Categories
ଆଞ୍ଚଳିକ

କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ, କବିତା ପାଠୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): “ଉଠ କଙ୍କାଳ” ପରି କାଳଜୟୀ ଉଦବୋଧନୀ କବିତାର ରଚୟିତା , “ନିଆଁଖୁଣ୍ଟା” ପରି ପ୍ରତିଷ୍ଠିତ ବ୍ୟଙ୍ଗ ପତ୍ରିକାର ସଂପାଦକ, ମାଗୁଣିର ଶଗଡ଼, ନୀଳମାଷ୍ଟ୍ରାଣୀ, ପରି ଖ୍ୟାତି ସଂପର୍ଣ୍ଣ ମାନବବାଦୀ ଗଳ୍ପର ଗାଳ୍ପିକ, ଔପନାସିକ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସହିତ ଶତାଧିକ ପ୍ରତିଷ୍ଠିତ କବିମାନଙ୍କ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବ ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟକୁମାର ଶତପଥୀ, ମୁଖ୍ୟ ବକ୍ତା ସୁସାହିତ୍ୟିକ ନାଟ୍ୟକାର ସୁବାସ ଚନ୍ଦ୍ରମହାପାତ୍ର, ସମ୍ମାନନୀୟବକ୍ତା ଗାଳ୍ପିକ ଶିବ ମିଶ୍ର ଓ ନୃସିଂହ ପ୍ରସାଦ ମିଶ୍ର ଯୋଗଦାନ କରି ମହାପାତ୍ର ସାହିତ୍ୟର ପୁଙ୍ଖା ନୁପୁଙ୍ଖ ଆଲୋଚନା କରି ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ତାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ବ୍ୟଙ୍ଗ, ସମାଲୋଚନା, ସଂସ୍କାର ଧର୍ମୀ ଓ ମାନବ ବାଦୀ ଗଳ୍ପ କବିତା ଚିରକାଳ ଧରି ଓଡ଼ିଆସାହିତ୍ୟର ପାଠକଙ୍କ ହୃଦୟରେ ଜାଜୁଲ୍ୟମାନ ହେଉଥିବ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପରେ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ଵରେ ଏବଂ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବରେ ଲବ୍ଧ ପ୍ରତିଷ୍ଠ କବି ଓମପ୍ରକାଶ ଅଗ୍ରୱଲା, ଭିକାରୀଚରଣ ପ୍ରଧାନ, ମଦନ ମୋହନ ମହାପାତ୍ର, ଆନନ୍ଦଚନ୍ଦ୍ରସେନାପତି,ରଙ୍କ ନାଥ ସେଠୀ, ରମେଶ ଚନ୍ଦ୍ର ମହାପାତ୍ର, ରଶ୍ମିତା ମିଶ୍ର, ପ୍ରିୟ ଦର୍ଶିନୀ ମହାରଣା, ସୁଶାନ୍ତ ଦାଶ, ଶିଶିର ଦାସ, ଶେଷଦେବ ମହାରଣା, ରାଜେନ୍ଦ୍ର ରଥ, ଗୋଲକ ବିହାରୀ ପରୀଡ଼ା, ବୈରାଗୀ ବଳ, ରବିମାନସିଂ ,ଡଃ ନୃସିଂହ ପ୍ରଧାନ, ଦେବା ଶୀଷ ପଟ୍ଟନାୟକ, ସମେତ ଶତାଧିକ ସାରସ୍ଵତ ପ୍ରତିଭା ସ୍ଵରଚିତ କବିତା ଆବୃତ୍ତି କରି ଗୋଦାବରୀଶ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଅଧ୍ୟାପକ ଡଃ କୈଳାସ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଅଧ୍ୟାପକ ଡଃ ଲକ୍ଷ୍ମୀ ଧରସୁବୁଦ୍ଧି ଧନ୍ୟବାଦାର୍ପଣ କରିଥିଲେ।

Categories
ଆଞ୍ଚଳିକ

ସ୍ଵାଧୀନତାର ଅମୃତ ମହୋତ୍ସବ: ବାଣପୁରରେ ଦେଶାତ୍ମବୋଧ କବିତା ପାଠୋତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ମନୋଜ୍ଞ ଦେଶାତ୍ମବୋଧକ କବିତା ପାଠୋତ୍ସବ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟଣ ପଡିଆସ୍ଥିତ ଛାୟା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଚିଲିକା ସାହିତ୍ୟ ସମାଜର ସହଯୋଗରେ ଏହାକୁ ଆୟୋଜନ କରାଯାଇଥିଲା।

ଆୟୋଜିତ ସମାବେଶରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଓ କବି ନୃସିଂହ ପ୍ରସାଦ ମିଶ୍ର, ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର, ଗବେଷକ ଓ ଅଧ୍ୟାପକ ଡ଼ଃ ସତ୍ୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।  ଦେଶାତ୍ମବୋଧ କବିତାର ପ୍ରଧାନସ୍ଥଳ ବାଣପୁର ବୋଲି ବର୍ଣ୍ଣନା କରିବା ସହ ପ୍ରଥମ ସ୍ବାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ବୋଲି ସେମାନେ ଉଲ୍ଲେଖ କରିଥିଲେ। ଉକ୍ତ ପାଠୋତ୍ସବରେ ବ୍ରିଟିଶ ସେନାକୁ ପ୍ରତିହତ କରି ବାଣପୁରକୁ ତିନିଦିନ ପାଇଁ ସହିଦ କୃତିବାସ ପାଟ୍ଟଶାଣୀ ସ୍ଵାଧୀନ ଘୋଷଣା କରିଥିବା କଥା ସ୍ମୃତିଚାରଣ କରାଯାଇଥିଲା।

ଶେଷରେ ସାହିତ୍ୟ ପ୍ରାଣ ଅଧ୍ୟାପକ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ୨୦ ରୁ ଅଧିକ କବି ଓ କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ସମ୍ପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।