Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି ବଢିଲାଣି କରୋନା, ଜାନୁୟାରୀ ଶେଷ ଆଡକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ଆତଙ୍କ ଆରମ୍ଭ ହେଲାଣି। ଆଜିର ଖବର ଅନୁସାରେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 424 ରେ  ପହଞ୍ଚିଲାଣି। ଗତକାଲି ଏହି ସଂଖ୍ୟା ଥିଲା 298। ଅର୍ଥାତ ଗୋଟିଏ ଦିନରେ 124 ଜଣ ନୂଆ ଆକ୍ରାନ୍ତ ବୃଦ୍ଧି ପାଇଛି। ଏହା ନିଶ୍ଚିତ ଭାବେ ଏକ ଝଟକା ବୋଲି କହିବାକୁ ପଡିବ। ଏହି ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ, ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ବଢିବା ଆରମ୍ଭ ହୋଇଛି।

ପୂର୍ବରୁ ଏହି ସ୍ଥିତି ବେଶ୍ ନିୟନ୍ତ୍ରଣରେ ଥିଲା। ଗତ ନଭେମ୍ବର ମାସ ପର୍ଯ୍ୟନ୍ତ କରୋନା ଗ୍ରାଫ ଠିକ ନିୟନ୍ତ୍ରିତ ହୋଇ ଆସୁଥିଲା। ହେଲେ ଏହା ନଭେମ୍ବର 24 ବେଳକୁ ଝଟକା ଦେବା ଆରମ୍ଭ କରିଥିଲା। ପରେ ଡିସେମ୍ବର ମାସରେ ଏହି ଗ୍ରାଫ ଉପର ମୁହାଁ ହୋଇଥିଲା। ସେହିପରି ବିଭିନ୍ନ ଜିଲ୍ଲାର ସ୍ଥିତି ମଧ୍ୟ ନିୟନ୍ତ୍ରିତ ହୋଇ ରହିଥିଲା। ବିଭିନ୍ନ ଜିଲ୍ଲାର ଆକ୍ରନ୍ତଙ୍କ ସଂଖ୍ୟା ଏକକ ସଂଖ୍ୟାକୁ ଖସି ଆସିଥିଲା। ହେଲେ ସେଥିରେ ବର୍ତ୍ତମାନ ଏହା ଦୁଇ ଅଙ୍କକୁ ଛୁଇଁବା ଆରମ୍ଭ କରିଛି।

ସେହିପରି ଓମିକ୍ରମ ସଂଖ୍ୟା ମଧ୍ୟ ଓଡିଶାରେ ବଢିବଢି ଚାଲିଛି। ବର୍ତ୍ତମାନ ରାଜ୍ୟରେ 14ଟି ଓମିକ୍ରମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିସାରିଲେଣି। ତେଣୁ ଏହି ଗ୍ରାଫକୁ ଅନୁଧ୍ୟାନ କଲେ କରୋନା ସ୍ଥିତି ଜାନୁୟାରୀ ଶେଷ ଆଡକୁ ଗମ୍ଭୀର ହେବାର ସମ୍ଭାବନା ଦେଖା ଦେଲାଣି। ଫେବୃୟାରୀ ବେଳକୁ ରାଜ୍ୟରେ ତୃତୀୟ ଲହରର ତୀବ୍ରତା ପରିଲକ୍ଷିତ ହେବ ବୋଲି ଜଣାପଡିଲାଣି।

ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟ ସରକାର ବନ୍ଦ କରିଦେଇଥିବା କୋଭିଡ ହସପିଟାଲ ପୁଣି ଆରମ୍ଭ କରିବାକୁ ଯୋଜନା କଲେଣି। ଏପରିକି କେନ୍ଦ୍ର ସରକାର ମଧ୍ୟ ଘନଘନ ବୈଠକ କରି ରାଜ୍ୟମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେଣି। ତେବେ ଏଥର କରୋନା ନିୟନ୍ତ୍ରଣ କରିବାରେ ସରକାର ତଥା ସ୍ବାସ୍ଥ୍ୟ କର୍ମିଙ୍କୁ ସହଜ ହେବ ବୋଲି ଆଶା କରାଯାଉଛି। କାରଣ ହେଲା ଏହାକୁ ନେଇ ସମସ୍ତଙ୍କ ଅଭିଜ୍ଞତା ହାସଲ ହୋଇଛି, ଦ୍ବିତୀୟରେ ସମସ୍ତେ ଦୁଇ ଡୋଜ ଟିକା ମଧ୍ୟ ଗ୍ରହଣ କରିସାରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ, ସରକାର ପୁଣି ଥରେ ଲକ ଡାଉନ ବା ସର୍ଟ ଡାଉନ ଲାଗୁ କରିବେ କି ନାହିଁ। କାରଣ ବର୍ତ୍ତମାନ ଯେପରି ସ୍ଥିତି ରହିଛି ସେଥିରେ ପୁଣି ଲକଡାଉନ ସର୍ଟଡାଉନ କଲେ ରାଜ୍ୟ ତଥା ଦେଶର ଆର୍ଥିକ ସ୍ଥିତି ବିଗିଡିଯିବା ନିଶ୍ଚିତ। ସେସବୁକୁ ଦୃଷ୍ଟିରେ ରଖି ସରକାର ଏବେଠାରୁ କଟକଣା ଆରମ୍ଭ କରିଦେଲେ ପରିବର୍ତ୍ତି ସମୟରେ ପରିସ୍ଥିତି ଜଟିଳ ହେବ ନାହିଁ।