Categories
ଆଜିର ଖବର ଜାତୀୟ ଖବର

କୋଇଲା ସଙ୍କଟ: ଏହି ରାଜ୍ୟରୁ ଆରମ୍ଭ ହେଲା ବିଦ୍ୟୁତ୍ କାଟ, କାରଖାନାରେ ହ୍ରାସ ହେଲା କ୍ଷମତା

ନୂଆଦିଲ୍ଲୀ: ପଞ୍ଜାବର ତାପଜ ବିଦ୍ୟୁତ୍ କେନ୍ଦ୍ରରେ କୋଇଲା ଅଭାବ ହେତୁ ବିଦ୍ୟୁତ୍ କମ୍ପାନୀ ପିଏସପିସିଏଲ କୁ ଉତ୍ପାଦନ ହ୍ରାସ କରିବାକୁ ପଡିଛି। ଯାହାଫଳରେ ରାଜ୍ୟର ଅନେକ ସ୍ଥାନରେ ବିଦ୍ୟୁତ୍ କାଟ ବିକଳ୍ପ ଭାବେ କରାଯାଉଛି। ପଞ୍ଜାବ ଷ୍ଟେଟ ଇଲେକ୍ଟ୍ରିସିଟି କର୍ପୋରେସନ୍ ଲିମିଟେଡ୍ (ପିଏସପିସିଏଲ) ର ଜଣେ ଅଧିକାରୀ ଶନିବାର କହିଛନ୍ତି ଯେ, କୋଇଲା ଅଭାବ ହେତୁ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକ ସ୍ୱଳ୍ପ କ୍ଷମତାରେ କାର୍ଯ୍ୟ କରୁଛନ୍ତି।

ପିଏସପିସିଏଲ ଅଧିକାରୀ କହିଛନ୍ତି ଯେ, ବିଦ୍ୟୁତ୍ ପରିସ୍ଥିତି ଗୁରୁତର ହୋଇଛି। ବର୍ତ୍ତମାନ ରାଜ୍ୟରେ ଥିବା ପାୱାର ପ୍ଲାଣ୍ଟରେ ପାଞ୍ଚ ଦିନ ପର୍ଯ୍ୟନ୍ତ କୋଇଲା ଗଚ୍ଛିତ ଅଛି। କୋଇଲା ସଞ୍ଚୟ କରିବା ପାଇଁ କାରଖାନାଗୁଡ଼ିକ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁନାହିଁ। ବର୍ତ୍ତମାନ ରାଜ୍ୟରେ ବିଦ୍ୟୁତ୍ ଚାହିଦା ପ୍ରାୟ ୯ ହଜାର ମେଗାୱାଟ।

ଅଧିକାରୀ କହିଛନ୍ତି ଯେ, କୃଷି କ୍ଷେତ୍ରରୁ ବିଦ୍ୟୁତ୍ ଚାହିଦା ବ୍ୟତୀତ ଦିନର ଉଚ୍ଚ ତାପମାତ୍ରା ମଧ୍ୟ ରାଜ୍ୟରେ ବିଦ୍ୟୁତ୍ ଆବଶ୍ୟକତା ବୃଦ୍ଧି କରୁଛି। ଯଦିଓ ପିଏସପିସିଏଲ ଅଧିକାରୀମାନେ ସର୍ବନିମ୍ନ ବିଦ୍ୟୁତ୍ କାଟ ଦାବି କରିଛନ୍ତି, ତଥାପି ରାଜ୍ୟର ଅନେକ ସ୍ଥାନରେ ଦୁଇ ତିନି ଘଣ୍ଟା ବିଦ୍ୟୁତ୍ କାଟ ହେବାର ଖବର ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ୍‌ଏଲ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍‌ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ସାର କାରଖାନା ହେବ। ଏହାସହ ଏହି କାରଖାନା ଓଡିଶା ଏବଂ ପୂର୍ବ ଭାରତର ବିଭିନ୍ନ ଅଂଚଳରେ ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ ସୁନିଶ୍ଚିତ କରିବ।

ଉକ୍ତ ବୈଠକରେ ତାଳଚେର ସାର କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପାୟ ଉପରେ ବିଚାରବିମର୍ଷ କରାଯାଇଛି। ତାଳଚେର ସାର କାରଖାନା ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ଏହା ଓଡିଶା ତଥା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ। ଏହାସହ ଓଡିଶାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସଙ୍ଗେସଙ୍ଗେ ରାଜ୍ୟର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ବୈଠକରେ କୋଇଲା ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ପେଟ୍ରୋଲିୟମ ମନ୍ତ୍ରଣାଳୟ, ସାର ବିଭାଗ ଏବଂ ଏସବିଆଇ ବ୍ୟାଙ୍କର ବରିଷ୍ଠ ଅଫିସରମାନେ ମଧ୍ୟ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଉଦ୍‌ଘାଟିତ ହେଲା ସର୍ଜିକାଲ୍‌ ମାସ୍କ ତିଆରି କାରଖାନା

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରେ ସର୍ଜିକାଲ୍‌ ମାସ୍କ ତିଆରି କରାଖାନାର ଉଦ୍‌ଘାଟନ ହୋଇଛି। ଭୁବନେଶ୍ୱର ସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ କରୋନା ମୁକାବଲା ଓ ବାୟୁ ପ୍ରଦ୍ୟୁଷଣକୁ ଆଖି ଆଗରେ ରଖି ଏନ-୯୫ , କେ ଏନ ୯୫ ଓ ସର୍ଜିକାଲ ମାସ୍କ ତିଆରି କରିବା କାରଖାନା ଉଦ୍‌ଘାଟିତ ହୋଇଛି। ଆଜି ଦିବା ୧୦ ଘଟିକାବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଏହି କାରଖାନା ଉଦ୍ଘାଟିତ ହୋଇଛି।

ଏହି ଉଦ୍‌ଘାଟନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଡ.ନିତ୍ୟାନନ୍ଦ ପଟ୍ଟନାୟକ, ଶିକ୍ଷାବିତ୍‌ ଇଂ. ପ୍ରଭାତ ରଞ୍ଜନ ମଲ୍ଲିକ ଓ ବିଶିଷ୍ଟ ଶିଳ୍ପପତି ଜୀବନ କୁମାର ବଡୁ ଉପସ୍ଥିତ ରହିଥିଲେ। ସର୍ଜିକାଲ୍‌ ମାସ୍କ କାରଖାନା ଲାଗି କମ୍ପାନୀ ଟୁପିୟୁ ସର୍ଜିକାଲ୍‌ ପ୍ରାଇଭେଟ୍‌ ଲିମିଟେଡକୁ ଶୁଭେଚ୍ଛା ଜଣାଇଥିଲେ ଅତିଥିବୃନ୍ଦ।

ଏହି ସମାରୋହରେ କମ୍ପାନୀର ନିର୍ଦ୍ଦେଶକ ତପନ କୁମାର ବଳିଆରସିଂ ଅଭିଭାଷଣ ପ୍ରଦାନ କରିଥିଲେ। ସୁଖ ଓ ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ସେ ବାର୍ତ୍ତା ଦେଇଥିବା ବେଳେ ଅନ୍ୟତମ ନିର୍ଦେଶକ ସତ୍ୟସ୍ୱରୂପ ଦାସ କର୍ମ ହିଁ ଭଗବାନ ଓ ସମସ୍ତେ କର୍ମ ଯୋଗୀ ହେଵା ନେଇ ମତ ରଖିଥିଲେ। କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଚିନ୍ମୟ ଦାସଙ୍କ ଅନୁପସ୍ଥିତି ହେତୁ ତାଙ୍କୁ ସାମଗ୍ରିକ ଭାବେ ବଧେଇ ଜଣେଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ନିର୍ଦ୍ଦେଶକ ସତ୍ୟସ୍ବରୂପ ଦାସ ଯୋଗ ଦେଇଥିବାବେଳେ ସାଧାରଣ ପ୍ରବନ୍ଧକ ବିଶ୍ବମ୍ବର ନାଥ ଏହି ସଭାକୁ ପରିଚାଳନା କରିଥିଲେ।