Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ମାସ ପାଇଁ ନୂଆ କରୋନା ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା କରି ରାଜ୍ୟ ସରକାର ଏକ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଆଗକୁ ନୂଆ ବର୍ଷ ଆସୁଥିବାରୁ ପ୍ରବଳ ଭିଡକୁ ଏଡେଇବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଭିଡ ହେଲେ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ଥିବାରୁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।

ତେଣୁ ଡିସେମ୍ବର ମାସରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ଡିସେମ୍ବର ୩୧ ତାରିଖ ଏବଂ ଜାନୁଆରୀ ୧ ତାରିଖରେ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ହେବା ପାଇଁ ବାରଣ କରାଯାଇଛି। ଜିରୋ ନାଇଟ ସେଲିବ୍ରେସନ, ପିକିନିକ, ବଣ ଭୋଜି ଉପରେ କଟକଣା ଲଗାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦିରେ ନୂଆ ବର୍ଷ ସମାରୋହ କରିବାକୁ ବାରଣ କରାଯାଇଛି।

ପୂର୍ବପରି ଡିସେମ୍ବର ମାସରେ ନାଇଟ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି। ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ ବୋଲି କୁହାଯାଉଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।