ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ ଦକ୍ଷତା ବିକାଶ’ ଉପରେ ସେମିନାର ଆୟୋଜନ ସହିତ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପୂର୍ବରୁ ଜି୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଦୁଇଟି ବୈଠକ ଚେନ୍ନାଇ ଓ ଅମୃତସରରେ ଆୟୋଜିତ ହୋଇଥିଲା। ବିଶ୍ୱସ୍ତରରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଅଭିନବ ଉପାୟ ଓ ନୀତିଗୁଡ଼ିକ ଉପରେ ଆଲୋଚନା କରିବା ଏବଂ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଆୟୋଜନ କରାଯାଉଛି। ଆଜି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ତିନି ଦିନିଆ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।
ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବୋଧିତ କରିଥିଲେ। ରାଷ୍ଟ୍ରର ଭବିଷ୍ୟତକୁ ରୂପ ଦେବା କ୍ଷେତ୍ରରେ ଶିକ୍ଷାର ଗୁରୁତ୍ୱ ଉପରେ ସେ ସ୍ୱତନ୍ତ୍ର ଅଭିଭାଷଣ ରଖିଥିଲେ। ସେ ଦକ୍ଷତା ବିକାଶର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭବିଷ୍ୟତ ଲାଗି କୁଶଳୀ ଶ୍ରମଶକ୍ତିଙ୍କୁ ପ୍ରସ୍ତୁତ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଜ୍ଞାନ, ଅନୁଭୂତି ଏବଂ ଶ୍ରେଷ୍ଠ ପଦ୍ଧତି ବିନିମୟ କରିବା ଲାଗି ଜି୨୦ ଭଳି ମଞ୍ଚର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଯାହାକି ଶିକ୍ଷା କ୍ଷେତ୍ରରେ ସହଭାଗୀ ସଂସ୍କାର ଆଣିବା ଲାଗି ଉପାଦେୟ ହୋଇପାରିବ।
ଏହି ଅବସରରେ ଶ୍ରୀ ସରକାର କହିଥିଲେ ଯେ, କାର୍ଯ୍ୟକ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଏବଂ ମୌଳିକ ଦକ୍ଷତା ବିକାଶ ଓ ଆଜୀବନ ଅଧ୍ୟୟନ ଉପରେ ବିଚାରବିମର୍ଶ କରିବା ଲାଗି ଦୁଇଟି ଆଲୋଚନା ହୋଇଥିଲା, ତାହା ଉପରେ ଆଧାର କରି ଆଜିର ସେମିନାର ଆୟୋଜନ କରାଯାଉଛି। ଅପସ୍କିଲିଂ, ରିସ୍କିଲିଂ ଓ ଆଜୀବନ ଅଧ୍ୟୟନ ଜରିଆରେ ‘ଭବିଷ୍ୟତ ଲାଗି ପ୍ରସ୍ତୁତ’ କାର୍ଯ୍ୟଶକ୍ତି ପାଇଁ ‘ଭବିଷ୍ୟତର କୌଶଳ’ ବିତରଣ ପାଇଁ ମାନବୀୟ ଓ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ଜି-୨୦ ସେମିନାରର ଲକ୍ଷ୍ୟ ବୋଲି ସେ କହିଥିଲେ। ଶ୍ରୀ ସରକାର କହିଥିଲେ ଯେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ବ୍ୟବସ୍ଥା ଅନୁରୂପ ଭାରତ ସରକାର ମୁଖ୍ୟତଃ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାର ଏକୀକରଣ ଜରିଆରେ ଦକ୍ଷତା ବିକାଶ ଢାଞ୍ଚା ବିକଶିତ କରିବା, ମୂଲ୍ୟାଙ୍କନ କରିବା ଏବଂ ମାନ୍ୟତା ଦେବା ଲାଗି ପ୍ରୟାସ କରୁଛନ୍ତି।
ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଅଧ୍ୟକ୍ଷ ଡକ୍ଟର ନିର୍ମଲଜିତ ସିଂ କାଲସୀ ମଧ୍ୟ ସେମିନାରରେ ଉଦବୋଧନ ଦେଇଥିଲେ। ଜି୨୦ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନ ଠାରୁ ମିଳିଥିବା ମତାମତ ଓ ପରାମର୍ଶ ସମ୍ପର୍କରେ ଡକ୍ଟର କାଲସୀ ଏକ ଉପସ୍ଥାପନା ଦେଇଥିଲେ। ଏହାଛଡ଼ା ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀ କେ. ସଞ୍ଜୟ ମୂର୍ତ୍ତି, ଜାତୀୟ ଶିକ୍ଷା ବୈଷୟିକ ମଞ୍ଚ (ଏନଇଟିଏଫ)ର ଅଧ୍ୟକ୍ଷ ଡକ୍ଟର ଅନୀଲ ଡି. ସହସ୍ରବୁଦ୍ଧେ ମଧ୍ୟ ସେମିନାରକୁ ସମ୍ବୋଧିତ କରିଥିଲେ। ଆଜୀବନ ଅଧ୍ୟୟନ ପାଇଁ ଏକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରିବା ଲାଗି ସେମାନେ ଆବଶ୍ୟକ ମତାମତ ଦେଇଥିଲେ।
ଏହି ସେମିନାରରେ ତିନୋଟି ପାନେଲ ଆଲୋଚନା ହୋଇଥିଲା। ବ୍ରାଜିଲ, ସ୍ପେନ, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ, ଓଇସିଡି, ୟୁନିସେଫ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ପାନେଲିଷ୍ଟମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ନିମ୍ନ ବିଷୟବସ୍ତୁଗୁଡ଼ିକ ଉପରେ ପାନେଲ ଆଲୋଚନା ହୋଇଥିଲ :
ପାନେଲ ଆଲୋଚନା 1: କାର୍ଯ୍ୟର ଭବିଷ୍ୟତ ସନ୍ଦର୍ଭରେ ଶ୍ରମ ବଜାର ଓ ସଂସ୍ଥାଗତ କ୍ଷମତା ନିର୍ମାଣର ଆବଶ୍ୟକତା ଲାଗି ଏକ ସକ୍ରିୟ ବ୍ୟବସ୍ଥା ନିର୍ମାଣ : ଉଚ୍ଚ ଗୁଣବତ୍ତା ଆଧାରିତ ପ୍ରଯୁକ୍ତି ଏବଂ ଧନ୍ଦାମୂଳକ ଶିକ୍ଷାକୁ ସକ୍ଷମ କରିବା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀ ଅତୁଲ କୁମାର ତିୱାରୀ ପାନେଲ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।
ପାନେଲ ଆଲୋଚନା 2 : ଉଚ୍ଚ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ ମାର୍ଗ ସୃଷ୍ଟି କରିବା। ଏଲଆଣ୍ଡ ଟି ଏଡୁ ଟେକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସବ୍ୟସାଚୀ ଦାସ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।
ପାନେଲ ଆଲୋଚନା 3 : ପିଲାମାନଙ୍କୁ ଆଜୀବନ ଅଧ୍ୟୟନର ଧାରାକୁ ଆଣିବା ଲାଗି ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସେଟ୍ ଜରିଆରେ ସେମାନଙ୍କୁ ସକ୍ଷମ କରିବା । ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ସଚିବ ଶ୍ରୀ ସଞ୍ଜୟ କୁମାର ଏଥିରେ ଅଧ୍ୟକ୍ଷତା କରିଥିଲେ।
ଜି-୨୦, ନିମନ୍ତ୍ରିତ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି୨୦ ଭବିଷ୍ୟତର କାର୍ଯ୍ୟ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ। ଯେଉଁଥିରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ନୂତନ ବିଚାରକୁ ଦେଖିଥିଲେ ଯାହା ଆମର କାର୍ଯ୍ୟଶୈଳୀ ଏବଂ ଅଧ୍ୟୟନର ପଦ୍ଧତିରେ ପରିବର୍ତ୍ତନ ଆଣୁଛି। ପ୍ରତିନିଧିମାନେ ପ୍ରଦର୍ଶନକାରୀ ଏବଂ ଉଦ୍ଭାବକମାନଙ୍କ ସହିତ ମତବିନିମୟ କରିଥିଲେ।
ଏହି ପ୍ରଦର୍ଶନୀରେ ଶିଳ୍ପ, ଶିକ୍ଷାଜଗତ, ସରକାରୀ ସଂସ୍ଥା, ବହୁପକ୍ଷୀୟ ସଂସ୍ଥା, ଷ୍ଟାର୍ଟଅପ୍ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବା ସହିତ ସେମାନଙ୍କର ସୃଜନଶୀଳ ସାମଗ୍ରୀ ଓ ପ୍ରଯୁକ୍ତି ପ୍ରଦର୍ଶନ କରୁଛନ୍ତି। ସେହିପରି ଏଠାରେ ଭବିଷ୍ୟତର କାର୍ଯ୍ୟ ଉପରେ ଏକ ସ୍ୱତନ୍ତ୍ର ଅନୁଭୂତି ଜୋନ ସହିତ ବ୍ୟାପକ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଛି। ମେଟା, ହେକ୍ସାଗନ, ଇନଫୋସିସ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ୟୁନିସେଫ, ଭାରତୀୟ ଜ୍ଞାନ ବ୍ୟବସ୍ଥା ଡିଭିଜନ, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଟ୍ରାଇଫେଡ ଏବଂ ଆହୁରି ଅନେକ ଷ୍ଟଲ୍ ଜରିଆରେ ଭବିଷ୍ୟତର କାର୍ଯ୍ୟ, ସ୍ୱାସ୍ଥ୍ୟ ସେବା, ମୋବିଲିଟୀ, କୃଷି ଏବଂ ଅନ୍ୟାନ୍ୟ ଭବିଷ୍ୟ ଉନ୍ମୁଖି ବିଷୟବସ୍ତୁ ଏଥିରେ ପ୍ରଦର୍ଶିତ ହୋଇଛି । ପ୍ରଯୁକ୍ତି ଏବଂ ବଜାର ଧାରାରେ ବ୍ୟାପକ ପରିବର୍ତ୍ତନ ଆସିବା କାରଣରୁ ଆଜୀବନ ଅଧ୍ୟୟନ ପଦ୍ଧତି ପାଇଁ ପ୍ରାସଙ୍ଗିକ ଓ ସମନ୍ୱିତ ପଦ୍ଧତି ସହିତ ନୀତି ନିର୍ମାତା ଓ ଶିକ୍ଷାବିତମାନଙ୍କ ପାଇଁ ଏହି ପ୍ରଦର୍ଶନୀ ଏକ ବିଶେଷ ସୁଯୋଗ ଆଣିଦେଇଛି ।
ଏହି ଆଲୋଚନା ବ୍ୟତୀତ ତିନି ଦିନିଆ ବୈଠକରେ ସାଂସ୍କୃତିକ କାର୍ଯକ୍ରମ ମଧ୍ୟ ସାମିଲ ରହିଛି ଯେଉଁଥିରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ । ବୈଠକରେ ଯୋଗ ଦେଇଥିବା ପ୍ରତିନିଧିମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦେଖିବା ଏବଂ ରାଜ୍ୟର ଇତିହାସ ଓ ପରମ୍ପରା ସମ୍ପର୍କରେ ଜାଣିବା ଲାଗି ସୁଯୋଗ ପାଇବେ । ସେମିନାରର ଅନ୍ତିମ ଦିନରେ ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାର ସୁଯୋଗ ପାଇବେ । ଏହି ମନ୍ଦିର ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଏକ ଲୋକପ୍ରିୟ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ।