ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ସନ୍ଧ୍ଯାରେ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିବା ଆକଳନ କରାଯାଉଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ବାତ୍ୟା ଗତିକରୁଛି। ତୀବ୍ର ଅବପାତଟି ଗୋପାଳପୁର ଠାରୁ ୪୭୦ କିଲୋମିଟର ଦକ୍ଷିଣ- ପୂର୍ବରେ ରହିଛି। କଳିଙ୍ଗପାଟନମ୍ ଠାରୁ ୪୭୦ କିଲୋମିଟର ପୂର୍ବରେ ରହିଛି। ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମାହାପାତ୍ର ସୂଚନା ଦେଇଛନ୍ତି।
ଏହାର ପ୍ରଭାବରେ ୭ ଟି ଜିଲ୍ଲା କ୍ଷତିଗ୍ରସ୍ତ ହେବା ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସତର୍କ କରିଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଜିଲ୍ଲାଗୁଡିକ ଅଧିକ ପ୍ରଭାବିତ ହେବେ। ତେଣୁ ପ୍ରସ୍ତୁତି ରହିବା ପାଇଁ ଏହି ୭ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ସମୟରେ ପବନ ଅଳ୍ପ ବହିବା ସହିତ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ରବିବାର ଏବଂ ସୋମବାର ଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ତେବେ ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୂତି ଆରମ୍ଭ କରିଦିଆଯାଇଛି। କିନ୍ତୁ ଏହି ୭ ଟି ଜିଲ୍ଲା ସହ ନୟାଗଡ ଜିଲ୍ଲାରେ ମଧ୍ୟ ଓଡ୍ରାଫ ଓ ଏନଡିଆରଏଫ ଟିମ ମୁତୟନ କରାଯିବ। ମୋଟ ଓଡ୍ରାଫର ୪୨ ଟି ଏବଂ ଏନଡିଆରଏଫର ୨୪ ଟି ଟିମ ପ୍ରଭାବିତ ଜିଲ୍ଲାଗୁଡିକରେ ମୁତୟନ କରାଯିବ।