Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: କୋଭିଡ ସମେତ ସମସ୍ତ ଔଷଧପତ୍ର ମହଜୁଦ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଦେଶର କୋଭିଡ ପରିଚାଳନା ପାଇଁ ଔଷଧପତ୍ର ଉପଲବ୍ଧତା ସହ ଉତ୍ପାଦନ ସାମର୍ଥ୍ୟ ନେଇ ଔଷଧ କମ୍ପାନୀ ପ୍ରତିନିଧିଗଣଙ୍କ ସହ ଆଭାସୀ ମାଧ୍ୟମରେ ଆଜି (୨୯-୧୨.୨୦୨୨)  ସମୀକ୍ଷା କରିଛନ୍ତି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ନେଇ ପ୍ରସ୍ତୁତ ରହିବା ହେଉଛି ଏହି ସମୀକ୍ଷାର ଉଦ୍ଦେଶ୍ୟ। ବିଶ୍ୱବ୍ୟାପୀ କେତେକ ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପରିପ୍ରେକ୍ଷୀରେ ଏହି ସମୀକ୍ଷା କରାଯାଇଛି।

ଏକ ପରୀକ୍ଷାମୂଳକ ପ୍ରଦର୍ଶନ ମାଧ୍ୟମରେ ବୈଶ୍ୱିକ କୋଭିଡ ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଦେଶରେ କୋଭିଡ ବୈଶ୍ୱିକ ମହାମାରୀ କାଳରେ ଅମୂଲ୍ୟ ଅବଦାନ ପାଇଁ ଡକ୍ଟର ମନସୁଖ ମାଣ୍ଡଭିୟ ଔଷଧ କମ୍ପାନୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ। “ଭାରତୀୟ ଔଷଧ ପ୍ରସ୍ତୁତକାରୀ ଶିଳ୍ପ ସମୂହ ଦୃଢ, ନମନୀୟ ଓ ଦକ୍ଷ। ସେମାନଙ୍କ ମଜବୁତ ସ୍ଥିତି ଯୋଗୁଁ ବୈଶ୍ୱିକ ମହାମାରୀ କାଳରେ ଆମେ ନିଜର ଚାହିଦା ପୂରଣ କରିବା ସହ ୧୫୦ଟି  ଦେଶକୁ ଔଷଧପତ୍ର ପଠାଇ ପାରିଛୁ।” ଔଷଧପତ୍ରର ଦରଦାମ ବୃଦ୍ଧି ନ କରି ତଥା ଗୁଣାତ୍ମକ ମାନରେ କୌଣସି ସାଲିସ ନ କରି ଆମେ ଏହା କରିପାରିଛୁ ବୋଲି ସେ କହିଥିଲେ।

ଔଷଧ କମ୍ପାନୀଗୁଡିକୁ ବୈଶ୍ୱିକ ଯୋଗାଣ ବ୍ୟବସ୍ଥା ଉପରେ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। କୋଭିଡ ପରିଚାଳନା ପାଇଁ ଆବଶ୍ୟକୀୟ ଔଷଧ ଉତ୍ପାଦନ ଓ ଏ.ପି.ଆଇ. ଉପଲବ୍ଧତା ଉପରେ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ଦେବାକୁ କୁହାଯାଇଛି। ପର୍ଯ୍ୟାପ୍ତ ଅନ୍ୟାନ୍ୟ ଔଷଧ ମହଜୁଦ୍ ରଖିବା ସହ କୋଭିଡ ଔଷଧର ପାଇକାରୀ ଯୋଗାଣ ଧାରା ଉପରେ ପଦକ୍ଷେପ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସମୟୋଜିତ ସମୀକ୍ଷା ବୈଠକ ପାଇଁ ଔଷଧ ପ୍ରସ୍ତୁତିକାରୀ କମ୍ପାନୀମାନେ ପ୍ରଶଂସା କରିବା ସହ ସେମାନଙ୍କ ନିରବିଚ୍ଛିନ୍ନ ସମର୍ଥନ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। କୋଭିଡ ଔଷଧ ଯୋଗାଣ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସେମାନଙ୍କ ଦୃଢ ବିଶ୍ୱାସଥିବା ମଧ୍ୟ ଜଣାଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଫାର୍ମା ସଚିବ ଏସ. ଅପର୍ଣ୍ଣା, ଏନପିପିଏ ଅଧ୍ୟକ୍ଷ କମଳେଶ ପନ୍ଥ, ଡିସିଜିଆଇ ଡକ୍ଟର ଭି.ଜି. ସୋମାନୀ ଓ ଔଷଧ କମ୍ପାନୀ ପ୍ରତିନିଧିଗଣ ସମୀକ୍ଷା ବୈଠକ କାଳରେ ଉପସ୍ଥିତ ଥିଲେ।