Categories
ଆଞ୍ଚଳିକ ରାଜ୍ୟ ଖବର

କିଏ ଶୁଣିବ ବସୁଦେବଙ୍କ ଦୁଃଖ, ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅସଲ ହିତାଧିକାରୀ

ସମୀକ୍ଷା ବ୍ୟୁରୋ

କର୍ଲାମୁଣ୍ଡା, ୨୮/୧୨: ଭିନ୍ନକ୍ଷମ ତଥା ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ସରକାରୀ ସୁବିଧାର ବ୍ୟବସ୍ଥା କରିଥିବାବେଳେ ପ୍ରକୃତ ହିତାଧିକାରୀମାନେ ଏଥିରୁ ବଂଚିତ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମପଞ୍ଚାୟତର ରେଗଡା ଗ୍ରାମରେ। ଏହି ଗ୍ରାମର ଜଣେ ବାସିନ୍ଦା ହେଉଛନ୍ତି ବସୁଦେବ ସାହୁ। ବୟସ ତାଙ୍କୁ ୩୨ ବର୍ଷ। ପିତାଙ୍କ ନାମ ହେଉଛି କାର୍ତ୍ତିକ ସାହୁ। ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଭାବରେ ଅଚଳ ବସୁଦେବଙ୍କର। ଘରେ ତାଙ୍କୁ ମିଶାଇ ୭ଜଣ ଲୋକ। ଦୁଇ ପୁଅ, ସ୍ତ୍ରୀ, ବାପ ମାଆ ଓ ଆଉଜଣେ ଅନ୍ଧ ଭାଇ। ବଡ଼ପୁଅ ହେଉଥିବାରୁ ଘରର ସବୁ ବୋଝ ତାଙ୍କ ମୁଣ୍ଡ ଉପରେ। ରୋଜଗାରର ମାଧ୍ୟମ ହେଉଛି ଏକ ଛୋଟିଆ କେବିନ ଦୋକାନ। ଠିକ୍‌ରେ ଆୟ ହେଉନଥିବାରୁ ଦି ଓଳି ଦି’ ମୁଠା ଆହାର ଯୋଗାଡ କରିବା ବି କଷ୍ଟକର ହୋଇପଡୁଛି। ବୃଦ୍ଧ ବାପାମାଆଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ଦୁଇ ପିଲାଙ୍କ ପାଠପଢା ଓ ଅନ୍ଧ ଭାଇଙ୍କ ସେବା କରିବା ତାଙ୍କର ପାଖରେ ଅସମ୍ଭବ ହୋଇପଡୁଛି।

ସରକାରୀ ସହାୟତା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ, କେହି ତାଙ୍କ ଗୁହାରିକୁ କର୍ଣ୍ଣପାତ କରିନାହାନ୍ତି। ସରକାରଙ୍କ ‘ମୋ ଦକ୍ଷତା’ ଯୋଜନରେ ସେଲସ୍‌ ମ୍ୟାନେଜମେଣ୍ଟରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସିକ୍ୟୁରିଟି ଗାର୍ଡର ଚାକିରି ମିଳିଥିଲା। ସେଠାରୁ ସେ ନିରୂପାୟ ହୋଇ ଫେରିଛନ୍ତି। ସରକାର ଦୁଃଖୀ ରଙ୍କୀ ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଅସଲ ହିତାଧିକାରୀମାନେ ଏହି ଯୋଜନାରୁ ଲାଭ ପାଇପାରୁନାହାନ୍ତି। ଯୋଜନାର ଲାଭ ସଠିକ୍‌ ଲୋକ ପାଖରେ ପହଞ୍ଚିବା ନିମେନ୍ତ ସରକାର କଡ଼ା ପଦକ୍ଷେପ ନେଲେ, ଅନେକ ବସୁଦେବ ଦୁଃଖରୁ ଉଦ୍ଧାର ହୋଇପାରନ୍ତେ।