Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ଏମ୍ସ ଭୁବନେଶ୍ୱର ଗସ୍ତ

ଭୁବନେଶ୍ୱର: ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍ସ ଭୁବନେଶ୍ୱର। ମେଡିକାଲ୍ ଶିକ୍ଷା ହେଉ ଅବା ଗବେଷଣା କିମ୍ବା ସ୍ୱଚ୍ଛତା, ସମସ୍ତ କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରୁଛି ଏହି ଜାତୀୟ ପ୍ରତିଷ୍ଠାନ। ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ ପ୍ରମାଣିତ କରୁଥିବା ମତପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ (ଆଇଏଏସ୍)। ଏମ୍ସକୁ ତାଙ୍କର ଦୁଇ ଦିନିଆ ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତାଳପ କରିଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କୁ ଏମ୍ସକୁ ସ୍ବାଗତ କରିବା ସହିତ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ ଏମ୍ସରେ ଜାରିରହିଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରକଳ୍ପ ଏବଂ ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ। ଏମ୍ସରେ ଯକୃତ(ଲିଭର) ପ୍ରତିରୋପଣ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ସମସ୍ତଙ୍କ ମିଳିତ ସହଯୋଗ ଏବଂ ଦଳଗତ କାର୍ଯ୍ୟ କାରଣରୁ ଏମ୍ସ ଭୁବନେଶ୍ୱର ରୋଗୀସେବା, ଗବେଷଣା ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଗୌରବମୟ ଦଶନ୍ଧି ଯାତ୍ରା କାଳରେ ସର୍ବସାଧାରଣଙ୍କ ଆସ୍ଥା ଜିଣିପାରିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏହି ଅବସରରେ ଯୁଗ୍ମ ସଚିବ ଶ୍ରୀମତୀ ପଟ୍ଟନାୟକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର, ସିଏସ୍ଏସ୍ଡି, ଏମ୍ଆରଡି, ପେଟ୍-ସିଟି, ରେଡିଏସନ୍ ଅଙ୍କୋଲୋଜି ସହିତ ଅନ୍ୟାନ୍ୟ ବିଭିନ୍ନ ସେବା ପରିଦର୍ଶନ କରିଥିଲେ। ଏମ୍ସରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ନିମନ୍ତେ ଥିବା ପ୍ରତିବଦ୍ଧତା ନିମନ୍ତେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ। ସେହିପରି କ୍ରମାଗତ ଭାବେ ସମ୍ମାନଜନକ ଏନ୍ଆଇଆରଏଫ୍ ଏବଂ ଇଣ୍ଡିଆ ଟୁଡେ ତାଲିକାରେ ଉଚ୍ଚସ୍ଥାନ ଅଧିକାର କରିଚାଲିଥିବାରୁ ଅନୁଷ୍ଠାନକୁ ଶ୍ରୀମତୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଯୁଗ୍ମ ସଚିବଙ୍କ ସହ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ମୁଖ୍ୟ ଏବଂ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ସହିତ ବିଶେଷ ବୈଠକ କରିଥିଲେ ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ। ସେହିପରି ସିସିଏଚ୍ବି, ନୂତନ ଟ୍ରମା ଏବଂ ଜରୁରୀକାଳୀନ କୋଠା, ପ୍ରାଶାସନିକ ଭବନ ଏବଂ ଧର୍ମଶାଳା ପରି ଏକାଧିକ ଚିକିତ୍ସା ସୁବିଧାଗୁଡ଼ିକର ଅଗ୍ରଗତିନେଇ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀମତୀ ପଟ୍ଟନାୟକ ଓପିଡି କାଉଣ୍ଟରରୁ ତାଙ୍କର ଆଭା ନମ୍ବର କରିବା ସହିତ ଡିଜିଟାଲ ଇଣ୍ଡିଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ରହିଥିବା ଭିଜନ୍କୁ ଏମ୍ସ ସଫଳତାର ସହିତ ଅନୁପାଳନ କରୁଥିବା ପ୍ରଶଂସା କରିଥିଲେ।

ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲ୍, ପାରାମେଡିକାଲ୍, ନର୍ସିଂ ଆଦି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଥିବା ସେମାନଙ୍କର ଦୂରଦୃଷ୍ଟି ଏବଂ ଭଲପାଇବାକୁ ନେଇ ବିଶେଷ ପ୍ରଭାବିତ ହୋଇଥିଲେ। ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଶବ ପରିଚାଳନାରେ ଏମ୍ସ ଭୁବନେଶ୍ୱରର ସଫଳ ପରିଚାଳନା ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ ଶ୍ରୀମତୀ ପଟ୍ଟନାୟକ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱର ଅନୁସନ୍ଧାନ ଏବଂ ରୋଗୀ ସେବା ଉପରେ ଧ୍ୟାନ ଦେଇ ଅନେକ ଜାତୀୟ ପ୍ରତିଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ସେହିଭଳି, ଏହି ଜାତୀୟ ଅନୁଷ୍ଠାନ ସଫଳତାର ସହିତ ବାହାନଗା ରେଳ ଦୁର୍ଘଟଣାର ୧୬୨ ପାର୍ଥିବ ଶରୀରକୁ ସଂରକ୍ଷଣ କରିବା ଏବଂ ପରିଚାଳନା କରିବାର ସଫଳତା ବହନ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ, ଶେଷ ହେଲା ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଆଜି ଅର୍ଥାତ୍ ସେପ୍ଟେମ୍ବର ୧୫ ତାରିଖରେ ଶେଷ ହୋଇଛି। ବର୍ତ୍ତମାନ ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବିନଙ୍କୁ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ, ଆଇଆରଏସ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ସଞ୍ଜୟ କୁମାର ମିଶ୍ର ପ୍ରାୟ ୪ ବର୍ଷ ୧୦ ମାସ ପାଇଁ ଇଡି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ରାହୁଲ ନବୀନ କିଏ?:

ରାହୁଲ ନବୀନ ୧୯୯୩ ବ୍ୟାଚ୍ ଆଇଆରଏସ ଅଧିକାରୀ। ସ୍ୱତନ୍ତ୍ର ନିର୍ଦ୍ଦେଶକ ହେବା ବ୍ୟତୀତ ବିହାରରୁ ଆସିଥିବା ରାହୁଲ ନବୀନ ମଧ୍ୟ ଇଡି ମୁଖ୍ୟାଳୟର ମୁଖ୍ୟ ଭିଜିଲାନ୍ସ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାନୁସାରେ, ସେ ନୂତନ ନିର୍ଦ୍ଦେଶକଙ୍କ ଆନୁଷ୍ଠାନିକ ନିଯୁକ୍ତି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ଦାୟିତ୍ଵ ତୁଲାଇବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଆଜି ରାଜ ଭବନରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ ଭୁବନେଶ୍ୱରରେ ହେଉଥିବା ରୋଗୀ ସେବା ସମ୍ବନ୍ଧୀୟ ଅନେକ ବିକାଶମୂଳକ କାର୍ଯ୍ୟ, ଗବେଷଣା ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଥିଲେ। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ରୋଗୀ ସେବା ଓ ସମାଜ ପ୍ରତି ଏମ୍ସ ଭୁବନେଶ୍ୱରର ସେବା ମନୋଭାବ ଏବଂ ସକରାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ।

ଓଡ଼ିଶାର ରାଜ୍ୟପାଳ ତଥା ଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗଣେଶୀ ଲାଲଙ୍କ ସହିତ ସାକ୍ଷାତକୁ ନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ଆନନ୍ଦ ପ୍ରକାଶ କରିବା ସହିତ ଏହା ଏକ ପ୍ରେରଣାଦାୟୀ ବୈଠକ ଥିଲା ବୋଲି ପ୍ରକାଶ କରିଛନ୍ତି।
ଏହି ଅବସରରେ ଏମ୍ସ ଭୁବନେଶ୍ୱର ରେଜିଷ୍ଟ୍ରାର ବି ବି ମିଶ୍ର, ଡିଡିଏ (ଇନ୍-ଚାର୍ଜ) ରଶ୍ମିରଜନ ସେଠୀ ମଧ୍ୟ ଉପସ୍ଥିତ ଥିଲେ।