Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନଶୁଣାଣି ପରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ: ପୁରୀରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର ବୁଦ୍ଧିସାହି, ରେବଣା-ନୂଆଗାଁ ଓ ବଡ ଦିଆଣ୍ଡି, କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା, ଖୋଲାମୁହାଣ ଓ ବାଲିନାସୀ, କଣାସ ବ୍ଲକର ନନ୍ଦିଗୋଡା ଓ ପୁରୀ ସଦର ବ୍ଲକର ରାଇଗୋରଡା ଓ ନୂଆପଡା ଗ୍ରାମବାସୀ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା। ଉପରୋକ୍ତ ୭ଟି ଗ୍ରାମପଞ୍ଚାୟତ ସମେତ ପ୍ରସ୍ତାବ ଆସିଥିବା ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଣାସରୁ ବାଲୁଗାଁ ଅଭିମୁଖେ ଆସୁଥିବା ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରକ: ଯୁବକ ଗୁରୁତର

ସିତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପଥରବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବାଇକ ଉପରେ ଗୋଟିଏ ଟ୍ରକ ଚଢିଯାଇଛି। ଯାହାଫଳରେ ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ମିଳିଥିବା ଖବର ଅନୁଯାୟୀ, ବାଇକ ଚାଳକ ଜଣକ ଆଜି କଣାସରୁ ବାଲୁଗାଁ ଅଭିମୁଖେ ଯାଉଥିଲେ। ସେହି ସମୟରେ ପଛରୁ ଏକ ଟ୍ରକଟି ବାଇକକୁ ଧକ୍କା ଦେଇ ବାଇକ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରୁ ଟ୍ରକଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା।  ସେଠାରେ କିଛି ଯୁବକ ପହଁଚି ବାଇକ ଚାଳକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଯୁବକ ଜଣଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା।

ଯୁବକ ଜଣକ ନାମ ସଞ୍ଜୟ ବୋଲି ଜଣାପଡିଛି। ପରେ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ବାଇକଟିକୁ ଜବତ କରି ତଦନ୍ତ ଚଳାଇଛି।