Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାଇକ ସ୍ମାରକୀ ପାଇଁ ମାଗଣା ଜାଗା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଓଡ଼ିଶା ବୀର ମହାସଂଘ

ଭୁବନେଶ୍ୱର : ଖୋର୍ଦ୍ଧାର ବରୁଣେଇ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଆଜି ଓଡ଼ଶା ସରକାରଙ୍କ କ୍ୟାବିନେଟ ବୈଠକରେ  ୯ ଏକର ୬୮୫ ଡ଼ିସିମିଲି ଜାଗାକୁ ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରି ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବିନା ମୂଲ୍ୟରେ ଏହି ଜାଗାକୁ ଯୋଗାଇ ଦେବା ପାଇଁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ଆଜି ରାଜ୍ୟ ସରକାର ଦାବିକୁ ପୂରଣ କରିଥିବାରୁ ଓଡ଼ିଶା ବୀର ମହାସଂଘ ପକ୍ଷରୁରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି।

ସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି ରାଜ୍ୟ ସରକାର ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏହି ପାଇକ ସ୍ମାରକୀ ନିର୍ମାଣ ଦ୍ୱାରା ବରୁଣେଇ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିବା ସହିତ ଓଡ଼ିଶାର ବୀରତ୍ୱ ବ୍ୟଞ୍ଜକ ଗୌରବଜ୍ଜ୍ୱଳ ସ୍ମୃତିର ସ୍ମାରକୀ ଭାବେ ଏହା ସବୁଦିନ ପାଇଁ ବିଶ୍ୱବାସୀଙ୍କୁ ଆକୃଷ୍ଟ କରିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ ବିଶାଳ ଜନଗର୍ଜନ ପାଇକ ସମାବେଶ, ଜାନୁୟାରୀ ୨୪ରେ ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓ ଖୋର୍ଦ୍ଧାରେ ପ୍ରସ୍ତାବିତ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ଜାଗାକୁ ବିନା ମୂଲ୍ୟରେ ପ୍ରଦାନ କରିବା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଜନଗର୍ଜନ ପାଇକ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ୫୦୦୦ରୁ ଉର୍ଦ୍ଧ୍ୱ ପାଇକ ଯୋଗଦେଇ ରଣବାଦ୍ୟର ତାଳେ ତାଳେ ପାରମ୍ପରିକ ପାଇକ ବେଶପୋଷାକ ପିନ୍ଧି, ଗଦା, ମୁଦ୍‌ଗର, ଖଣ୍ଡା, ବନାଟି ଆଦି ଚାଳନା କରିବା ସହ ପାଇକ ବୋଲି ଗାନ କରି ଦାବି ପୂରଣ ପାଇଁ ବିରାଟ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଦେଇ ଏକାମ୍ରହାଟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରାରମ୍ଭରେ ମହାସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ଓଡ଼ିଆଜାତିର ଗର୍ବିତ ସାମରିକ ପରମ୍ପରା ଉପରେ କୁଠାରଘାତ ହୋଇଥିବାରୁ ଏହା ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ମନରେ ଆଘାତ ସୃଷ୍ଟି ହୋଇଛି। ତେଣୁ ଆସନ୍ତା ଜାନୁୟାରୀ ମାସ ୨୩ ତାରିଖ ସୁଦ୍ଧା ଯଦି ଆମର ଦାବି ପୂରଣ ନହୁଏ, ତେବେ ୨୪ ତାରିଖ ଦିନ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ମହାସଂଘ ତରଫରୁ ଦିଲ୍ଲୀ ଯାତ୍ରା କରିବୁ। ଦିଲ୍ଲୀର ଲାଲ୍ଲକିଲାରେ ପାଇମାନଙ୍କ ସମାବେଶ ଅନୁଷ୍ଠିତ ହେବା ସହ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ। ସେହି ପ୍ରତିବାଦ ସଭାକୁ ବିଜେପି, ବିଜେଡ଼ି ଓ କଂଗ୍ରେସର ଦଳର ସାଂସଦମାନଙ୍କୁ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଯିବ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଅନ୍ୟ କେନ୍ଦ୍ରମନ୍ତ୍ରୀଦ୍ୱୟଙ୍କୁ ଯୋଗଦାନ ପାଇଁ ନିମନ୍ତ୍ରଣ କରାଯିବ ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଆମର ଦାବି ପୂରଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ। ଯଦି ଏହା ସତ୍ତ୍ୱେ ଆମର ଦାବି ପୂରଣ ନହୁଏ, ତେବେ ପ୍ରୟୋଜନ ହେଲେ ପାର୍ଲାମେଣ୍ଟ ଘେରାଉ କରାଯିବ ବୋଲି ଡ. ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି।

ଏହି ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଦଳମତ ନିର୍ବିଶେଷରେ ଓଡ଼ିଆଜାତିର ସ୍ୱାଭିମାନ ସୁରକ୍ଷା ପାଇଁ ଆମେ ସମସ୍ତେ ଓଡ଼ିଆଭାବରେ ଏଥିରେ ସାମିଲ ହେବା ନିତାନ୍ତ ଆବଶ୍ୟକ। ତେଣୁ ପ୍ରତ୍ୟେକ ଦଳର ପ୍ରତିନିଧିମାନେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସଂଯୋଜକ ଗଣେଶ ଚନ୍ଦ୍ର ସାମନ୍ତ, ଐତିହାସିକ ରବୀନ୍ଦ୍ର ପରିଡ଼ା, ଗବେଷକ ଗୋପାଳକୃଷ୍ଣ ଦାସ, ପାଇକଗୁରୁ ହାପି କୁମାର, ରଞ୍ଜନ କୁମାର, ଭାସ୍କର ସୁନ୍ଦରାୟ, ଅବନୀ ଜେନା, ମାନସ ଶ୍ରୀଚନ୍ଦନ, ସନ୍ତୋଷ ଶ୍ରୀଚନ୍ଦନ ପ୍ରମୁଖ ବହୁ ସଂଗଠକ, ସମାଜସେବୀ, ସାହିତ୍ୟିକ, ବୁଦ୍ଧିଜୀବୀ ଓ ରାଜନେତାମାନେ ଯୋଗଦେଇ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ।

ଏହି ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ବାହାରି ଗଡ଼ଖୋର୍ଦ୍ଧାରେ ସମାବେଶ, ଶୋଭାଯାତ୍ରା ଓ ପ୍ରତିବାଦ ସଭା କରିବା ପରେ ପଞ୍ଚପାଇକ ବୀରଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଖୋର୍ଦ୍ଧା ସହର ପରିକ୍ରମା କରିବା ପରେ ଭୁବନେଶ୍ୱରରେ ପହଞ୍ଚିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶାଳ ରାଜ୍ୟସ୍ତରୀୟ ପାଇକ ସମାବେଶ: ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ଦାବି

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ଖୋର୍ଦ୍ଧାର ବରୁଣେଇଠାରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ପ୍ରଦାନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ଖୋର୍ଦ୍ଧାର ବରୁଣେଇ ଠାରୁ ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ୱ ପାଇକ ଆଖଡ଼ା ଦଳ, ଦଳେଇ, ଦଳବେହେରା, ପାଇକ ସର୍ଦ୍ଦାର, ଐତିହାସିକ ଓ ସାମରିକ ପରମ୍ପରାର ଗବେଷକ ମା’ ବରୁଣେଇଙ୍କୁ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ଖୋର୍ଦ୍ଧାଗଡ଼ରୁ ବୀର ମାଟି ସଂଗ୍ରହ କରି ପଞ୍ଚପାଇକ ମହାରଥୀଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଖୋର୍ଦ୍ଧା ସହର ପରିକ୍ରମା କରିଥିଲେ। ଏହା ପରେ ଏହି ପାଇକବାହିନୀ ଓ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୫୦୦୦ ପାଇକବାହିନୀ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରୁ ଯୁଦ୍ଧ ବାଦ୍ୟର ତାଳେ ତାଳେ ପାଇକ ଆଖଡ଼ା ପ୍ରଦର୍ଶନ କରି ଦାବି ପୂରଣ ପାଇଁ ସ୍ଲୋଗାନ ଦେଇ ବିରାଟ ଶୋଭାଯାତ୍ରାରେ ରାମ ମନ୍ଦିର ଛକ ଦେଇ ଏକାମ୍ର ହାଟ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ବୀର ମହାସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଆମର ନ୍ୟାର୍ଯ୍ୟଦାବି ପୂରଣ ପାଇଁ ଆଜି ଆଉ ଏକ ପାଇକ ସଂଗ୍ରାମର ବିଗୁଲ୍ ବାଜିଲା। ଯଦି ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନ କରନ୍ତି, ଏହାପରେ ଦିଲ୍ଳୀ ଯାଇ ପାଇକ ବାହିନୀ ସେଠାରେ ବିପ୍ଲବ କରିବା ସହିତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସ୍କୃତିମନ୍ତ୍ରୀ ଆଦିଙ୍କୁ ଦାବିପତ୍ର ପ୍ରଦାନ କରିବେ। ଯେପର୍ଯ୍ୟନ୍ତ ଦାବି ହାସଲ ନ ହୋଇଛି, ସେପର୍ଯ୍ୟନ୍ତ ସଂଗ୍ରାମ ଚାଲୁ ରହିବ ବୋଲି ଡଃ ଶ୍ରୀଚନ୍ଦନ କହିଥିଲେ।

ସେହିପରି ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଖୋର୍ଦ୍ଧାର ବରୁଣେଇଠାରେ ଶିଳାନ୍ୟାସ କରିଥିବା ସ୍ଥାନକୁ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଯଥାଶୀଘ୍ର ଜାଗା ଯୋଗାଇ ନଦେଲେ ବିପ୍ଲବର ବହ୍ନି ଅନୁରୂପ ଭାବେ ଚାଲୁ ରହିବ ବୋଲି ସେ ଚେତାବନୀ ଦେଇଥିଲେ।

ଏହି ସଭାରେ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ, ଚିଲିକାର ପୂର୍ବତନ ବିଧାୟକ ଡା ଦେବେନ୍ଦ୍ର ମାନସିଂ, କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଅନ୍ୟତମ ସମାଜସେବୀ ଗଣେଶ ସାମନ୍ତରାୟ, ବିଶିଷ୍ଟ ଐତିହାସିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟର ଡଃ ନାରାୟଣ ରାଓ, ଗବେଷକ ଡଃ ଗୋପାଳ କୃଷ୍ଣ ଦାସ, ବିଶିଷ୍ଟ ବିଜେପି ନେତା ଅବନୀ ଜେନା, ନିଖିଳ ଓଡ଼ିଶା ପାଇକ ମହାସଂଘର ସଭାପତି ଡଃ ଅଶୋକ ପାଲଟାସିଂହ, ପାଇକ ସର୍ଦ୍ଦାର କେଦାର ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଦୁଇଟିଯାକ ଦାବି ପୂରଣ ନକଲେ ବିପ୍ଲବ ଅନୁରୂପ ଭାବରେ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ।