Categories
ବିଶେଷ ଖବର ରାଜ୍ୟ ଖବର

ହସ୍ତତନ୍ତ ୪୧୦ କୋଟି ଏବଂ ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ବିଭାଗୀୟ ସଫଳତା ସମ୍ବନ୍ଧରେ ଜଣାଇଥିଲେ।

ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ କୃଷି ପରେ ବୟନ, ହସ୍ତତନ୍ତର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ବିଭାଗର ପ୍ରୋତ୍ସାହନ ଯୋଗୁଁ ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୫୮ ହଜାର ୮୫ ଟଙ୍କା ହୋଇପାରିଛି। ସାମାଜିକ ସୁରକ୍ଷା ଯୋଜନାରେ ୧୪୪୭ ଜଣ ବୁଣାକାର ସାମିଲ ହୋଇଛନ୍ତି।

ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବୟନିକାର ବାର୍ଷିକ କାରବାର ୧୬୨.୧୪ କୋଟି ଟଙ୍କା ହୋଇଥିବାବେଳେ ସମ୍ବଲପୁରୀ ବସ୍ତ୍ରାଳୟ ୭୧.୨୪ କୋଟି ଟଙ୍କା, ଉତ୍କଳିକା ୧୭.୭୯ କୋଟି ଟଙ୍କା ଓ ଅମ୍ଳାନ ୪.୪୬ କୋଟି ଟଙ୍କା ବାର୍ଷିକ କାରବାର କରିଛି।

ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୯ଟି ହସ୍ତତନ୍ତ ଓ ୩ଟି ହସ୍ତଶିଳ୍ପ ଉତ୍ପାଦ ଜିଆଇ ଟ୍ୟାଗ୍‌ ପାଇଛନ୍ତି। ଆଉ ୫ଟି ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍‌ ମିଳିବା ନିମନ୍ତେ ବିଭାଗ ପକ୍ଷରୁ ଆବେଦନ କରାଯାଇଛି। ୧୮ ହଜାର ୬୧୧ ରେଶମ ଚାଷୀ ସମବାୟ ସମିତିର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଟସର ସିଲକ୍‌ ଉତ୍ପାଦନ ୧୨୯.୦୯ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି।

ବିଭାଗର ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ବିଶଦ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୬୦,୭୭୩ ମହିଳା ବୁଣାକାର ୨୦୫୫ଟି ତନ୍ତକୁ ସ୍ୱତନ୍ତ୍ର ରୂପେ ଉପଯୋଗ କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିଛନ୍ତି।

୬୫୮ଟି ହସ୍ତତନ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଅଧିନରେ ୭୭୩୭ ମହିଳା ବୟନ କାର୍ଯ୍ୟରେ ଅଂଶଗ୍ରହଣ କରିପାରିଛନ୍ତି। ସେହିଭଳି ହସ୍ତଶିଳ୍ପ କ୍ଷେତ୍ରରେ ୮୯,୫୫୬ ମହିଳା ହସ୍ତଶିଳ୍ପୀ ରାଜ୍ୟରେ କାର୍ଯ୍ୟରତ। ୯୩୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହସ୍ତଶିଳ୍ପ ପ୍ରସ୍ତୁତ କରି ଆର୍ଥିକ ଦୃଷ୍ଟିରୁ କ୍ଷମତାପନ୍ନ ହୋଇଛନ୍ତି।

୨୦୨୧ ମସିହାରୁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବୁଣାକାରମାନଙ୍କୁ ବୈଦୁ୍ୟତିକ ପଙ୍ଖା, ବଲବ୍‌ ଓ ଇନ୍‌ଭର୍ଟର ଯୋଗାଇ ଦିଆଯାଉଛି। ୯୦୪୧ ଜଣ ବୁଣାକାର ଏହି ଯୋଜନାରେ ଲାଭ ପାଇପାରିଛନ୍ତି। ଏହି ଯୋଜନାରେ ୧୧୪୯ ଜଣ ମହିଳା ହିତାଧିକାରୀ ଅଛନ୍ତି। ଜୀବିକା ଏବଂ ଆୟବୃଦ୍ଧି ପାଇଁ ବୁଣାକାରଙ୍କୁ ସହାୟତା ଯୋଜନାରେ ବୁଣାକାରମାନଙ୍କୁ ସୁଧମୁକ୍ତ କାର୍ଯ୍ୟକାରୀ ପୁଂଜ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ଯୋଗାଇ ଦିଆଯାଉଛି।

୨୦୨୨-୨୩ ବର୍ଷରେ ୨୩୮ ଜଣ ବୁଣାକାରଙ୍କୁ ଋଣ ପ୍ରଦାନ କରାଯାଇଛି। ୨୦୧୭-୧୮ରୁ ରାଜ୍ୟର ବରିଷ୍ଠ ବୁଣାକାରମାନଙ୍କ ପାଇଁ ବରିଷ୍ଠ ବୁଣାକାର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଇଛି। ୧୪୪୭ ଜଣ ବୁଣାକାର ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତନ୍ମଧ୍ୟରୁ ୩୮୪ ଜଣ ମହିଳା ବୁଣାକାର ଅଟନ୍ତି।

୬୦ରୁ ଊଦ୍ଧ୍ୱର୍ ବୁଣାକାରଙ୍କୁ ମାସିକ ପେନ୍‌ସନ୍‌ ପ୍ରଦାନ କରାଯାଇଛି । ୨୦୧୩-୧୪ରୁ ବୁଣାକାରମାନଙ୍କ ମାଟିତନ୍ତ ଗର୍ତ୍ତକୁ ଢଳେଇ କରିବା ପାଇଁ ଯୋଜନା ଲାଗୁ କରାଯାଇଛି। ବର୍ଷାଋତୁରେ ବୁଣାକାରମାନଙ୍କୁ ସୁବିଧାରେ ବୁଣାକାର୍ଯ୍ୟ କରିବା ପାଇଁ ଏହା ସାହାଯ୍ୟ କରିଥାଏ। ୩୦ ହଜାର ୭୧ଟି ତନ୍ତଗର୍ତ୍ତ ମଧ୍ୟରୁ ୨୫ ହଜାର ୭୨୪ଟି ଅନ୍ତଗର୍ତ୍ତର ଢଳେଇ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ବାକି କାର୍ଯ୍ୟ ୨୦୨୩-୨୪ରେ ଶେଷ ହେବ। ହସ୍ତଶିଳ୍ପର ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଉଛି।

ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ଓ ନିୟମିତ ସ୍ୱରୋଜଗାର ସୃଷ୍ଟି କରିବା ଏବଂ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ଶିଳ୍ପ ପ୍ରତି ଆକର୍ଷିତ କରିବା ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ । ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୭,୭୨୭ କାରିଗରଙ୍କୁ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ହସ୍ତଶିଳ୍ପ ୟୁନିଟ୍‌ ସ୍ଥାପନ ପାଇଁ ବ୍ୟାଙ୍କ ଋଣ ନେବା ପାଇଁ ୨୦% ମାର୍ଜିନ୍‌ ରାଶି ସହାୟତା ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି ।

୨୦୦୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୧୩,୬୧୮ ହସ୍ତଶିଳ୍ପ କାରିଗର ଏହି ଯୋଜନାରୁ ଲାଭ ଉଠାଇଛନ୍ତି । ହସ୍ତଶିଳ୍ପ କାରିଗରଙ୍କୁ ନିଜସ୍ୱ କର୍ମଶାଳା ତଥା ବାସଗୃହ ନିର୍ମାଣ ପାଇଁ ଅଣଆଇଓପି ଜିଲ୍ଲାରେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ଆଇଓପି ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୦୪୫ ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିଛି । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗଦେବା ନିମନ୍ତେ ହସ୍ତଶିଳ୍ପ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ କାରିଗରଙ୍କୁ ବଜାର ସହାୟତା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଉତ୍କଳିକାର ବିଭିନ୍ନ ଶାଖାମାନଙ୍କ ମାଧ୍ୟମରେ ହସ୍ତଶିଳ୍ପ ଉତ୍ପାଦ ବିକି୍ର କରିବା ପାଇଁ ବଜାର ସହାୟତା ଯୋଗାଇ ଦିଆଯାଉଛି। ୩୦ ହଜାର ୨୧୩ ହସ୍ତଶିଳ୍ପ କାରିଗର ଏହି ବଜାର ସହାୟତା ପାଇଛନ୍ତି।

ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପନୀତି ୨୦୨୨ ପ୍ରଣୟନ କରାଯାଇଛି। ଏଥିରେ ନିବେଶକାରୀମାନେ ମୂଳପୁଂଜିର ୪୦% ରାଶି ରିହାତି ରୂପେ ପାଇପାରୁଛନ୍ତି। ପ୍ରତି ମହିଳା କର୍ମଚାରୀଙ୍କ ପାଇଁ ୬ ହଜାର ଟଙ୍କା ଓ ପୁରୁଷ କର୍ମଚାରୀଙ୍କ ପାଇଁ ୫ ହଜାର ଟଙ୍କା ରିହାତି ଦିଅଯାଇ ସେମାନଙ୍କ ଖର୍ଚ୍ଚ ଭରଣା କରାଯାଉଛି। ପୋଷାକ ଶିଳ୍ପରେ ୩ଟି ବୃହତ୍‌ କମ୍ପାନୀ ରାଜ୍ୟରେ କାର୍ଯ୍ୟ କରୁଛି। ୮୧୬୪ ଜଣ ଏଥିରେ ନିଯୁକ୍ତି ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ରାଜ୍ୟର ଗୌରବମୟ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ସଂରକ୍ଷିତ ରଖିବା ଓ ରୁଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ‘କଳାଭୂମି’ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନ ଏହାର ୯ଟି ଗ୍ୟାଲେରୀ, ଟେରାକୋଟା, ପାରମ୍ପରିକ ଚିତ୍ର, ପଥର ଓ କାଠ ଖୋଦେଇ, ଧାତୁ ଶିଳ୍ପ, ପ୍ରାକୃତିକ ପଦାର୍ଥ, ହସ୍ତଶିଳ୍ପ, ପ୍ରାକ୍‌ ବୟନ ଟେକ୍‌ନୋଲୋଜି, ଜନଜାତି ହସ୍ତଶିଳ୍ପ, ହସ୍ତତନ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ରହିଛି । ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ପାଲଟିଛି । ୧୫୦୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮,୮୬୨ ଜଣ ପର୍ଯ୍ୟଟକ କଳାଭୂମି ସଂଗ୍ରହାଳୟକ ପରିଦର୍ଶନ କରିଛନ୍ତି।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସାଧିତ ହୋଇପାରିଛି। ରାଜ୍ୟର ଟସର ସିଲ୍‌କ ପାର୍କ ମଡେଲକୁ ଜାତୀୟ ସ୍ୱୀକୃତି ମିଳିଛି। ବୟନିକାକୁ ଆଚିଭର୍ସ ଅଫ୍‌ ଓଡ଼ିଶା, ଓଡ଼ିଶା ବିଜିନେସ୍‌ ଆୱାର୍ଡ-୨୦୧୭, ଷ୍ଟେଟ୍‌ ବିଜିନେସ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ କରାଯାଇଛି। ସିଡାକ୍‌କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପୁରସ୍କାର ସହିତ ୨୦୧୧, ୨୦୧୯ ଓ ୨୦୨୨ ମସିହାରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ‘ଇଣ୍ଡିଆ ଷ୍ଟୋନ୍‌ମାର୍ଟ’ରେ ‘ବେଷ୍ଟ ଇନୋଭେଟିଭ୍‌ ଡିସ୍‌ପ୍ଲେ ଆୱାର୍ଡ ମିଳିଛି।

ସାମ୍ବାଦିକ ସମ୍ମିଳନୀରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାୱାର ପଏଣ୍ଟ ମାଧ୍ୟମରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାରିଗରମାନଙ୍କ ସାମାଜିକ, ଆର୍ଥିକ ଉନ୍ନତିର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଓଡ଼ିଶାରେ ବନ୍ୟ ରେଶମ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ, ଜାଣନ୍ତୁ ଏଥିରେ କଣ ହେବ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ବାଙ୍ଗାଲୋରସ୍ଥିତ କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଏବଂ ଓଡ଼ିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଓଡ଼ିଶାରେ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ ସଂପର୍କିତ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ପ୍ରସ୍ତାବିତ ଏହି ପ୍ରକଳ୍ପ ଦ୍ୱାରା ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ପାଇଁ ବନ ସଂରକ୍ଷଣ ସମିତି ଜରିଆରେ ପୋଷଣୀୟ ଜୀବନଜୀବିକା ଉପଲବ୍ଧ ହେବ। ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେଶମ ଚାଷୀଙ୍କ ଅଧିକ ଖୋସା ଉତ୍ପାଦନ ପାଇଁ ଟସର ପୋକ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଅସନ ଓ ଅର୍ଜୁନ ଗଛ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବହୁଳ ଭାବେ ଲଗାଯିବ।

ରାଜ୍ୟର ୧୮ଟି ବନଖଣ୍ଡ ଯଥା-ଆଠମଲ୍ଲିକ, ଢେଙ୍କାନାଳ, କଟକ, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ବଣାଇ, ଦେବଗଡ଼, କେନ୍ଦୁଝର, ବାରିପଦା, ରାଇରଙ୍ଗପୁର, ବଲାଙ୍ଗୀର, ଖରିଆଳ, ରାୟଗଡ଼ା, କୋରାପୁଟ, ଜୟପୁର, ନବରଙ୍ଗପୁର ଏବଂ ମାଲକାନଗିରି ବନଖଣ୍ଡରେ ଚଳିତ ବର୍ଷ ଏହି ବନ୍ୟ ରେଶମ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି ପ୍ରକଳ୍ପ ରାଜ୍ୟରେ ଜନଜାତିମାନଙ୍କର ଜୀବନଜୀବିକା ନିମନ୍ତେ ଉପଯୋଗୀ ହେବ। ମହିଳା ସଶକ୍ତିକରଣ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସେରିକଲଚର ଶାଖା ପକ୍ଷରୁ ଆଞ୍ଚଳିକ ସ୍ତରରେ ଟସର ବନୀକରଣ ନିମନ୍ତେ ଆବଶ୍ୟକୀୟ ବୈଷୟିକ ପରାମର୍ଶ ପ୍ରଦାନ କରାଯିବ। ଉତ୍ପାଦିତ ଟସର କୋଷା ବା କୁକୁନ୍‌କୁ ୫୯ଟି ପ୍ରାଥମିକ ଟସର ପାଳନ ସମବାୟ ସମିତି ଓ ସେରିଫେଡ୍‌ ମାଧ୍ୟମରେ ବିପଣନ କରାଯିବ।

ପ୍ରାଥମିକ ଅବସ୍ଥାରେ ବନ ସୁରକ୍ଷା ସମିତି ସଦସ୍ୟସଦସ୍ୟାଙ୍କୁ ନିକଟସ୍ଥ ଟସର ସିଲକ୍‌ ପାର୍କ ସହିତ ଟ୍ୟାଗ୍‌ କରାଯିବ। କ୍ରମଶଃ, କୋଷାର ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଦ୍ୱାରା ସିଲକ୍‌ ସମଗ୍ର-୨ ଯୋଜନାରେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । କେନ୍ଦ୍ରୀୟ ସିଲକ୍‌ ବୋର୍ଡ ୟୁନିଟ୍‌ ମାଧ୍ୟମରେ ମୌଳିକ ଟସର ବିହନ ଉତ୍ପାଦନ କରାଯାଇ ବନ ସୁରକ୍ଷା ସମିତିର ସଦସ୍ୟସଦସ୍ୟାଙ୍କୁ ଯୋଗାଇ ଦିଆଯିବ ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କହିଥିଲେ ଯେ ବୁଝାମଣା ପତ୍ର ସ୍ୱାକ୍ଷରିତ କରୁଥିବା ଏହି ତିନିଟି ସଂସ୍ଥା କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ଅତ୍ୟନ୍ତ ସଶକ୍ତ। ତେଣୁ ଏହି ବୁଝାମଣାପତ୍ର ସ୍ୱାକ୍ଷର ଆମ ପାଇଁ ଏକ ବଡ଼ ସଫଳତା।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥୋ, କେନ୍ଦ୍ରୀୟ ସିଲକ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସଦସ୍ୟ ସଚିବ ଶ୍ରୀ ରଜିତ ରଞ୍ଜନ ଓଖାଣ୍ଡିଆର୍‌ ଏବଂ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏହି ପ୍ରକଳ୍ପ ଜନଜାତି ଏବଂ ଗ୍ରାମାଞ୍ଚଳବାସୀଙ୍କ ଜୀବନଜୀବିକା ନିମନ୍ତେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଶ୍ରୀ ପ୍ରଦୀପ ରାଜ କରାଟ, ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜ୍ୟ କାମ୍ପା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାଶ ଏବଂ ଭାରତ ସରକାରଙ୍କ କେନ୍ଦ୍ରୀୟ ସିଲକ୍‌ ବୋର୍ଡ ପକ୍ଷରୁ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ବନ୍ୟ ଟସର ଉପରେ ଆଧାରିତ ଏବଂ ଟସର ଚାଷ ଜରିଆରେ ଭଗାମୁଣ୍ଡାରେ ମହିଳା ସଶକ୍ତିକରଣ ସଂପର୍କିତ ଦୁଇଟି କ୍ଷୁଦ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ମନୋଜ ମହାପାତ୍ର ସଂଯୋଜନା କରିଥିବାବେଳେ ମୁଖ୍ୟ ବନ ସଂରକ୍ଷକ ଶ୍ରୀମତୀ ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।