Categories
ଆଜିର ଖବର ଜାତୀୟ ଖବର

କହ୍ନେୟା କୁମାର ଜେଡିୟୁରେ ହେବେ ସାମିଲ!: ବିହାର ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଚର୍ଚ୍ଚା ଜୋର ଧରିଲା

ପାଟଣା: ବିହାର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ କଥା ଦେଖିବାକୁ ମିଳୁଛି। ବର୍ତ୍ତମାନ ସିପିଆଇ ନେତା ତଥା ଜେଏନୟୁର ପୂର୍ବ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ବିହାରର ମନ୍ତ୍ରୀ ତଥା ଜେଡିୟୁ ନେତା ଅଶୋକ ଚୌଧୁରୀଙ୍କ ସହ କହ୍ନେୟା କୁମାର ସାକ୍ଷାତ କରିଛନ୍ତି। ଅଶୋକ ଚୌଧୁରୀଙ୍କ ବାସଭବନକୁ ଯାଇ କହ୍ନେୟା ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ଔପଚାରିକ ସାକ୍ଷାତ ବୋଲି କୁହାଯାଉଛି। ହେଲେ ସେପଟେ ବିହାର ରାଜନୀତିରେ ହଲଚଲ ବୃଦ୍ଧି ହୋଇଛି। ଏହି ସାକ୍ଷାତ ଏଭଳି ସମୟରେ ହୋଇଛି, ଯେଉଁ ସମୟରେ କହ୍ନେୟା କୁମାରଙ୍କ ବିରୋଧରେ ସିପିଆଇ ନିନ୍ଦା ପ୍ରସ୍ତାବ ଗୃହିତ କରିଛି। କହ୍ନେୟା କୁମାର ଜେଡ଼ିୟୁରେ ସାମିଲ ହେବା ଖବରକୁ ନେଇ ଦଳର ନେତା ଅଜୟ ଆଲୋକ ପ୍ରତିକ୍ରିୟା ରଖିଛନ୍ତି। ଆଲୋକ କହିଛନ୍ତି ଯେ, କହ୍ନେୟା କମ୍ୟୁନିଷ୍ଟ ଚିନ୍ତାଧାରାର ଲୋକ ଅଟନ୍ତି। ଯଦି ସେ ଏହି ଚିନ୍ତାଧାରାକୁ ତ୍ୟାଗ କରି ଜେଡ଼ିୟୁ ଚିନ୍ତାଧାରାକୁ ଗ୍ରହଣ କରନ୍ତି ଏବଂ ଦଳର ସଚ୍ଚୋଟ ସିପାହୀ ଭାବେ କାମ କରିବେ, ତେବେ ତାଙ୍କୁ ଜେଡ଼ିୟୁରେ ସ୍ଵାଗତ କରାଯିବ।