Categories
ଆଞ୍ଚଳିକ

ବାଣପୁରରେ ସ୍ଵତନ୍ତ୍ର ଟୀକାକରଣ: ଔଷଧ ଦୋକାନୀ ଏବଂ ସେବାୟତମାନଙ୍କୁ ଦିଆଗଲା ପ୍ରଥମ ଡୋଜ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ହେଲେ ଟୀକାକରଣ ଅପରିହାର୍ଯ୍ୟ ହୋଇପଡିଛି। ଏଥିନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସମସ୍ତ ନାଗରିକମାନଙ୍କ ଟୀକାକରଣକୁ ପ୍ରାଥମିକତା ଦେଉଛନ୍ତି। ତେବେ ଆଗଧାଡିର କରୋନା ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ରାଜ୍ୟ ସରକାର ସାମିଲ କରିଥିବା ବେଳେ ଚବିଶ ଘଣ୍ଟା ରୋଗୀଙ୍କୁ ସଂଜୀବନୀ ଯୋଗାଉଥିବା ସାରା ରାଜ୍ୟର ଔଷଧ ଦୋକାନୀମାନେ ଏଥିରୁ ବାଦ ପଡିଛନ୍ତି। ଯାହାଦ୍ୱାରା ସେମାନଙ୍କୁ ଆଗ ଧାଡ଼ିର ଯୋଦ୍ଧାଙ୍କ ଭଳି ସ୍ୱତନ୍ତ୍ର ଟୀକାକରଣରେ ସାମିଲ କରାଯାଇନଥିଲା। ହେଲେ ଏହାକୁ ତୀବ୍ର ବିରୋଧ କରିଥିଲା ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ। ଯାହାଫଳରେ ନିକଟରେ ରାଜ୍ୟ ଅତରିକ୍ତି ଶାସନ ସଚିବ ସମସ୍ତ ଜିଲ୍ଲପାଳ ଏବଂ ମ୍ୟୁନିସିପାଲ କମିଶନରମାନଙ୍କୁ ରାଜ୍ୟର ସମସ୍ତ ଔଷଧ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରେଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଅନୁରୂପ ଭାବେ ନିକଟରେ ସମସ୍ତ ସେବାୟତମାନଙ୍କୁ ମଧ୍ୟ ଟୀକାକରଣ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର ଟୀକାକରଣର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ବାଣପୁର ଅଞ୍ଚଳର ବହୁ ମେଡ଼ିସିନ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନେ ପ୍ରଥମ ଡୋଜ ଟୀକା ନେଇଥିଲେ। ସେହିପରି ଭାବେ ବାଣପୁର ଅଞ୍ଚଳର ବହୁ ସେବାୟତ ଏବଂ ପୂଜକମାନେ ମଧ୍ୟ ପ୍ରଥମ ଡୋଜ ଟୀକା ନେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ସହଯୋଗ କରିଥିଲେ।

ଶୃଙ୍ଖଳିତ ଟୀକାକରଣ ନିମନ୍ତେ ଟୀକା କେନ୍ଦ୍ର ପରିସରରେ ମା’ ଭଗବତୀ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବାଣପୁର-ବାଲୁଗାଁର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ହୋତା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଦକ୍ଷେଶ୍ୱର-ଭଗବତୀ ଏଣ୍ଡାଉମେଣ୍ଟର କର୍ମଚାରୀ ମାନେ ଉପସ୍ଥିତି ଥିଲେ।

Categories
ଆଞ୍ଚଳିକ

ମଣିଜଙ୍ଗା ବଜାରରେ ଅଜଣା ମାନସିକ ବିକୃତ ବ୍ୟକ୍ତିଙ୍କୁ ସହାୟ ହେଲେ ଔଷଧ ଦୋକାନୀମାନେ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଗେଟ୍ ନିକଟସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତା କଡରେ ଉଲଗ୍ନ ହୋଇ ବସିଥିବା ଜଣେ ଅଜଣା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସହାୟ ହେଲେ ସ୍ଥାନୀୟ ଔଷଧ ଦୋକାନୀମାନେ। ନୂଆକରି ମଣିଜଙ୍ଗା ବଜାରରେ ବୁଲୁଥିବା ଏହି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣକ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ କଟକ-ପାରାଦ୍ବୀପ ରାସ୍ତା କଡରେ ଉଲଗ୍ନ ହୋଇ ମୁର୍ମୁଷ ଅବସ୍ଥାରେ ବସିଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବା ଦେଖି ସ୍ଥାନୀୟ କିଛି ଔଷଧ ଦୋକାନୀ ସାଇ ମେଡିସିନ୍ ଷ୍ଟୋର୍ ଦେୱାନ ନାଥ, ଜଗନ୍ନାଥ ମେଡିସିନ୍ ଷ୍ଟୋର୍ ପ୍ରିତମ୍ ରାୟ(ଟୁବୁ),ମହାବୀର ମେଡ଼ିସିନ୍ ଷ୍ଟୋର୍ ମନୋଜ୍ ସାହୁ, ସ୍ୱସ୍ଥି ମେଡ଼ିସିନ୍ ଷ୍ଟୋର୍ ସଞ୍ଜିତ୍ ରାୟ, ପ୍ରଦ୍ୟୁମ୍ନ ପଶାୟତ୍ ପ୍ରମୁଖ ଦୁଃଖ ପ୍ରକାଶ କରିବା ସହିତ ଉଲଗ୍ନ ହୋଇ ବସିଥିବା ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ କିଛି ବସ୍ତ୍ର ଆଣି ପିନ୍ଧାଇଦେବା ସହିତ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିଲେ।

ଏଥିସହିତ ଲକଡାଉନ୍ ସମୟରେ ଏପରି ଅସହାୟ ଅବସ୍ଥାରେ ଘୁରି ବୁଲୁଥିବା ମାନସିକ ବିକାରଗ୍ରସ୍ଥ ମାନଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନର ବ୍ୟବସ୍ଥା କରାଯିବା ପାଇଁ ସାଧାରଣରେ ଦାବି ହେଉଛି।