Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆସିଥିବା ଅଭିଯୋଗ ନେଇ EdCILର ସ୍ପଷ୍ଟୀକରଣ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ EdCILର କୌଣସି ଭୂମିକା ନଥିବା ଜଣାପଡିଛି। ଏକ ପ୍ରେସ ବିଜ୍ଞପ୍ତି ଜାରି କରି EdCIL କହିଛି ଯେ, EdCIL ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଅଗଷ୍ଟ 22, 2023 ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା।

ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା। ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା।

ସିବିଟି ପରୀକ୍ଷା ପରେ EdCIL 22 ଅଗଷ୍ଟ 2023ର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

କମ୍ବାଇନଡ୍ ଲିଷ୍ଟ ଓସେପାକୁ 13 ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ 15 ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ବି ପ୍ରଦାନ କରାଯାଇଥିଲା।

ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଲା EdCIL।

Categories
ଆଜିର ଖବର ରାଜ୍ୟ ଖବର

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଆଜି ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ତା ୧୫.୧୦.୨୦୨୨ରିଖରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ ହେବେ ବୋଲି ତା ୧୩.୧୦.୨୦୨୨ରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଗୃହରେ ପ୍ରତିଶ୍ରୁତି ମିଳିଥିଲା ଏବଂ ୧୫ ତାରିଖ କ୍ୟାବିନେଟ ପୂର୍ବରୁ ସରକାରଙ୍କ ତରଫରୁ କନିଷ୍ଠ ଶିକ୍ଷକମାନଙ୍କୁ ଫୋନ ଯୋଗେ ୭ ଦିନ ଭିତରେ ଆପଣଙ୍କ ବିଭାଗୀୟ ଆଦେଶନାମା ବାହାରିବ ବୋଲି ଜଣାଇଥିଲେ।

୧୫ ଅକ୍ଟୋବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା। ଏଥିରେ ୫୭ ହଜାର କର୍ମଚାରୀ ଚୁକ୍ତିଭିତ୍ତିକ ଉଚ୍ଛେଦ ହେଲେ, କିନ୍ତୁ ଏହି ଘୋଷଣାରୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ବାଦ୍ ପଡ଼ିଯାଇଥିଲେ। ତା ୨୬.୧୦.୨୦୨୨ରିଖରେ ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗ ସହ ବୈଠକ ହୋଇଥିଲା। ସେଥିରେ କନିଷ୍ଠ ଶିକ୍ଷକଙ୍କ ଦାବକୁ ସରକାର ଖୁବ୍‌ଶୀଘ୍ର କ୍ୟାବିନେଟରେ ପାସ୍ ହୋଇ ଘୋଷଣା କରାଯିବ ବୋଲି କୁହାଗଲା। ଦୁଇଟା ଉପନିର୍ବାଚନ ସମୟରେ ଆମ ଦାବିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିଲା ଏବଂ ତା ୧୪.୧୨.୨୦୨୨ରିଖରେ ମୁଖ୍ୟ ଶାସନ ସଚିବ ଅଫିସ୍ ଭିତରେ ଆଲୋଚନା ହେଲା। କିନ୍ତୁ ସ୍କିମ୍‌ରେ କର୍ମଚାରୀ ସଂଖ୍ୟା ଅଧିକ ଓ କେନ୍ଦ୍ରୀୟ ସ୍କିମ ବୋଲି ଭିତ୍ତିହୀନ କଥା କହି ନିୟମିତ କରିବାକୁ ମନା କରିଦେଲେ।

ବର୍ତ୍ତମାନ ଯେଉଁ ୫୭ ହଜାର କର୍ମଚାରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ କଲେ ସେଥିରେ ମଧ୍ୟ ପୂର୍ବରୁ କେନ୍ଦ୍ର ରାମ୍‌ସା ସ୍କିମ୍‌ରୁ  ହାଇସ୍କୁଲ୍ ଶିକ୍ଷକ, ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସ୍କିମ୍‌ରୁ ନର୍ସିଂ ଅଫିସର ଓ ପଞ୍ଚାୟତ ଜଳଯୋଗାଣ ବିଭାଗର ଡିପ୍ଲୋମାଧାରୀ ମାନଙ୍କୁ ନିୟମିତ ଘୋଷଣା ସହ ୬ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ସାମିଲ୍ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ମନ୍ତ୍ରଣାଳୟର ଦାୟାଦ ସମୀର କୁମାର ପତିଙ୍କ ଏକ ସୂଚନା ଅଧିକାର ପତ୍ରର ଉତ୍ତରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତା ୨୯.୦୭.୨୦୧୯ରିଖରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, କନିଷ୍ଠ ଶିକ୍ଷକମାନଙ୍କର ବାର୍ଷିକ କାର୍ଯ୍ୟପନ୍ଥା ଓ ବଜେଟ ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ରାଜ୍ୟ ଉପରେ ନିର୍ଭର କରେ। ଏହାର ଅର୍ଥ ସ୍ୱରୂପ ଓଡ଼ିଶାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ ରାଜ୍ୟ ସରକାର କରିପାରିବେ ଏବଂ ଏହା ସମଗ୍ର ଶିକ୍ଷାରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଶିକ୍ଷକ ନିଯୁକ୍ତି ନିୟମ ଓ ଶିକ୍ଷକମାନଙ୍କ ଦରମା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଇତିମଧ୍ୟରେ ସଂଘ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି।

ଗତ ବିଧାନସଭାରେ ତା ୨୯.୦୩.୨୦୨୩ରିଖରେ ୟୁଡି ୩୭୧୮ ନମ୍ବର ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ଉତ୍ତର ରଖି ସମଗ୍ର ଶିକ୍ଷା ଯୋଜନା ଅଧୀନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଦ୍ୱାରା ଆର୍ଥିକ ପାରିଶ୍ରମିକ ପାଇଥାନ୍ତି। ପ୍ରାଥମିକସ୍ତରରେ ୨୦୧୮ ମସିହାରେ ନିୟୋଜିତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ମାତ୍ର ଇତି ମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସରେ ପହଞ୍ôଚ ନାହାଁନ୍ତି। ପୂର୍ବରୁ ରାଜ୍ୟ ସରକାର ୨୦୦୭ମସିହାରେ ୯ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ୩ ବର୍ଷ କମାଇ ୨୦୦୮ ମସିହାରେ ୬ ବର୍ଷରେ ନିୟମିତ କରିଛନ୍ତି। କିନ୍ତୁ ବର୍ତ୍ତମାନ କାହିଁକି ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି। ରାଜ୍ୟ ସରକାର ଓଆରଭି ନିୟମ ପାଳନ, ଚୟନମୂଳକ ପରୀକ୍ଷା ଦେଇ ଡିଏଲ୍‌ଇଡି, ବିଏଡ଼୍ ଏବଂ ଓଟିଇଟି ବାଧ୍ୟତାମୂଳକ ଭାବେ ନିଯୁକ୍ତି ପାଇ ୨୦୧୮ ମସିହାରୁ କାର୍ଯ୍ୟ କରି ୪ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ କରିସାରିଲେଣି । ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାକୁ ୬ ମାସ ବିତିଯାଇଥିଲେ ମଧ୍ୟ ଦାବି ଦୁଇଟି ପୂରଣ ହୋଇପାରିି ନାହିଁ।

କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଚୁକ୍ତିଭିତ୍ତିକ ଉଚ୍ଛେଦ କରିବା ଏବଂ ଚୁକ୍ତିଭିତ୍ତିକ ଅବଧି କାର୍ଯ୍ୟକୁ ମୂଳ ଚାକିରିରେ ଯୋଗ କରିବା ଆଦି ଦୁଇଦଫା ଦାବି ନେଇ ସଂଘ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ  ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୂରଣ କରିନାହାଁନ୍ତି। ତେଣୁ ବାଧ୍ୟ ହୋଇ ରାଜ୍ୟର ହଜାର ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ସଂଘର ସଭାପତି ଅକ୍ଷୟ କୁମାର ପାଢୀ କହିଛନ୍ତି। ଯଦି ଦୁଇଦଫା ଦାବିକୁ ଆଗାମୀ ଦିନରେ ପୂରଣ କରାନଯାଏ, ତେବେ  ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ଉପଦେଷ୍ଟା ଶ୍ରୀକାନ୍ତ ବାରିକ, ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ, ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ କନିଷ୍ଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି, ଉପକୃତ ହେବେ ୩୩,୦୩୮ ଶିକ୍ଷକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ।

ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ବର୍ତ୍ତମାନ ଦରମା ୭୪୦୦ ଟଙ୍କା ଥିବାବେଳେ ଏହା ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି କନିଷ୍ଠ ଶିକ୍ଷକ ମାନଙ୍କ ଦରମା ୯,୨୦୦ ଟଙ୍କ ଥିବାବେଳେ ଏହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନିଷ୍ପତ୍ତି ଦ୍ବାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହେବାବେଳେ, ୧୯,୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ। ସମୁଦାୟ ୩୩,୦୩୮ ଜଣ କନିଷ୍ଠ ଶିକ୍ଷକଙ୍କ ଦରମାରେ ବୃଦ୍ଧି ହେବ।

Categories
ଆଜିର ଖବର ରାଜ୍ୟ ଖବର

BREAKING NEWS : ରାଜ୍ୟର ୮୧୦୨ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରି ହେଲା ନିୟମିତ

ଭୁବନେଶ୍ୱର : ଆଜି ନୂତନ ବର୍ଷ ଅବସରରେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକଙ୍କ ପାଇଁ ଆଣିଛନ୍ତି ଏକ ଖୁସି ଖବର। ଶେଷରେ ରାଜ୍ୟ ସରକାର ୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟସୀମାକୁ କୋହଳ କରିଥିବାରୁ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ପାରିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଧରା ପଡିଲେ ନକଲି ଶିକ୍ଷକ: ଜାଲ ସାର୍ଟିଫିକେଟ ଦେଖାଇ ସରକାରୀ ବିଦ୍ୟାଳୟରେ କରୁଥିଲେ ଚାକିରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଜାଲ ସାର୍ଟିଫିକେଟ ଦେଇ ସରକାରୀ ବିଦ୍ୟାଳୟରେ ଚାକିରୀ କରୁଥିବା ବେଳେ ନକଲି ଶିକ୍ଷକ ଧରା ପଡିଛନ୍ତି। ଫଳରେ ନକଲି ଶିକ୍ଷକଙ୍କ ନାମରେ ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ।

ସୂଚନା ମୁତାବକ ବାଣପୁରର ପବିତ୍ର କୁମାର ପଣ୍ଡା ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତେବେ ରେଗୁଲାର ଚାକିରୀ ହେବା ନିମନ୍ତେ ସରକାରୀ ନିୟମ ମୁତାବକ ସମସ୍ତ କନିଷ୍ଠ ଶିକ୍ଷକଙ୍କ କାଗଜପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଗତବର୍ଷ ଯାଞ୍ଚ ବେଳେ ପବିତ୍ରଙ୍କ ବିଇଡ଼ି ସାର୍ଟିଫିକେଟ ନକଲି ଥିବା ଜିଲ୍ଲା ଶିକ୍ଷା ଅଧିକାରିଣୀ ବନ୍ଦନା ମହାପାତ୍ର ଜାଣିବାକୁ ପାଇଥିଲେ।

ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବିଇଡ଼ି କରିଥିବାର ସରକାରଙ୍କୁ ସୂଚନା ଦେଇଥିଲେ। ଏଥି ନିମନ୍ତେ ଗତ ୬.୫.୨୦୨୦ ତାରିଖରୁ ତାଙ୍କୁ ଚାକିରୀରୁ ଅବ୍ୟାହତି ଦିଆଯାଇଥିଲା। ହେଲେ ଗତ ଅଗଷ୍ଟ ୨୪ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କୁ ପବିତ୍ରଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏକ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଯାହାଫଳରେ ଗତକାଲି ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଣପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୩୦୧ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାପକ ଅର୍ଥକାରବାର ଅଭିଯୋଗ: ସମୟ ପୂର୍ବରୁ ନିୟମିତ ହେଲେ ବାଲିକୁଦାର ଦୁଇ କନିଷ୍ଠ ଶିକ୍ଷକ, ତଦନ୍ତ ଦାବି

ରମେଶ ମହାନ୍ତି
ଜଗତସିଂହପୁର: ପ୍ରାଥମିକ ଶିକ୍ଷାଦାନରେ ଗୁଣାତ୍ମକ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଶିକ୍ଷାସହାୟକ ନିଯୁକ୍ତ ୨୦୦୧ ମସିହାରୁ ପ୍ରଚଳନ ଅରମ୍ଭ କଲେ। ଜଣେ ଶିକ୍ଷାସହାୟକ ନିଷ୍ଠାର ସହ ତିନି ବର୍ଷ କାମ କଲେ କନିଷ୍ଠ ଶିକ୍ଷକ ମାନ୍ୟତା ପାଇବେ ଓ ପୁଣି ତିନି ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଦେଖିବାକୁ ଗଲେ ଲଗାତାର ଛଅ ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି ବୋଲି ସୂଚନା ମିଳିଛି।

ଏହି କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ ଆବାହକ, ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସଂପୃକ୍ତ ବ୍ଲକର ଶିକ୍ଷା ଅଧିକାରୀ ସଭ୍ୟ ରହିଥିବା ଜାଣିବାକୁ ମିଳିଛି। କମିଟିର ଅନୁମୋଦନ ପରେ ଆବାହକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସ୍ବାକ୍ଷରରେ ୨୨୨ ଜଣ କନିଷ୍ଠ ଶିକ୍ଷକ ନିୟମିତ ହେବାର ତାଲିକା୦୩.୦୫.୨୧ରେ ପତ୍ର ସଂ.୧୦୪୭ରେ ପ୍ରକାଶପାଇଥିଲା। ବାଲିକୁଦା ବ୍ଲକ ୨୮ ଜଣ, ବିରିଡି ୧୭, ଏରସମା ୪୭, ଜଗତସିଂହପୁର ୧୬, ରଘୁନାଥପୁର ୧୭, କୁଜଙ୍ଗ ୪୬, ନାଉଗାଁ ବ୍ଲକ ୧୪ ଓ ତିର୍ତ୍ତୋଲ ବ୍ଲକର ୨୪ ଜଣ କନିଷ୍ଟ ଶିକ୍ଷକ ଅଛନ୍ତି। ବାଲିକୁଦା ବ୍ଲକର ୨୮ ଜଣଙ୍କ ମଧ୍ୟରୁ କ୍ରମିକ ନଂ ୧୭ରେ ଥିବା ମଧୁସ୍ମିତା ଦାସ ୧୦.୦୧.୨୦୧୫ରେ ଶିକ୍ଷାସହାୟକ ନିଯୁକ୍ତି ପାଇ ୨୨.୦୩.୨୦୧୮ରେ କନିଷ୍ଠ ମାନ୍ୟତା ପାଇବା ସହ ୧୦.୦୧.୨୦୨୧ରେ ନିୟମିତ ମାନ୍ୟତା ପାଇଛନ୍ତି।

ଏଠାରେ ଶିକ୍ଷୟିତ୍ରୀ ଜଣକ ୭୨ ଦିନ ପୂର୍ବରୁ ନିୟମିତ ହୋଇ ୬୫ ହଜାର ଟଙ୍କା ଲାଭବାନ ହେବା ସହିତ ସେହିପରି ଉକ୍ତ ବ୍ଲକର ରୋଜାଲିନ ବେହେରା କ୍ରମିକ ନଂ.୨୨ ଶିକ୍ଷାସହାୟକ ନିଯୁକ୍ତି ୧୬.୦୨.୨୦୧୫ରେ ପାଇ ୧୬.୦୨.୨୦୧୮ରେ କନିଷ୍ଠ ମାନ୍ୟତା ପାଇବା ସହ ୧୦.୦୧.୨୦୨୧ରେ ନିୟମିତ ମାନ୍ୟତା ପାଇଛନ୍ତି। ଏଠାରେ ଶିକ୍ଷୟିତ୍ରୀ ଜଣକ ୪୦ ଦିନ ପୂର୍ବରୁ ନିୟମିତ ହୋଇ ୩୫ ହଜାର ଟଙ୍କା ଲାଭବାନ ହେବେ ବୋଲି ଜଣାପଡ଼ିଛି।

ଯଦି ଏପରି ଭୁଲ ହୋଇଛି ତେବେ ଏଥିପାଇଁ ପାଇଁ ଦାଇ କିଏ ? ଏପରି ଭୁଲ ବାରମ୍ବାର ହେଲେ ବି ଅଧିକାରୀ ନା ସଂପୃକ୍ତ କର୍ମଚାରୀ କାହାକୁ ଦାଇ ନକରିବା ନିୟମକୁ ଉଲଘଂନ କରିବାରେ ପ୍ରୋତ୍ସାହିତ କରୁଛି ବେଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ୨୦୦୫ ମସିହାରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କ ମଧ୍ୟରୁ କେତେକଙ୍କୁ ଅନୁଗ୍ରହ ପୂର୍ବକ ସମୟ ପୁର୍ବରୁ ନିୟମିତ କରିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୁନ୍ୟ ହେଇଥିଲା।

ଏଥିପାଇଁ ବ୍ୟାପକ ଅର୍ଥକାରବାର ହୋଇଥିଲା ବୋଲି ଜଣେ ଶିକ୍ଷକ ନେତା ଦାବୀ କରିବା ସହିତ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିବା କୁହାଯାଉଛି, ଯାହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।