Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ, ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ନିର୍ଦ୍ଦେଶ

ପୁରୀ: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ-ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ,ନୂଆ ମୁହାଣ ଅଞ୍ଚଳ, ପୁରୀ- ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଗତବର୍ଷ ଜିଲ୍ଲାରେ ୧୭୮୩୭୫ଟି ଚାରାରୋପଣ ସହ ୧୪୬୦୦ ଚାରା ବଣ୍ଟନ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬୮୫୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଡିଏଫ୍ଓ ଶ୍ରୀ ପି. ର‍ମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶ୍ରୀ ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଶେଷ ଚୈତ୍ର ମଙ୍ଗଳବାର: କାକଟପୁର ମା’ ମଙ୍ଗଳା ମନ୍ଦିରରେ ୧୪୪ ଧାରା ଜାରି

କୋଣାର୍କ: କରୋନା ସଂକ୍ରମଣକୁ ଦେଖି କାକଟପୁର ମା’ ମଙ୍ଗଳା ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଝାମୁ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନା ଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଆଜି ଶେଷ ଚୈତ୍ର ମଙ୍ଗଳବାରରେ ମା’ ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହେବ। ତେଣୁ ଭିଡକୁ ରୋକିବା ପାଇଁ ପ୍ରଶାସନ ୧୪୪ ଧାରା ଜାରି କରିଛି। କୋଭିଡ଼ କଟକଣା ମଧ୍ୟରେ ଝାମୁ ଯାତ୍ରା କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। କେବଳ ମାନସିକଧାରୀ ଓ ସେବାୟତଙ୍କ ଉପସ୍ଥିତିରେ ଝାମୁ ଯାତ୍ରା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଛଅ ଲେନ ବିଶିଷ୍ଠ ହେବ କୋଣାର୍କ ରାସ୍ତା, ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ 23 କୋଟି ଟଙ୍କା

ଭୁବନେଶ୍ବର, କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଥିବା ରାସ୍ତାକୁ ରାଜ୍ୟ ସରକାର 6 ଲେନ ବିଶିଷ୍ଠ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ରାସ୍ତା କୋଣାର୍କ କାକାଟପୁର ରିଙ୍ଗରୋଡର ଲାବଣ୍ୟ ଛକ ଦେଇ ଚନ୍ଦ୍ରଭାଗାକୁ ଯାଇଥିବା ରାସ୍ତାକୁ ପ୍ରସସ୍ଥ କରାଯିବ। ଏଥିପାଇଁ ମାପଚୁପ ଆରମ୍ଭ କରାଯାଇ ଜମି ଅଧିଗ୍ରହଣ କରାଯିବ। ଏହି ରାସ୍ତାର ଡିଭାଡରକୁ ଆକର୍ଷଣୀୟ ଭାବେ ଗଛ ଲଗାଯାଇ ସଜାଯିବ। ଏପରିକି ଏହି ରାସ୍ତାର ଦୁଇଟି ସ୍ଥାନରେ ଫାଉଣ୍ଟେନ କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ଏହି ରାସ୍ତାର ଚଉଡା 41 ମିଟର କରାଯିବା ସହିତ ସାଇକେଲ ଓ ପାଦଚଲା ରାସ୍ତା ପୃଥକ ପୃଥକ ଭାବେ କରାଯିବ। କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ଭାବେ ଏହାର ରାସ୍ତା କାମ ଶେଷ କରିବା ପାଇଁ ଚାହିଁଛନ୍ତି। ଏହି କାମ ପାଇଁ ପ୍ରଥମ ପର୍ଯ୍ୟାୟରେ 23 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।