Categories
ଆଞ୍ଚଳିକ

ଓଡ଼ିଆ ଭାଷା ହିଁ ଓଡ଼ିଆ ଜାତିର ଅସ୍ତିତ୍ବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଉପଲକ୍ଷେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂର୍ବାହ୍ଣ ଏଗାର ଘଟିକା ସମୟରେ ସମସ୍ତ ଅତିଥି, ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଥମେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ସମୂହ ଭାବେ ଗାନ କରିଥିଲେ।

ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନା ମଞ୍ଜରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ସମ୍ମାନିତ ଅତିଥିଭାବେ କବି ଦିଗମ୍ବର ବିଶ୍ୱାଳ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ପଣ୍ଡା ଓ ବରିଷ୍ଠ ଶିକ୍ଷକ ଗୋପୀନାଥ ପ୍ରଧାନ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍କର୍ଷତା ଓ ପ୍ରସାରତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି କହିଥିଲେ ଯେ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷା ହେଉଛି ଆମର ଯଥାର୍ଥ ପରିଚୟ ଓ ଅସଲ ଅସ୍ତିତ୍ବ। ଓଡ଼ିଆ ଭାଷା ହିଁ ଆମର ବ୍ୟକ୍ତିତ୍ୱ, ସର୍ଜନଶୀଳତା ଓ ବୌଦ୍ଧିକ ବିକାଶକୁ ତ୍ବରାନିତ କରିଥାଏ। ଏଥି ସହ ଚିଲିକା ଓ ବାଣପୁର ମାଟିର ସାହିତ୍ୟିକ ମାନଙ୍କର ଓଡ଼ିଆ ଭାଷା ସାହିତ୍ୟକୁ ଅବଦାନ ସମ୍ପର୍କରେ ଉପସ୍ଥାପିତ କରିଥିଲେ।

ଅନ୍ୟ ଅତିଥିମାନେ ଛାତ୍ର ଛାତ୍ରୀମାନେ କିପରି ପାଠ୍ୟପୁସ୍ତକ ସହ ଓଡ଼ିଆ ଲେଖକ ମାନଙ୍କର ବହି ପ୍ରଚୁର ପରିମାଣରେ ପଢିବା ସହ ନିଜେ ନିଜର ସର୍ଜନଶୀଳତା ଦ୍ୱାରା ଓଡ଼ିଆ ଭାଷା ଓ ସାହିତ୍ୟକୁ ପରିପୁଷ୍ଟ କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ନିଜର ସ୍ୱରଚିତ ଲେଖା ପାଠ କରିଥିଲେ।  ଶିକ୍ଷକ ସୁରେନ୍ଦ୍ର ନାଥ ନାୟକ ଓଡ଼ିଆ ଭାଷାର ଗାରିମା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାପତୀୟ ଅଭିଭାଷଣରେ ପ୍ରଧାନ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ଜାତିର ଇତିହାସ,ଗରିମାମୟ କାହାଣୀ ଜାଣିବା ସହ ଓଡ଼ିଆ ଭାଷାରେ ଗଳ୍ପ କବିତା ନାଟକ ଆଦି ଲେଖିବା ପାଇଁ ଉତ୍ସାହିତ କରିଥିଲେ।

ଏହାପରେ ବିଭିନ୍ନ ଭାଷା ଦକ୍ଷତା ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ନିକଟରେ ଜିଲ୍ଲାର ଶ୍ରେଷ୍ଠ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଶିକ୍ଷକ ଗୋପୀନାଥ ପ୍ରଧାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଶେଷରେ ଧନ୍ୟବାଦ ଦେଇଥିଲେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ପାଇକରାୟ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଚଳିତ ରଥଯାତ୍ରାର ସୁପରିଚାଳନା ନେଇ ବୈଠକ

ଭୁବନେଶ୍ୱର: ଓଡ଼ିଆମାନଙ୍କର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ରଥଯାତ୍ରା ହେଉଛି ଓଡ଼ିଆ ଜାତିର ସବୁଠାରୁ ଶ୍ରେଷ୍ଠ ପର୍ବ। ଦେଶବିଦେଶରୁ ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସନ୍ତି। ଚଳିତ ରଥଯାତ୍ରାରେ ସୂଚନା ଓ ଲୋକସଂପର୍କ ବିଭାଗ ଉପରେ ନ୍ୟସ୍ତ ସମସ୍ତ କାର୍ଯ୍ୟକୁ ଅଧିକ ଆନ୍ତରିକତା ଓ ବ୍ୟବସ୍ଥିତ ଢଙ୍ଗରେ ନିର୍ବାହ କରି ରଥଯାତ୍ରାକୁ ଅଧିକ ସରସସୁନ୍ଦର କରିବା ପାଇଁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି।

ଆଜି ଲୋକସଂପର୍କ ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ଉପଲକ୍ଷେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଅମାତ ବିଗତ ବର୍ଷମାନଙ୍କରେ ଦେଖଯାଇଥିବା ଅସୁବିଧାଗୁଡ଼ିକର ସମାଧାନ ଉପରେ ବିଶେଷ ଦୃଷ୍ଟି ଦେଇ ଚଳିତ ବର୍ଷର ରଥାଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ କହିଲେ ଯେ ରଥଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ପ୍ରତୀକ। ରଥଯାତ୍ରାରେ ନିର୍ଦ୍ଦିଷ୍ଟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ସୂଚନା ଓ ଲୋକସଂପର୍କ ବିଭାଗକୁ ସୁଯୋଗ ଦେଇଛନ୍ତି। ଏହା ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ। ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱଗୁଡ଼ିକୁ ଗତବର୍ଷ ତୁଳନାରେ ଅଧିକ ସୁଚାରୁ ରୂପେ ସଂପାଦିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ଆଦି ପୁସ୍ତିକାର ପ୍ରକାଶନ ଏବଂ ଭକ୍ତମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୁରୀଠାରେ ଏହାର ବିକ୍ରୟ ଉପରେ ମତ ରଖିଥିଲେ।
ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ଦେବା ସହ ଆଲୋଚନା ନିମେନ୍ତ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ଆଲୋଚନାରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରାଯିବ ଓ ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମକୁ ଲାଇଭ୍‌ କମନ୍‌ ଫିଡ୍‌ ଯୋଗାଇ ଦିଆଯିବ। ଭକ୍ତମାନଙ୍କ ସୁବିଧା ନିମନ୍ତେ ପୁରୀର ୧୧ଟି ପ୍ରମୁଖ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ। ବିଭାଗ ପକ୍ଷରୁ ସମସ୍ତ ସୂଚନା କେନ୍ଦ୍ରରେ ପାଲା, ଦାସକାଠିଆ, ଘୋଡ଼ାନାଚ ଇତ୍ୟାଦି ଲୋକକଳା ଏବଂ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରତ୍ୟେକ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଭଜନ ସମାରୋହ ଆୟୋଜିତ ହେବ।

ମହାନ ଜଗନ୍ନାଥ ସଂସ୍କୃତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଧାରିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ରଥଯାତ୍ରା ସଂପର୍କିତ ଖବର ସଂଗ୍ରହ ପାଇଁ ରାଜ୍ୟସ୍ତରୀୟ ସାମ୍ବାଦିକମାନଙ୍କ ପୁରୀ ଗସ୍ତ ଉପରେ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ନେଇ ସାମାଜିକ ଗଣମାଧ୍ୟମ, ଖବରକାଗଜ, ରେଡ଼ିଓ ଜିଙ୍ଗିଲ୍‌ ଓ ବୈଦୁ୍ୟତିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କିତ ବିବରଣୀ ହୋଡିଙ୍ଗ୍‌ ମାଧ୍ୟମରେ ପ୍ରଦର୍ଶିତ ହେବ।

ଏହି ଅବସରରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ, ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଉତ୍କଳ ଗୌରବ ମଧୁବାବୁ

ବିଶ୍ବବିଜୟୀ ଦାଶ

ଉତ୍ଥାନ, ପତନ ଗୋଟିଏ ଜାତିର ଇତିହାସରେ କିଛି ନୂଆ କଥା ନୁହେଁ। ଇଂରେଜ ଶାସନ ଅମଳରେ ନିର୍ଯ୍ୟାତିତ ଓଡ଼ିଆ ଜାତି ମୂମୁର୍ଷ ଅବସ୍ଥାରେ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମରତ ଥିବାବେଳେ କେତେଜଣ କ୍ଷଣଜନ୍ମା ବ୍ୟକ୍ତିବିଶେଷଙ୍କ ଆବିଭାର୍ବ ଜାତୀୟ ଜୀବନରେ ଆଶାର ସଂଚ଼ାର କରିଥିଲା। ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତତ୍ନ ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରୁ ଦେଶପ୍ରାଣ ଉତ୍କଳଗୌରବ ମଧୁସୂଦନ ଦାସ ଅନ୍ୟତମ।ଆମ ଓଡ଼ିଶାର ପ୍ରଥମ ଓଡ଼ିଆ ବି.ଏ, ପ୍ରଥମ ଓଡ଼ିଆ ଏମ୍.ଏ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ସ୍ବାଧିନତା ସଂଗ୍ରାମୀ, ଯିଏକି ଓଡ଼ିଶାକୁ ନିଜର ପ୍ରାଣ ଦେଇ ଭଲ ପାଉଥିଲେ ଓ କାମ କରୁଥିଲେ ତଥା ଓଡ଼ିଆ ଜାତିର ଚ଼ିର ନମସ୍ୟ, ପ୍ରାତଃ ସ୍ମରଣୀୟ, ଚ଼ିର ବରଣୀୟ କୂଳବୁଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସ।

ଉତ୍କଳଗୌରବ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ।

ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ।ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି)। ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ। କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା। ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ। ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ।

ସେଠାରେ ମଧୁବାବୁ ଏମ୍.ଏ. ପାସ୍ କରିଥିଲେ। ତା’ପରେ ମଧୁବାବୁ କଲିକତା ବିଶ୍ବବିଦ୍ୟାଳୟ ବି.ଏଲ୍. ପାସ କରି ସାରିଥିଲେ। ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେଠାରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଉନ୍ନତି ପଥରେ ମଧୁବାବୁ ଲାଗିପଡ଼ିଥିଲେ। ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ।

୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ। ବିଚ଼କ୍ଷଣ ବୁଦ୍ଧି ବଳରେ ସେ ଓକିଲାତିରେ ବିଶେଷ ପାରଦର୍ଶିତା ଅର୍ଜନ କରିପାରିଥିଲେ ଓ ମଧୁବାରିଷ୍ଟର ଭାବେ ପରିଚ଼ିତ ହୋଇଥିଲେ। ତାଙ୍କର ଓକିଲାତି ଜୀବନକାଳରେ ସେ ବହୁ ଜନହିତକର କାର୍ଯ୍ୟ କରିଥିଲେ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ। ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା। ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ। ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଓଡ଼ିଶାରେ ଚ଼ମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ।

ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ ଏକ ବିପର୍ଯ୍ୟନ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ବିଶାଳ ଓଡ଼ିଶା। ଉତ୍କଳ ଜନନୀର ପୂର୍ଣ୍ଣାଙ୍ଗ ରୂପ ପ୍ରତିଷ୍ଠା ପାଇଁ ଜାତୀୟ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ମଧୁବାବୁଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଦୁର୍ବାର ଅଭିଯାନ।ଉତ୍କଳୀୟ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଗଢ଼ିଥିଲେ ଜାତୀୟ ମହାମଞ୍ଚ ଉତ୍କଳ ସମ୍ମିଳନୀ। ଜାତୀୟତାର ମହାପ୍ରବାହ ସୃଷ୍ଟି କରିବାର ଆକାଂକ୍ଷା ନେଇ ଲେଖିଥିଲେ ପ୍ରାଣ ନିଗିଡ଼ା କବିତା।ଜାତୀୟ ବିକାଶ, ଜାତୀୟ ସମସ୍ୟା, ଜାତୀୟ ଚ଼ରିତ୍ର, ଜାତୀୟ ଅସ୍ମିତା ଓ ଜାତୀୟ ସ୍ବାଭିମାନ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ଯୋଡ଼ିବାର ସଂକଳ୍ପ ନେଇ ସମ୍ମିଳନୀ ମଣ୍ଡପରୁ ଗାଇଥିଲେ “ଏଇ ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ,ତୋର ପ୍ରାଣ ବିନ୍ଦୁ ମିଶେଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ”।

ଗଭୀର ଜାତୀୟତାବୋଧର ଉଦବେଳନ ନେଇ ଭାବିଲେ ମନେହୁଏ ଏହା କେବେବି ଜଣେ ସାଧାରଣ କବିର ଆହ୍ବାନ ନୁହେଁ,ବରଂ ଜଣେ ମହାମାତ୍ନିକ ସଞ୍ଜିବନୀ ମତ୍ନ, ଯେଉଁ ମତ୍ନ ର ଯାଦୁକରୀ ମାୟାରେ ଦିନେ ଚ଼େଇଁ ଉଠିଥିଲା ସମଗ୍ର ଓଡ଼ିଆ ଜାତି।

ତାଙ୍କରି ଲେଖନୀ ନିସୃତ କବିତା ଏବେ ବି ଓଡ଼ିଆଙ୍କ କାନରେ ଠାଇ ଠାଇ ହୋଇ ବାଜେ-
“ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହାସ
ପଡି଼ବକି କେବେ ମନେ ?”

ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି। ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ”, “ଜାତି ଇତିହାସ”, “ଜ୍ଞାନୀର ଉକ୍ତି”, “ଜାତୀୟ ଗୀତିକା”। ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ।

ଏହି ମହାପୁରୁଷ, ଓଡ଼ିଆ ମାଟି ର ସ୍ବାଭିମାନ କୂଳବୁଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ୧୯୩୪ ମସିହା ଫେବୃଆରୀ ୪ ତାରିଖ ରେ ଓଡ଼ିଶା ବାସୀଙ୍କୁ ଶୋକସାଗରରେ ଭସାଇ ଚ଼ାଲିଗଲେ। ଆଜି ତାଙ୍କର ଜୟନ୍ତୀ ଅବସରରେ ମୋର ଭୂମିଷ୍ଠ ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍- ୭୫୨୦୩୫

ମୋବାଇଲ ନଂ- ୬୩୭୦୨୦୮୪୨୮

Categories
ଆଜିର ଖବର ରାଜ୍ୟ ଖବର

ଗୋପବନ୍ଧୁ ହେଉଛନ୍ତି ସର୍ବକାଳୀନ ଆଦର୍ଶ, ମହାପୁରୁଷଙ୍କୁ ଅସମ୍ମାନ ବରଦାସ୍ତ କରାଯିବନି: ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ

ଭୁବନେଶ୍ୱର: ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ସର୍ବକାଳୀନ ଆଦର୍ଶ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜଗତସିଂହପୁରସ୍ଥିତ ରଘୁନାଥପୁରଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ସ୍ୱର୍ଗତ ରାଜନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଘୋର ବିରୋଧ କରିଛନ୍ତି। ସେ ନିଜେ ଘଟଣାସ୍ଥଳକୁ ଯିବା ସହିତ ଅଭିଯାନର ବରିଷ୍ଠ ସଦସ୍ୟ ବି. ମୁରଲୀଧରଙ୍କ ନେତୃତ୍ୱରେ ପୂଜ୍ୟପୂଜାର ଏକ ସ୍ୱତନ୍ତ୍ର ଟିମ୍ ସେହି ସ୍ଥାନକୁ ଯାଇଥିଲେ।

ସେଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ପ୍ରାଣ ରଶ୍ମୀରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଦୀର୍ଘ ଏକମାସ ଧରି ଊତ୍କଳମଣିଙ୍କ ପ୍ରତିମୂର୍ତ୍ତି ପାଖରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆସୁଛନ୍ତି। ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଛନ୍ତି ଯେ, ଉତ୍କଳମଣିଙ୍କ ନିକଟରେ ସମକକ୍ଷ ପ୍ରତିଭା ଭାବରେ ଉକ୍ତ ରାଜନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଗ୍ରହଣୀୟ ନୁହେଁ ଏବଂ ଏହା ଉତ୍କଳମଣିଙ୍କ ପ୍ରତି ଘୋର ଅପମାନ।

ଏହି ପରିପ୍ରେକ୍ଷୀରେ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ ଏହାର ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ଖୁବ୍‌ଶୀଘ୍ର ହେବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।