Categories
ଆଜିର ଖବର ରାଜ୍ୟ ଖବର

ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଯୋରନ୍ଦା: ସୁଯୋଗ ନମିଳିବା କାରଣରୁ ସମାଜରେ ଅନେକ ବଣ ମଲ୍ଲି ବଣରେ ହିଁ ରହିଯାଉଛନ୍ତି। ତେଣୁ  ସେହି ସବୁ ବଣ ମଲ୍ଲିକୁ ପ୍ରସ୍ଫୁଟିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ଯୋରନ୍ଦା ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଏକ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜଣେ ଛାତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ମା’ ସରସ୍ୱତୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ଏକ ଥ୍ରୀଡି ପ୍ରିଣ୍ଟିଂର ମୂର୍ତ୍ତି ଉପହାର ଭାବରେ ପ୍ରଦାନ କରିଥିଲେ। ସେହି ଥ୍ରୀଡି ପ୍ରିଣ୍ଟିଂ ମୂର୍ତ୍ତିକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଥିଲେ, ଆମର ପିଲାମାନଙ୍କୁ ସୁଯୋଗ ମିଳିଲେ ସମସ୍ତେ ବହୁତ ଭଲ କାମ କରିପାରିବେ। ସେହିଭଳି ପିଲା ମାନଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ଏହା ଆମ ସମସ୍ତଙ୍କର ଦାୟିତ୍ୱ।

ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହେବା ଉପଲକ୍ଷେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ଉଦଘାଟିତ ଅଟଳ ଟିଙ୍କରିଂ ଲ୍ୟାବ୍ ଉପରେ ସେ କହିଥିଲେ ଯେ ଅଟଳ ଟିଙ୍କରିଂ ଲ୍ୟାବ୍ ନୂଆପିଢ଼ିର ଶିକ୍ଷାର୍ଥୀମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶର ମାଧ୍ୟମ ହୋଇଛି। ପିଲାଙ୍କ ମନରେ ଥିବା ପ୍ରତିଭା ଓ ସର୍ଜନଶୀଳତାକୁ ପ୍ରସ୍ଫୁଟିତ କରିବା ଏହି ଲ୍ୟାବର ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଏହି ଲ୍ୟାବ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିକୁ ଉଜ୍ଜିବୀତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଢେଙ୍କାନାଳରେ  ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାମାକ୍ଷାନଗର କାନପୁରା ସ୍ଥିତ ମା’ ମଙ୍ଗଳା ମନ୍ଦିରରେ ଦର୍ଶନ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଣ ଦୋକାନରେ ହେଲା ବିସ୍ପୋରଣ, ୪ ଜଣ ଗୁରୁତର

କାମାକ୍ଷାନଗର: ଦୀପାବଳିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏକ ବାଣ ଦୋକାନରେ ବିସ୍ପୋରଣ ଘଟିଛି। କାମାକ୍ଷନଗର ନିକଟସ୍ଥ ବଡ଼ସୁଆଁଳ ଗାଁରେ ଏକ ବାଣ ଦୋକାନରେ ଏହି ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ଉପସ୍ଥିତ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଯେଉଁମାନେ ଗୁରୁତର ହୋଇଛନ୍ତି ସେମାନେ ହେଲେ ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ୯ ବର୍ଷର ଶିଶୁପୁତ୍ର ପ୍ରତୀକ ନାୟକ ଏବଂ ୧୧ ବର୍ଷର ଝିଅ ଅନ୍ୱେଷା ପାଲ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସ୍ଥାନୀୟ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିସ୍ପୋରଣ କାରଣ ଜଣାପଡି ନାହିଁ।