Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ପିଲାଦିନର ଗଣିତ ମ୍ୟାଡାମ ଭିକ ମାଗୁଥିବାର ଦେଖି ଛାତ୍ର ଜଣଙ୍କ ଆଶ୍ଚର୍ଯ୍ୟ, ତାପରେ କଣ ହେଲା ଜାଣନ୍ତୁ

ତିରୁଭୁନ୍ତପୁରମ, ସେଦିନ ଏପରି ପରିସ୍ଥିତି ଘଟିବ ବୋଲି କେହି କେବେ ଆଶା କରି ନ ଥିଲେ। ନିଜେ ବିଦ୍ୟା ମଧ୍ୟ ଜାଣି ନ ଥିଲେ ଯେ ସେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେବେ। ସବୁଦିନ ପରି ଟ୍ରେନରୁ ଓହ୍ଲାଇ ସେ ଘର ମୁହାଁ ହେଉଥିଲେ। ହେଲେ ହଠାତ୍ ଷ୍ଟେସନ ବାହାରେ ବସି ଭିକ ମାଗୁଥିବା ଜଣେ ବୃଦ୍ଧାଙ୍କ ପ୍ରତି ତାଙ୍କର ନଜର ଲାଖି ରହିଲା। ଚିହ୍ନା ଚିହ୍ନା ମୁହଁ ପରି ଲାଗିଲା। କିଏ ହୋଇଥିବେ ଭାବି ସେ ଆଗକୁ ଚାଲିଲେ।

ହେଲେ ନା। କାହିଁକି କେଜାଣି ତାଙ୍କ ମନଟି ବିଚଳିତ କଲା। ସେ ପୁଣି ପଛକୁ ଆସି ସେହି ବୃଦ୍ଧାକୁ ଭଲ କରି ଦେଖିଲେ। ଅସଜଡା ବାଳ, ଦେହେରେ ମଇଳା ଲୁଗା କେଉଁଠି ଅଛି କେଉଁଠି ନାହିଁ, ଆଗରେ ଗୋଟିଏ ପ୍ଲାଷ୍ଟିକ ମଗ୍। ଯିଏ ଚାହିଁଲା କିଛି ଦେଲା, ନ ହେଲା ନାହିଁ। ବିଦ୍ୟା ଏପରି ଅନାଇଛନ୍ତି ବୋଲି ବୃଦ୍ଧାଙ୍କର କୈଣସି ନଜର ନାହିଁ। ସେ ଯେମିତି ଭିକ ମାଗନ୍ତି ..ବାବୁ ..ବାବୁ..ବାବୁ ପଇସାଟିଏ ଦିଅ, ସେହିପରି ମାଗିବାରେ ବ୍ୟସ୍ତ। କିଛି ମୂହୁର୍ତ୍ତ ପାଇଁ ବିଦ୍ୟା ଅନାଇବା ପରେ ପୁଣି ବୁଲି ପଳାଇଗଲେ।

କିଛି ବାଟ ଯିବା ପରେ ଦିବ୍ୟାଙ୍କର ମନ ବୁଝିଲା ନାହିଁ। ସେ ଯେଉଁ ଟ୍ରେନରୁ ଓହ୍ଲାଇଥିଲେ ସେହି ଯାତ୍ରୀମାନେ ତାଙ୍କୁ ଧକ୍କା ଦେଇ ଆଗକୁ ମାଡି ଚାଲୁଛନ୍ତି। ହେଲେ ସେ ଧିରେ ଧିରେ ଯାଉଛନ୍ତି। ସେହି ସ୍ଥାନରେ ଛିଡା ହୋଇ ସେ ପୁଣି ଭାବିଲେ ଯେ, ବୃଦ୍ଧାଙ୍କର ମୁହଁଟି ଚିହ୍ନା ଚିହ୍ନା ଲାଗୁଛି, ସେହିପରି ତାଙ୍କର ସ୍ବରଟି ମଧ୍ୟ ଶୁଣାଶୁଣା ଲାଗୁଛି। ନିଜକୁ ନିଜେ ପଚାରିଲେ ଯେ ସେ ବୃଦ୍ଧାଙ୍କ ସହିତ କଥା ହେଲେ କେମିତ ହୁଅନ୍ତା। ସେ କେଉଁଠାର, ତାଙ୍କ ନାମ କଣ। ଏସବୁ ଜାଣି ଦେଲେ ହୁଏତ ସନ୍ଦେହ ଦୂର ହୋଇ ଯାଆନ୍ତା।

ତାହା ହିଁ ହେଲା। ସେ ବୃଦ୍ଧା ସହିତ କଥାବାର୍ତ୍ତା ହେବା ପାଇଁ ବିଦ୍ୟା ପୁଣି ଫେରିଲେ। ଯାତ୍ରୀଙ୍କ ଦେହରେ ଦେହ ବାଜୁଥାଏ। ହେଲେ ସେ ଦୂରରୁ ସେହି ବୃଦ୍ଧାଙ୍କୁ ଅନେଇ ଅନେଇ ସେ ତାଙ୍କ ପାଖକୁ ଆସିଲେ। ବୃଦ୍ଧା ଜଣଙ୍କ ଦୂରରୁ ଦେଖି ଜାଣିପାରିଲେ ଯେ ପଇସା ଦେବା ପାଇଁ କିଏ ଜଣେ ଆସୁଛି। ସେଥିପାଇଁ ସେ ଧୀର ସ୍ବରରେ ବାବୁ ବାବୁ ବୋଲି ଡାକିଲେ, ନେହୁରା ହେଲେ ପଇସାଟିଏ ଦିଅ।

ବୃଦ୍ଧା ନିଶ୍ଚିତ ହେଲେ ଯେ, ସେ ବ୍ୟକ୍ତିଜଣଙ୍କ ତାଙ୍କ ମନି ପର୍ସ ବାହାର କରି କିଛି ପଇସା ଫିଙ୍ଗବେ। ହେଲେ ତାହା ହେଲା ନାହିଁ। ସେ ଅବାକ ହୋଇ ଛିଡା ହେବାର ଦେଖି ବୃଦ୍ଧା ଜଣଙ୍କ ଆଶ୍ଚର୍ଯ୍ୟ ହେଲେ। ହେଲେ ଯାତ୍ରୀ ପଳାଉଛନ୍ତି ଦେଖି ବୃଦ୍ଧା ଜଣଙ୍କ ତାଙ୍କର ଭିକ୍ଷା ବୃତ୍ତିକୁ ଆଗକୁ ବଢାଇଲେ। ବାବୁ… ବାବୁ.. ପଇସାଟିଏ ଦିଅ କହିବାକୁ ଲାଗିଲେ।

ସେ ଆସିଥିବା ଟ୍ରେନର ସମସ୍ତ ଯାତ୍ରୀ ପଳାଇଲେଣି। ଷ୍ଟେସନ ବାହାର ପ୍ରାୟ ଖାଲି ଖାଲି ହୋଇଗଲାଣି। ହେଲେ ବିଦ୍ୟା ସେହିଠାରେ ବିଚଳିତ ହୋଇ ଅନାଇ ରହିଛନ୍ତି। ଆଉ ସମ୍ଭାଳି ନ ପାରି ସେ ବୃଦ୍ଧାଙ୍କ ପାଖକୁ ଯାଇ ଆଣ୍ଠୁ ଭାଙ୍ଗି ବସିଲେ। ପଚାରିଲେ ଆଜ୍ଞା ଆପଣ କିଏ ? ଆପଣଙ୍କ ନାମ କଣ ? ଆପଣ କାହିଁକି ଏପରି ଭିକ୍ଷା ବୃତ୍ତି କରୁଛନ୍ତି ?

ବୃଦ୍ଧା ଜଣଙ୍କ କିଛି ଜାଣିପାରିଲେ ନାହିଁ। ସେ ଭିକ ଦେବା ପରିବର୍ତ୍ତେ ଏପରି କାହିଁକି ପଚାରୁଛନ୍ତି ବୋଲି ଆଶ୍ଚର୍ଯ୍ୟ ହେଲେ। ହେଲେ ଏହାର ଉତ୍ତର ଦେଲେ ହୁଏତ ଅଧିକ ପଇସା ମିଳିବ, ସେ ଆଶାରେ ବୃଦ୍ଧା ଜଣଙ୍କ ଉତ୍ତର ଦେବାକୁ ଲାଗିଲେ। ସେ ଉତ୍ତର ଶୁଣି ବିଦ୍ୟା ମୁଣ୍ଡରେ ହଠାତ ଆକାଶଟା ଛିଣ୍ଡି ପଡିଗଲା। ସେହି ସ୍ଥାନରେ ଭୋ ଭୋ ହୋଇ କାନ୍ଦି ପକାଇଲେ।

ମଇଳା ଲୁଗା ପିନ୍ଧିଥିବା ବୃଦ୍ଧାଙ୍କୁ ସେ କୁଣ୍ଢାଇ ଧରିଲେ। କହିଲେ ମ୍ୟାଡମ, ମୋ ଗଣିତ ମ୍ୟାଡମ, ଆପଣ ଭିକ କାହିଁକି ମାଗୁଛନ୍ତି। କାନ୍ଦି କାନ୍ଦି ଏ କଥା କହିଲେ ବିଦ୍ୟା। ସେ ସମୟରେ ସେ ସ୍ଥାନରେ ଗହଳି ଚହଳି ଭାଙ୍ଗି ଯାଇଥିଲା। କାଁ ଭାଁ ଲୋକ ଯିବା ଆସିବା କରୁଥିଲେ। ସେମାନେ ଏହି ଦୃଶ୍ୟକୁ ଟିକିଏ ଅନାଇ ନିଜ କାମରେ ପଳାଇ ଯାଉଥିଲେ।

ବୃଦ୍ଧା ଜଣଙ୍କୁ ଆଉ କିଛି ନ ପଚାରି ଏକ ଗାଡି କରି ନିଜ ଘରକୁ ନେଇ ଆସିଲେ ବିଦ୍ୟା। ଭଲଭାବେ ଗାଧୋଇ ଦେଲେ, ନୂଆ ଲୁଗା ପିନ୍ଧାଇ ଦେଲେ, ଭଲ ଖାଇବାକୁ ଦେଲେ। ଖାଇ ସାରିବେ ପରେ ସେ ପଚାରିଲେ ମ୍ୟାଡମ କଣ ଘଟଣା, କାହିଁକି ଏମିତି ହେଲା।

କାନ୍ଦ କାନ୍ଦ ମୁହଁରେ ବୃଦ୍ଧା କହିଲେ, ମୁଁ ଗଣିତ ଶିକ୍ଷକଭାବେ ଅବସର ନେବା ପରେ ମୋ ପୁଅଝିଅ କେହି ପଚାରିଲେ ନାହିଁ। ସେମାନେ ବର୍ତ୍ତମାନ ବଞ୍ଚିଛନ୍ତି କି ନାହିଁ ମୁଁ ଜାଣି ନାହିଁ। ଏପରି ପରିସ୍ଥିତିରେ ମୋତେ ଖାଇବା ପିଇବାକୁ କିଛି ମିଲିଲା ନାହିଁ। ଭାବିନେଲି ଭିକ୍ଷା ବୃତ୍ତି କରିବି। ହେଲେ ସେ ସ୍ଥାନରେ ଚିହ୍ନା ଲୋକେ ଜାଣିଦେବେ ବୋଲି ଭାବି ମୁଁ  ଦୂରକୁ ପଳାଇ ଆସିଲି। ଆଉ ଏହି ସ୍ଥାନରେ ରହି ବହୁ ବର୍ଷ ଧରି ଭିକ୍ଷା ବୃତ୍ତି କରି ଚଳୁଛି। କଥା ସରିବା ବେଳେକୁ ବୃଦ୍ଧାଙ୍କ ଆଖିରୁ ଠପଠପ ଲୁହ ବାହାରି ଆସିଲା।

ଏହା କୈଣସି ଚଳଚିତ୍ର କିମ୍ବା ଉପନ୍ୟାସର କାହାଣୀ ନୁହେଁ। ଏହା ହେଉଛି ଏକ ସତ ଘଟଣା। କେରଳର ମାଲ୍ଲାପୁରମ ସ୍କୁଲର ଗଣିତ ଶିକ୍ଷୟତ୍ରୀ ଭାଲସା ଅବସର ନେବା ପରେ ତାଙ୍କର ଏହି ଅବସ୍ଥା। ବିଦ୍ୟା ଏ ସବୁ ଜାଣିବା ପରେ ତାଙ୍କ ସଂପର୍କରେ ଥିବା ମ୍ୟାଡମଙ୍କ ପୁରାତନ ଛାତ୍ରଛାତ୍ରୀଙ୍କୁ  ଏହି ଖବର ଦେଲେ। ଏପରିକି ତାଙ୍କ ଫେସବୁକରେ ମଧ୍ୟ ମ୍ୟାଡମଙ୍କ ଫଟୋ ସହ ଘଟଣା ବିଷୟରେ ଲେଖି ପୋଷ୍ଟିଂ କଲେ।

ଏହି ପୋଷ୍ଟିଂରୁ ମ୍ୟାଡମଙ୍କ ବହୁ ଛାତ୍ରଛାତ୍ରୀ ଜାଣି ଦୁଃଖ ପ୍ରକାଶ କରିବା ସହିତ ସାହାର୍ଯ୍ୟର ହାତ ମଧ୍ୟ ବଢାଇଲେ। ଦିନ ଠିକ ହେଲା ସମସ୍ତ ଏକାଠି ହେଲେ। ଗୁରୁ ଓ ଶିଷ୍ୟମାନଙ୍କ ଏକ ମହାମିଳନ। ନିଷ୍ପତି ହେଲା ମ୍ୟାଡମଙ୍କ ଖର୍ଚ୍ଚ ସେମାନେ ହିଁ ବହନ କରିବେ। ସେହି ଅନୁସାରେ ମ୍ୟାଡମଙ୍କୁ ‘ସୟାନ’ ନାମିତ ଏକ ବ଼ୃଦ୍ଧାଶ୍ରମରେ ଆଶ୍ରୟ ଦିଆଗଲା। ସେ କଥା ଫେସବୁକ ପୋଷ୍ଟିଂରେ ମଧ୍ୟ ଜଣାଇ ଦିଆଗଲା। ଯିଏ ଯେତେବେଳେ ପାରିଲା ସେଠାକୁ ଆସି ମ୍ୟାଡମଙ୍କୁ ଦେଖିକରି ଗଲେ। ସାହାର୍ଯ୍ୟ ମଧ୍ୟ କଲେ।

ଯେତେବେଳେ ନିଜ ଜନ୍ମ କରିଥିବା ସନ୍ତାନ ପଚାରିଲେ ନାହିଁ, ସେତେବେଳେ ତାଙ୍କ ଛାତ୍ରଛାତ୍ରୀ ତାଙ୍କୁ ପଚାରିଲେ। ଏହା ହିଁ ଭାରତର ଗୁରୁଶିଷ୍ୟ ପରଂପରା ।