Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ନିରବଚ୍ଛିନ୍ନ ପ୍ରାଣୀ ଚିକିତ୍ସାସେବା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ଦାବି ପୂରଣ ନେଇ ଧର୍ମଘଟ, କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ସାମୂହିକ ଛୁଟିରେ ଯିବା ଆଦି ସଂପର୍କରେ ବିଭାଗକୁ ଆସିଥିବା ଅଭିଯୋଗପତ୍ର ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏପରି ଧର୍ମଘଟ ବେଆଇନ ଓ ଏହା ଓଡ଼ିଶା ସଂଶୋଧିତ ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ଆଇନ ୨୦୨୦ର ଉଲ୍ଲଂଘନ କରୁଛି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସାସେବାକୁ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି ଏବଂ ରାଜ୍ୟରେ ନିରବଚ୍ଛିନ୍ନ ପ୍ରାଣୀ ଚିକିତ୍ସାସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓଡ଼ିଶା ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ସଂଶୋଧନ ଆଇନ-୨୦୨୦ର ଧାରା ୨ର ଉପଧାରା (୯) ଅନୁଯାୟୀ ରାଜ୍ୟର ସରକାରୀ ପ୍ରାଣୀ ଚିକିତ୍ସାଳୟ ଯଥା- ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସା ଡିସ୍‌ପେନ୍‌ସାରୀ, ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ୟୁନିଟ୍‌, ପ୍ରାଣୀଧନ ସହାୟତା କେନ୍ଦ୍ର, ପ୍ରାଣୀସେବା ନିରୁପଣ ପରୀକ୍ଷାଗାର, ସରକାରୀ ପ୍ରାଣୀଧନ ଏବଂ ଗୋଖାଦ୍ୟ ଫାର୍ମ, ଫ୍ରୋଜନ୍‌ ସିମେନ୍‌ ବ୍ୟାଙ୍କ, ବାୟୋଲୋଜିକାଲ ପଡକଫ ଇନ୍‌ଷ୍ଟିଚୁ୍ୟଟ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟରତ ଅନୁଷ୍ଠାନ ରେ ନିୟୋଜିତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, ପାରାଭେଟ୍‌ଙ୍କ ସମେତ ଅନ୍ୟ ତୃତୀୟ ଓ ଚତୁର୍ଥ ବର୍ଗର କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ ଓ ପ୍ରାଣୀ ଚିକିତ୍ସାସେବା ନିମନ୍ତେ ନିୟୋଜିତ କର୍ମଚାରୀମାନଙ୍କ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନିଷିଦ୍ଧ ଘୋଷଣା କରାଯାଇଛି।

ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶନାମା ସଂଖ୍ୟା ୧୭୦/ସି ତା. ୧୬/୦୨/୨୦୨୩ ଛଅ ମାସ ପାଇଁ ବଳବତ୍ତର ରହିଛି ଓ ଉକ୍ତ ଆଇନରେ ଥିବା ପ୍ରାବଧାନକୁ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ଅଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଲେ ବାଣପୁର ବ୍ଲକର ଶତାଧିକ ଅଙ୍ଗନବାଡି କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଡାକରାରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀମାନେ ଆଠ ଦଫା ଦାବି ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଅଙ୍ଗନବାଡି କର୍ମୀ ଦୀର୍ଘ ୪୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଆସୁଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ୨୦୨୧ ମସିହା ଡିସେମ୍ବର ମାସ ୬ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ସେତେବେଳେ ସରକାର ଦାବି ପୂରଣ ପାଇଁ ସମୟ ନେଇଥିବା ବେଳେ ଅଦ୍ୟାବଧି କୌଣସି ଦାବି ପୂରଣ ପୁରାଣ ହୋଇନାହିଁ।

ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଆଜିଠାରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହକର୍ମୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଯୋଗ ଦେବା ସହ ବ୍ଲକ ସମ୍ମୁଖରେ ଅଫିସ ସମୟ ପର୍ଯ୍ୟନ୍ତ ପ୍ରତିଦିନ ଧରଣା ଦେବେ। ଦାବିଗୁଡିକ ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଅଙ୍ଗନବାଡି କର୍ମୀ ମାନେ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଓକିଲଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଜିଲ୍ଲାର ସମସ୍ତ ଓକିଲ ସଂଘ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ତେଜୁଛି ଓକିଲଙ୍କୁ ଆକ୍ରମଣକାରୀଙ୍କ ଗିରଫ ଦାବି। ସମର୍ଥନ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଓକିଲ ସଂଘ। ଚଳିତ ମାସ ୧୭ ତାରିଖ ଦିନ ବାଣପୁର କୋର୍ଟ ପରିସରରେ ବାଣପୁର ଓକିଲ ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକଙ୍କୁ ସ୍ଥାନୀୟ ଗାଲୁଆ ପଞ୍ଚାୟତ ସରପଞ୍ଚ କୋର୍ଟ ପରିସରରେ ମାଡ଼ ମାରିବା ସହ ସମୂହ ଓକିଲ ସଂଘକୁ ଗାଳିଗୁଲଜ କରିଥିବାର ବାଣପୁର ଥାନାରେ ଓକିଲ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା। ଅନୁରୂପ ଭାବେ ସରପଞ୍ଚଙ୍କ ସମର୍ଥକଙ୍କ ପକ୍ଷରୁ ମଧ୍ୟ ଏକାଧିକ ଓକିଲଙ୍କ ବିରୋଧରେ ଏକ ପାଲଟା ଅଭିଯୋଗ କରାଯାଇଥିଲା।

ତେବେ ପୋଲିସ ଉଭୟ କେଶ ରୁଜୁ କରିଥିବା ବେଳେ ଓକିଲମାନେ ସୋମବାର ଠାରୁ ବାଣପୁର କୋର୍ଟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ବାଣପୁରର ଉଭୟ କୋର୍ଟ କାର୍ଯ୍ୟ ଆଜିକୁ ମିଶାଇ ଚାରି ଦିନ ହେଲା ଅଚଳ ଅଛି। ଓକିଲଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଗିରଫଦାରୀ ଦାବି ନେଇ କୋର୍ଟ କାର୍ଯ୍ୟ ବନ୍ଦ ରହିଛି।

ସେହିଭଳି ଆଜି ବାଣପୁର ଓକିଲ ସଂଘର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳି ଭୁବନେଶ୍ୱର ଜିଲ୍ଲା ଜଜ ଓ ଖୋର୍ଦ୍ଧା ଏସପିଙ୍କୁ ଭେଟି ଉକ୍ତ ବିଷୟରେ ଅବଗତ କରାଇବା ସହ ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ ଏବଂ କୋର୍ଟ ପରିସରରେ ଓକିଲମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ଜିଲ୍ଲା ଜଜ ଓକିଲମାନଙ୍କ ସୁରକ୍ଷା ପାଇଁ କୋର୍ଟ ପରିସରରେ ଦୁଇ ଜଣ ପୋଲିସ କର୍ମୀ ମୁତୟନ ହେବେ ବୋଲି କହିଥିବା ବେଳେ ଅତିରିକ୍ତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ଏସପି କହିଛନ୍ତି।

ତେବେ ବାଣପୁର ଓକିଲ ସଂଘର ଉକ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାର ସମସ୍ତ ଓକିଲ ସଂଘ। ଆଜିଠାରୁ ଚିଲିକା ଓକିଲ ସଂଘ ସ୍ଥାନୀୟ କୋର୍ଟକୁ ତିନି ଦିନିଆ ବନ୍ଦ ଡାକରା ଦେଇଥିବା ବେଳେ ଆଗକୁ ଟାଙ୍ଗୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଓକିଲ ସଂଘ ମଧ୍ୟ ସେମାନଙ୍କ ସ୍ଥାନୀୟ କୋର୍ଟକୁ ବନ୍ଦ ରଖିବେ ବୋଲି ସମସ୍ତ ବାର ଆସୋସିଏସନର କର୍ମକର୍ତ୍ତା କହିଛନ୍ତି।

ତତସହିତ କୋର୍ଟ ପରିସରରେ ଓକିଲଙ୍କୁ ଆକ୍ରମଣ ଏବଂ ଗାଳିଗୁଲଜ କରିବା ଏକ ସାଙ୍ଘାତିକ ଅପରାଧ ଏବଂ ଏହାକୁ ଜିଲ୍ଲାର ସମସ୍ତ ବାର ଦୃଢ଼ଭାବେ ନିନ୍ଦା କରିବା ସହ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବାଣପୁର ଓକିଲ ସଂଘ ସଭାପତି ପ୍ରଭାତ ପଟ୍ଟଯୋଶୀ ଓ ସମ୍ପାଦକ ଜଗନ୍ନାଥ ଭୋଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।