Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିବା ହିତାଧିକାରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ କଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଏହାର ପରିଣାମ ସ୍ୱରୂପ ବିଗତ ୧୦ ବର୍ଷ ମଧ୍ୟରେ ଦେଶର ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି। ଗରିବ ହିତାଧିକାରୀ ଏବେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବାଘଦିଆନି ଗ୍ରାମପଞ୍ଚାୟତରେ।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ରମା ନାଏକ କହିଛନ୍ତି, ପୂର୍ବରୁ ସେ ପାରମ୍ପରିକ ଚୁଲିରେ ରୋଷେଇ କରୁଥିଲେ। ଜାଳେଣି କାଠ ସଂଗ୍ରହ ପାଇଁ ତାଙ୍କୁ ନାନା ହଇରାଣ ହରକତ ହେବାକୁ ପଡ଼ୁଥିଲା। ଏବେ ଉଜ୍ଜ୍ୱଳା ଯୋଜନା ତାଙ୍କର ଭାଗ୍ୟ ବଦଳାଇ ଦେଇଥିବାରୁ ଶ୍ରୀମତୀ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହି ପଞ୍ଚାୟତର ଅନ୍ୟ ଜଣେ ମନରେଗା ହିତାଧିକାରୀ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କହିଛନ୍ତି, ପୂର୍ବରୁ ସେ ଦାଦନ ଖଟିବାକୁ ଗାଁ ଛାଡ଼ି ବାହାର ରାଜ୍ୟକୁ ଯାଉଥିଲେ। କିନ୍ତୁ ଏବେ ତାଙ୍କ ଅଞ୍ଚଳରେ ମନରେଗା ଯୋଜନାର ସଫଳ ରୂପାୟନ ହେଉଥିବାରୁ ସେ ଘର ପାଖରେ କାମ ପାଇପାରୁଛନ୍ତି।

କେବଳ ଏହି ଦୁଇ ହିତାଧିକାରୀ ନୁହନ୍ତି, ସ୍ଥାନୀୟ ଅଞ୍ଚଳରେ ଏମିତି ଅନେକ ଗରିବ, ବଞ୍ଚିତ,  ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଜୀବନରେ କେନ୍ଦ୍ର ସରକାରଙ୍କ ସାମାଜିକ ଯୋଜନାଗୁଡ଼ିକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି।

 

**********

P.S.

Categories
ଆଜିର ଖବର ଜାତୀୟ ଖବର

ଦୁଇ ମାସରେ ୧୫ କୋଟି ପହଞ୍ଚିଲା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମାତ୍ର ଦୁଇ ମାସ ମଧ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଦେଶବ୍ୟାପୀ ବିପୁଳ ଜନ ସମର୍ଥନ ମିଳିଛି । ଏଥିରେ ୧୫ କୋଟିରୁ ଅଧିକ ଉତ୍ସାହୀ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି । ଏହି ବିଶାଳ ଜନଭାଗିଦାରୀ ଏକ ସମୃଦ୍ଧ ଏବଂ ସମାବେଶୀ ଭାରତ ଗଠନ ଦିଗରେ ସମନ୍ୱିତ ମାର୍ଗ ପ୍ରସ୍ତୁତି ପାଇଁ ଯାତ୍ରାର ପ୍ରଭାବ ବିଷୟରେ ବର୍ଣ୍ଣନା କରେ । ଦେଶବ୍ୟାପୀ ସରକାରୀ ଯୋଜନା ଗୁଡ଼ିକର ଶତ ପ୍ରତିଶତ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ଐତିହାସିକ ପଦକ୍ଷେପ ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବା ପରେ ଲୋକ ମାନଙ୍କର ଅଂଶଗ୍ରହଣ ସଂଖ୍ୟା ନାଟକୀୟ ଭାବେ ବୃଦ୍ଧି ପାଇଛି । ୨୦୨୩  ଡିସେମ୍ବର ୧୩ ତାରିଖରେ ଚତୁର୍ଥ ସପ୍ତାହ ଶେଷ ସୁଦ୍ଧା ଭିବିଏସ୍‌ୱାଇ ଯାତ୍ରା ୨.୦୬ କୋଟି ଲୋକଙ୍କ ପାଖରେ ପହଞ୍ଚିଥିବା ବେଳେ ୨୦୨୩ ଡିସେମ୍ବର ୨୨ ସୁଦ୍ଧା ୫ ସପ୍ତାହ ଶେଷରେ ଏହି ସଂଖ୍ୟା ୫ କୋଟିକୁ ବୃଦ୍ଧି ପାଇଛି । ପରବର୍ତ୍ତୀ ୪ ସପ୍ତାହ ମଧ୍ୟରେ ଭିବିଏସ୍‌ୱାଇ ଯାତ୍ରାରେ ୧୦ କୋଟି ବ୍ୟକ୍ତି ଅଂଶଗ୍ରହଣ କରି ୧୫ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ଜାନୁଆରୀ ୧୭ ତାରିଖ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଡ୍ୟାସବୋର୍ଡ ଅନୁଯାୟୀ ୨.୨୧ ଲକ୍ଷ ଗ୍ରାମ ପଞ୍ଚାୟତ ଏବଂ ୯,୫୪୧ ସହରାଞ୍ଚଳରେ ୧୫.୩୪ କୋଟି ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ ।

ଜନ ଭାଗିଦାରୀ : ପ୍ରତ୍ୟେକ ପଦକ୍ଷେପ ଏକାଠି :

ଏହି ଯାତ୍ରା ‘ଜନ ଭାଗିଦାରୀ’ ର ଭାବନାକୁ ପ୍ରତିଫଳିତ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସହର ଓ ଗ୍ରାମକୁ ଗ୍ରାମ ବୁଲି ଆଇଇସି ଭ୍ୟାନ୍ ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା । ଏହି ଭ୍ୟାନ୍ ମାଧ୍ୟମରେ, ଏହା ସମୁଦାୟକୁ ସରକାରୀ ଯୋଜନା, ସ୍ଥାୟୀ ଚାଷ ଏବଂ ସୁଲଭ ସ୍ୱାସ୍ଥ୍ୟ ସେବା, ପରିମଳ ଏବଂ ଆର୍ଥିକ ସ୍ୱାଧୀନତା ବିଷୟରେ ଜ୍ଞାନ ପ୍ରଦାନ କରେ ।

ସ୍ୱାସ୍ଥ୍ୟ ଶିବିରରେ ୪ କୋଟିରୁ ଅଧିକ ଲୋକଙ୍କ ଯାଂଚ କରାଯାଇଛି :

ଜାନୁଆରୀ ୧୭, ୨୦୨୪  ସୁଦ୍ଧା ୪ କୋଟିରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ଶିବିରରେ ଯାଂଚ କରାଯାଇଛି । ମାଇଁ ଭାରତରେ  ୩୮ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଛି । ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ୨ କୋଟିରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି । ଏହି ଯାତ୍ରା ୨ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କାର୍ଯ୍ୟକୁ  ଆଗେଇ ନେବାକୁ  ୧୧ କୋଟିରୁ ଅଧିକ ଲୋକ ସଂକଳ୍ପ ନେଇଥିଲେ ।

ଗ୍ରାମ ଅନୁଯାୟୀ ପ୍ରକୃତ ପ୍ରଭାବ :

ଭିବିଏସ୍‌ୱାଇ ଯାତ୍ରାର ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ । ୧ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଆୟୁଷ୍ମାନ କାର୍ଡ ପାଇଁ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାରେ ସଶକ୍ତ କରିଛି । ‘ହର ଘର ଜଳ’ ଯୋଜନା ମାଧ୍ୟମରେ ସ୍ୱଚ୍ଛ ଜଳ ବର୍ତ୍ତମାନ ୭୯,୦୦୦ରୁ ଅଧିକ ଗ୍ରାମ ପଞ୍ଚାୟତରେ ପହଞ୍ଚୁଥିବା ବେଳେ ୧.୩୮ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ଶତପ୍ରତିଶତ ଜମି ରେକର୍ଡ  ଡିଜିଟାଲୀକରଣ ସ୍ୱଚ୍ଛତା ଏବଂ ନିରାପତ୍ତାକୁ ସୁଗମ କରୁଛି । ଏହା ବ୍ୟତୀତ ୧୭,୦୦୦ ରୁ ଅଧିକ ଗ୍ରାମ ପଞ୍ଚାୟତ ଓଡିଏଫ୍ ପ୍ଲସ୍ ଅନୁପାଳନ ହାସଲ କରିଛନ୍ତି, ଯାହା ସ୍ୱଚ୍ଛ ଜୀବନଯାପନର ପ୍ରମାଣ ହେଇଥାଏ ।

ପରିସଂଖ୍ୟାନ ବ୍ୟତୀତ, ଏକ ଅଂଶୀଦାର ସ୍ୱପ୍ନ :

ଯାତ୍ରାର ପ୍ରକୃତ ସଫଳତା ଏକ ସାମୂହିକ ସ୍ୱପ୍ନ – ଏକ ଭାରତର ସ୍ୱପ୍ନ ଯେଉଁଠାରେ ପ୍ରଗତି ପ୍ରତ୍ୟେକ ଦ୍ୱାରରେ ପହଞ୍ଚିଥାଏ,  ଯେଉଁଠାରେ ସମସ୍ତଙ୍କ ଭିତରେ ସମୃଦ୍ଧି ବଂଟନ ହୋଇଥାଏ ଏବଂ ଯେଉଁଠାରେ ବିକାଶ ସଶକ୍ତ ଜୀବନରେ ପରିଣତ ହୁଏ , ସେସବୁକୁ ଜାଗ୍ରତ କରିବାରେ ହିଁ ରହିଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ପ୍ରତ୍ୟେକ ପଞ୍ଜୀକୃତ ହିତାଧିକାରୀ ଏବଂ ପ୍ରତ୍ୟେକ ପ୍ରତିଶ୍ରୁତି ସହିତ ଏହି ଯାତ୍ରା ଭାରତକୁ ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ଦିଗରେ ଏକ ପାଦ ଆଗକୁ ନେଇ ଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ  ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ  ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ  ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବାର ସୁଯୋଗ ପାଇଥିବାରୁ  କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କହିଥିଲେ ଯେ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ବର୍ତ୍ତମାନ ଦେଶର ସମସ୍ତ ସ୍ଥାନରେ ପହଞ୍ଚିଛି । ଏହାର ଗୋଟିଏ ମାସର ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭିବିଏସୱାଇ ହଜାର ହଜାର ଗାଁ ସହିତ ୧୫୦୦ ସହରରେ ପହଞ୍ଚିଛି ଯେଉଁଥିରେ ଛୋଟ ସହର ମଧ୍ୟ ଅନ୍ତର୍ଭୁକ୍ତ । ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଯୋଗୁଁ ଭିବିଏସୱାଇ ଆରମ୍ଭ ହୋଇପାରିନଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଜ୍ୟର ନବନିର୍ବାଚିତ ସରକାରମାନଙ୍କୁ ସେମାନଙ୍କ ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ବିକଶିତ  ଭାରତ ଯାତ୍ରା ସଂକଳ୍ପର ଜନ ଆନ୍ଦୋଳନ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଯଦିଓ ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ସତ କଥା ହେଉଛି ଆଜି ଦେଶବାସୀ ହିଁ ଏହାର ଦାୟିତ୍ୱ ନେଇଛନ୍ତି। ହିତାଧିକାରୀଙ୍କ ସହ ଆଲୋଚନା ବେଳେ ‘ମୋଦୀ କି ଗ୍ୟାରେଣ୍ଟି ଗାଡ଼ି’କୁ ସ୍ୱାଗତ କରିବା ପାଇଁ ଉତ୍ସାହ ଓ ପ୍ରତିଯୋଗିତାକୁ ସେ ଉଲ୍ଲେଖ କରିଥିଲେ।

ଏହା ହେଉଛି ଚତୁର୍ଥ ଅବସର ଯେତେବେଳେ ପ୍ରଧାନମନ୍ତ୍ରୀ ଭିବିଏସୱାଇର ଯାତ୍ରା ସହିତ ଯୋଡ଼ି ହୋଇଛନ୍ତି । ସେ ଗ୍ରାମାଞ୍ଚଳର ଲୋକମାନଙ୍କ ସହିତ କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ସେ ପିଏମ କିଷାନ ସମ୍ମାନ ନିଧି, ପ୍ରାକୃତିକ କୃଷି, ଗ୍ରାମୀଣ ଅର୍ଥବ୍ୟବସ୍ଥାର ଦିଗ ଏବଂ ଭାରତର ଗ୍ରାମଗୁଡିକର ବିକାଶ ବିଷୟରେ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ସହରାଞ୍ଚଳର ବହୁ ସଂଖ୍ୟକ ଲୋକଙ୍କ ସମ୍ପୃକ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର ଫୋକସ୍ ସହରାଞ୍ଚଳ ବିକାଶ ଉପରେ ରହିବ।

ପ୍ରଧାନମନ୍ତ୍ରୀ କହିଥିଲେ, ବିକଶିତ ଭାରତର ସଂକଳ୍ପରେ ଆମ ସହରଗୁଡ଼ିକର ବଡ଼ ଭୂମିକା ରହିଛି। ସ୍ୱାଧୀନତା ପରେ ଦୀର୍ଘ ଦିନ ଧରି ଯାହା ବି ବିକାଶ ହୋଇଥିଲା, ତାହାର ପରିସର ଦେଶର କିଛି ବଡ଼ ସହରରେ ସୀମିତ ରହିଥିଲା। କିନ୍ତୁ ଆଜି ଆମେ ଦେଶର ଟିୟର-୨ ଓ ଟିୟର-୩ ସହରର ବିକାଶ ଉପରେ ଗୁରୁତ୍ୱ ଦେଉଛୁ। ଏହା ଶକ୍ତି ଦେଉଛି। ଦେଶର ଶତାଧିକ କ୍ଷୁଦ୍ର ସହର ବିକଶିତ ଭାରତର ଭବ୍ୟ ଢାଞ୍ଚାକୁ ସୁଦୃଢ଼ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅମୃତ ମିଶନ ଓ ସ୍ମାର୍ଟ ସିଟି ମିଶନର ଉଦାହରଣ ଦେଇ ଛୋଟ ଛୋଟ ସହରରେ ମୌଳିକ ସୁବିଧାର ଉନ୍ନତିକରଣ କରୁଛନ୍ତି । ଏହି ଉନ୍ନତି ସିଧାସଳଖ ଜୀବନଶୈଳୀ, ଯାତ୍ରା ସହଜତା ଏବଂ ବ୍ୟବସାୟ କରିବାର ସହଜତାକୁ ପ୍ରଭାବିତ କରୁଛି । ଗରିବ, ନବ-ମଧ୍ୟବିତ୍ତ, ମଧ୍ୟବିତ୍ତ କିମ୍ବା ଧନୀ ସମସ୍ତେ ଏହି ବର୍ଦ୍ଧିତ ସୁବିଧାର ଲାଭ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

‘‘ପରିବାରର ଜଣେ ସଦସ୍ୟ ଭାବରେ ଆପଣଙ୍କ ସମସ୍ୟାକୁ ହ୍ରାସ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି’‘, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । କରୋନା ମହାମାରୀ ସମୟରେ ସରକାର ପ୍ରଦାନ କରିଥିବା ସହାୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨୦ କୋଟି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଜାର ହଜାର କୋଟି ଟଙ୍କା ପ୍ରଦାନ, ମାଗଣା କରୋନା ଟିକା, ଗରିବ ପରିବାରକୁ ମାଗଣା ରାସନ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ ବିଷୟରେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ଠାରୁ ନିରାଶ ହେଲେ ମୋଦୀଙ୍କ ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାସ୍ତାକଡ଼ରେ ବିକ୍ରେତା ଏବଂ ବୁଲା ବିକାଳୀମାନଙ୍କୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ଯୋଡ଼ିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁମାନେ ବର୍ତ୍ତମାନ ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ସହଜରେ ଋଣ ପାଇପାରିବେ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଲୋକ ବ୍ୟାଙ୍କର ସହାୟତା ନେଇସାରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭିବିଏସୱାଇ ମାଧ୍ୟମରେ ୧.୨୫ ଲକ୍ଷ ଲୋକ ପିଏମ ସ୍ୱନିଧି ପାଇଁ ଆବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୭୫ ପ୍ରତିଶତରୁ ଅଧିକ ହିତାଧିକାରୀ ଦଳିତ, ପଛୁଆ ଏବଂ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ, ଯେଉଁଥିରେ ପ୍ରାୟ ୪୫ ପ୍ରତିଶତ ମହିଳା ହିତାଧିକାରୀ ଅଛନ୍ତି ।

ସହରବାସୀଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସହରାଞ୍ଚଳରେ ଲୋକଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଅଟଳ ପେନସନ ଯୋଜନାରେ ୬ କୋଟି ଗ୍ରାହକ ୬୦ ବର୍ଷ ବୟସ ପରେ ମାସିକ ୫ ହଜାର ଟଙ୍କା ପେନସନ ସୁନିଶ୍ଚିତ କରୁଛନ୍ତି । ପିଏମ ସୁରକ୍ଷା ବୀମା ଯୋଜନା ଏବଂ ଜୀବନ ଜ୍ୟୋତି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ପ୍ରଦାନ କରାଯାଉଛି । ଏହି ଯୋଜନାରେ ୧୭ ହଜାର କୋଟି ଟଙ୍କାର ଦାବି ସମାଧାନ ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଯୋଜନାରେ ପଞ୍ଜୀକୃତ ହୋଇ ନିଜର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଆୟକର ଛାଡ଼ ହେଉ କିମ୍ବା ଶସ୍ତା ଚିକିତ୍ସା ହେଉ ସହରାଞ୍ଚଳ ପରିବାର ପାଇଁ ଅର୍ଥ ସଞ୍ଚୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ସହରାଞ୍ଚଳର କୋଟି କୋଟି ଗରିବଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋକପାତ କରିଥିଲେ ଯେଉଁଠାରେ ଆୟୁଷ୍ମାନ କାର୍ଡ ସେମାନଙ୍କୁ ଚିକିତ୍ସା ଖର୍ଚ୍ଚରେ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । ଜନ ଔଷଧି କେନ୍ଦ୍ରଗୁଡ଼ିକ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ ହେଉଛି, ଯାହା ଦ୍ୱାରା ସହରରେ ରହୁଥିବା ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ୨୫,୦୦୦ କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇପାରିଛି । ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫,୦୦୦କୁ ବୃଦ୍ଧି କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଉଜାଲା ଯୋଜନା ଅଧୀନରେ ଦେଶରେ ଏଲଇଡି ବଲବର ବିପ୍ଳବ ବିଷୟରେ ଶ୍ରୀ ମୋଦୀ ସ୍ପର୍ଶ କରିଥିଲେ ଯାହା ସହରୀ ପରିବାରମାନଙ୍କ ପାଇଁ ବିଦ୍ୟୁତ ବିଲ୍ କୁ ଯଥେଷ୍ଟ ହ୍ରାସ କରିଛି ।

ୱାନ୍ ନେସନ୍ ୱାନ୍ ରାସନ କାର୍ଡ କିପରି ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଗତ ୯ ବର୍ଷ ମଧ୍ୟରେ ୪ କୋଟିରୁ ଅଧିକ ଆବାସ ୟୁନିଟ୍ ଗରିବ ପରିବାରକୁ ଦିଆଯାଇଛି, ଯାହାର ଏକ ଅଂଶ ସହରାଞ୍ଚଳ ଗରିବ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। କ୍ରେଡିଟ୍ ଲିଙ୍କ୍ ସବସିଡି ସ୍କିମ୍, ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ‘‘ଆମ ସରକାର ମଧ୍ୟବିତ୍ତ ପରିବାରମାନଙ୍କୁ ଘର ପାଇବାର ସ୍ୱପ୍ନ ପୂରଣ କରିବା ପାଇଁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି’’ ଯେଉଁମାନଙ୍କର ନିଜସ୍ୱ ଘର ନାହିଁ ସେମାନଙ୍କ ପାଇଁ ଯଥାର୍ଥ ଭଡ଼ା ସୁନିଶ୍ଚିତ କରିବାର ପ୍ରୟାସ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର କମ୍ପ୍ଲେକ୍ସ ରହିଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସହରରେ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଉନ୍ନତ ଜୀବନ ପ୍ରଦାନ କରିବାର ଅନ୍ୟ ଏକ ପ୍ରମୁଖ ମାଧ୍ୟମ ହେଉଛି ସାର୍ବଜନୀନ ପରିବହନ । ବିଗତ ୧୦ ବର୍ଷ ମଧ୍ୟରେ ଆଧୁନିକ ସାର୍ବଜନୀନ ପରିବହନ ପାଇଁ ଯେଉଁ କାମ ହୋଇଛି ତାହା ଅତୁଳନୀୟ ବୋଲି ସେ ସୂଚନା ଦେଇଥିଲେ । ସେ କହିଥିଲେ, ୨୭ଟି ସହରରେ ମେଟ୍ରୋ କାମ ଶେଷ କିମ୍ବା ଚାଲିଥିବାରୁ ଗତ ୧୦ ବର୍ଷ ମଧ୍ୟରେ ୧୫ଟି ନୂଆ ସହରକୁ ମେଟ୍ରୋ ସେବା ମିଳିଛି। ପିଏମ-ଏବସ୍ ସେବା ଅଭିଯାନ ଅଧୀନରେ ଅନେକ ସହରରେ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରାଯାଉଛି। ମାତ୍ର ଦୁଇ ତିନି ଦିନ ତଳେ କେନ୍ଦ୍ର ସରକାର ଦିଲ୍ଲୀରେ ୫୦୦ ନୂଆ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିଥିଲେ। ଏବେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇଲେକ୍ଟ୍ରିକ୍ ବସ୍ ସଂଖ୍ୟା ୧୩୦୦ ଅତିକ୍ରମ କରିଛି।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଯୁବକ ଓ ମହିଳାଙ୍କୁ ସଶକ୍ତ କରିବା ପାଇଁ ସହରଗୁଡ଼ିକ ଏକ ଉତ୍ତମ ମାଧ୍ୟମ ଏବଂ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ଉଭୟ ଯୁବ ଶକ୍ତି ଏବଂ ମହିଳାଙ୍କୁ ସଶକ୍ତ କରୁଛି। ଭିବିଏସୱାଇର ସର୍ବାଧିକ ଫାଇଦା ଉଠାଇ ଏକ ବିକଶିତ ଭାରତର ସଂକଳ୍ପକୁ ଆଗକୁ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ପୃଷ୍ଠଭୂମି

ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସମନ୍ୱୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକାଶ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ  ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧି ଯୋଗ ଦେଇଥିଲେ।