Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଅଙ୍ଗନଓ୍ୱାଡି ଓ ବିଦ୍ୟାଳୟଗୁଡିକରେ ଦିଆଯିବ ଓମ୍ଫେଡ୍ ଗୁଣ୍ଡ ଦୁଗ୍ଧ: ପରିଚାଳନା ପରିଷଦ ବୈଠକରେ ପ୍ରସ୍ତାବ

ଭୁବନେଶ୍ୱର: ଆଜି ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟିଡେଟ୍ (ଓମ୍ଫେଡ୍)ର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓମ୍ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଜେନେରାଲ ମ୍ୟାନେଜର (ଡାଏରୀ ଅପରେସନ) ସୌମେନ୍ଦ୍ର ଭୌମିକ, ଜେନେରାଲ ମ୍ୟାନେଜର (ଅର୍ଥ) ସୁରେଶ ଚନ୍ଦ୍ର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ ବୋର୍ଡର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ବୋର୍ଡର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ଓମ୍ଫେଡକୁ କିପରି ଆଗେଇ ନେବା ସହ ଉତ୍ତମ ଗୁଣବତ୍ତା ବିଶିଷ୍ଟ ସ୍ୱାଦିଷ୍ଠ ଓ ସ୍ୱାସ୍ଥ୍ୟକର ଉତ୍ପାଦ ମାର୍କେଟକୁ ଯାଇପାରିବ ସେ ସଂପର୍କରେ ବୋର୍ଡର ସଦସ୍ୟ ସଦସ୍ୟାମାନେ ନିଜ ନିଜର ବହୁ ମୂଲ୍ୟ ମତାମତ ଦେବାକୁ ଅନୁରୋଧ କରିଥିଲେ। ଦୁଗ୍ଧ ସଂଗ୍ରହ ସହ ଉତ୍ପାଦ ବୃଦ୍ଧି କରିବା ଏବଂ ଓମ୍ଫେଡ ଉତ୍ପାଦନଗୁଡିକ କପରି ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେ ସଂପର୍କରେ ମଧ୍ୟ ପରିଚାଳନା ନିର୍ଦେଶକ ଆଲୋକପାତ କରିଥିଲେ।

ଓମ୍ଫେଡର ଉତ୍ପାଦନ ବୃଦ୍ଧି କରିବା ସହ ଏହାର କଳେବରକୁ ବୃଦ୍ଧି କରିବା ପାଇଁ କଣ କଣ ପଦକ୍ଷେପ ନିଆଯିବା ଦରକାର ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଦୁଗ୍ଧ ସଂଗ୍ରହ ଓ ନୂତନ ଉତ୍ପାଦ ବୃଦ୍ଧି କରିବା ନେଇ ବୋର୍ଡର ସଦସ୍ୟ ସଦସ୍ୟାମାନେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ। ମୁଖ୍ୟତଃ ଗ୍ରାମାଞ୍ଚଳରେ କ୍ଷୀରଧାରା କେନ୍ଦ୍ରମାନ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ ଜଣାଇବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା। ଓମ୍ଫେଡ୍ ଘିଅ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବାରୁ ଏହାକୁ ସମସ୍ତେ ସ୍ୱାଗତ ଜଣାଇଥିଲେ।

ଆଗାମୀ ଦିନରେ ରାଜ୍ୟର ସମସ୍ତ ବଡ ବଡ ମନ୍ଦିରରେ କିପରି ଓମ୍ଫେଡ୍ ଘିଅ ଲାଗି ହୋଇପାରିବ, ସେ ସଂପର୍କରେ ସରକାରଙ୍କ ସହ ଆଲୋଚନା କରାଯାଇଥିବା ସଂପର୍କରେ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ପରିଷଦକୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାମଧେନୁ ଯୋଜନାକୁ ଗ୍ରାମାଞ୍ଚଳକୁ ବ୍ୟାପ୍ତ କରିବା ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ରାଜ୍ୟ ସରକାର ୬୫.୪୯ କୋଟି ଟଙ୍କା ମଂଜୁର କରିଥିବାରୁ ରାଜ୍ୟ ସରକାରଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ଓ ବିଦ୍ୟାଳୟକୁ ଓମ୍ଫେଡ ଗୁଣ୍ଡ ଦୁଗ୍ଧ ଯୋଗାଇ ଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏ ସଂପର୍କରେ ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବାକୁ ବୈଠକରେ ସ୍ଥିର ହୋଇଛି। ସେହି ପରି ଷ୍ଟେଟ ସେଣ୍ଟ୍ରାଲ ଲାବ୍ରୋଟାରୀ ମଧ୍ୟ ଅରିଲୋଠାରେ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦୁଗ୍ଧ କାରଖାନାଠାରେ ପାଇପ ଦ୍ୱାରା ପ୍ରାକୃତିକ ଗ୍ୟାସ୍ ଯୋଗାଣ, ଅରିଲୋଠାରେ ଏକ ପାର୍ଲୋର ଖୋଲାଯିବାକୁ ଏହି ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଛି।

ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପରିଚାଳନା ପରିଷଦର ସଂପାଦକ ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ଜାତୀୟ ଦୁଗ୍ଧ ଦିବସ ପାଳିତ

ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନରେ ରାଜ୍ୟର ଗ୍ରାମୀଣ ବିକାଶ ପାଇଁ ସାମର୍ଥ୍ୟ ରହିଛି। ଦୁଗ୍ଧ ଉତ୍ପାଦନ ସହିତ ଚାଷୀ ଓ ମହିଳାଙ୍କ ବିକାଶ ଜଡ଼ିତ ଥିବାରୁ ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେଉଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ଆନୁକୂଲ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅଧିକ ସଂଖ୍ୟକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଛି ।

ଓୟୁଏଟିର ଭେଟେରିନାରୀ କଲେଜ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ଯେ ରାଜ୍ୟରେ ଏବେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛି। ମୁଣ୍ଡିପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ଆବଶ୍ୟକ ଥିବା ସ୍ଥଳେ ଆମ ରାଜ୍ୟରେ ପ୍ରାୟ ୧୬୦ ଗ୍ରାମ ଦୁଗ୍ଧ ଉତ୍ପାଦିତ ହେଉଛି।

ସରକାର ଗୋପାଳନକୁ ପ୍ରାଧାନ୍ୟ ଦେଇ ନୂତନ ଭାବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟରେ ଦୁଗ୍ଘ ଉତ୍ପାଦନକୁ ଦୁଇଗୁଣ କରିବାର ଲକ୍ଷ୍ୟ ରଖାଯାଇଛି। ଗାଈ ଓ ମଇଁଷି ପାଳନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି।

ରାଜ୍ୟର ଗୋପାଳକ, ମହିଳା, ଉଦ୍ୟୋଗୀ ଓ ଯୁବକଯୁବତୀମାନଙ୍କୁ ଗୋପାଳନ ପ୍ରତି ଆକୃଷ୍ଟ କରିବ ଏବଂ ରାଜ୍ୟରେ ଦୁU ଉତ୍ପାଦନ ବୃଦ୍ଧି ପାଇ ଉଚ୍ଚତମ ସୋପାନରେ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶାପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁଣି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ ଫାର୍ମ ଓ ଦୁU ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା କରିବା ପାଇଁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛି। ପ୍ରାଣିଚିକିତ୍ସା ସେବା ପହଞ୍ଚାଇଦେବା ପାଇଁ ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ୟୁନିଟ୍‌ କାର୍ଯ୍ୟ କରୁଛି।

ରାଜ୍ୟର ଗୋପାଳକଙ୍କୁ ଅଧିକ ଲାଭବାନ କରିବା ପାଇଁ ଲିଙ୍ଗ ନିରୁପିତ ଶୁକ୍ର ମାଧ୍ୟମରେ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ କରାଯାଉଛି ଓ ଏହା ମାଧ୍ୟମରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରୀ ଜନ୍ମ ହୋଇ ଗୋପାଳକ ଲାଭବାନ ହେଉଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଭାରତରେ ଶେ୍ୱତ ବିପ୍ଳବର ଜନକ ପଦ୍ମବିଭୂଷଣ ଡ. ଭର୍ଗିଜ୍‌ କୁରିୟେନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାନିବେଦନ କରିବା ସହିତ ଦୁଗ୍ଧ ଉତ୍ପାଦନ ଓ ଅଧିକ ଦୁଗ୍ଧଚାଷୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସଚେତନତା ପ୍ରସାର ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିବାର ଦର୍ଶାଇଛନ୍ତି।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ ଓମ୍‌ଫେଡ୍‌ର ୩୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଜରିଆରେ ପ୍ରାୟ ୩ ଲକ୍ଷ ଗୋପାଳକ ଉପକୃତ ହେଉଛନ୍ତି। ସେମାନଙ୍କୁ ଦାନାରେ ରିହାତି ଯୋଗାଇ ଦିଆଯାଉଛି ଏବଂ ଉନ୍ନତ ଗୋପାଳନ ପାଇଁ ତାଲିମ ଦିଆଯାଉଛି । ଗୋପାଳକମାନଙ୍କୁ ଘାସଚାଷ, ଟିକାକରଣ ଓ କୃମିନାଶନ ଇତ୍ୟାଦି ପାଇଁ ସହାୟତା ଯୋଗାଇ ଦିଆଯାଉଛି।

କାର୍ଯ୍ୟକ୍ରମରେ ଓମ୍‌ଫେଡ୍‌ର ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ଓମ୍‌ଫେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, ପ୍ରାଣିସମ୍ପଦ ବିଭାଗର ନିର୍ଦ୍ଦେଶକ ରାମାଶିଷ ହାଜରା, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଗୌତମ ପାତ୍ର, ଭେଟେରିନାରୀ କଲେଜର ଡିନ୍‌ ସୁଶେଣ କୁମାର ପଣ୍ଡା ଓ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଶୋକ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ୨୫ ଜଣ ସଫଳ ଦୁଗ୍ଧ ଚାଷୀ ଓ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କେତେକ ଉଦ୍ୟୋଗୀ ଓ ଚାଷୀ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ପାଇଁ ସେମାନଙ୍କୁ ସଫଳତା ମିଳିଥିବା କଥା ଉଲ୍ଲେଖ କରିଥିଲେ। ପରେ ଆୟୋଜିତ ଏକ ବୈଷୟିକ ଅଧିବେଶନରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନର ସ୍ଥିତି, ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧ ଚାଷୀଙ୍କ ବିକାଶ ନିମନ୍ତେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ପ୍ରାଣୀସମ୍ପଦ ସ୍ୱାସ୍ଥ୍ୟସେବା ନେଇ ବକ୍ତାମାନେ ମତ ଉପସ୍ଥାପନ କରିଥିଲେ।