Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଟିଡିସିକୁ ହେଲା ୪୪ ବର୍ଷ: ବିଶେଷ ଅବଦାନ ପାଇଁ ଦିଆଗଲା ପୁରସ୍କାର

ଭୁବନେଶ୍ବର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ଓଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ରାଜ୍ୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ ଭୂମିକା ତୁଲାଇଛି।

ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ସହ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ ରଖିବାରେ ସକ୍ଷମ ହୋଇଛି। ପର୍ଯ୍ୟଟନ କ୍ଷେତ୍ରରେ ସମଗ୍ର ଦେଶରେ ଅନ୍ୟରାଜ୍ୟ ପାଇଁ ଓଟିଡିସି ଉଦାହରଣ ସୃଷ୍ଟି କରିଥିବା ନେଇ ଡଃ ମହାନ୍ତି ଉଲ୍ଲେଖ କରିଥିଲେ। ବିଭିନ୍ନ ପର୍ବପର୍ବାଣୀରେ ପିଠା ବିକ୍ରୟ କରି ୧୬ ଲକ୍ଷ ଟଙ୍କା ଲାଭ କରିଥିବା ବେଳେ ମୋଟ ବ୍ୟବସାୟରେ ଓଟିଡିସି ଗତବର୍ଷ ୫ କୋଟି ଟଙ୍କା ଲାଭ କରିଥିବା ସେ ଉଲ୍ଲେଖ କରିଥିଲେ। ନିଗମର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ବେଳେ ଏହି ଲାଭାଂଶ ବହୁଗଣିତ ହେବ ବୋଲି ସେ କହିଥିଲେ।

ସେହିଭଳି ପର‌୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଓଟିଡିସି ଗୁରୁ ଭୂମିକା ଗ୍ରହଣ କରିଛି। ପର୍ଯ୍ୟଟନ ଓ ଭ୍ରମଣ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗକୁ ଆପଣେଇବାରେ ଏହା ସଫଳହୋଇଛି। କରୋନା ମହାମାରୀ ସମୟରେ କାର୍ଯ୍ୟକରି ଓଡିଟିସି ଏହାର ଦକ୍ଷତା ପ୍ରତିପାଦିତ କରିଥିବା ସେ କହିଥିଲେ। ଓଡିଶା ୱାକ୍ସ, ତାଳଦଣ୍ତା ଓ କଟକରେ ବୋଟ କ୍ଲବ ଖୋଲିବା ସହ ନୂତନ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଓଟିଡିସି ଆଗରେ ରହିଥିବା ଶ୍ରୀ ଯାଦବ କହିଥିଲେ।

ଏହି ଅବସରରେ ଓଟିଡିସି ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପର‌୍ୟ୍ୟଟନର ପ୍ରୋତ୍ସାହନ କ୍ଷେତ୍ରରେ ଓଟିଡିସିର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ପୂର୍ବରୁ ଓଟିଡିସି ପରିସରରେ ଚାରାରୋପଣ କରାଯିବା ସହ ଉନ୍ନତିକରଣ ହୋଇଥିବା ୧୨ଟି ଶଯ୍ୟାକୁ ଲୋକାର୍ପିତ କରାଯାଇଥିଲା। ପ୍ରାରମ୍ଭରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସେହିଭଳି ନିଗମର ଉତ୍କର୍ଷତା କ୍ଷେତ୍ରରେ ପୁରୀ ଓ ଗୋପାଳପୁର ସ୍ଥିତ ପାନ୍ଥନିବାସ, ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତରାଁ ସମେତ ଓଟିଡିସିର ବିଭିନ୍ନ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ କର୍ମଚାରୀ ଶ୍ରୀମତୀ ବିଦୁ ନାୟକ, ଶ୍ରୀ କେଦାର ବାରିକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପ୍ରତିଷ୍ଠା ଦିବସର ଉପହାର ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଫୁଡ ବ୍ଲଗର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା,ପର‌୍ୟ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଶ୍ରୀ ଅନନ୍ତ ନାରାୟଣସିଂ ଲାଗୁରୀ, ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ କୁମାର ପଣ୍ତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାନ୍ଥନିବାସ ପକ୍ଷରୁ ‘ପରିଚୟ’- କଣ୍ଟେଣ୍ଟ କ୍ରିଏଟର୍ସ ମିଟ୍ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ‘ଫୁଡିଜ୍ ଅଫ ଭୁବନେଶ୍ୱର’ ଏବଂ ଓ ‘ଚଲୋ ଓଡ଼ିଶା ପାନ୍ଥନିବାସ’ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ରବିବାର ‘ଓଡ଼ିଶା ପର୍ଯ୍ୟଟନ’ ପକ୍ଷରୁ ଖାଦ୍ୟ, ଭ୍ରମଣ, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାର କଣ୍ଟେଣ୍ଟ କ୍ରିଏଟର୍ସ (ବିଷୟବସ୍ତୁ ସୃଷ୍ଟିକାରୀ)ଙ୍କ ପାଇଁ ଏକ ପ୍ରଶଂସା ଦିବସ ‘ପରିଚୟ’ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମକୁ ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଏଥିରେ କଳା କ୍ଷେତ୍ରର ସ୍ୱନାମଧନ୍ୟ ବ୍ୟକ୍ତି- ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଓ ଓଡ଼ିଆ ରାପର୍ ବିଗ୍ ଡିଲ୍ ଙ୍କ ସମେତ ଓଡ଼ିଶା ପର୍ଯ୍ୟଟନ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଭ୍ରମଣ, ହାସ୍ୟରସାତ୍ମକ, କଳା, ସଂସ୍କୃତି ଏବଂ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କ୍ଷେତ୍ରରେ ବିଷୟବସ୍ତୁ ରଚନା କରୁଥିବା ପ୍ରାୟ ୧୦୦ ଜଣ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଭାବଶାଳୀ ଭାବେ ବିଷୟବସ୍ତୁ ରଚନା କରୁଥିବା ଏହି କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଭୂମିକା ଉପରେ ଆଲୋକପାତ କରି ଓଟିଡିସି ଅଧ୍ୟକ୍ଷ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଓଡ଼ିଶାକୁ ପର୍ଯ୍ୟଟନ ଓ ସଂସ୍କୃତିର କେନ୍ଦ୍ର ଭାବେ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଯେଭଳି ଭାବେ ଗୁରୁତ୍ୱ ଦେଉଛନ୍ତି , ସମ ଭାବରେ ଏହାକୁ ଫଳପ୍ରସୂ କରିବାରେ ଆଜିର ପିଢ଼ିର ଭୂମିକା ସେହିପରି ଗୁରୁତ୍ୱ ବହନ କରୁଛି। କାର୍ଯ୍ୟକ୍ରମରେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଦ୍ୱାରା ଉପସ୍ଥାପିତ ଆଶ୍ଚର୍ଯ୍ୟଜନକ ବିଷୟବସ୍ତୁ କେବଳ ମନୋରଞ୍ଜନ କରେ ନାହିଁ ବରଂ ଓଡ଼ିଶାର ବିଭିନ୍ନ ମନୋରମ ପ୍ରାକୃତିକ ଗନ୍ତବ୍ୟ ସ୍ଥଳ, ଖାଦ୍ୟ, ଏହାର ଲୋକ ସଂସ୍କୃତି ଇତ୍ୟାଦି ଉପରେ ସଚେତନତା ସୃଷ୍ଟି କରେ।

ପାରମ୍ପରିକ ପ୍ରକାର ମାର୍କେଟିଂ ତୁଳନାରେ ଏଭଳି ଅନୁଭୂତିମୂଳକ ବିଷୟବସ୍ତୁର ପ୍ରଭାବ ଅଧିକ ପ୍ରଭାବଶାଳୀ। ସୃଜନଶୀଳ ବିଷୟବସ୍ତୁ ମାଧ୍ୟମରେ ଯାତ୍ରୀଙ୍କ ମନରେ ‘ବ୍ରାଣ୍ଡ ଓଡ଼ିଶା’ର ରୂପାନ୍ତରଣରେ ସାହାଯ୍ୟ କରୁଥିବା ଏହି ବ୍ଲଗିଂ ସମ୍ପ୍ରଦାୟ ସ୍ଥାନୀୟ ଲୋକମାନଙ୍କର ଜୀବିକା ବିକାଶରେ ମଧ୍ୟ ସାହାଯ୍ୟ କରିଥିବାରୁ ଡଃ. ମହାନ୍ତି ସେମାନଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ। ସୋସିଆଲ ମିଡିଆ ଉପଯୋଗ ଜରିଆରେ ‘ଫୁଡିଜ୍ ଅଫ୍ ଭୁବନେଶ୍ୱର’ ଓ ‘ଚଲୋ ଓଡ଼ିଶା’ କମ୍ୟୁନିଟି ବ୍ଲଗିଂମାନେ ଓଡ଼ିଶାର ଖାଦ୍ୟ ଓ ଟ୍ରାଭେଲ ବ୍ଲଗରମାନଙ୍କୁ ଏକାଠି କରି ଓଡିଶାରେ ପର୍ଯ୍ୟଟନ ଓ ସଂସ୍କୃତିର ଏଠାରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଶ୍ରେୟ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ପର୍ଯ୍ୟଟନକୁ ଡିଜିଟାଲ ମାଧ୍ୟମରେ ପ୍ରୋତ୍ସାହିତ କରିବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ବିଷୟବସ୍ତୁ ନିର୍ମାତାମାନଙ୍କ ପାଇଁ ନେଟୱାର୍କ, ଚିନ୍ତାଧାରା ଆଦାନପ୍ରଦାନ ଏବଂ ପ୍ରେରଣା ପାଇବାର ଏକ ପ୍ଲାଟଫର୍ମ ଥିଲା ବୋଲି ଅଂଶଗ୍ରହଣକାରୀମାନେ ପାରସ୍ପରିକ ଭାବ ବିନିମୟ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ଡାକ୍ତର ପ୍ରଫେସର ସରୋଜିନୀ ଷଡଙ୍ଗୀ ଏବଂ ପ୍ରଫେସର ଡାକ୍ତର ରମାରମଣ ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଆର୍.କେ.ପଲେଇ, ପର୍ଯ୍ୟଟନ ବିଭାଗ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଅଂଶୁମାନ ରଥଙ୍କ ସମେତ ଓଡ଼ିଶା ପର୍ଯ୍ୟଟନ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥି ଓ ଅଂଶଗ୍ରହଣକାରୀଙ୍କ ପାଇଁ ଉପଲବ୍ଧ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ ଉପଲବ୍ଧ କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଲେନିନ୍ ମହାନ୍ତି

ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡଃ ଲେନିନ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି କ୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେଆଜି ଡଃ ମହାନ୍ତିଓଟିଡିସି କାର‌୍ୟ୍ୟାଳୟରେ ପହଞ୍ଚି ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶ୍ଵେତାସ୍ନିଗ୍ଧା ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

କାର୍ଯ୍ୟାଳୟରେ ପହଁଚିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଅଂଶୁମାନ ରଥ, ଓଟିଡିସିର ମ୍ୟାନେଜର ଶ୍ରୀ ଶକ୍ତିକାନ୍ତ ରାୟ, କାର୍ଯ୍ୟାଳୟର କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଡଃ ମହାନ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ନୂତନ କାର‌୍ୟ୍ୟଭାର ଗ୍ରହଣ ଅବସରରେ ଡଃ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଯେଉଁ ଦାୟିତ୍ୱ ଦେଇଛନ୍ତି, ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସେ ଉତ୍ସର୍ଗୀକୃତ ଭାବେ କାର‌୍ୟ୍ୟ କରିବା ପାଇଁ ସେ ପୂର୍ଣ୍ଣ ପ୍ରୟାସ ଜାରି ରହିବେ। ଓଟିଡିସିର ଅଧ୍ୟକ୍ଷ ହିସାବରେ ପର୍ଯ୍ୟଟକମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ସେବା ଯୋଗାଇଦେବାକୁ ଅଗ୍ରାଧିକାର ଦେବେ ବୋଲି ଡଃ. ମହାନ୍ତି ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପର‌୍ୟ୍ୟଟନ ବିଭାଗରେ ଏବେ ଅନେକଗୁଡିଏ ଭଲ ଭଲ ପ୍ରକଳ୍ପ କାର‌୍ୟ୍ୟକାରୀ କରାଯାଉଛି। ପର୍ଯ୍ୟଟନ ଶିଳ୍ପର ବିକାଶ ଓ ସମୃଦ୍ଧି ପାଇଁ ଓଟିଡିସି ଏକ ପ୍ରମୁଖ ସହଯୋଗୀ ଭାବେ କାର‌୍ୟ୍ୟ କରିବ। କୋଭିଡ୍ ପରବର୍ତ୍ତୀ ପର‌୍ୟ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଟିସି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଗମର ଅଧ୍ୟକ୍ଷ ଭାବେ ତାଙ୍କୁ କାର‌୍ୟ୍ୟ କରିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି, ରାଜ୍ୟବାସୀଙ୍କ ସେବା ପାଇଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଚେଷ୍ଠା ରହିବ ବୋଲି ଡଃ. ମହାନ୍ତି କହିଛନ୍ତି।

ପୂର୍ବରୁ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରକାଶ ପାଉଥିବା ଓଡିଶା ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭ୍ୟୁ’ର ସଂପାଦକ ଭାବେ ଡଃ. ମହାନ୍ତି ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ପତ୍ରିକା ଦ୍ୱୟର ନିୟମିତ ପ୍ରକାଶନ ସାଙ୍ଗକୁ ଏହାର ନବକଳେବର ସ୍ୱତନ୍ତ୍ର ସଂଖ୍ୟା, ଓଡିଶାରେ ଗାନ୍ଧିଜୀଙ୍କ ଆଗମନ ପତ୍ରିକାର ଇଂରାଜୀ ଏବଂ ଓଡିଶା ଭାଷା ସଂସ୍କରଣର ପୂନଃ ପ୍ରକାଶନ ଭଳି ପତ୍ରିକା ପ୍ରକାଶନରେ ସେ ଯେଉଁଭଳି ନିରବଚ୍ଛିନ୍ନ ପ୍ରୟାସ କରିଥିଲେ, ସେହିଭଳି ଓଡିଟିସି ଭଳି ଏକ ଗୁରୁତ୍ୱପୂଣ୍ଣ ନିଗମର କାର‌୍ୟ୍ୟକୁ ସୁଚାରୁ ରୂପେ ତୁଲାଇବା ସହ ଏହାକୁ ଶୀର୍ଷତମ ସୋପାନରେ ପହଁଚାଇବାକୁ ତାଙ୍କର ପୂର୍ଣ୍ଣ ପ୍ରୟାସ ଜାରି ରହିବ ବୋଲି ଏହି ଅବସରରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ପର୍ଯ୍ୟଟନକୁ “ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ” ପାଇଁ ରୌପ୍ୟ ପୁରସ୍କାର

ଭୁବନେଶ୍ବର, ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ “ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ” ପାଇଁ ରୌପ୍ୟ ପୁରସ୍କାର ମିଳିଛି । କୋଣାର୍କର ଇକୋ ରିଟ୍ରେଟରେ ଆୟୋଜିତ 6th Indian Responsible Tourism Awards ଏହି ପୁରସ୍କାର ମିଳିଛି।

ଏହି ପୁରସ୍କାର ପର୍ଯ୍ୟଟନ ମନ୍ତ୍ରୀ ଗ୍ରହଣ କରି କହିଛନ୍ତି ଯେ, ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଓଡିଶାର ଅବଦାନ ଭଲ ଭାବରେ ପ୍ରତିଷ୍ଠିତ ହୋଇଛି । ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରକୃତି ଶିବିରଗୁଡିକର ଆମର ପ୍ରକୃତି ପର୍ଯ୍ୟଟନ ମଡେଲ୍ ୨୦୧୬ ଠାରୁ ଗ୍ରାମାଞ୍ଚଳର ଲୋକଙ୍କୁ ବିକଳ୍ପ ଏବଂ ସ୍ଥାୟୀ ଜୀବିକା ସହିତ ସଶକ୍ତ କରିଛି ।

ସାଇକ୍ଲୋଥନ୍ ଏବଂ ମହାମାରୀ ଭଳି ବିଶୃଙ୍ଖଳିତ ଘଟଣାଗୁଡ଼ିକ ବିରୁଦ୍ଧରେ ଅଧିକ ସ୍ଥିରତା ପାଇଁ ଓଡିଶାର ପର୍ଯ୍ୟଟନ ଏବଂ ଆତିଥ୍ୟ ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ନୂତନ ପର୍ଯ୍ୟଟନ ଦ୍ରବ୍ୟର ଦାୟିତ୍ୱପୂର୍ଣ୍ଣ ଡିଜାଇନ୍ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଆମେ ଆମର ମନ୍ତ୍ର ସ୍ଥିରତା କରିଛୁ ବୋଲି ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି କହିଛନ୍ତି ।

ଶିଖର ସମ୍ମିଳନୀରେ ସକ୍ରିୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ସମ୍ପ୍ରଦାୟର ନେତୃତ୍ୱାଧୀନ ସ୍ଥାୟୀ ସ୍ଥାନ ପର୍ଯ୍ୟଟନ ପ୍ରକଳ୍ପ ‘ଓଡିଶାର ପ୍ରକୃତି ପର୍ଯ୍ୟଟନ’ ସହିତ ସମ୍ପ୍ରଦାୟ ଭିତ୍ତିକ କାର୍ଯ୍ୟକଳାପ ମାଧ୍ୟମରେ ଜଳ, ବର୍ଜ୍ୟବସ୍ତୁ ଏବଂ ଅଙ୍ଗାରକାମ୍ଳ ପାଦଚିହ୍ନ ପରିଚାଳନା ପାଇଁ ସ୍ଥାୟୀ ସମାଧାନ ସହିତ ଜଡିତ ଆଲୋଚନା କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

‘ଓଡ଼ିଶା ପର୍ଯ୍ୟଟନ’କୁ ପ୍ରୋତ୍ସାହିତ କରିବା ପାଇଁ କେୱାଇଏଫ ଦ୍ୱାରା ଏକ ଅଭିନବ ପ୍ରୟାସ

ଭୁବନେଶ୍ୱର: କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନ (କେୱାଇଏଫ) ଭୁବନେଶ୍ୱରରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନସ୍ଥଳ ଭାବରେ ଓଡ଼ିଶାକୁ ପ୍ରତିଷ୍ଠା; ଆହ୍ୱାନ ଏବଂ ସୁଯୋଗ ନାମରେ ଏକ ଆନ୍ତର୍ଜାତୀୟ ୱେବିନାର ଆୟୋଜନ କରିଛି। ବିଶ୍ୱସ୍ତରରେ ‘ଓଡ଼ିଶା ପର୍ଯ୍ୟଟନ’କୁ ପ୍ରୋତ୍ସାହିତ କରିବା ପାଇଁ କେୱାଇଏଫ ଦ୍ୱାରା ଏହା ଏକ ଅଭିନବ ପ୍ରୟାସ ଥିଲା।

ସମଗ୍ର ବିଶ୍ୱର ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପରୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଓ ବକ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପ୍ରୟାସକୁ ଆହୁରି ମଜଭୁତ କରିବା ପାଇଁ ତଥା ଓଡ଼ିଶା ପର୍ଯ୍ୟଟନକୁ ଆହୁରି ଆକର୍ଷିତ କରିବାର ସୁଯୋଗକୁ କିପରି ଉପଯୋଗ କରାଯାଇ ପାରିବ ସେ ନେଇ ସେମାନେ ଗଠନମୂଳକ ପ୍ରସ୍ତାବମାନ ପ୍ରଦାନ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଥାଇଲାଣ୍ଡ ପର୍ଯ୍ୟଟନ ପରିଷଦ ଓ ଇଣ୍ଡୋଥାଇ ଚାମ୍ବର୍ସ ଅଫ କମର୍ସର ଉପାଧ୍ୟକ୍ଷା ସମସଙ୍ଗ ପାସାପିମୁଖ୍‌, ସ୍ୱତନ୍ତ୍ର ଅତିଥି ଭାବେ ଇଣ୍ଡୋନେସିଆ ପର୍ଯ୍ୟଟନ ପ୍ରୋତ୍ସାହନ ବୋର୍ଡ଼ର ଅଧ୍ୟକ୍ଷ ଅର୍ଗୁସ ମହାଉସାଢା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ମାଲେସିଆ ପାରାଡ଼ାଇଜ ଗ୍ରୁପ ଅଫ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରଦୀପ କୁମାର କୁକ୍ରେଜା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଙ୍ଗାପୁର ଇଣ୍ଡିଆ ଚାମ୍ବର୍ସ ଅଫ କମର୍ସ ଉପାଧ୍ୟକ୍ଷ ମନୀଷ କୁମାର, କାମତ ଗ୍ରୁପ୍ ଅଫ ହୋଟେଲସର ନିର୍ଦ୍ଦେଶକ ବିଶାଳ କାମତ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ପର୍ଯ୍ୟଟନ, ଯାତ୍ରା ଓ ଆତିଥ୍ୟ ଶିଳ୍ପର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କେୱାଇଏଫର ନିର୍ଦ୍ଦେଶକ ଡଃ ପାର୍ଥସାରଥୀ ମିଶ୍ର ୱେବିନାରକୁ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂପ୍ରସାଦ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ପ୍ରଫେସର ବିନୟ ଭୂଷଣ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱଜିତ ମହାପାତ୍ର, ସୁଶ୍ରୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ଏବଂ ଅମିତ ପ୍ରକାଶ ନାୟକ ମଞ୍ଚ ପରିଚାଳନା କରିଥିଲେ।