Categories
ବିଶେଷ ଖବର ବ୍ୟବସାୟ

ଆଜି ଆରମ୍ଭ ହେବ ଏଗ୍ରି-କନ୍‌କ୍ଲେଭ୍‌ ୨୦୨୧, ଯୋଗଦେବେ ନାମୀଦାମୀ ୫୦ଟି କଂପାନୀ

ଭୁବନେଶ୍ୱର:  ଲୋକସେବା ଭବନସ୍ଥିତ ନୂତନ କନ୍‌ଭେନ୍‌ସନ୍‌ ହଲଠାରେ ଏଗ୍ରି-କନ୍‌କ୍ଲେଭ୍‌ ୨୦୨୧ ଆୟୋଜିତ ହେବ । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି କନ୍‌କ୍ଲେଭ୍‌ରେ ଦେଶର ଅନେକ ବଡ଼ ବଡ଼ କମ୍ପାନୀ ଯୋଗଦେବେ ।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୫୦ଟି ବଡ଼ କମ୍ପାନୀ ଅଂଶଗ୍ରହଣ ପାଇଁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ୨୪ଟି କମ୍ପାନୀ ଅନ୍‌ଲାଇନ୍‌ ମାଧ୍ୟମରେ ନାମ ପଂଜୀକୃତ କରିସାରିଥିବା ଜଣାପଡ଼ିଛି । ଏଥି ସହିତ ୪୧ଟି ସଂସ୍ଥା ୱେବଲିଙ୍କ୍‌ ଯୋଗେ ତାଙ୍କର ଯୋଗଦାନର ସ୍ୱୀକୃତି ଦେଇଥିବା ପ୍ରକାଶ ।

ଓଡ଼ିଶାରେ କାର୍ଯ୍ୟ କରୁଥିବା ସମସ୍ତ କୃଷିଭିତ୍ତିକ କମ୍ପାନୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ଇପିକଲ ତରଫରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବକୁ ସିଧା ପ୍ରସାରଣ ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହାକୁ ଫେସ୍‌ବୁକ୍‌ ମାଧ୍ୟମରେ ସିଧା ପ୍ରସାରଣ କରାଯିବ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି ଜ୍ଞାନ ପତି୍ରକାର ଉନ୍ମୋଚନ କରାଯିବ ।

କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ସର୍ବମୋଟ ଚାରୋଟି ବିଜିନେସ୍‌ ସେସନ୍‌ ରହିବ । ଏଥିରେ କୃଷିର ବିଭିନ୍ନ ଦିଗ ଉପରେ ପୃଥକ ପୃଥକ୍‌ ଭାବେ ଅଧିବେଶନ ଆୟୋଜିତ ହୋଇ ଫଳପ୍ରଦ ଆଲୋଚନା କରାଯିବା ନିର୍ଦ୍ଧାରଣ କରାଯାଇଛି ।

ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ସମବାୟ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀପ୍ରେମଚନ୍ଦ୍ର ଚୌଧାରୀ, କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ମନ୍ମଥ କୁମାର ପାଣି ପ୍ରମୁଖ ଯୋଗଦେଇଥିଲେ ।