୍ୟମରେ ଭାଷା ଖିଲାପ କଲେ ଦଣ୍ଡ ଓ ଭାଷାକୁ ଆଦର କଲେ ସମ୍ମାନ ଦେବା ପାଇଁ ସରକାରୀ ଘୋଷଣା ସବୁ ଧୂଆଁବାଣ। ସରକାରୀ ଆଇନ ହେବା ପରେ କାର୍ଯ୍ୟକାରିତା ହୁଏ ନାହିଁ କାହିଁକି, ଏସବୁ ଭାଷାପ୍ରେମୀଙ୍କ ପ୍ରତି ପ୍ରତାରଣା ନୁହଁକି ବୋଲି ଆଜି ପ୍ରଶ୍ନ ଉଠୁଛି।