ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସର୍ବନିମ୍ନ ସ୍ତରକୁ ପହଁଚିଛି। କିନ୍ତୁ ବାତ୍ୟା ଲାଗି ଦୁଇ ଦିନ ଟେଷ୍ଟିଙ୍ଗ ବନ୍ଦ ଥିବାରୁ ସଂକ୍ରମିତଙ୍କ ସଂଖ୍ୟାରେ କମ ଆସି ଥାଇପାରେ ବୋଲି କୁହାଯାଉଛି। ଆଜି କେବଳ ବାଣପୁର ବ୍ଲକରୁ ୬ ଜଣ ଆକ୍ରନ୍ତ ଚି଼ହ୍ନଟ ହୋଇଛନ୍ତି।
ସେହିପରି ଆଜି ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୫୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୦୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ତେବେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ଏବଂ କୋଭିଡ ଟେଷ୍ଟିଙ୍ଗ ଚାଲୁ ରହିବ। ବାଣପୁର ମାଇନର ଉଚ୍ଚ ବିଦ୍ୟାଳୟରେ ୨୦୦ ପ୍ରଥମ ଡୋଜ ଟୀକା ଦିଆଯିବାକୁ ଥିବାବେଳେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଇରୀ ଉପ ସ୍ୱାସ୍ଥକେନ୍ଦ୍ର ଏବଂ ଜରିପଡ଼ା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଲେଖାଏଁ ୩୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।
ସେହିପରି ଭାବେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ପଞ୍ଚାୟତ ରାଉତରାପଲି ଗ୍ରାମର ବିଦେଶୀ ଶତୃଶଲ୍ୟଙ୍କ ଘର ଠାରୁ ସୁରେନ୍ଦ୍ର ପରିଡାଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳ (୭ପରିବାର), ଖଡ଼ିକାପଲ୍ଲି ଗ୍ରାମର ଦେବରାଜ ସାମନ୍ତରାୟଙ୍କ ଘର ଠାରୁ ଅଶୋକ ସାମନ୍ତରାୟଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳ (୪ପରିବାର) ଏବଂ ଜରିପଡା ପଞ୍ଚାୟତ ମାଟିଆପଡ଼ା (ତୋଟାପଡ଼ା) ଗ୍ରାମର ଆରଡ଼ି ରୋଡ଼ ଠାରୁ ବାଘ କୂଅ ପର୍ଯ୍ୟନ୍ତ ଅଞ୍ଚଳ (୫୬ ପରିବାର) କୁ ଆଜି ରାତ୍ର ୯ ଘଟିକାରୁ ଆସନ୍ତା ଜୁନ ୫ ତାରିଖ ରାତ୍ର ୯ ଘଟିକା ଯାଏଁ ସଂପୂର୍ଣ୍ଣ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।