Categories
ଆଞ୍ଚଳିକ

ହାବସପୁରଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହାବସପୁର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଉଦ୍ୟମରେ ସମଗ୍ର ପଞ୍ଚାଯତ ଅଞ୍ଚଳରେ କଳାହାଣ୍ଡି ଉତ୍ସବ ର ମୂଳ ଲକ୍ଷ୍ୟ ଉପରେ ବିଭିନ୍ନ ଆଲୋଚନା ମାନ ଅନୁଷ୍ଠିତ କରାଯାଇଥିଲା। ଗ୍ରାମାଞ୍ଚଳର ବିଭିନ୍ନ ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଯୁବ ସରପଞ୍ଚ ଶ୍ରୀ ପଣ୍ଡା ଉଦ୍ୟମ କରିଆସୁଥିବା ବେଳେ କଳାହାଣ୍ଡି ଉତ୍ସବ ରେ ସେମାନଙ୍କୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା କରିଥିଲେ।

ଐତିହ୍ୟ ସମ୍ପନ୍ନ ହାବସପୁର ଗ୍ରାମ ପଞ୍ଚାୟତରେ ଅନେକ କଳାକାର ଥିବା ବେଳେ ଏହି ଅଞ୍ଚଳରେ ବନାବାଡି, ଘୁମୁରା, କୀର୍ତ୍ତନ, ଗିତିନାଟ୍ୟ ଆଦି ଅନେକ ସାଂସ୍କୃତିକ ଦଳ ଅତୀତରେ ସମଗ୍ର ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ବେଳେ ସେସବୁକୁ ବଜାୟ ରଖିବାକୁ ଉଦ୍ୟମ କରିବାକୁ ଉପସ୍ଥିତ ଅତିଥି ମାନେ ଆହାନ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କ୍ରିଡା ପ୍ରତିଯୋଗିତା, ପ୍ରାଥମିକ, ହାଇସ୍କୁଲ ଓ କଲେଜ ସ୍ତରରେ ନୃତ୍ୟ ପ୍ରତିଯୋଗିତା, ପ୍ରବନ୍ଧ ଓ କବିତା ଲିଖନ, ହୁଳହୁଳି, ଚିତ୍ରାଙ୍କନ, ଗୀତ ସଙ୍ଗୀତ ଆଦି ଅନେକ ବିଭାଗରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା।

ଏହି ଅବସରରେ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଏହି ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ, ଆଇନଜୀବି ଓ ସମାଜସେବୀ ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାକୁ ବାରମ୍ବାର ପ୍ରୟାସ କରିବାକୁ ଆହାନ ଜଣାଇଥିଲେ। ସେହିପରି ଅନ୍ଧକାରରୁ ଆଲୋକ ଦେଖାଉଥିବା ଗୁରୁଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ଉଚିତ ବୋଲି ମତ ପ୍ରକାଶ କରିବା ସହିତ ସୁଶୀଲ କ୍ଷମାବନ୍ତ ଓ କର୍ମ ସଂସ୍କାରକ ଭାବରେ ଶିକ୍ଷକ ମାନେ ନିଜକୁ ପ୍ରତିପାଦନ କରିପାରିଲେ ଛାତ୍ର ସମାଜ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦ ସଭ୍ୟା ଶାମୁକାରାଣୀ କୁମାର ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ ଶେଷଦେବ ପଣ୍ଡା ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ଯୁବ ସମାଜ ଏକଯୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ। ଏହି ଅଞ୍ଚଳର ଗର୍ବ ଗୌରବ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ନାଗ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସଞ୍ଚଳର ସାଂସ୍କୃତିକ ଓ ପୁରାତନ ଭିତ୍ତି ଭୂମି ଉପରେ ଆଲୋକପାତ କରିବା ସହିତ ସମସ୍ତ ସାଂସ୍କୃତିକ ପ୍ରେମୀ ସ୍ଥାନୀୟ ଅଞ୍ଚଳର ସଂସ୍କୃତିକୁ ବଜାୟ ରଖିବାକୁ ଆହ୍ବାନ ଜଣାଇଥିଲେ।

ଏହି ଅବସରରେ ନେବ ସରପଞ୍ଚ ମନୋରମା ନାଗ, ଗ୍ରାମ ପଞ୍ଚାୟତ ଅଧିକାରୀ ମୁକୁନ୍ଦ ଦୋରା, ଜିଆରଏସ ହରି ନାରାୟଣ ମେହେରଙ୍କ ସମେତ ପ୍ରଧାନ ଶିକ୍ଷକ ଅଟଳ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟାକ୍ରମ ଅନୁଷ୍ଠିତ କରାଯାଇଥିବା ବେଳେ ଅତିଥି ମାନଙ୍କ ଦ୍ବାରା ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ୱାର୍ଡ ସଭ୍ୟ ଅର୍ଜୁନ ଶଗଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ୱାର୍ଡ ସଭ୍ୟ, ମହିଳା ସ୍ବାସ୍ଥ୍ୟ କର୍ମୀ, କେଏସ ହାଇ ସ୍କୁଲ ର ଶିକ୍ଷକ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘କଳାହାଣ୍ଡି ସେଦିନର ଓ ଆଜିର’ ଶୀର୍ଷକ ସଂପାନ ଅନୁଷ୍ଠିତ: ଯୋଗ ଦେଲେ ମୁଖ୍ୟ ଶାସନ ସଚିବ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ମନସ୍ତାତ୍ତ୍ବିକ ବିଚାରଧାରାର ପରିବର୍ତ୍ତନ କଳାହାଣ୍ଡି ଜିଲ୍ଲାକୁ ସମଗ୍ର ଦେଶରେ ଆଗୁଆ କରି ଗଢ଼ି ତୋଳିବ। ଆଜି ଏ ଜିଲ୍ଲା ସାରା ଦେଶରେ ଭାତ ହାଣ୍ଡିର ପରିଚୟ ପାଇଛି ସତ, ତେବେ ଜିଲ୍ଲାବାସୀଙ୍କ ପାଇଁ ଆଜିର ଆହ୍ବାନ ସୁସ୍ଥ କଳାହାଣ୍ଡି ହେବା ଉଚିତ୍। କାରଣ ସାରା ବିଶ୍ବକୁ କଳାହାଣ୍ଡି ଦିଗଦର୍ଶନ ଦେବାର ସମୟ ଆସିଛି। ପର୍ଯ୍ୟାପ୍ତ ଜ୍ଞାନ ଆହରଣ ଏ ଜିଲ୍ଲାର ବିକାଶକୁ ଆହୁରି ଆଗେଇ ନେବ ବୋଲି ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆୟୋଜିତ ସଂପାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଏବଂ ଯୋଜନା ଓ ସମ୍ମନ୍ବୟ ବିଭାଗର ସଚିବ ପ୍ରଦୀପ କୁମାର ଜେନା ନିଜ ବକ୍ତବ୍ୟରେ କହିଛନ୍ତି।

ଏଇ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଦକ୍ଷତା ବିକାଶ ହିଁ ଏ ଜିଲ୍ଲାକୁ ଉନ୍ନତିର ଶିଖରରେ ପହଞ୍ଚାଇ ପାରିବ ଏଣୁ ଆମ ସମସ୍ତଙ୍କୁ ଏ ଜୟଯାତ୍ରାରେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଉପସ୍ଥିତିରେ ସଂପାନ କମିଟିର ଅଧ୍ୟକ୍ଷ ତଥା କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହ ଅଧ୍ୟକ୍ଷ ସୀମାଞ୍ଚଳ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଗବେଷକ ଡ. ତ୍ରିଭୂବନ ପଣ୍ଡା, ଉମାଶଙ୍କର କର ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ସଂପାନ କମିଟିର ସଦସ୍ୟ ଶେଷଦେବ ମିଶ୍ର ଅତିଥି ଆବାହନ, ଡ. ସଞ୍ଜିତ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଶ୍ବରଞ୍ଜନ ବେହେରା, ପ୍ରତାପ କୁମାର ପଣ୍ଡା, ଦୁର୍ଗାପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟକ କବି, ଲେଖକ, ଅଧ୍ୟାପକ, ବୁଦ୍ଧିଜୀବୀଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ସୁଢଳଦେବ ମୁଣ୍ଡ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି ଉତ୍ସବ ଦ୍ଵିତୀୟ ଦିନ: ବଜାଶାଲ, ଘୁମୁରାର ତାଳେ ଦୁଲୁକିଲା ସହିଦ ରେଣ୍ଡୋ ମାଝୀ ମଞ୍ଚ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାରମାନଙ୍କ ମହା ସମାବେଶ ହେଉଛି କଳାହାଣ୍ଡି ଉତ୍ସବ ‘ଘୁମୁରା’। ଜିଲ୍ଲାରୁ ପ୍ରବହମାନ ଏଇ ସାଂସ୍କୃତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଦ୍ବିତୀୟ ସନ୍ଧ୍ୟାର ଗୁରୁତ୍ୱପୂର୍ଣ୍ଣ ସମାରୋହ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ କୁମାର ରଥ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଭବାନୀପାଟଣା ପୌର ପରିଷଦର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର ପ୍ରମୁଖ ମଞ୍ଚାସୀନ ଥିଲେ।

କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଗୀତ, ଘୁମୁରା, ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, ନୂପୁର, ମୃଣ୍ମୟୀ ସଂସ୍କୃତି ଅନୁଷ୍ଠାନ, ଶ୍ରୀ ଅରବିନ୍ଦ କଳା ବିକାଶ କେନ୍ଦ୍ର, ବଲାଙ୍ଗୀର ଦୁଲଦୁଲି କଳା ପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ, କନ୍ଧମାଳ ଜିଲ୍ଲା ସଂସ୍କୃତି ପରିଷଦ, ଗଞ୍ଜାମର ମୁଖା ଓ ମୃଦଙ୍ଗ ନୃତ୍ୟ କଳା ସଂସଦ, ଭୁବନେଶ୍ୱରର ଗୁରୁ ବିଜୟ ଜେନା ଓ ସାଥୀ ଭଳି ରାଜ୍ୟର ବିଭିନ୍ନ ଲୋକକଳା ସହିତ ମଧ୍ୟପ୍ରଦେଶର ବଧେଇ ନୃତ୍ୟ, ମହାରାଷ୍ଟ୍ରର ଲାବଣୀ, ରାଜସ୍ଥାନର ମାନିଂହାର ଓ କାଲବେଲିଆ ଆଦି ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

ଶେଷରେ ଗୀତକାର ଓ ଲୋକପ୍ରିୟ ଗାୟକ ସର୍ବେଶ୍ୱର ଭୋଇ ଏବଂ ସାଥୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ସହିତ ଲୋକେ ମତୁଆଲା ହୋଇ ଉଠିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ମହାପାତ୍ର, ଲୋଚନୀ ବାଗ, ବିରଞ୍ଚି ନାରାୟଣ ମୁଣ୍ଡ, ସସ୍ମିତା ସିଂହ,ରାମେଶ୍ବର ତ୍ରିପାଠୀ, ସାବିତ୍ରୀ ମହାରଣା, ସୌରଭ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ସେହିପରି ଉତ୍ସବର ଦ୍ୱିତୀୟ ମଞ୍ଚ ପାରବା ମଞ୍ଚରେ ବିଭିନ୍ନ କଳାକାରଙ୍କ ପ୍ରଦର୍ଶନ ଲୋକଙ୍କୁ ଶୀତୁଆ ରାତିର ଆନନ୍ଦ ଆଣି ଦେଇଥିଲା। ପାରବା ମଞ୍ଚରେ ସୁଶୀଲ ଗହୀର, ଆଶୁତୋଷ ପୁରୋହିତ, ସ୍ନିଗ୍ଧାରାଣୀ ସିଂହ, ତଥାଗତ ମିଶ୍ର, ଆର୍ୟା ନାୟକ, ସସ୍ମିତା ରାଉତ ପ୍ରମୁଖ ମଞ୍ଚ ସଂଚାଳନ କରିଥିଲେ।

ଏଇ ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କ୍ରୁତୀତ୍ବ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପ୍ରଶଂସାପତ୍ର ସହିତ ସମ୍ମାନିତ କରାଯାଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସତ୍ୟବ୍ରତ ସାହୁ ଙ୍କ କଣ୍ଠ ରେ ଭଜନ ଓ ଏମିତି ରାତି ସେଜେ ଅଭୁଲା ସୃତି ଗୀତଟି ଉପସ୍ଥିତ ଲକ୍ଷାଧିକ ଦର୍ଶକଙ୍କ ମାନମୋହି ନେଇଥିଲା।

ତେବେ ଦ୍ଵିତୀୟ ଦିନ ର ଉଦଘାଟନୀ ଉତ୍ସବ ରେ ମଧ୍ୟ ଯେଉଁମାନେ କଳାହାଣ୍ଡି ଭାଷା କୁ ଘୃଣା କରନ୍ତି ସେମାନଙ୍କ ମଞ୍ଚ ପରିଚାଳନା ଯୋଗୁଁ କଳାହାଂଡିଆ ଭାଷା କୁ ଉପେକ୍ଷା ଘଟଣା ମୁଖ୍ୟ ଚର୍ଚ୍ଚା ର ବିଷୟ ହୋଇଛି। ସାମ୍ବାଦିକ ଗ୍ୟାଲେରୀ ରେ ସାମ୍ବାଦିକ ମାନଙ୍କୁ ଆସନ ନ ମିଳିବା ପ୍ରତିବାଦ ରେ ସାମ୍ବାଦିକ ମାନଙ୍କ ଗାନ୍ଧିଗିରି ତଳେ ବସି ପ୍ରତିବାଦ ଘଟଣା ଆୟୋଜନ କମିଟି , ପୋଲିସ ପ୍ରଶାସନ ଙ୍କ ମୁଣ୍ଡବ୍ୟଥା ପାଲଟି ଥିଲା। ଡ଼ିଏସପି ଓ ଟାଉନ ଥାନା ଅଧିକାରୀ ସାମ୍ବାଦିକ ମାନଙ୍କ ପାଖକୁ ଆସି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ, ଭାଗନେଲେ ୨୦୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଉତ୍ସବର ଦ୍ୱିତୀୟ ଦିବସରେ ସ୍ଥାନୀୟ ଟାଉନହଲଠାରେ ଏକ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ କବି ସମ୍ମିଳନୀର ମୁଖପତ୍ର ନିଶାନ ଉନ୍ମୋଚନ ପରେ ଆଜି ସଂପୃକ୍ତ ମୁଖପତ୍ରରେ ସ୍ଥାନୀତ କବିତାଗୁଡିକର କବିମାନେ ଉପସ୍ଥିତ ରହି ନିଜ ନିଜର କବିତା ପାଠ କରିଥିଲେ।

ଏଥିରେ ଉଦ୍ଘାଟକ ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କ୍ରୁତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ୍ ପାୱାର, ବିଶିଷ୍ଟ କବି ଓ ଲେଖକ ପ୍ରତାପ କିଶୋର ମୁଣ୍ଡ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. ସୁନୀତି ମୁଣ୍ଡ, ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

ଏଇ ଅବସରରେ ପ୍ରତାପ କିଶୋର ମୁଣ୍ଡଙ୍କୁ ତାଙ୍କ ଜୀବନ ବ୍ୟାପି ସାଧନାକୁ ସମ୍ମାନ ଜଣାଇ ମାଟିପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। କବି ସମ୍ମିଳନୀ ଉପସମିତିର ନୋଡ଼ାଲ ଅଫିସର ତଥା ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଭାପତି ଡ. ତପନ ରଥ, ଉପ ସଭାପତି ସନ୍ତୋଷ ରଥ, ଆବାହକ ସତ୍ୟ ନାରାୟଣ ମୁଣ୍ଡଛିନା, ସଭ୍ୟ ବିଶ୍ବରଞ୍ଜନ ପଣ୍ଡା, ଜୟଦ୍ରଥ ସୁନା, ଯାଦବେନ୍ଦ୍ର ସାହା, ସୁଧୀର ଧଙ୍ଗଡ଼ାମାଝୀ, ଡିଲେଶ୍ବର ରଣା, କଳ୍ପନା ରଥ, ସୁମତୀ ମୁଣ୍ଡ, ଲିପ୍ସାମୟୀ ଦୁବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କବି ଅର୍ଜୁନ ଗୋପାଳ, ପ୍ରଶାନ୍ତ ଦାଶ, ପୁଣ୍ୟଦୀପା ଖମାରୀ, କାଜଲ ମହାରଣା, ଆଶୁତୋଷ ପୁରୋହିତ,ଚିନ୍ମୟ ପଣ୍ଡାଙ୍କ ସଂଯୋଜନାରେ ଜିଲ୍ଲାର କୋଣ ଅନୁକୋଣରୁ ଦୁଇଶହରୁ ଉର୍ଦ୍ଧ୍ବ କବି ନିଜ ନିଜର କବିତା ପାଠ କରିଥିଲେ। ଶେଷରେ ବିଶ୍ବରଞ୍ଜନ ପଣ୍ଡା ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। କଳାହାଣ୍ଡି ଉତ୍ସବ ଦୀର୍ଘ ୨୫ ବର୍ଷ ପାଳନ କରାଯାଉଥିବା ବେଲେ ଗ୍ରାମାଞ୍ଚଳ ର ଲୁକ୍କାୟିତ ପ୍ରତିଭା ସେହି ଅନୁସାରେ ଲୋକ ଲୋଚନକୁ ଆସି ପାରୁନଥିବା କିମ୍ବା ସୁଯୋଗ ଦିଆ ଯାଉ ନ ଥିବା ଚର୍ଚ୍ଚା ହେଉଥିଲା। ବିଶେଷ କରି ଦୀର୍ଘ ବର୍ଷ ହେବ କମିଟି ବଦଳୁ ନ ଥିବା ଜିଲ୍ଲା ସାରା ଆଲୋଚନା ହେଉଥିବାର ଜଣା ପଡିଛି।