Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲ୍‌ର କରୋନା ଯୋଦ୍ଧା କମଳିନୀ ମଲ୍ଲିକ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲ୍‌ର ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ୍ କମଳିନୀ ମଲ୍ଲିକଙ୍କୁ “ଭାରତ ଗୌରବ ଶ୍ରୀ” ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ଉଲ୍ଲେଖନୀୟ ସମାଜ ସେବା ନିମନ୍ତେ ସମ୍ କୋଭିଡ୍ ହସ୍ପିଟାଲ୍‌ର କରୋନା ଯୋଦ୍ଧା ଶ୍ରୀମତି ମଲ୍ଲିକଙ୍କୁ ରବିବାର ଏଠାରେ ନେପାଳ ଦୂତାବାସର ମିନିଷ୍ଟର କାଉନ୍‌ସେଲର (ପଲିଟିକାଲ୍‌) ଆନନ୍ଦ ପ୍ରସାଦ ଶର୍ମା ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଗତ ୨୦୨୦ ମାର୍ଚ୍ଚ ମାସରେ କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଦୀର୍ଘ ଏକ ବର୍ଷ ୮ ମାସ ଧରି ନିରନ୍ତର କରୋନା ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିଆସୁଛନ୍ତି କମଳିନୀ। ତାଙ୍କର ପ୍ରଚେଷ୍ଟା ଫଳରେ ଅନେକ ଗୁରୁତର ସଂକ୍ରମିତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି।

ଦୀର୍ଘ ଦିନ ହେବ ନିଜ ପରିବାର ଠାରୁ ଦୂରରେ ରହି ହସ୍ପିଟାଲ୍‌ରେ ହିଁ ନିଃସ୍ୱାର୍ଥପର ଭାବେ ରୋଗୀ ସେବା କରିଆସୁଛନ୍ତି କମଳିନୀ।

ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ଦୂତାବାସର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଶରତଚନ୍ଦ୍ର ପ୍ରଧାନ, ମରିସସ୍‌ର ବିଶ୍ୱ ଯୁବ ସଂସ୍ଥାନର ସେକ୍ରେଟାରୀ ଜେନେରାଲ୍ ଅମରନାଥ ଦେଓ ଏବଂ ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ଜାତୀୟ ସଭାପତି ଅଭିନ୍ନ ହୋତା ଉପସ୍ଥିତ ଥିଲେ।

ଏହି ଅବସରରେ “ଆତଙ୍କବାଦ, ପରିବେଶ ନ୍ୟାୟ ଏବଂ ମାନବାଧିକାର” ଶୀର୍ଷକ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ଵାରା ୬ ହଜାର ୯୪୪ ଜଣ ସାମ୍ବାଦିକ ଉପକୃତ ହେବେ। ଏହି ଅବସରରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ମହାମାରୀ ସମୟରେ ସାମ୍ବାଦିକମାନଙ୍କ ଅନବରତ ସେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ: କରୋନା କଟକଣାକୁ ମାନିବା ଲାଗି ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି। କରୋନା ବିପକ୍ଷରେ ଦେଶ ବଡ ଲଢେଇ ଲଢୁଛି। ଏହି ମହାମାରୀରେ ଯେଉଁମାନଙ୍କ ପ୍ରଣାହାନି ଘଟିଛି, ସେମାନଙ୍କ ପ୍ରତି ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶଂସନୀୟ। ପୂର୍ବରୁ ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢିଥିଲେ। କରୋନା ବାତ୍ୟା ଭଳି ମାଡି ଚାଲିଥିଲେ ମଧ୍ୟ ଆମେ ଧର୍ଯ୍ୟ ହରାଇବା ନାହିଁ ବୋଲି ମୋଦୀ କହିଛନ୍ତି।

ଗତକାଲି ଟୀକା ଉପରେ ଏକ ବଡ ନିଷ୍ପତ୍ତି ନିଯାଇଆଛି। ମେ’ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯାଉଛି। ବୈଜ୍ଞାନିକମାନେ କମ ସମୟରେ ଦୁଇଟି ଟୀକା ବିକଶିତ କରିଛନ୍ତି। କମ ମୂଲ୍ୟରେ ଦେଶରେ ଟୀକା ଉପଲବ୍ଧ ହେଉଥିବା ବେଳେ ବର୍ତ୍ତମାନ ବିଶ୍ଵର ସବୁଠାରୁ ବଡ ଟୀକାକରଣ ଜାରି ରହିଛି।

ଯଦି ଆମେ କରୋନା କଟକଣାକୁ ସଠିକ ଭାବେ ମାନିବା, ତେବେ ଦେଶରେ କୌଣସି କର୍ଫ୍ୟୁ କିମ୍ବା ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମୋଦୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୨ କରୋନା ଯୋଦ୍ଧାଙ୍କ ପରିବାର ପାଇଲେ ୫୦ ଲକ୍ଷ ଲେଖାଏଁ ସହାୟତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଯୁଦ୍ଧ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ୍ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଣ୍ଡଳ କର୍ତ୍ତବ୍ୟ କରୁଥିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛିଦିନ ଚିକିତ୍ସା ପରେ ୩୧.୪.୨୦ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ବ୍ରହ୍ମପୁର ବଡ଼ବଜାର ଥାନାରେ କାର୍ଯ୍ୟରତ ଥିବା କର୍ମଚାରୀ ଜିତେନ୍ଦ୍ର ପ୍ରଧାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଗତ ୧୦.୮.୨୦୨୦ ଦିନ ମୃତ୍ୟୁବରଣ କରିଥିଲେ।

ସରକାରଙ୍କ ପ୍ରତିଶ୍ରୁତି ପ୍ରକାରେ ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ କାର୍ଯ୍ୟାଳୟରେ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ। କୃଷ୍ଣମଣ୍ଡଳଙ୍କ ସ୍ତ୍ରୀ ଅନିତା ମଣ୍ଡଳଙ୍କୁ ଏବଂ ଜିତେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୌଭାଗ୍ୟା କହଁରଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁର ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ତରଫରୁ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ପ୍ରଥମ କରୋନା ଯୋଦ୍ଧା ଡ଼ାକ୍ତରଙ୍କ ମୃତ୍ୟୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ପ୍ରଥମ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ତଥା ଓଡ଼ିଶାର ଦ୍ୱିତୀୟ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ଭାବେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ବି. କ୍ରିଷ୍ଣା (୪୫)ଙ୍କ କରୋନାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଡା. ବି. କ୍ରିଷ୍ଣା ଗତ ୪ ତାରିଖରେ ପୁରୁଷୋତ୍ତମପୁର ବ୍ଲକ୍ ରାଣୀ ଗାଁରେ ଗାଁଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ୱାବ ପରୀକ୍ଷା କରିଥିଲେ।

ରିପୋର୍ଟ ପଜିଟିଭ୍ ଆସିବା ପରେ ୫ ତାରିଖ ଦିନ ଭୁବନେଶ୍ୱର କିମସ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ରବିବାର ଦିନ ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ଜଣେ ଆଗଧାଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁପରେ ଗଂଜାମ ଜିଲ୍ଲା ତଥା ପୁରୁଷୋତ୍ତମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବି. କ୍ରିଷ୍ଣାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ଶୋକାକୁଳ ପରିବାରକୁ ଭେଟିବାକୁ ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଡା. ଉମା ମିଶ୍ର, ଏଡ଼ିଏମ୍ ଏବଂ କିଛି ପୋଲିସ୍ କର୍ମଚାରୀ ପହଞ୍ଚି ସମବେଦନା ଜଣାଇଥିଲେ।

Categories
ଆଞ୍ଚଳିକ

କରୋନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଏକ ଡିଜିଟାଲ ଆନ୍ଦୋଳନ ଆରମ୍ଭ କରାଯାଇଛି।

କରୋନା ଭଳି ବିଶ୍ଵ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ହଜାର ହଜାର ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀମାନେ ଦିନରାତି ଏହାର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ଯୁବ କର୍ମଚାରୀମାନେ ଯିଏକି ଆଇଏସ ଏବଂ ଓଏଏସ ମାନଙ୍କ ପରି ଓଡିଶା ପବ୍ଲିକ ସର୍ଭିସ କମିଶନ, ଓଡିଶା ଷ୍ଟାଫ ସିଲ୍ଲେକ୍ସନ କମିଶନ ଓ ଅନ୍ୟାନ ପ୍ରତିଯୋଗିତାମୂଳକ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏହି ଶ୍ରେଣୀୟ ଯୁବ କର୍ମଚାରୀମାନେ ମାତ୍ର ୮୮୮୦/- ଟଙ୍କା ମାସିକ ବେତନରେ ୬ ବର୍ଷ ପର୍ଯ୍ୟନ୍ତ ଦାଦନ ଖଟୁଛନ୍ତି, ଯାହାକି ସରକାରଙ୍କ ଘୋଷିତ ଦିନମଜୁରିଆରଙ୍କ ପାରିଶ୍ରମିକ ଠାରୁ କମ।

 

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଏଭଳି ନିଯୁକ୍ତି ବ୍ୟବସ୍ଥାକୁ ଦୀର୍ଘ ଦିନ ହେବ ଘୋର ବିରୋଧ କରାଯାଉଛି। ଏହାର ପ୍ରତିବାଦରେ ଏହି ମହାସଂଘ  ପକ୍ଷରୁ ଆଜିଠାରୁ ୧୫ ଦିନ ଧରି ଡିଜିଟାଲ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାର ଫଳସ୍ଵରୂପ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ନିରବ ପ୍ରତିବାଦ କରି ସରକାରଙ୍କର ବିରୋଧରେ ଟୁଇଟର ଓ ଫେସବୁକ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯାଉଛି।

Categories
ଆଞ୍ଚଳିକ

ବ୍ରହ୍ମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ୩୧ ନମ୍ବର ୱାର୍ଡ଼ରେଂ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କମାପଲ୍ଲୀ ବୈଦ୍ୟନାଥେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ୨୪ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କରୋନା ସଂକ୍ରମଣକୁ ରୋକିବାରେ ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ମହାରଣା କହିଥିଲେ । ଅଙ୍ଗନୱାଡ଼ି କର୍ମୀଙ୍କ ସହ ସିଡ଼ିପିଓ ପୁଷ୍ପାଞ୍ଜଳି ମିଶ୍ର, ଅଙ୍ଗନୱାଡ଼ି ସୁପରଭାଇଜର ପଦ୍ମିନୀ ପଟ୍ଟନାୟକ ଓ ବହୁ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରାଯାଇଥିଲା । ସମସ୍ତଙ୍କୁ ସାନିଟାଇଜର, ମାସ୍କ ଓ ଗ୍ଲୋବ୍ସ ମଧ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅମିତ ଦାଶ, ବିଜେଡ଼ି ଯୁବ ସଂଗଠକ ଏ. ସନ୍ତୋଷ ପାତ୍ର, କୁମାର ସୁରଜ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ମାନିତ କରିଥିଲେ ।

Categories
ଆଞ୍ଚଳିକ

ଉତ୍କଳୀୟମ ଫାଉଣ୍ଡେଶନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ରଞ୍ଜିତ ପଣ୍ଡା
କୁଜଙ୍ଗ : କରୋନା ମୁକାବିଲା କ୍ଷେତ୍ରରେ କୁଜଙ୍ଗ ଅଂଚଳରେ ଉଲ୍ଲେଖନୀୟଭାବେ କାର୍ଯ୍ୟ କରିଥିବା ବିଭିନ୍ନ କରୋନା ଯୋଦ୍ଧା ମାନଙ୍କୁ ଆଜି ଉତ୍କଳୀୟମ ଫାଉଣ୍ଡେନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ରାଜୀବଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ତହସିଲଦାର ସୁଶ୍ରୀ ସ୍ମତିପ୍ରଜ୍ଞା ପ୍ରିୟଦର୍ଶିନୀ, କୁଜଙ୍ଗ ବିଡ଼ିଓ ଡ଼ଃ. ପୂଜା ଲେଙ୍କା, କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ସମେତ କୁଜଙ୍ଗ ଏବଂ ପାରାଦୀପ ଅଂଚଳର ମୁଦ୍ରଣ ଏବଂ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ମାନିତ କରିଥିଲେ । ସାମ୍ବାଦିକ ଦୁଷ୍ମନ୍ତ ମାଝୀ, ବିଭୂତିଭୂଷଣ ଦାସ, ରଞ୍ଜିତ କୁମାର ପଣ୍ଡା, ପ୍ରଳୟ ମହାପାତ୍ର, ଲାଲା ବିରେନ ରାୟ, ନାରାୟଣ ସାହୁ, ଜ୍ଞାନେଞ୍ଜୟ ମହାନ୍ତି, ରଶ୍ମୀରଞ୍ଜନ ରାଉତରାୟ, ପ୍ରଶାନ୍ତ ସ୍ୱାଇଁ, ବବୃବାହାନ ରାଉତ, ସିଦ୍ଧେଶ୍ୱର ସ୍ୱାଇଁ ପ୍ରମୁଖ ସାମ୍ବାଦିକ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

କରୋନା ମୁକାବିଲା ସହିତ ଜନ ସଚେତନତା ସୃଷ୍ଟି କ୍ଷେତ୍ରରେ ଉପରୋକ୍ତ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଗୁରୁଦାୟିତ୍ୱ ବହନ କରିଥିବାରୁ ସେମାନେ ସମ୍ମାନର ହକଦାର ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି । ସେହିପରିଭାବେ କୁଜଙ୍ଗ ସରପଂଚ ଭାରତଭୂଷଣ ନାୟକ, ଅଗପାଳ ସରପଂଚ ମେନକା ବେହେରା, ପଙ୍କପାଳ ସରପଂଚ ମିନାକ୍ଷୀ ଦାସ, ସମିତିସଭ୍ୟ ପଦ୍ମନାଭ ସାହୁ ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ମାଇଲ ଚାରୀଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା । ଫାଉଣ୍ଡେଶନର ରାଜ୍ୟ ଅଧ୍ୟକ୍ଷ କୁବେର ବିଶ୍ୱାଳ, ସଙ୍ଗଠନ ସମ୍ପାଦକ ସୁନୀଲ ମହାପାତ୍ର, ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ, ଉପାଧ୍ୟକ୍ଷା ସବିତା ପୃଷ୍ଟି, ଇତିଶ୍ରୀ ଭୂୟାଂ, ରାଜୀବଲୋଚନ ପ୍ରଧାନ ଏବଂ ଟ୍ରଷ୍ଟର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Categories
ଆଞ୍ଚଳିକ

ଛୋଟରାୟପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରଓ୍ବାଲ
ଚିଲିକା: ଚିଲିକା ବ୍ଲକ୍‌ ଅନ୍ତର୍ଗତ ଛୋଟରାୟପୁର ଶାସନ ଗ୍ରାମରେ ଏକ କରୋନା ସଚେତନତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରୋନା ଯୋଦ୍ଧା ତଥା ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ସହକାରୀ ଅଧିକାରୀ ହାଡିବନ୍ଧୁ ନାୟକ ଏବଂ ଥାନାର ସମସ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁରେଶ କୁମାର ଦାଶ ଓ ବିଜୟ କୁମାର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛୋଟରାୟପୁର ଗ୍ରାମର କୁଳମଣି ମାର୍ଥା, ଗୋଲଖ ବେହେରା, ରବୀନ୍ଦ୍ରନାଥ ଦାଶ, ପଣ୍ଡିତ ନୀଳକଣ୍ଠ ଆଚାର୍ଯ୍ୟ, କେଦାରନାଥ ଶତପଥୀ ଏବଂ ନିରଞ୍ଜନ ଶତପଥିଙ୍କ ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଥିଲା। ରମେଶ ଚନ୍ଦ୍ର ଦାଶ ଏବଂ ଅମ୍ବିକା ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।