Categories
ଆଜିର ଖବର ଖେଳ ଜାତୀୟ ଖବର

ଦିଲ୍ଲୀ-ପଞ୍ଜାବ ମ୍ୟାଚରେ କରୋନା ମାଡ଼, ବିସିସିଆଇ ସଚିବ ଜୟ ଶାହା ନେଲେ ବଡ ନିଷ୍ପତ୍ତି

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ୍ ୨୦ ତାରିଖରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ କୁ ନେଇ ଏବେ ବଡ ଖବର ଆସିଛି । ବାସ୍ତବରେ ମିଚେଲ ମାର୍ଶଙ୍କ ସମେତ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ମୋଟ ପାଞ୍ଚ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଏହି ମ୍ୟାଚର ସ୍ଥାନ ପରିବର୍ତ୍ତନ କରାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିଲା। କିନ୍ତୁ ବର୍ତ୍ତମାନ ଏହି ମ୍ୟାଚ୍ ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯିବ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି।

ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଏପ୍ରିଲ୍ ୨୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ପୁଣେର ଏମସିଏ ଷ୍ଟାଡିୟମରୁ ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀ ଦଳରେ କରୋନାର ପାଞ୍ଚ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀ କ୍ୟାପିଟାଲର ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଦ୍ୱିତୀୟ ଆରଟି-ପିସିଆର ପରୀକ୍ଷା ପଜିଟିଭ ହୋଇଛି। ପରେ ତାଙ୍କୁ ସୋମବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫ୍ରାଞ୍ଚାଇଜ୍ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ,ଦିଲ୍ଲୀ କ୍ୟାପିଟାଲର ଅଲରାଉଣ୍ଡର ମିଚେଲ ମାର୍ଶ କୋଭିଡ ପଜିଟିଭ ହୋଇଛନ୍ତି ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସର ଡାକ୍ତରୀ ଦଳ ମାର୍ଶଙ୍କ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଆଇପିଏଲ୍ ର ନିୟମ ଅନୁଯାୟୀ, ବାୟୋ-ବବୁଲରେ ସଂକ୍ରମିତ ହୋଇଥିବା ଖେଳାଳୀଙ୍କୁ ଅତି କମରେ ସାତ ଦିନ ପାଇଁ ଅଲଗା ରହିବାକୁ ପଡିବ। ଏଥି ସହିତ, ଦଳକୁ ଫେରିବା ପାଇଁ ତାଙ୍କୁ କ୍ରମାଗତ ଦୁଇଟି RT-PCR ପରୀକ୍ଷାରେ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ।