Categories
ଆଜିର ଖବର ଜାତୀୟ ଖବର

ସଂସଦରେ ହଟ୍ଟଗୋଳ: ଲୋକସଭା ବାଚସ୍ପତିଙ୍କ ଉପରକୁ କାଗଜ ଖଣ୍ଡ ଫିଙ୍ଗିଲେ ବିରୋଧୀ

ନୂଆଦିଲ୍ଲୀ: ପେଗାସସ୍ ସ୍କାମକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି କାରଣରୁ ସଂସଦର ମୌସୁମୀ ଅଧିବେଶନ ବ୍ୟାହତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନରେ ବିରୋଧୀ ସାଂସଦଙ୍କ ଉତ୍ତେଜନା କାରଣରୁ ଗୃହର କାର୍ଯ୍ୟକୁ ବାରମ୍ବାର ମୁଲତବୀ ରଖାଯାଉଛି। ଆଜି ମଧ୍ୟ ବିରୋଧୀଙ୍କ ଉତ୍ତେଜନା କାରଣରୁ ରାଜ୍ୟସଭାକୁ ୧୨ ଟା ପର୍ଯ୍ୟନ୍ତ ଏବଂ ପରେ ୨ ଟା ପର୍ଯ୍ୟନ୍ତ ମୁଲତବୀ କରିବାକୁ ପଡିଛି। ଅନ୍ୟପକ୍ଷରେ, ୧୨ ଟା ସମୟରେ ଲୋକସଭାର ପ୍ରକ୍ରିୟା ଚାଲିଥିବାବେଳେ ବିରୋଧୀମାନେ ଲୋକସଭାରେ ବାଚସ୍ପତିଙ୍କ ଉପରକୁ କାଗଜ ଚିରି ଫିଙ୍ଗିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହାକୁ ଗଣତନ୍ତ୍ର ପାଇଁ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ସଂସଦ ଅଧିବେଶନକୁ ଜନସାଧାରଣ ଅପେକ୍ଷା କରି ରହିଛନ୍ତି, ଯେଉଁଠାରେ ତାଙ୍କର ସମସ୍ୟା ବିଷୟରେ ଆଲୋଚନା ହେବ। ଆଜି କଂଗ୍ରେସ ଏବଂ ଟିଏମସି ସାଂସଦମାନେ ହୋ-ହଲ୍ଲା କରିବା ସହ ମର୍ଯ୍ୟଦା ଭାଙ୍ଗିଛନ୍ତି। ସାମ୍ବାଦିକଙ୍କ ଗ୍ୟାଲେରୀରେ କାଗଜପତ୍ର ପକାଇବା ଗଣତନ୍ତ୍ର ପାଇଁ ଲଜ୍ଜାଜନକ ଘଟଣା ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ କହିଛନ୍ତି।

ପେଗାସସ୍ ମାମଲା ତଥା କେନ୍ଦ୍ର କୃଷି ଆଇନ ସମେତ ଅନ୍ୟ କେତେକ ପ୍ରସଙ୍ଗରେ ବିରୋଧୀ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।