Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆନୁଷ୍ଠାନିକ ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସହ ଜିଲ୍ଲା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ସମ୍ପାଦକ ଅଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ନାରାୟଣ ପାଇକରାୟ, ଉପଦେଷ୍ଟା ଉମା ଶଙ୍କର ପ୍ରସାଦଙ୍କ ସମେତ ଜିଲ୍ଲା ତଥା ବ୍ଲକ ସ୍ତରୀୟ ସାମ୍ବାଦିକମାନେ ବହୁ ମାତ୍ରାରେ ଯୋଗ ଦେଇଥିଲେ।

ଆଗାମି ଅକ୍ଟୋବର ମାସରେ ପାଳିତ ହେବାକୁ ଥିବା ବାର୍ଷିକ ଉତ୍ସବ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସର୍ବସହମତି କ୍ରମେ ଶାନ୍ତି ଶୃଙ୍ଖଳାର ସହ ବହୁ ଆଡମ୍ବରରେ ବାର୍ଷିକୋତ୍ସବ ପାଳନ ନିମନ୍ତେ ବହୁମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମ ପରିଚାଳନା ନିମିତ୍ତ ୧୬ ଜଣିଆ କମିଟି ଚୟନ କରାଯାଇଛି। ଉକ୍ତ ଉତ୍ସବକୁ ସରସ ସୁନ୍ଦର ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଗାମି ବୈଠକ ଆସନ୍ତା ମାସ ଏକ ତାରିଖରେ ମା’ ଉଗ୍ରତାରାଙ୍କ ପୀଠରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Categories
ଆଞ୍ଚଳିକ

ରେଢ଼ାଖୋଲ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ରେଢ଼ାଖୋଲ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତଥା ଅମୃତ ମହୋତ୍ସବ ପାଳନ ଅବସରରେ ରେଢ଼ାଖୋଲ ଉପଖଣ୍ଡ  ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ ପରିସର ସ୍ଥିତ ରାଜୀବ ଗାନ୍ଧୀ ଭବନ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଟ ସାମ୍ବାଦିକ ରବୀନ୍ଦ୍ରନାଥ ପ୍ରଧାନ, ଜୟନ୍ତ କୁମାର ଖଡିରତ୍ନ ମଞ୍ଚାସିନ ଥିଲେ। ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା କରାଯିବା ସହ ସରକାରୀ ସ୍ତରରେ ହେଉଥିବା କାର୍ଯ୍ୟକ୍ରମ କିପରି ଗଣମାଧ୍ୟମ ପ୍ରତିନିଧି ମାନେ ସୁବିଧାରେ ପାଇ ପାରିବେ ତା ଉପରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ ଆଜି ସମୟର  ଯୁବ ସାମ୍ବାଦିକ ମାନେ  କିଭଳି ଭାବରେ ନିଜ ଲକ୍ଷ୍ମଣ ରେଖାରେ ରହି ସତ୍ୟ, ନିର୍ଭୁଲ ତଥ୍ୟ ଭିତ୍ତିକ ଖବର କେମିତି କରିବେ, ବର୍ଷକୁ ଛଅ ଟି ବୈଠକ କରିବାର ନିଷ୍ପତି ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ନୂତନ ସଭ୍ୟ ଭାବରେ ସାମ୍ବାଦିକ ଯଶୋବନ୍ତ ନାରାୟଣ ସାହୁ, ସୁଧୀର ସୁନା, ଶ୍ରୀରାମ କର୍ଣ୍ଣ, ବିନୋଦ କୁମାର ସେଠୀ, ମଦନ ବେହେରା, ଲିଙ୍ଗରାଜ ପ୍ରଧାନ, ବିଦ୍ୟାଧର ମାଝୀ ୭ ଜଣ ସାମ୍ବାଦିକ  ସଭ୍ୟପଦ ଗ୍ରହଣ କଲେ।

ସମସ୍ତ ନୂତନ ସଭ୍ୟଙ୍କୁ ସଂଘ ପକ୍ଷରୁ ଶୁଭେଛା ଜଣାଯାଇଥିଲା। ଏହି ବୈଠକରେ ସାମ୍ବାଦିକ ସାମ୍ବାଦିକ ଶରତ ପ୍ରଧାନ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ରଶ୍ମିତା ରାଉତ, ତପନ ବିଶ୍ଵାଳ, ସରୋଜ ସାହୁ, ସୁଶାନ୍ତ ନାଗ, ଅନୀଲ ପୃଷ୍ଟି, ସରୋଜ ରାଉତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଉଭୟ ନାକଟିଦେଉଳ, ରେଢ଼ାଖୋଲ ବ୍ଲକ ଓ ଏନ୍ଏସି ର ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ। ଶେଷରେ ସମ୍ପାଦକ କନ୍ଦର୍ପ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଗତକାଲି ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସଭାପତି ୟାସୀର ନୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସଭାପତି ଶ୍ରୀ ନୱାଜ କହିଥିଲେ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ନବୀନ ପଟ୍ଟନାୟକ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ।

ଅନ୍ୟ ପକ୍ଷରେ ଓଡ଼ିଶା ଷ୍ଟାଫ ସିଲେକ୍ସନ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆଗରେ ବିକ୍ଷୋଭ କରିବ। ନବୀନ ସରକାରର ଚାକିରୀ ବିକ୍ରି ନୀତି ବିରୁଦ୍ଧରେ ଆନ୍ଦୋନ କରିବ। ନବୀନ ସରକାର ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଧୂଆଁବାଣ ବୋଲି ଛାତ୍ରଛାତ୍ରୀଙ୍କୁ ଜାଗ୍ରତ କରାଇବ। ବେକାରୀ ସମସ୍ୟା ଓ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗରେ ସାରା ରାଜ୍ୟର କୋଣ ଅନୁକୋଣରେ ଦୁର୍ବାର ଆନ୍ଦୋଳନ କରାଯିବ। ଅନ୍ୟ ପକ୍ଷରେ ପାଠ ପଢିବା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡୁଛନ୍ତି ସେମାନଙ୍କୁ ପାଠ ପଢିବା ପାଇଁ ସାହାଯ୍ୟ କରାଯିବ।

ଛାତ୍ରକଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ‘ମହାତ୍ମା ଗାନ୍ଧୀଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା’ ପ୍ରସଙ୍ଗରେ ଅନଲାଇନ ମାଧ୍ୟମରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଅନୁଷ୍କା ଶର୍ମାଙ୍କୁ ପ୍ରଥମ ରଞ୍ଜିତା ପଟ୍ଟନାୟକ ଦ୍ୱିତୀୟ ଓ ସୋହାନୀ ନାୟକଙ୍କୁ ତୃତୀୟ ସ୍ଥାନ ପାଇଥିବାର ଘୋଷଣା କରିଥିଲେ। ଏହି ପ୍ରତିଯୋଗିତାରେ ଯେଉଁମାନେ ଅଧିକ ପଞ୍ଜୀକରଣ କରିଥିଲେ ସେମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ସଭାପତି ନବନୀତା କଭରଙ୍କୁ ପ୍ରଥମ, କଟକ ସହର ସଭାପତି ସୌମ୍ୟରଞ୍ଜନ ଦାଶଙ୍କୁ ଦ୍ୱିତୀୟ ଓ କେଉଁଝର ଜିଲ୍ଲା ସଭାପତି ଶୁଭମାଜଙ୍କୁ ତୃତୀୟ ସ୍ଥାନ ଦିଆଯାଇଥିଲା । ଗତ ଛଅମାସ ମଧ୍ୟରେ ଯେଉଁ ଜିଲ୍ଲା ଛାତ୍ରକଂଗ୍ରେସ କମିଟି ଛାତ୍ର ସ୍ୱାର୍ଥ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ପ୍ରସଙ୍ଗରେ ସଫଳ କାର୍ଯ୍ୟକ୍ରମ କରିଥିଲେ, ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିକାଶ ପଶୁପାଳକ, ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଆଜାଦ ଏବଂ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଲୁଲୁ ପାଣିଗ୍ରାହୀ ପୁରସ୍କୃତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ମାନସ ଚୌଧୁରୀ, ରଜତ ଚୌଧୁରୀ, ଅଜୟ ସାହୁ ପ୍ରମୁଖ ଅଭିଭାଷଣ ଦେଇ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଉପସଭାପତି ଆଦିତ୍ୟ ପ୍ରୀତମ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦଳର ମାରାଥନ ବୈଠକରେ ରାଜ୍ୟ ପ୍ରଭାରୀ ବୈଜୟନ୍ତଙ୍କ ଯୋଗଦାନ

ନୂଆଦିଲ୍ଲୀ: ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଙ୍ଗଳବାର ୩ ଦିନିଆ ଆସାମ ଗସ୍ତ କରିଛନ୍ତି। ବୁଧବାର ଗୌହାଟୀଠାରେ ଆସାମ ବିଜେପିର ଦୁଇଦିନିଆ ବିଶାଳ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଯୁକ୍ତ ପଣ୍ଡା ଯୋଗଦେଇ କାର୍ଯ୍ୟକାରିଣୀଙ୍କୁ ଉଦବୋଧନ ଦେଇଥିଲେ ଯେ, ଏହି ବୈଠକ ରାଜ୍ୟ ପାଇଁ ଏକ ନୂତନ ପ୍ରାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ନେଇ ଏହି କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ତଥା ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଆସୁଛି। ସେବା ଓ ସମର୍ପଣ ଦିଗରେ ମଧ୍ୟ ଏହାର କାର୍ଯ୍ୟ ଉଲ୍ଲେଖନୀୟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ଦୁଇଦିନବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, ରାଷ୍ଟ୍ରମନ୍ତ୍ରୀ ରାମେଶ୍ଵର ତେଲୀ, ଆସାମ ବିଜେପି ସଭାପତି ଭାବେଶ କାଲିଟା, ସହପ୍ରଭାରୀ ପବନ ଶର୍ମା, ସଂଗଠନ ମହାମନ୍ତ୍ରୀ ଫଣୀନ୍ଦ୍ରନାଥ ଶର୍ମା, ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମହାମନ୍ତ୍ରୀ ଅଜୟ ଜମୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ମଙ୍ଗଳବାର ଶ୍ରୀଯୁକ୍ତ ପଣ୍ଡା ଗୌହାଟୀରେ ପହଞ୍ଚିବା ପରେ ଦେଶବ୍ୟାପୀ ଚାଲିଥିବା ସେବା ଓ ସମର୍ପଣ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଅମ୍ବିକାଗିରି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ “ଆମର ଘର” ବୃଦ୍ଧାଶ୍ରମ ଯାଇ ଫଳ ବଣ୍ଟନ ଭଳି ସେବା କାର୍ଯ୍ୟ କରିଥିଲେ। ବରିଷ୍ଠ ନାଗରିକଙ୍କ ଭଳି ଜୀବନ୍ତ ଦେବତାଙ୍କ ଆଶୀର୍ବାଦଠାରୁ ମୂଲ୍ୟବାନ ଆଉ କିଛି ନୁହେଁ ବୋଲି ଶ୍ରୀଯୁକ୍ତ ପଣ୍ଡା ଏହି ଅବସରରେ କହିଥିଲେ। ସେହିପରି ଏହି ଅଭିଯାନ ଅଧୀନରେ ସେ ଚାରା ରୋପଣ ମଧ୍ୟ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନରୁ ପ୍ରେରଣା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ।

Categories
ଆଞ୍ଚଳିକ

ବିଜେପି ବାଲୁଗାଁ ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଗକୁ ଆସୁଛି ପୌର ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି। ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ବୁଧବାର ଦିନ ବାଲୁଗାଁ ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବାଲୁଗାଁ ଏନଏସି ସ୍ଥିତ ଉମାମହେଶ୍ୱର ବଣିକ ସଂଘ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବା ସ୍ଥଳେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଯୋଗ ଦେଇ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକକୁ ଅନୁଷ୍ଠାନିକ ରୂପେ ଆରମ୍ଭ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ନଗର ମଣ୍ଡଳର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପୌର ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ମତ ରଖିଥିଲେ।

Categories
ଆଞ୍ଚଳିକ

ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆଜି ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପରିଷଦର ମାନ୍ୟବର ସଭାପତିଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ କରୋନା କଟକଣା ମଧ୍ୟରେ ସମାପ୍ତ ହୋଇଥିଲା।

ପରିଷଦର ମୁମ୍ବାଇସ୍ଥିତ ମୁଖ୍ୟାଳୟର ପ୍ରତିଷ୍ଠାତା ସୋନୁ ସାହାଙ୍କ ଅନୁମୋଦନ କ୍ରମେ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ନାମ ଘୋଷଣା କରାଯିବା ସହ ରାଜ୍ୟ ସଭାପତି ମହମ୍ମଦ ସାହାନୱାଜଙ୍କ ଉପସ୍ଥିତିରେ ନିମ୍ନଲିଖିତ ବ୍ୟକ୍ତିମାନେ ସେମାନଙ୍କର ପ୍ରଥମ ଯୋଗଦାନ ପୂର୍ବକ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରତିଷ୍ଠାତାଙ୍କ ଅନୁମୋଦନ କ୍ରମେ ସେକ୍ ଅବଦୁଲ ଗନି ହୋସେନ-ଉପସଭାପତି, ଓଡ଼ିଶା ଟେଷ୍ଟ ବୋର୍ଡ଼ର ଅଜିତ କୁମାର ନାୟକ-ସାଧାରଣ ସମ୍ପାଦକ, ଓଡ଼ିଶା ଟେଷ୍ଟ ବୋର୍ଡ଼ ସଦସ୍ୟ-ଆସରଫ ଅଲ୍ଲୀ-ପୁରୀ ଜିଲ୍ଲା ସଭାପତି, ସୁଦାଶା ପଣ୍ଡା(ଆଡ଼ଭୋକେଟ) ଏବଂ ନର୍ଗିସ ବାହାର-ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୁଖ ବ୍ୟକ୍ତିମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ଉକ୍ତ ବ୍ୟକ୍ତିମାନେ ଦାୟିତ୍ୱ ଗ୍ରହଣ କରିବା ସହ ଆଜି ସେମାନଙ୍କର ପ୍ରଥମ କାର୍ଯ୍ୟରେ ଯୋଗ ଦେଇଥିଲେ।

ପ୍ରକାଶଥାଉକି, ଚଳିତମାସ ଶେଷ ସୁଦ୍ଧା ଉକ୍ତ ପରିଷଦର ନୂତନ କାର୍ଯ୍ୟାଳୟ ଖୋଲାଯିବା ସହ ଏକ ପ୍ରେସ୍ କନ୍‌ଫରେନ୍ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟର ବିକାଶ ପାଇଁ ତଥା ସମାଜରେ ନିଷ୍ପେସିତ ଅବସ୍ଥାରେ କାଳାତିପାତ କରୁଥିବା ଏବଂ ମାନବ ଅଧିକାରରୁ ବଞ୍ôଚତ ହେଉଥିବା ବ୍ୟକ୍ତିବିଶେଷ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ନବନିଯୁକ୍ତ କର୍ମକର୍ତ୍ତାମାନେ ବଜ୍ର ଶପଥ ନେବା ସହ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ସଭା ଶେଷରେ ମାନ୍ୟବର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଭାରତୀୟ ସମ୍ବିଧାନକୁ ସମ୍ମାନ ଦେଇ ଜାତି, ଧର୍ମ, ବର୍ଣ୍ଣ ଓ ଦଳ ନିର୍ବିଶେଷରେ କାର୍ଯ୍ୟ କରିବାକୁ ଏବଂ ନିଜ ନିଜର ଦାୟିତ୍ୱକୁ ସଚାରୁ ରୂପେ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ୫୦ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀ ଉପସ୍ଥିତ ରହି ପରିଷଦର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିଷଦର ଉତ୍ତରତ୍ତୋର କାମନା କରିଥିଲେ।