Categories
ଆଜିର ଖବର ରାଜ୍ୟ ଖବର

ଶେଷରେ ରାଜି ହେଲେ ଅମଲା ସଂଘ, ସୋମବାରରୁ କାର୍ଯ୍ୟରେ ଯୋଗ ଦେବେ

ଭୁବନେଶ୍ବର: ଶେଷରେ ଅମଲା ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରି ଯାଇଛି। ଗତକାଲି ସରକାରଙ୍କ ସହିତ ଆଲୋଚନା ପରେ ସେମାନେ ଏହି ନିଷ୍ପତି ନେଇଛନ୍ତି। ଫଳରେ ଆସନ୍ତାକାଲି ସୋମବାରରୁ ସମସ୍ତେ କାର୍ଯ୍ୟରେ ଯୋଗଦେବେ। ଏ ନେଇ ସଂଘ ତରଫରୁ ମଧ୍ୟ ସ୍ପଷ୍ଟିକରଣ ଦିଆଯାଇଛି।

ଗତକାଲି ସଂଘର ବରିଷ୍ଠ କର୍ମକର୍ତ୍ତାଗଣ ଭୁବନେଶ୍ବରର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସରକାରଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ 5ଟି ସଚିବ ଭି କେ ପାଣ୍ଡିଆନ, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଶାସକ ଆଦିତ୍ୟ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସଂଘ ସହିତ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା।

ସଂଘ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଦରମାରେ ଗ୍ରେଡ୍‌ ପେ ଲେଭେଲ୍‌-୪ରୁ ଲେଭେଲ୍‌-୯କୁ ବୃଦ୍ଧି କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା।ଏହାସହ ଜିଲ୍ଲାସ୍ତରୀୟ ଅମଲାଙ୍କ ପଦୋନ୍ନତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଏ ନେଇ ସୋମବାରେ ଏକ କମିଟ ରାଜ୍ୟ ସରକାର ଘୋଷଣା କରିବେ। କମିଟ ପ୍ରସ୍ତାବ ଅନୁସାରେ ତାହା କାର୍ଯ୍ୟକାରୀ କରାଯିବ ବୋଲି ସଂଘ କହିଛି।

Categories
ଆଞ୍ଚଳିକ

ବାଲୁଗାଁ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିୟନ୍ତ୍ରିତ ବଜାର କମିଟିର ନିୟମିତ କର୍ମଚାରୀମାନେ ମହଙ୍ଗାଭତ୍ତା ବୃଦ୍ଧି ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। କର୍ମଚାରୀମାନଙ୍କ ଦାବି ମୁତାବକ ଷଷ୍ଠ ବେତନ କମିଶନ ସୁପାରିଶ ଅନୁଯାୟୀ ମହଙ୍ଗାଭତ୍ତା ବୃଦ୍ଧିପାଇ ୧୬୮ ପ୍ରତିଶତ ପହଞ୍ଚିଥିଲେ ସୁଦ୍ଧା କର୍ମଚାରୀମାନେ ଆଜିସୁଦ୍ଧା ଦୀର୍ଘ ଦଶ ବର୍ଷ ଧରି ୫୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ପୂର୍ବରୁ ଏକାଧିକ ଅଧିକାରୀଙ୍କ ବଦଳି ହୋଇଥିବାସତ୍ତ୍ୱେ କେହି ବି ଉକ୍ତ ସମସ୍ୟାକୁ କର୍ଣ୍ଣପାତ କରୁନାହାନ୍ତି।

ତେବେ ଗତବର୍ଷ କର୍ମଚାରୀଙ୍କ ଅନୁରୋଧ କ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଡ଼ିଏ ଫାଇଲକୁ ତାଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଭିତରେ ଏଗାର ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନର କମିଟି ସମ୍ପାଦକ ଉକ୍ତ ଫାଇଲକୁ ଅଣଦେଖା କରିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ ଏକ ମାସ ତଳେ ପୁଣି ଥରେ କର୍ମଚାରୀ ମାନେ ଉପଜିଲ୍ଲାପାଳଙ୍କୁ ଭେଟି ଏ ବାବଦରେ ଏକ ଦାବିପତ୍ର ମଧ୍ୟ ଦେଇଥିଲେ।  ଉପଜିଲ୍ଲାପାଳ କମିଟି ସମ୍ପାଦକଙ୍କୁ ଉକ୍ତ ଫାଇଲ ଆଣିବା ପାଇଁ ନିର୍ଦେଶ ଦେଇଥିଲେ ସୁଦ୍ଧା ଏଯାବତ ଉକ୍ତ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାକୁ କମିଟି ର କର୍ମଚାରୀ ମାନେ ଗୁରୁତର ସହ ନେଇ ଆଜି ଧାରଣାରେ ବସିଛନ୍ତି।

ଦୀର୍ଘ ଦୁଇ ବର୍ଷ କୋଭିଡ ମହାମାରୀ ସମୟରେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଅହେତୁକ ଦରଦାମ ବୃଦ୍ଧି ହେତୁ ସେମାନଙ୍କ ପରିବାର ଚଳାଇବାକୁ ଅସମର୍ଥ ହୋଇପଡିଲେଣି। ଏସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି, ବାଲୁଗାଁ ସମ୍ପାଦକ ପ୍ରବୋଧ କୁମାର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ନିୟମିତ କର୍ମଚାରୀଙ୍କ ଦାବିକୁ ନେଇ ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କୁ ସେ ଅବଗତ କରିଥିବା ସୂଚନା ଦେଇଥିବାବେଳେ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଥିଲେ। ମାତ୍ର ଅଦ୍ୟାବଧି ଧରଣାରତ କର୍ମଚାରୀଙ୍କୁ କୌଣସି ସୂତ୍ରରୁ କିଛିବି ସୂଚନା ଦିଆଯାଇନଥିବାର ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଏଥି ସହିତ ଆମ୍ଭଙ୍କୁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।