Categories
ଆଜିର ଖବର ଜାତୀୟ ଖବର

କୃଷି ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ କମିଟିରୁ ନିଜକୁ ଅଲଗା କଲେ ଭୁପିନ୍ଦର ସିଂହ ମାନ

ନୂଆଦିଲ୍ଲୀ: କୃଷି ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଚାରି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ଭାରତୀୟ କୃଷକ ୟୁନିଅନର ଅଧ୍ୟକ୍ଷ ଭୁପିନ୍ଦର ସିଂହ ମାନ ସଦସ୍ୟ ଥିଲେ। କିନ୍ତୁ ସେ ଆଜି ସେହି କମିଟିର ସଦସ୍ୟ ପଦରୁ ନିଜକୁ ଅଲଗା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭୁପିନ୍ଦର ସିଂହ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଏହି କମିଟିର ସଦସ୍ୟ ମନୋନୀତ କରିଥିବାରୁ ଆନ୍ଦୋଳନ କରୁଥିବା କୃଷକମାନେ ବିରୋଧ କରୁଥିଲେ। ସେମାନଙ୍କ କହିବା ମୁତାବକ, ଭୁପିନ୍ଦର ପ୍ରଥମରୁ ଏହି ତିନି ଆଇନକୁ ସମର୍ଥନ କରନ୍ତି। ତେଣୁ ସେ କେବେ କୃଷି ଆନ୍ଦୋଳନକୁ ସମର୍ଥନ କରିବେ ନାହିଁ। ବରଂ ସେ ସରକାରଙ୍କ ନୂତନ ଆଇନକୁ ସମର୍ଥନ କରିବେ।

ତେବେ ଏହି କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଭୁପିନ୍ଦର ସିଂହ ମାନ ଏକ ଚିଠି ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଏହି ଚିଠିରେ ଲେଖିଛନ୍ତି ଯେ, କୃଷକ ଓ ସଂଗଠନର ନେତା ହୋଇଥିବା କାରଣରୁ କୃଷକଙ୍କ ଭାବନା ଜାଣି ପାରୁଛି। ମୁଁ ଆମର କୃଷକଙ୍କ ସ୍ଵାର୍ଥ ବିରୋଧରେ କେବେ ଯାଇପାରିବି ନାହିଁ, ସେଥିପାଇଁ ମତେ କେତେ ବଡ ପଦବୀ ମିଳୁନା କାହିଁକି। ମତେ କୋର୍ଟ ଦ୍ଵାରା ଦିଆଯାଇଥିବା ଦାୟିତ୍ଵକୁ ମୁଁ ତୁଲାଇବାରେ ଅସମର୍ଥ ହେଉଛି। ତେଣୁ ମୁଁ ଏହି ପଦବୀରୁ ନିଜକୁ ଅଲଗା କରୁଛି।