Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଗାର ଓ ନୂତନ ଶୈକ୍ଷିକ ବ୍ଲକର ଉଦଘାଟନ କଲେ ରାଜ୍ୟପାଳ

ଦୁଷ୍ମନ୍ତ କୁମାର ପଣ୍ଡା 

କଳାହାଣ୍ଡି: କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ନୂତନ ଭାବେ ନିର୍ମିତ କଳାହାଣ୍ଡି ଗ୍ରନ୍ଥାଗାର ଓ ନୂଆ ଶୈକ୍ଷିକ ଭବନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ର ଆବକ୍ଷ ପ୍ରତିକୃତିକୁ ଗ୍ରନ୍ଥାଗାର ପରିସରରେ ଅନାବରଣ କରିଥିଲେ। ବିଶ୍ଵ ବିଦ୍ୟାଳୟର ସମସ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନ କାର୍ଯକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ।

ସଭାରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନିତ ଅତିଥି ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ତଥା ବିଶ୍ଵବିଦ୍ୟାଳୟ ରେଜିଷ୍ଟର ଡ ପିତାମ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜାତୀୟ ସଙ୍ଗୀତ ଗାନ କରାଗଲା ଓ ସମସ୍ତେ ଛିଡ଼ା ହୋଇ ସଙ୍ଗୀତକୁ ସମ୍ମାନ କରିଥିଲେ। କୁଳପତି ଶ୍ରୀ ଶତପଥୀ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ବିଭିନ୍ନ ପଦକ୍ଷେପର ସୂଚନା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଶିକ୍ଷା ଆହରଣ ସହିତ ମନର ଶୁଦ୍ଧି, ଆତ୍ମାର ଡାକ ଓ ସର୍ବୋପରି ଜଗତ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ବଡ଼ କଥା। କଳାହାଣ୍ଡି ଶବ୍ଦର ବିଶ୍ଳେଷଣ କରିବାକୁ ଯାଇ କହିଲେ, କାଳିଆର ହାଣ୍ଡି ହେଉଛି କଳାହାଣ୍ଡି। ଯୋଉ ହାଣ୍ଡିରେ ରୋଷେଇ ହୋଇ କାଳିଆଙ୍କ ପାଖରେ ଭୋଗ ଲାଗେ ଓ ସେ ମହାପ୍ରସାଦ ପାଲଟେ, ସେ ହେଉଛି କଳାହାଣ୍ଡିର ପରିଚୟ। ଏହି ଜଗତ ମଧ୍ୟରେ ଭାରତ ପରି ଦେଶ ନାହିଁ। ଭାରତ ମଧ୍ୟରେ ଓଡ଼ିଶା ପରି ରାଜ୍ୟ ନାହିଁ। କଳାହାଣ୍ଡିର ପ୍ରଗତି ଏବଂ ଏହା ସହିତ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଅବଦାନ ପାଇଁ ସେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ପ୍ରଶଂସା କରି ଛାତ୍ରଛାତ୍ରୀଙ୍କୁ ନିଜର ଭବିଷ୍ୟତକୁ ସୁଦୃଢ଼ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିବା ସହ ମାନବିକ ସମ୍ବେଦନଶୀଳତାକୁ ପାଥେୟ କରିବା ପାଇଁ ଆହ୍ବାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇ କଳାହାଣ୍ଡିର ଶିକ୍ଷା, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଭିତ୍ତିଭୂମି ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

କଳାହାଣ୍ଡି ଏସ ପି ଶ୍ରୀ ଅଭିଳାଷ ଜି ଲାଇବ୍ରେରୀ ଛାତ୍ର ମାନଙ୍କ ଜୀବନରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରେ ଓ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଗୁରୁତ୍ଵ ଦେଇ ଜଣେ ସଫଳ ମଣିଷ ହେବାକୁ ପରିଶ୍ରମ କରନ୍ତୁ ବୋଲି କହିଥିଲେ।

ସଭାପୂର୍ବରୁ ଏନ୍ ସି ସି କ୍ୟାଡେଟ ମାନେ ସମ୍ମାନ ଗାର୍ଡ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ଅପରାହ୍ନ ୩.୦୦ ଘଣ୍ଟା ସମୟରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ “ଚାଲ୍ ଦେଖମା ଆମର କଳାହାଣ୍ଡି” ର କଳାହାଣ୍ଡି କନ୍କ୍ଲେଭ ୨୦୨୨ ଶୀର୍ଷକ ଆଲୋଚନାଚକ୍ରରେ ରାଜ୍ୟପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଅବସରପ୍ରାପ୍ତ ଆଇ ଏ ଏସ୍ ତଥା ପୂର୍ବତନ ଆଇ ଜି ତିହାର ଜେଲ୍, ଜୟଦେବ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ଆଇ ଏ ଏସ୍ ତଥା ପୂର୍ବତନ କଳାହାଣ୍ଡି ଜିଲ୍ଲାପାଳ ଚିନ୍ମୟ ବସୁ ତଥା ପି ଟି ଆଇ ସମ୍ପାଦକ ରାଜେଶ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଆବାହକ” ଚାଲ୍ ଦେଖମା ଆମର କଳାହାଣ୍ଡି ” ଦ୍ଵାରା ଅନୁଷ୍ଠିତ ଦିନବ୍ୟାପୀ ଆଲୋଚନାଚକ୍ର ରେ କଳାହାଣ୍ଡିର ବିକାଶ ମୁଖ୍ୟତଃ କୃଷି ଓ ଜଳବାୟୁ ପରିବର୍ତ୍ତନ, ଶିକ୍ଷା ଓ ଜୀବିକା, ସଂସ୍କୃତି ଓ ପରମ୍ପରା, ନୂତନ ଆବିଷ୍କାର ଓ ଉଦ୍ୟୋଗିକରଣ, ଯୁବ ଦକ୍ଷତା ଓ କର୍ମ ନିଯୁକ୍ତି ଉପରେ ଦେଶ ର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବକ୍ତାଗଣ ଆମନ୍ତ୍ରିତ ହୋଇ ଆଲୋଚନ ରେ ଭାଗ ନେଇଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ବକ୍ତବ୍ୟ ରେ କଳାହାଣ୍ଡିର କ୍ରମବିକାଶରେ ଲୋକଙ୍କ ସହଭାଗିତା ଓ ପରିଶ୍ରମର ପ୍ରଶଂସା କରିଥିଲେ ଏବଂ ଏହି ଜିଲ୍ଲା ଜଗନ୍ନାଥଙ୍କ ହାଣ୍ଡି ସଦୃଶ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସହ ପ୍ରେମ ଓ ସହଂତିର ବାର୍ତ୍ତା ଦେଉଛି ବୋଲି କହିଥିଲେ।

ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାରେ ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭବାନୀପାଟଣା ଠାରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ପ୍ରଥମ କ୍ରୀଡା ପ୍ରତିଯୋଗିତା କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ବରେ ପାଞ୍ଚ ଦିନିଆ କ୍ରୀଡା ପତିଯୋଗିତା ଉଦଯାପିତ ହୋଇ ଯାଇଛି। କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ୧୮ଟି ମହାବିଦ୍ୟାଳୟ ଏଥିରେ ଭାଗ ନେଇଥିଲେ। ୧୯ ତାରିଖ କୁଳପତିଙ୍କ କରକମଳରେ ଚେସ ଏବଂ କାରମ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିଲା। ଚେସ ପ୍ରତିଯୋଗିତାରେ ପ୍ରଗତି ମହାବିଦ୍ୟାଳୟର ତୁଷାର କାନ୍ତ ସାହୁ ବିଜୟୀ ହୋଇଥିବା ବେଳେ କାରରମ୍ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ର ସୌମ୍ୟ ରଂଜନ ତ୍ରିପାଠୀ ବିଜୟୀ ହୋଇଥିଲେ। କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦ ତାରିଖ ଦିନ ଉଦ୍ଘାଟିତ ହୋଇଥିଲା ଏବଂ ଚାରିଦିନ ଧରି ୟୁନିଭରସିଟି ଖେଳ ପଡିଆ ଏବଂ ରିଜର୍ଭ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଠର ଟି ଦଳ ଭାଗ ନେଇଥିଲେ। ପ୍ରଥମେ ପଞ୍ଚାୟତ ମହାବିଦ୍ୟାଳୟ ନାର୍ଲା ନୂଆପଡା ମହାମାୟା କଲେଜ କୁ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଥିଲା। ୨୪ ତାରିଖ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ନେସନାଲ୍ କଲେଜ ନୂଆପଡାକୁ ପରାଜିତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା।

ଫାଇନାଲ ମ୍ୟାଚରେ ନର୍ଲା କଲେଜ ଟସ୍ ଜିଣି ପ୍ରତିପକ୍ଷ କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପାଞ୍ଚ ଉଇକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଥିଲା। ୧୮୮ ରନ ର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ୍ ବିନିମୟରେ ୧୬୨ ରନ ସଂଗ୍ରହ କରି ପାରିଥିଲା। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏହି ମ୍ୟାଚ କୁ ୨୫ ରନ ବ୍ୟବଧାନରେ ବିଜୟ ଲାଭ କରି ପ୍ରଥମ ଆନ୍ତ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିଲା। ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସେରିଜ୍ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ରିକେଟ ଦଳର କ୍ୟାପଟେନ ନରେନ୍ଦ୍ର କୁମାର ବାଗ ହାତେଇ ଥିଲେ। କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଅଭିଳାଷ ପୁରୋହିତ କୁ ବେଷ୍ଟ୍ ବୋଲର ର ମାନ୍ୟତା ମିଳିଥିଲା ଏବଂ ପଞ୍ଚାୟତ ସମିତି ମହାବିଦ୍ୟାଳୟ ନର୍ଲା ର ଯଶୋବନ୍ତ ମାଝିଙ୍କୁ ଵେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ପୁରସ୍କୃତ କରା ହେଇଥିଲା।

ଆଜିର ମ୍ୟାଚରେ ରାନର୍ସ ଅଫ ଦଳକୁ କୁଳପତି ଟ୍ରଫି ପ୍ରଦନ କରିଥିଲେ ଏବଂ ବିଜୟୀ ଦଳକୁ ମୁଖ୍ୟ ଅତିଥି ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଭାରତ ଭୂଷଣ ଦେଓ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ସୁବ୍ରତ ବହିଦାର, ଡି ଆଇ ପି ଆର୍ ଓ ମନୋଜ ବେହେରା, ପୂର୍ବତନ ରଣଜୀ ଖେଳାଳି ପ୍ରସନ୍ନ ସାହାଣୀ, ପି କେ ସାହୁ, ସତ୍ୟନାରାୟଣ ମହାପାତ୍ର, ରଘୁନାଥ ମିଶ୍ର, ଲୁଡୁ ସାସନି, ଜୟଦେବ ସାହୁ ପ୍ରଭୃତି ଯୋଗ ଦେଇଥିଲେ।

ଆଜିର ଖେଳକୁ ପରିଚାଳନା କରିଥିଲେ ଓ ସି ଏ ଆମ୍ପାୟର ବୁଲୁ ସିଂହ ଏବଂ ସୁମିତ ପଟ୍ଟନାୟକ। ଏଇ କ୍ରୀଡା ମହୋସବ କୁ ପରିଚାଳନା କରିଥିଲେ ଡକ୍ଟର ଘନଶ୍ୟାମ ବେହେରା , ପ୍ରଦୀପ କୁମାର ପ୍ରଧାନ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଗଣ। ଧାରା ବିବରଣୀ ପ୍ରଦାନ କରିଥିଲେ ଶ୍ରୀ ଅଂଶୁମାନ ବାବୁ। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଖେଳକୁ ଉପଭୋଗ କରିଥିଲେ।

Categories
ଆଞ୍ଚଳିକ

କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ବିଶ୍ଵ ଏଡସ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଭବାନୀପାଟଣାରେ ଏନ ଏସ ଏସ ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଡିସେମ୍ବର ୦୧ ତାରିଖକୁ ବିଶ୍ଵ ଏଡସ ଦିବସ ରୂପେ ବିଶ୍ଵ ବ୍ୟାପୀ ପାଳନ କରାଯାଏ। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଏହି ସଭାରେ ସଭାପତିତ୍ଵ କରିଥିଲେ। ସେ ତାଙ୍କର ଅଭିଭାଷଣରେ ଏନ ଏସ ଏସ ସ୍ଵେଚ୍ଛାସେବୀ ମାନଙ୍କୁ ଏଡସର ଭୟାଭୟତା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ବିଶ୍ଵବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ, ପି.ଜି. କାଉନସିଲ ଅଧ୍ୟକ୍ଷ ଡ. ଜୟଦେବ ସାହୁ, ଅଧ୍ୟାପିକା ଡ. ରାଧାରଣୀ ନାୟକ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାର ବରିଷ୍ଠ ଚିକିତ୍ସକ ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ତଥା ବିଶେଶଜ୍ଞ ରୂପେ ଯୋଗଦାନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଏଚ.ଆଇ.ଭି. (H.I.V) ଭୁତାଣୁର ସଂକ୍ରମଣ ମାଧ୍ୟମ, ଏଡସ (AIDS) ରୋଗର ଭୟାଭୟତା, ସଂଯମତା ଓ ନିରାକରଣ ବିଷୟରେ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ କୁ ଏନ ଏସ ଏସ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ପରିଚାଳନା କରିଥିଲେ। ଏହି ସଭାରେ ସ୍ଵେଚ୍ଛାସେବୀ ମାନଙ୍କ ମଧ୍ୟରେ ଗୋବିନ୍ଦ ନିଆଲ, ରୋସନ ନାଏକ, ଜଣ୍ଟି ସାହୁ, ବିଭୁସା ବ୍ୟାସ, ସୁରକ୍ଷା ପଟ୍ଟନାୟକ, ଅଭିଷେକ ପଟ୍ଟନାୟକ, ବିକାଶ ପଟେଲ, ଗୀତାଞ୍ଜଳି, ଚୁମକି ସାହୁ ପ୍ରମୁଖ ଏନ ଏସ ଏସ ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ବାପି ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ।